ରେଳ ବିଭାଗର କିଛି ନୂଆ ନିୟମ ବିଷୟରେ ଧ୍ୟାନ ରଖନ୍ତୁ ନଚେତ ଦେବାକୁ ପଡ଼ିପାରେ ଜରିମାନା !

ଦିନକୁ ଦିନ ବୃଦ୍ଧି ପାଉଛି ରେଳ ଯାତ୍ରୀଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କର ସୁବିଧା ନିମନ୍ତେ ବହୁ ଯୋଜନାମାନ ପ୍ରସ୍ତୁତ କରାଯାଉଛି। ରେଳ ବିଭାଗ ଲଗାତାର ରେଳଯାତ୍ରାକୁ ନେଇ ଥିବା ନିୟମରେ ଅନେକ ପରିବର୍ତ୍ତନ ଆଣୁଛି। ଏପରିକି କିଛି ଦିନ ପୂର୍ବେ ସରକାର ଟ୍ରେନରେ ନିର୍ଦ୍ଧାରିତ ଓଜନ ଠାରୁ ଅଧିକ ଜିନିଷ ନେଲେ ଯାତ୍ରୀଙ୍କୁ ଜରିମାନା ଦେବାକୁ ପଡ଼ିବ ବୋଲି ନିୟମ କରିଥିଲେ। ଏବେ ପୁଣି ଏହାକୁ ପରିବର୍ତ୍ତନ କରିଛନ୍ତି।

ଏବେ କିନ୍ତୁ ଟ୍ରେନରେ ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ସରକାରଙ୍କ ନଜର ପଡ଼ିଛି। ଆଉ ଏହାକୁ ରୋକିବାକୁ ସରକାର ଏକ ନୂଆ ଅଭିଯାନ ଟିକେଟ ଡ୍ରାଇଭ ଆରମ୍ଭ କରିବାକୁ ଯାଉଛନ୍ତି। ଏହା ମାଧ୍ୟମରେ ଟ୍ରେନ୍‌ ଟିକେଟ ଚେକିଂ ଅଭିଯାନକୁ ଜୋରଦାର କରିବାକୁ ଯାଉଛି ରେଳ ବିଭାଗ। ଏହି ଅଭିଯାନରେ ୪ ପ୍ରକାର ଠକେଇ ମାମଲାକୁ ସାମ୍ନାକୁ ଆଣିବାକୁ ଲକ୍ଷ୍ୟ ରଖିଛି ରେଳ ବିଭାଗ। ତେଣୁ ରେଳ ବିଭାଗର କିଛି ନୂଆ ନିୟମ ବିଷୟରେ ଧ୍ୟାନ ରଖନ୍ତୁ ନଚେତ ଆପଣଙ୍କୁ ଜରିମାନା ଦେବାକୁ ପଡ଼ିବ।

ଯେଉଁ ଲୋକ ଅବୈଧ ଭାବେ ଟ୍ରେନରେ ଯାତ୍ରା କରୁଥାନ୍ତି କିମ୍ବା ନକଲି ଟିକେଟ ଆଧାରରେ ଯାତ୍ରା କରୁଥାନ୍ତି ସେମାନଙ୍କୁ ସାବାଡ଼ କରିବା ପାଇଁ ରେଲୱେ ଏହି ନୂଆ ଅଭିଯାନ ଆରମ୍ଭ କରିଛି। ଖାସକରି ଯେଉଁମାନେ ନିୟମ ବିରୁଦ୍ଧରେ ଟିକେଟ ଅନ୍ୟମାନଙ୍କୁ ଟ୍ରାନ୍‌ସଫର କରୁଛନ୍ତି ସେମାନେ ରେଲୱେର ରାଡ଼ାରରେ ରହିବେ। ତେଣୁ ରେଲୱେର ଏହି ନୂଆ ନିୟମରେ ଯେପରି ଆପଣ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ରେଳଯାତ୍ରା କରିବା ବେଳେ ପାଖରେ ଅସଲି ଆଇଡ଼ି କାର୍ଡ଼ ରଖନ୍ତୁ। ଏହାଛଡ଼ା ଟିକେଟ କରିବା ବେଳେ ବିଭିନ୍ନ ନିୟମ ବିଷୟରେ ପଚାରି ବୁଝନ୍ତୁ। ସବୁଠୁ ବଡ଼ କଥା ହେଲା, ଟିକେଟ କଳାବଜାରୀ କରୁଥିବା ବ୍ୟକ୍ତିଙ୍କ ଠାରୁ ଟିକେଟ ଆଣି ଆଦୌ ରେଳଯାତ୍ରା କରନ୍ତୁ ନାହିଁ ।

ସମ୍ବନ୍ଧିତ ଖବର