ମହାବଳ ବଂଶବୃଦ୍ଧି ଲାଗି ମଧ୍ୟପ୍ରଦେଶରୁ ସାତକୋଶିଆକୁ ଆସିଥିଲା ବାଘୁଣୀ ‘ସୁ୍ନ୍ଦରୀ’। ଅଭୟାରଣ୍ୟ ଅଞ୍ଚଳରେ ଦୁଇ ଥର ମଶିଷ ଶିକାର କରିବାରୁ ତାହାକୁ ଏକ ଏନ୍କ୍ଲୋଜରରେ ବନ୍ଦୀ କରି ରଖାଯାଇଥିଲା। ଦେଢ଼ ବର୍ଷରୁ ଅଧିକ ସମୟ ଧରି ବନ୍ଦୀ ରହିବା ପରେ ଏପ୍ରିଲରେ ମଧ୍ୟପ୍ରଦେଶକୁ ଫେରାଇ ନିଆଯାଇଥିଲା। ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରି ମଧ୍ୟପ୍ରଦେଶ ପଠାଯିବା ପରେ ସାତକୋଶିଆ ଗାଁରେ ଗାଁରେ ବାଣ ଫୁଟିଥିଲା। ଲୋକେ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏଥିସହ ବନ୍ଦ ହୋଇଯାଇଥିଲା ଦେଶର ପ୍ରଥମ ଅନ୍ତଃରାଜ୍ୟ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପ।
ରକ୍ତମୁଖା ବନ୍ୟପ୍ରାଣୀ
କେବଳ ଯେ ବନ୍ୟପ୍ରାଣୀ ପ୍ରାଣ ହରାଇଛନ୍ତି, ତାହା ନୁହେଁ। ବନ୍ୟଜନ୍ତୁଙ୍କ ଆକ୍ରମଣରେ ମଣିଷଙ୍କର ଜୀବନ ଯାଇଛି। କେଉଁଠି ହାତୀ ଦନ୍ତା ହାତୀ କଚାଡ଼ି ମାରିଛି ତ ଆଉ କେଉଁଠି ରାତିରେ ଶୋଇଥିବା ବେଳେ ଲୋକଙ୍କ ଘରେ ପଶି ଭାଙ୍ଗି ଦେଇଛି। କୁମ୍ଭୀର ବି ଟାଣି ନେଇଛି। ଭାଲୁ ସ୍କୁଲରେ ପଶି ଭୟର ବାତାବରଣ ସୃଷ୍ଟି କରିଛି। କେବଳ ହାତୀ ଆକ୍ରମଣରେ ୮୫ରୁ ଅଧିକଙ୍କ ଲୋକଙ୍କ ଜୀବନ ଯାଇଛି। ଭାଲୁ ଆକ୍ରମଣରେ ୭, ବାର୍ହା ଆକ୍ରମଣରେ ଦୁଇ ଓ କୁମ୍ଭୀର ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ସୁନ୍ଦରଗଡ଼, ବଲାଙ୍ଗୀର, ଦେବଗଡ଼, ଖୋର୍ଧା, ମୟୂରଭଞ୍ଜ, ଢ଼େଙ୍କାନାଳ, କଟକ, ଅନୁଗୁଳ ପ୍ରଭୃତି ଜିଲ୍ଲାରୁ ବର୍ଷର ବିଭିନ୍ନ ସମୟରେ ବନ୍ୟପ୍ରାଣୀ ଆକ୍ରମଣର ଚିତ୍ର ସାମ୍ନାକୁ ଆସିଥିଲା।
ହାତୀ ପାଇଁ ଜୀବନ ଗଲା
ସେପ୍ଟେମ୍ବର ୨୪। ସକାଳୁ ସକାଳୁ ଖବର ଆସିଲା ମୁଣ୍ଡୁଳୀ ବ୍ୟାରେଜ୍ରେ ହାତୀ ଫସିଛି। ଘଣ୍ଟା ଘଣ୍ଟା ଧରି ହାତୀଟି ସେଭଳି ଫସି ରହିଥିବା ବେଳେ ବ୍ରିଜ୍ ଉପରେ ଛିଡ଼ା ହୋଇ ଲୋକେ ଦେଖୁଥା’ନ୍ତି। ଟିଭିରେ ସିଧାପ୍ରସାରଣ ମଧ୍ୟ ହେଉଥାଏ। ଖବର ପାଇଁ ହାତୀକୁ ଉଦ୍ଧାର କରିବାକୁ ପହଞ୍ଚିଥିଲା ଓଡ୍ରାଫ୍ ଟିମ୍। ମହାନଦୀ ଗଭୀର ଜଳ ଭିତରକୁ ଯିବାକୁ ଥିବା ଓଡ୍ରାଫ୍ ଟିମ୍ ସହ ସାମିଲ ହୋଇଥିଲେ ସାମ୍ବାଦିକ ଅରିନ୍ଦମ ଦାସ। ଆଉ ତା’ପରେ ଯାହା ଘଟିଲା ତାହା ଅଜି ମନେ ପଡ଼ିଲେ ଦେହ ଶିହରି ଉଠୁଛି। ହାତୀକୁ ବଞ୍ଚାଇବାକୁ ଯାଇ ଅକାଳରେ ଝରିପଡ଼ିଲା ଦୁଇଟି ଜୀବନ। ହାତୀ ବି ଶେଷରେ ଆରପାରିକୁ ଚାଲିଗଲା।
ସହରରେ କୃତ୍ରିମ ବନର ପରିକଳ୍ପନା
କଟକ ଓ ଭୁବନେଶ୍ବର ଟୁଇନ୍ ସିଟିରେ ପ୍ରତିଷ୍ଠା ହେବ ୭ଟି ସହରାଞ୍ଚଳ ବନ ଉଦ୍ୟାନ ବା ଅର୍ବାନ୍ ଫରେଷ୍ଟ ପାର୍କ। କଂକ୍ରିଟ ଜଙ୍ଗଲ ଭିତରେ ସୃଷ୍ଟି ହେବ କୃତ୍ରିମ ବନ। ଜଙ୍ଗଲ ପରିବେଶ ମଧ୍ୟରେ ଚିତ୍ତବିନୋଦନର ସୁଯୋଗ ପାଇବେ ଲୋକେ। କଟକର ୫ଟି ଓ ଭୁବନେଶ୍ବରର ୨ଟି ସ୍ଥାନ ଚିହ୍ନଟ ହୋଇଛି। ୧୫ଏକରରୁ ଅଧିକ ଜମିରେ ପ୍ରତିଷ୍ଠା କରାଯିବ। ଭୁବନେଶ୍ବରସ୍ଥିତ ଜୟଦେବବାଟିକା ଶୈଳୀରେ ଏହି ପାର୍କ ହେବ। ଏଥିସହ ଭୁବନେଶ୍ବର ଓ ଇସ୍ପାତ ନଗରୀ ରାଉରକେଲାରେ ‘ନଗର ବନ’ ପ୍ରତିଷ୍ଠା ଲାଗି ନିଷ୍ପତ୍ତି ନିଆଯାଇଛି।
କର୍ଲାପାଟରେ ହାତୀ ମଡ଼କ
ଫେବ୍ରୁଆରିରେ କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ପରିସ୍ଥିତି ଉପୁଜିଥିଲା। ମାତ୍ର ଦୁଇ ସପ୍ତାହ ମଧ୍ୟରେ ୬ଟି ହାତୀର ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ଉଦ୍ବେଗ ପ୍ରକାଶ ପାଇଥିଲା। ହାତୀ ମଡ଼କର କାରଣ ଖୋଜିବା ଓ ନିରାକରଣ ଲାଗି ଓୟୁଏଟି ବିଶେଷଜ୍ଞ ଦଳ ସେଠାରେ ଡେରା ପକାଇଥିଲେ। ଅନୁଧ୍ୟାନ ପରେ ଜଣାପଡ଼ିଥିଲା ଯେ ସାହାଣ ରୋଗରେ ଆକ୍ରାନ୍ତ ହୋଇ ହାତୀଙ୍କର ମୃତ୍ୟୁ ହୋଇଛି। ଓଡ଼ିଶାରେ ଏବର୍ଷ ମଧ୍ୟ ହାତୀ ମୃତ୍ୟୁକୁ ରୋକାଯାଇପାରିନାହିଁ। ଡିସେମ୍ବର ଶେଷ ସୁଦ୍ଧା ଦୁର୍ଘଟଣା, ବିଷକ୍ରିୟା, ବିଦ୍ୟୁତ୍ ଆଘାତ, ଶିକାରୀଙ୍କ କବଳରେ ପଡ଼ି ରାଜ୍ୟରେ ପାଖାପାଖି ୮୦ ହାତୀଙ୍କ ଜୀବନ ଯାଇଛି।
ଶିମିଳିପାଳକୁ ଇନ୍ଦ୍ର ସାହା
ଶିମିଳିପାଳ ନିଆଁ ନେଇ ବିଧାନସଭାରୁ ଦିଲ୍ଲୀ ଦରବାର ପର୍ଯ୍ୟନ୍ତ ସବୁଠି ଉଠିଥିଲା ସ୍ବର। ବିଜେପିର ୯ଜଣିଆ ସଂସଦୀୟ ପ୍ରତିନିଧି ମଣ୍ଡଳୀ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଶିମିଳିପାଳ ଜାତୀୟ ଉଦ୍ୟାନରେ ବନାଗ୍ନି ନେଇ ଉଦ୍ବେଗ ପ୍ରକାଶ କରିବା ପରେ ଅନୁଧ୍ୟାନ ଲାଗି ଏକ ବିଶେଷଜ୍ଞ କମିଟି ଆସିଥିଲା। ରାଜ୍ୟ ସରକାର ‘ଫରେଷ୍ଟ ଫାୟାର ମ୍ୟାନେଜମେଣ୍ଟ’ ଟାସ୍କଫୋର୍ସ ଗଠନ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ତନାଘନା କରିଥିଲେ। କଥା ହାଇକୋର୍ଟକୁ ବି ଯାଇଥିଲା। ‘ନାସା’ ନଜରକୁ ବି ଆସିଥିଲା ଶିମିଳିପାଳ ନିଆଁ। ବିଜେପି, ବିଜେଡି, କଂଗ୍ରେସ ଦଳ ନିଜର କମିଟି ପଠାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ନେତା, ମନ୍ତ୍ରୀ, ସାଂସଦ ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଥିଲେ। ଏତେ ସବୁ ପରେ ବି ନିଆଁ ନିଆଁ ଲିଭି ନ ଥିଲା, ବରଂ ଶେଷରେ ପ୍ରକୃତି ହିଁ ପ୍ରକୃତିକୁ ସାହା ହୋଇଥିଲା।