କିମ୍ଚିକୁ ଗୋଟିଏ ଲୋକପ୍ରିୟ କୋରିଆନ୍ ଆଚାର କହିପାରନ୍ତି। ଯାହାକୁ ଆଜିକାଲିର ପିଲାମାନେ ଫ୍ରାଏଡ୍ ରାଇସ୍, ନୁଡୁଲ୍ସ, ଓମ୍ଲେଟ୍, ପରଟା ଇତ୍ୟାଦି ସହିତ ଖାଇବାକୁ ପସନ୍ଦ କରୁଛନ୍ତି। ବଜାରରେ ମିଳୁଥିବା କିମ୍ଚି ବେଶ୍ ଦାମିକା। ତେବେ ଘରେ ଅଳ୍ପ ଖର୍ଚ୍ଚରେ କେତୋଟି ସାଧାରଣ ଦ୍ରବ୍ୟରେ ଏହାକୁ ପ୍ରସ୍ତୁୁତ କରିହେବ। କୋରିଆନ୍ମାନେ ପ୍ରାୟ ଶହେ ପ୍ରକାରର କିମ୍ଚି ତାଙ୍କ ଖାଇବାରେ ବ୍ୟବହାର କରନ୍ତି। ଆମେ ଆମ୍ବ, କାକୁଡ଼ି ଓ ନାପା କ୍ୟାବେଜ୍ ବା ନମିଳିଲେ ଦେଶୀ ବନ୍ଧାକୋବିରେ ଏହା ତିଆରି କରିବା। ତେବେ ଆଜିକାଲି ବିଗ୍ବାସ୍କେଟ୍ ଓ ଫୁଡ଼୍ ଡେଲିଭରି ମାଧ୍ୟମରେ ଚାଇନା କ୍ୟାବେଜ୍ ବା ନାପା କ୍ୟାବେଜ୍ ସହଜେରେ ମିଳିଯାଉଛି।
୧. ନାପା କ୍ୟାବେଜ୍ କିମ୍ଚି: ଗୋଟିଏ ମଧ୍ୟମ ଆକାରର ଚାଇନା କ୍ୟାବେଜ୍ ନେଇ ତାକୁ ଚାରିଫାଳ କରି ଲମ୍ବା ବାଗରେ କାଟନ୍ତୁ। ଏହା ଲେଟୁସ୍ ପତ୍ର ପରି ହାଲୁକା, କ୍ରିସ୍ପି। ଏହାର ପତ୍ରରେ କିଛି କିଛି ଲୁଣ ଛିଞ୍ଚି ଘୋଡ଼ାଇ ଦୁଇ ଘଣ୍ଟା ରଖିଦିଅନ୍ତୁ। ଛୋଟ ବନ୍ଧାକୋବି ନେଉଥିଲେ ଲମ୍ବା ଲମ୍ବା କାଟି ଲୁଣ ମିଶାଇ ରଖନ୍ତୁ। ଏହାପରେ ଏହାକୁ ଭଲଭାବେ ଆଉଥରେ ଧୋଇ ପାଣି ନିଗାଡ଼ିି ଗୋଟିଏ ବଡ଼ ପାତ୍ରରେ ରଖନ୍ତୁ। ଗୋଟେ ବଡ଼ ଚାମଚ ଚାଉଳଚୂନା ନେଇ ଦୁଇକପ୍ ପାଣିରେ ମିଶାନ୍ତୁ। ଏହାପରେ ଚୁଲିରେ କଡ଼େଇ ବସେଇ ଏହି ମିଶ୍ରଣକୁ ବହଳିଆ କରନ୍ତୁ, ଦୁଇଚାରି ମିନିଟ୍ ପରେ ଦୁଇ ଚାମଚ ଚିନି ଦିଅନ୍ତୁ। ବହଳିଆ ଘୋଳକୁ ଓହ୍ଲାଇ ଥଣ୍ଡା କରନ୍ତୁ। ଗୋଟେ ପିଆଜ, ଦଶ-ବାରଟି କୋଲା ରସୁଣ, ଗୋଟେ ଇଞ୍ଚର ଅଦାକୁ ଗ୍ରାଇଣ୍ଡ କରନ୍ତୁ। ଗୋଟେ ଛୋଟ ଗିନାରେ ବଟାମସଲା, ଦୁଇ ବଡ଼ ଚାମଚ ଭିନେଗାର, ଦୁଇ ବଡ଼ ଚାମଚ ଲାଲ୍ ଲଙ୍କାଗୁଣ୍ଡ, ଗୋଟେ ଚାମଚ କାଶ୍ମୀରୀ ଲଙ୍କାଗୁଣ୍ଡ, ଦୁଇଚାମଚ ଗାଢ଼ ସୋୟାସସ୍, ସ୍ବାଦ ଅନୁସାରେ ଲୁଣ, ଯଦି ପସନ୍ଦ କରନ୍ତି ଗୋଟେ କପ୍ ଲମ୍ବା ଓ ସରୁକଟା ମୂଳା, ଗୋଟେ କପ୍ ସବୁଜ ପିଆଜପତ୍ର ଏକାଠି ମିଶାନ୍ତୁ। ଏହି ମିଶ୍ରଣକୁ ପୂର୍ବର ଚାଉଳ ଘୋଳରେ ମିଶେଇ ଦିଅନ୍ତୁ। ବନ୍ଧାକୋବି ବା ନାପା କ୍ୟାବେଜ୍ର ପତ୍ରଗୁଡ଼ିକୁ ଧୀରେ ଧୀରେ ଆଣି ଏହି ମିଶ୍ରଣକୁ ଭଲ ଭାବରେ ବୋଳି ଦିଅନ୍ତୁ। କୋରିଆନ୍ ଷ୍ଟାଇଲ୍ରେ ପତ୍ରଗୁଡ଼ିକ ଲମ୍ବାଥାଏ। ଖାଇଲା ବେଳକୁ ସେମାନେ ମଝିରୁ ପତ୍ରକୁ କାଟନ୍ତି। ମିଶ୍ରଣକୁ ଭଲ ଭାବରେ ଉପରତଳ ମିଶେଇ ସାରିଲାପରେ ପତ୍ରକୁ ମୋଡ଼ି ଗୋଟିଏ କାଚପାତ୍ରରେ ରଖନ୍ତୁ। ଦୁଇ, ତିନି ଘଣ୍ଟା ପରେ ଏହାକୁ ଖାଇ ପାରିବେ। ଫ୍ରିଜ୍ରେ ଏହା ଦୁଇମାସ ରହିପାରିବ।
୨. କାକୁଡ଼ି କିମ୍ଚି: ତିନିଟି ମଧ୍ୟମ ଆକାରର କାକୁଡ଼ିକୁ ସମାନ ଗୋଲ୍ ଗୋଲ୍ ଖଣ୍ଡର କାଟି କିଛି ଲୁଣ ମିଶାଇ ରଖନ୍ତୁ। ଗୋଟେ ଗାଜର, ଦୁଇଟି ସବୁଜ ପିଆଜ ପତ୍ର, ଗୋଟେ ବଡ଼ ପିଆଜକୁ ପତଳା ସରୁ ଓ ଲମ୍ବା ଖଣ୍ଡରେ କାଟନ୍ତୁ। ଗୋଟେ ପାତ୍ରରେ ସାତ-ଆଠ କୋଲା ରସୁଣ ଓ ଗୋଟେ ଇଞ୍ଚର ଅଦା କୋରା, ଦୁଇ ଚାମଚ ଲଙ୍କାଗୁଣ୍ଡ, ଦୁଇ ଚାମଚ ସୋୟା ସସ୍, ଦୁଇ ଚାମଚ ଭିନେଗାର୍, ଗୋଟେ ଚାମଚ ଚିନି, ସ୍ବାଦ ଅନୁସାରେ ଲୁଣ, ଗୋଟେ ବଡ଼ ଚାମଚ ଚିଲି ଅଏଲ୍, ଗୋଟେ ଛୋଟ ଚାମଚ ଭଜା ଧଳାରାଶି ମିଶେଇ ଘୋଳ ପ୍ରସ୍ତୁତ କରନ୍ତୁ। ଏହାକୁ ଲୁଣରୁ ଚିପୁଡ଼ା ହୋଇଥିବା କାକୁଡ଼ି, ଗାଜର, ପିଆଜ, ପିଆଜ ପତ୍ର ସହିତ ଭଲରେ ମିଶେଇ ଦିଅନ୍ତୁ। ଦୁଇ ଘଣ୍ଟା ପରେ ଏହା ଖାଇଲେ ଭଲ ଲାଗିବ। ଏହା ଫ୍ରିଜ୍ରେ ଦୁଇତିନି ଦିନ ଯାଏ ରହିବ।
୩. କଞ୍ଚାଆମ୍ବ କିମ୍ଚି: ଦୁଇଟି ଟାଣ କଞ୍ଚାଆମ୍ବ, ଗୋଟେ ଗାଜର, ସବୁଜ ପିଆଜପତ୍ର ଦୁଇଟିକୁ ଏକଦମ୍ ସରୁ ଓ ଲମ୍ବା ଲମ୍ବା ଲଛା କରି କାଟିଦିଅନ୍ତୁ। ଗୋଟେ ଗିନାରେ ଏକ ଚାମଚ ଭିନେଗାର୍, ଦୁଇ ଚାମଚ୍ ସୋୟା ସସ୍, ଦୁଇ ଚାମଚ ଲଙ୍କାଗୁଣ୍ଡ, ଗୋଟେ ଚାମଚ କାଶ୍ମୀରୀ ଲଙ୍କାଗୁଣ୍ଡ, ଦଶ-ବାର କୋଲା ରସୁଣ, ଇଞ୍ଚେ ଅଦା କୋରା ବା ଛେଚା, ଗୋଟେ ବଡ଼ ଚାମଚ ଚିନି, ଲୁଣ ସ୍ବାଦ ଅନୁସାରେ ମିଶେଇ ଏହି ମିଶ୍ରଣକୁ ଆମ୍ବ, ଗାଜର ଓ ପିଆଜ ମିଶ୍ରଣରେ ପକେଇ ଭଲଭାବେ ଘାଣ୍ଟ କାଚ ବୋତଲରେ ରଖନ୍ତୁ। ଆଚାର ପରି କିମ୍ଚି ମଧ୍ୟ ସୁଆଦିଆ ଅଳ୍ପ ସାମଗ୍ରୀରେ ପ୍ରସ୍ତୁତ ହୁଏ। ନିଜ ପସନ୍ଦ ଅନୁସାରେ ପରିବା ବା ମସଲା ପକେଇ ଏହାକୁ ନିଜ ଅନ୍ଦାଜରେ ବନେଇ ପାରିବେ।