ସାଧାରଣତଃ ବାପଘରୁ କନ୍ୟା ବିଦା ବେଳେ ଝିଅକୁ ବିଭିନ୍ନ ସାମଗ୍ରୀ ଉପହାର ଆକାରରେ ଦିଆଯାଇଥାଏ। ଏହା ଆବେଗ ଓ ଶ୍ରଦ୍ଧା ସହ ଜଡ଼ିତ। ମାତ୍ର କାଳକ୍ରମେ ବରପକ୍ଷ ଲୋକଙ୍କ ବ୍ୟାବସାୟିକ ମନୋବୃତ୍ତି ଯୋଗୁଁ ତାହା ଏକ ଦାବିରେ ପରିଣତ ହେବାରୁ ଯୌତୁକ ପ୍ରଥାକୁ ଆମ ଆଇନରେ ନିଷିଦ୍ଧ କରାଯାଇଛି। ଯୌତୁକ ଦେବା ବା ନେବା ଏକ ଅପରାଧ ରୂପେ ପରିଗଣିତ। ମାତ୍ର ରାଜସ୍ଥାନର ନାଗୋର ଜିଲ୍ଲାରେ ଜଣେ କନ୍ୟାର ବିବାହ ଉତ୍ସବରେ ଝିଅଘର ଲୋକେ ‘ମାୟରା’ ନାମକ ପରମ୍ପରା ଅନୁଯାୟୀ ଉପହାର ଆଳରେ ତିନି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ପ୍ରଦାନ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତାହା କିପରି ଯୌତୁକ ଠାରୁ ଭିନ୍ନ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି।

Advertisment

ଗତ ୧୫ ତାରିଖରେ ଅନୁଷ୍କା ନାମକ ଜଣେ ଯୁବତୀଙ୍କର ବିବାହ ଅନୁଷ୍ଠିତ ହେଉଥିଲା। ‘ମାୟରା’ ପରମ୍ପରା ଅନୁଯାୟୀ, ଝିଅର ମାମୁମାନେ ବିବାହ ଦିନ ଅନୁଷ୍କାଙ୍କୁ କିଛି ଉପହାର ଦେବା କଥା। ତେବେ ସେଠାରେ ଉପସ୍ଥିତ ଥିବା ତାଙ୍କର ତିନି ମାମୁ ଯାହା ସବୁ ଉପହାର ଦେଇଥିଲେ, ତାହା ଦେଖି ସମସ୍ତେ ତାଟକା ହୋଇଯାଇଥିଲେ। ପ୍ରଦତ୍ତ ସାମଗ୍ରୀଗୁଡ଼ିକ ମଧ୍ୟରେ ୮୧ ଲକ୍ଷ ନଗଦ ଟଙ୍କା, ଏକ ବିରାଟ ଜାଗାର କାଗଜପତ୍ର, ଗୋଟିଏ ଟ୍ରାକ୍ଟର ଓ ବର ପାଇଁ ବହୁ ଦାମୀ ଅଳଙ୍କାରପତ୍ର ଅନ୍ତର୍ଭୁକ୍ତ, ଯାହାର ମୂଲ୍ୟ ତିନି କୋଟିରୁ ଅଧିକ ହେବ ବୋଲି କୁହାଯାଉଛି। ବେଦି ପାଖରେ ଏହି ସବୁ ଉପହାର ପ୍ରଦର୍ଶିତ ହେଉଥିବାର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍‌ ପ୍ରସାରିତ ହେବାରେ ଲାଗିଛି।