ତୁଷୁରା: ନାନା ରୂପେ ନାନା ଧାମେ ପୂଜା ପାଉଛନ୍ତି ମା’ ସମେଲଶ୍ବରୀ। ଅନ୍ୟାନ୍ୟ ଦେବୀପୀଠ ପରି ତୁଷୁରାର ମା’ ସମଲେଶ୍ୱରୀ ପୀଠର ମଧ୍ୟ ଲୋକକଥା ରହିଛି। ବର୍ଷୀୟାନ ବ୍ୟକ୍ତିବିଶେଷଙ୍କ କହିବାନୁସାରେ, ୧୯୫୬ ମସିହାରେ ତୁଷୁରାର ଭୀମରାଜ ଅଗ୍ରଵାଲ ତାଙ୍କ ବଡ଼ପୁଅକୁ ବାହା କରିବା ପାଇଁ ଶଗଡ଼ ଗାଡ଼ିରେ ସମ୍ବଲପୁର ସହରକୁ ବରଯାତ୍ରୀ ସହ ଯାଉଥିଲେ। ଏହି ସମୟରେ ଅଞ୍ଚଳରେ ଭୟଙ୍କର ଭାବେ ହଇଜା ବ୍ୟାପିଥିଲା। ବାହାଘର ସରିଲା ପରେ ତୁଷୁରାକୁ ଫେରୁଥିବା ସମୟରେ ରାସ୍ତାରେ ଅନେକ ଲୋକ ହଇଜାରେ ଆକ୍ରାନ୍ତ ହୋଇ ପଡ଼ିଥିଲେ। ଦୁଇ ଜଣଙ୍କର ମୃତ୍ୟୁ ବି ହୋଇଥିଲା। ଏହି ରୋଗରେ ଆଉ କାହାରି ମୃତ୍ୟୁ ନ ହେଲେ ତୁଷୁରାରେ ମା’ ସମଲେଶ୍ୱରୀଙ୍କ ମନ୍ଦିର ସ୍ଥାପନା କରି ପୂଜା କରିବା ପାଇଁ ଶ୍ରୀ ଅଗ୍ରୱାଲ ମାନସିକ କରିଥିଲେ।
ଫଳରେ ସମସ୍ତେ ଏହି ରୋଗରୁ ମୁକ୍ତି ପାଇବା ସହ ତୁଷୁରାକୁ ଫେରିଥିଲେ। ଏହା ପରେ ଶ୍ରୀ ଅଗ୍ରଵାଲ ସମ୍ବଲପୁର ସମଲେଶ୍ୱରୀ ମନ୍ଦିରରୁ ମା’ଙ୍କ ଆଜ୍ଞାମାଳ, ସିନ୍ଦୂର ଓ ପାଟ ଆଣି ତୁଷୁରାର ପୁରୁଣାବସ୍ତି ଗୁଡ଼େଲ ବନ୍ଧ (ପୋଖରୀ) ପାଖରେ ପ୍ରଥମେ ସ୍ଥାପନା କରି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। କିଛି ଦିନ ପରେ ମା’ଙ୍କ ପୂଜାସ୍ଥାନ ବଦଳାଇ ବର୍ତ୍ତମାନର ମନ୍ଦିର ଥିବା ସ୍ଥାନରେ ପୂଜା କରିବାକୁ ମା’ ସ୍ବପ୍ନାଦେଶ ଦେଇଥିଲେ। ଉକ୍ତ ସ୍ଥାନରୁ ପୂଜାଖୁଣ୍ଟକୁ ଆଣି ସ୍ବପ୍ନାଦେଶ କରିଥିବା ସ୍ଥାନ ଶିମୁଳି ଗଛମୂଳରେ ସ୍ଥାପନ କରି ପୂଜାରମ୍ଭ କରିଥିଲେ। କିଛିଦିନ ପରେ ଉକ୍ତ ପୂଜାଖୁଣ୍ଟ ମଧ୍ୟ ଢଳିଗଲା। ଫଳରେ ଲୋକଙ୍କ ମଧ୍ୟରେ ଭାଳେଣି ପଡ଼ିଲା। ପରେ ସେଠାରେ ମା’ ପଥର ଲିଙ୍ଗ ରୂପରେ ଆବିର୍ଭାବ ହୋଇ ପୂଜା ପାଇବା ପାଇଁ ସ୍ବପ୍ନାଦେଶ ଦେଇଥିଲେ। ସେହିଦିନରୁ ମା’ ପଥର ଲିଙ୍ଗ ରୂପରେ ପୂଜା ପାଇଆସୁଛନ୍ତି।
ପ୍ରଥମେ ଏକ ଖପରଘର ନିର୍ମାଣ କରାଯାଇ ପୂଜା କରାଯାଉଥିଲା। ପରେ ଭକ୍ତମାନଙ୍କ ଦ୍ବାରା ଏକ ବିଶାଳ ମନ୍ଦିର ନିର୍ମିତ ହୋଇଛି। ୧୯୫୭ ମସିହାରେ ତୁଷୁରାରେ ପ୍ରଥମ କରି ଶାରଦୀୟ ସମଲେଶ୍ୱରୀ ଯାତ୍ରା ଆରମ୍ଭ ହୋଇଥିଲା। ମା’ଙ୍କ ପୀଠରେ ପ୍ରତିବର୍ଷ ଅନେକ ପର୍ବପର୍ବାଣି ପାଳିତ ହେଉଥିବା ବେଳେ ଚୈତ୍ର ମାସରେ ଚୈତ୍ର ପର୍ବ ଓ ଆଶ୍ବିନ ମାସରେ ସମଲେଇ ଯାତ୍ରା ଆୟୋଜିତ ହୋଇଆସୁଛି। ଆଶ୍ବିନ ଶୁକ୍ଳପକ୍ଷ ଷଷ୍ଠୀ ଦିନ ମନ୍ଦିର ପୂଜକଙ୍କ ଘରୁ ଛତର ଯାତ୍ରା କରି ମନ୍ଦିରକୁ ଆଣି ଅଧିବାସ କରାଯିବା ପରେ ସପ୍ତମୀ ତିଥିରୁ ନବମୀ ତିଥି ପର୍ଯ୍ୟନ୍ତ ମା’ଙ୍କ ପୀଠରେ ତ୍ରିଦିନାତ୍ମକ ଚଣ୍ଡୀଯଜ୍ଞ ସମଲେଇ ଯାତ୍ରା ଅନୁଷ୍ଠିତ ହୋଇଆସୁଛି। ଗାଁକୁ ବିଭିନ୍ନ ରୋଗ ବ୍ୟାଧିରୁ ମୁକ୍ତି ପାଇଁ ବର୍ଷକୁ ଦୁଇଥର ରୋଗୀବଟା ଛେନାପନା ପୂଜା ହେଉଥିବା ବେଳେ ୧୨ ବର୍ଷକୁ ଥରେ ମା’ଙ୍କ ଦ୍ବାରା ତୁଷୁରା ଗାଁ ବନ୍ଧନ ପୂଜା ଅନୁଷ୍ଠିତ ହୋଇଥାଏ। ଆଶ୍ୱିନ ଶୁକ୍ଳପକ୍ଷ ମହାଅଷ୍ଟମୀ ତିଥିରେ ବରୁଆ ଦେହରେ ମା’ ଆବିର୍ଭାବ ହୋଇ ନଗର ପରିକ୍ରମା କରନ୍ତି। ସହରର ପ୍ରତି ଘରକୁ ଯାଇ ଲୋକଙ୍କ ହାରିଗୁହାରି ଶୁଣନ୍ତି। କିଛି ବର୍ଷ ପୂର୍ବେ ମା’ଙ୍କ ପ୍ରଥମ ବରୁଆ କ୍ଷୀରଧର ପ୍ରଧାନୀଙ୍କ ପରଲୋକ ହେବା ପରେ ତାଙ୍କ ବଡ଼ପୁଅ ଅଶୋକ ପ୍ରଧାନୀଙ୍କ ଦେହରେ ମା’ ଆବିର୍ଭାବ ହେଉଛନ୍ତି। ମା’ଙ୍କ ପୀଠରେ ୯ ଦିନ ଧରି ନବଦୁର୍ଗା ବେଶ ହୋଇଆସୁଛି। ଏହି ସମୟରେ ମା’ଙ୍କ ଦର୍ଶନ କଲେ ଅଭୀଷ୍ଟ ପୂରଣ ହୁଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି।