ବ୍ରାଜିଲ ଅନ୍ତର୍ଗତ ଆମାଜନ୍‌ ଜଙ୍ଗଲର ମାତୁ ଗ୍ରୋସୋ ଅଞ୍ଚଳରେ ବାସ କରୁଥିବା ପ୍ରାଚୀନ ତିତି ପ୍ରଜାତିର ବାନର ବଂଶ ଏବେ ଅବଲୁପ୍ତମୁଖୀ। ସଦ୍ୟତମ ବିପନ୍ନ ବାନର ପ୍ରଜାତି (ପ୍ରାଇମେଟ୍ ଇନ୍ ପେରିଲ୍) ରିପୋର୍ଟରେ ତିତି ବାନର ଅନ୍ତର୍ଭୁକ୍ତ ହୋଇଛନ୍ତି। ଚାରି ପ୍ରକାରର ଉଷ୍ମ କଟିବନ୍ଧୀୟ ବାନର ଜାତି ମଧ୍ୟରୁ ମାତୁ ଗ୍ରୋସୋର ତିତି ବାନର ଗୋଟିଏ ଏବଂ  ବିଶ୍ୱର ୨୫ଟି ସର୍ବାଧିକ ବିପନ୍ନ ବାନର (ପ୍ରାଇମେଟ୍) ପ୍ରଜାତି ମଧ୍ୟରେ ଏହା ଅନ୍ୟତମ। ଏହି ପ୍ରଜାତିର ବାସସ୍ଥଳୀ ଦ୍ରୁତ ବେଗରେ ହ୍ରାସ ପାଉଥିବାରୁ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ଏହି ରିପୋର୍ଟରେ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରାଯାଇଛି।

Advertisment


ପୃଥିବୀର ଅନ୍ୟ କୌଣସି ଦେଶ ତୁଳନାରେ ବ୍ରାଜିଲରେ ଅଧିକ ବିପନ୍ନ ବାନର ଥିଲେ ହେଁ ତିତି ବାନରଙ୍କ ସଂରକ୍ଷଣ ଓ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେବାକୁ ଆହ୍ବାନ ଦିଆଯାଇଛି। ନିକଟରେ ବ୍ରାଜିଲ ବାନର ପ୍ରଜାତି ଉପରେ ଅଧ୍ୟୟନ ଓ ଗବେଷଣା କରୁଥିବା ପ୍ରାଣୀବିଜ୍ଞାନୀ (ପ୍ରାଇମେଟୋଲୋଜିଷ୍ଟ)ମାନଙ୍କର ସମ୍ମିଳନୀରେ ତିତି ବାନରକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ମାତ୍ର ୨ ପାଉଣ୍ଡ (ପ୍ରାୟ ୧ କିଲୋଗ୍ରାମରୁ କମ୍‌) ଓଜନ ବିଶିଷ୍ଟ ତିତି ବାନରର ଆକର୍ଷଣୀୟ ଶରୀର ଅତ୍ୟନ୍ତ ମନଲୋଭା। ଏହି  ତିତି ମାଙ୍କଡ଼ ଏକପତ୍ନୀକ ସ୍ୱଭାବ ପାଇଁ ବିଶ୍ୱରେ ଚର୍ଚ୍ଚିତ, କାରଣ ବାନର ପ୍ରଜାତିରେ ଏପରି ଦେଖିବାକୁ ମିଳି ନଥାଏ। ପୁରୁଷ ତିତି ବାନର ନିଜର ପରିବାର ପ୍ରତି ଅତ୍ୟନ୍ତ ବିଶ୍ୱସ୍ତ ଏବଂ ପିଲାମାନଙ୍କର ଲାଳନପାଳନ ଅତି ଯତ୍ନ ସହକାରେ କରିଥାଏ। ମାତୁ ଗ୍ରୋସୋ ତିତି ବାନରକୁ ପ୍ରଥମେ ୨୦୧୯ରେ ଏକ ପୃଥକ୍‌ ଜାତି ଭାବରେ ସ୍ବୀକୃତ ହୋଇଥିଲା। ତେବେ ଆମାଜନ୍‌ ଜଙ୍ଗଲ ଧ୍ବଂସ, ଜଙ୍ଗଲ ନିଆଁ ଓ ମାନବିକ କାର୍ଯ୍ୟକଳାପ ଯୋଗୁଁ ତିତି ବାନରଙ୍କ ନିର୍ଦ୍ଦିଷ୍ଟ ସୀମିତ ବାସସ୍ଥାନ ଅଧିକରୁ ଅଧିକ ସଙ୍କୁଚିତ ହେଉଥିବାରୁ ଏମାନେ ବିପନ୍ନ ହୋଇ ପଡ଼ିଛନ୍ତି।