କିଛି ଦଶକ ପୂର୍ବେ ଆମ ଜନଜୀବନରେ, ବିଶେଷ କରି ଗ୍ରାମ୍ୟ ଓ ସହରର ସାହି ବସ୍ତି ଅଞ୍ଚଳରେ ହାସ୍ୟ ବିନୋଦ ଜୀବନଶୈଳୀ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିଲା। ଯେତେବେଳେ ଜୀବନରେ ଉଚ୍ଚାକାଂକ୍ଷା ଥିଲା ସୀମିତ ଆଉ ଆବଶ୍ୟକତା ସ୍ୱଳ୍ପ, ସେତେବେଳେ ଏହି ହାସ୍ୟରସ ହିଁ ଥିଲା ଜୀବନର ସର୍ବୌଷଧି ସଦୃଶ। ଦିନର ହାଡ଼ଭଙ୍ଗା ପରିଶ୍ରମ ପରେ ପରିବାରଗୁଡ଼ିକ ସନ୍ଧ୍ୟାବେଳେ ଏକତ୍ରିତ ହେଉଥିଲେ ଓ ଏକ ହାଲୁକା ପରିବେଶ ଭିତରେ ନିଜର ସୁଖଦୁଃଖ ବାଣ୍ଟୁଥିଲେ ତଥା ପରସ୍ପର ସାଙ୍ଗରେ ଥଟ୍ଟାମଜା ଭିତରେ ଜୀବନର ଜଞ୍ଜାଳଗୁଡ଼ିକୁ ସହନୀୟ ଅବସ୍ଥାକୁ ନେଇ ଆସୁଥିଲେ। ସେ ସମୟର ମଣିଷ ଜାଣିଥିଲା ଜୀବନର ଅନିବାର୍ଯ୍ୟ ଆହ୍ୱାନଗୁଡ଼ିକୁ କେମିତି ସାମ୍ନା କରିବାକୁ ହୁଏ, ଭବିତବ୍ୟ ପାଇଁ ବିରକ୍ତି ପ୍ରକାଶ ନ କରି ହସଖୁସିରୁ କେମିତି ଜୀବନ ଯନ୍ତ୍ରଣାର ଉପଶମ ମିଳିଯାଏ। ସେ ଜୀବନ ଥିଲା ଛୋଟଛୋଟ ଆନନ୍ଦକୁ ନେଇ ଗଢ଼ା: ପେଟପୂରା ଭୋଜନ, ସଠିକ୍ ସମୟରେ ଭଲ ବର୍ଷା, ଆଉ ମିଳିମିଶି ରହିବାର ପ୍ରତ୍ୟୟ।
ସେହି ଗୋଷ୍ଠୀଗୁଡ଼ିକରେ ହାସ୍ୟରସ ନ ଥିଲା ମନୋରଞ୍ଜନର ଏକ ପ୍ରତିରୂପ, ଏହା ଥିଲା ସାମୂହିକ ଭାବେ ବଞ୍ଚି ରହିବାର ଗୋଟିଏ ସଫଳ ଉପକରଣ। ଲୋକେ ସମସ୍ୟାଗୁଡ଼ିକୁ ମିଳିମିଶି ସମାଧାନ କରିବାର ବାଟ ଖୋଜୁଥିଲେ- ଚାଷରେ ଖରାପ ଉତ୍ପାଦନ ହେଉ, ଆର୍ଥିକ ଦୁର୍ଗତି ହେଉ କିମ୍ବା କାହାର ପରିବାରରେ ସଙ୍କଟ। ହସଖୁସି ଓ ଟାହିଟାପରା ସମାଜର ସତ୍ତାକୁ ଅତୁଟ ରଖିବା ପାଇଁ ଏକ ଅଠା ଭଳି କାମ ଦିଏ। ଆହୁରି ଦେଖି ଆଶ୍ଚର୍ଯ୍ୟ ଲାଗେ ଯେ ସମସ୍ୟା ଯେତେ ଘନୀଭୂତ ହୋଇଚାଲେ, ଲୋକେ ତାଙ୍କର ହାସ୍ୟ ମନୋଭାବକୁ ଆହୁରି ସୁଦୃଢ଼ କରନ୍ତି, ବାସ୍ତବତାକୁ ଅସ୍ୱୀକାର କରିବା ଉଦ୍ଦେଶ୍ୟରେ ନୁହେଁ, ବରଂ ପରିସ୍ଥିତି ଉପରେ ନିୟନ୍ତ୍ରଣ ରଖିଥିବାର ଏକ ପ୍ରମାଣ ରୂପରେ। ବ୍ୟକ୍ତିଗତ ସଂଘର୍ଷ ଓ ଦୁଶ୍ଚିନ୍ତାର କ୍ରୂର ବୋଝ ଭିତରେ ହାସ୍ୟବ୍ୟଙ୍ଗ ଗୋଟିଏ ନରମ ସ୍ତର ଭଳି କାମ କରେ। ଏହି ଚିନ୍ତାଧାରାର ମଣିଷମାନେ ମଧ୍ୟ ଏହି ଅନୁଭବରୁ ମାନସିକ ଶାନ୍ତି ପାଇଥାନ୍ତି ଯେ ଜୀବନରେ ଦୁଃଖ ଓ କ୍ଳେଶ କେବଳ ସେମାନଙ୍କର ନୁହେଁ, ଏହା କାହାର ଜୀବନରେ ମଧ୍ୟ ଦେଖାଦେଇପାରେ।
ସାମୂହିକ ହାସ୍ୟ ଓ ବ୍ୟଙ୍ଗ ଗୋଷ୍ଠୀଗତ ଭାବରେ ସମସ୍ୟାକୁ ମୁକାବିଲା କରିବା ପାଇଁ ଲୋକଙ୍କୁ ବଳ ଦେଉଥିଲା। ନିଜ ସାଧ୍ୟର ବାହାରେ ରଙ୍ଗୀନ ସ୍ୱପ୍ନ ଦେଖିବା ସେତେବେଳର ଲୋକଙ୍କ ଅଭ୍ୟାସ ନ ଥିଲା। ସଫଳତାର ପରିସର ଥିଲା ସୀମିତ, ଅନେକ ସମୟରେ କେବଳ ଆତ୍ମମର୍ଯ୍ୟାଦାର ଜୀବନଟାଏ ଜିଇଁବା ଭିତରେ ସୀମାବଦ୍ଧ ଥିଲା ମଣିଷର ଅଭିଳାଷ। ଏମିତି ପରିବେଶରେ ହସ ଥିଲା କୃତ୍ରିମତା ବିହୀନ, ଅଶୋଧିତ ଓ ସମସ୍ତଙ୍କୁ ସାଥିରେ ଅନ୍ତର୍ଭୁକ୍ତ କଲାଭଳି। ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କର କୌତୁକ, ସାଙ୍ଗମାନଙ୍କ ଭିତରେ ହସମଜାର ବ୍ୟବହାର ଓ ନକଲି ଗାମ୍ଭୀର୍ଯ୍ୟପୂର୍ଣ୍ଣ ଗପସପ- ଏସବୁ ସାମୂହିକ ଭାବରେ ଗୋଷ୍ଠୀଗୁଡ଼ିକୁ ବାନ୍ଧି ରଖନ୍ତି ଓ ସଭିଁଙ୍କ ମନରେ ସବୁକିଛି କୁଶଳ ଥିବାର ଅନୁଭବ ସୃଷ୍ଟି କରନ୍ତି। ଏମିତିକି ଗାମ୍ଭୀର୍ଯ୍ୟପୂର୍ଣ୍ଣ ଅନ୍ତ୍ୟେଷ୍ଟିକ୍ରିୟା ମଧ୍ୟ ବେଳେବେଳେ ହାଲୁକା ମୁହୂର୍ତ୍ତମାନ ସୃଷ୍ଟି କରିଥାଆନ୍ତି। କୌଣସି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କର ବୟସଜନିତ ମୃତ୍ୟୁ ହେଲେ ଶବଦାହ ପାଖରେ ଉପସ୍ଥିତ ବନ୍ଧୁ ଓ ପଡ଼ୋଶୀମାନେ ହାଲୁକା ପରିବେଶ ଭିତରେ କାର୍ଯ୍ୟ ସମ୍ପାଦନ କରୁଥିବା ସମସ୍ତେ ଅଙ୍ଗେ ନିଭେଇଥିବେ। ଏହି ହସଖୁସି ମଧ୍ୟରେ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧା ଜଣାଇଥାନ୍ତି ବନ୍ଧୁବର୍ଗ। ଏସବୁ ମୁହୂର୍ତ୍ତ ସୂଚାଇ ଦିଅନ୍ତି ଯେ ସାମୟିକ ବିଷାଦ ସତ୍ତ୍ୱେ ଜୀବନର ଧାରା ପ୍ରବାହିତ ହୋଇଚାଲିବ, ଏବଂ ଦୁଃଖକୁ ନିୟନ୍ତ୍ରଣ କରିବାର ଅସଲ ମନ୍ତ୍ର ହିଁ ହସଖୁସି।
ହେଲେ ସେ ହସଖୁସି ଆଜି କୁଆଡ଼େ ଉଭେଇ ଯାଇଛି? ଉଗ୍ର ଆଧୁନିକତାର ଅନୁପ୍ରବେଶ ଓ ତା’ ସାଙ୍ଗକୁ ଉଚ୍ଚକାଂକ୍ଷା ଓ ପ୍ରଯୁକ୍ତିବିଦ୍ୟାର ଦ୍ରୁତ ଅଭିବୃଦ୍ଧି ଯୋଗୁଁ ସାମୂହିକ ଜୀବନର ମର୍ମ ଓ ଜୀବନର ନାନା ପ୍ରତିବନ୍ଧକୁ ହସଖୁସି ମାଧ୍ୟମରେ ଏଡ଼େଇ ଦେବାର କଳା ଆଜି ଯେମିତି ନିଷ୍ପ୍ରଭ। ଆଜି ଗ୍ରାମ୍ୟ ସଂସ୍କୃତି ଆଧୁନିକ ହେବାରେ ଲାଗିଛି, ପରିବାରଗୁଡ଼ିକ କ୍ଷୁଦ୍ର ହୋଇ ଚାଲିଛନ୍ତି ଓ ଯେଉଁ ସାମାଜିକ ବନ୍ଧନଗୁଡ଼ିକ ଦିନେ ମଣିଷକୁ ସୁରକ୍ଷା ଓ ସାମର୍ଥ୍ୟ ଯୋଗାଉଥିଲା ତାହା ଆଜି ଢିଲା ପଡ଼ିଗଲାଣି। ଉଚ୍ଚାଭିଳାଷ, ଯାହା ଦିନେ ସାମାଜିକ ଜୀବନରେ ଏକ ଅଜଣା ଧାରଣା ଥିଲା, ଆଜି ଛଳନାପୂର୍ଣ୍ଣ ଭାବରେ ଲୋକଙ୍କ ମାନସିକତାରେ ଚେର ମେଲେଇଲାଣି। ଆଜିର ପିତାମାତା ନିଜ ଜୀବନର ଅପୂର୍ଣ୍ଣ ଆକାଂକ୍ଷା ସବୁକୁ ନିଜର ପିଲାମାନଙ୍କ ମାଧ୍ୟମରେ ଚରିତାର୍ଥ କରିବାକୁ ତତ୍ପର। ଏହା ଫଳରେ ପରିବାର ଭିତରେ ଚାପ, ହତାଶା ଓ ବିଷାଦ ବଢ଼ିବାରେ ଲାଗିଛି। ପ୍ରତିଯୋଗିତାର ବୋଝ ଆଗ ସମୟର ହାଲୁକା ଜୀବନଶୈଳୀକୁ ଭାରାକ୍ରାନ୍ତ କଲାଣି। ସାମୂହିକ ଜୀବନର ହସ ଯାହା ଦିନେ ଗାଁର ଖୋଲା ସ୍ଥାନରେ ପ୍ରତିଧ୍ବନିତ ହେଉଥିଲା ତା’ର ସ୍ଥାନ ନେଲାଣି ଆଜି ଏକଲାପଣର ଗୁଞ୍ଜରଣ।
ଆଉ ଏହି ଏକଲାପଣକୁ ତିକ୍ତ କରୁଛି ସାମାଜିକ ଗଣମାଧ୍ୟମର ଆଶାତୀତ ଲୋକପ୍ରିୟତା। ବିଡ଼ମ୍ବନାର କଥା ଏହି ଯେ ଯଦିଓ ପ୍ରଯୁକ୍ତିବିଦ୍ୟା ଦୁନିଆର ସବୁ ଦୂରତାକୁ ସଂକୁଚିତ କରିପାରିଛି, ଏହା ମଣିଷକୁ ପ୍ରକୃତରେ ନିଃସଙ୍ଗ କରିସାରିଲାଣି। ଯେଉଁ ଗ୍ରାମବାସୀ ଓ ସାହି ଭାଇମାନେ ପୂର୍ବେ ଅନ୍ୟର ଜୀବନ ସହ ଜଡ଼ିତ ହୋଇ ରହୁଥିଲେ, ସେମାନେ ଆଜି ତାଙ୍କର ମୋବାଇଲ୍ ଫୋନ୍ର ବନ୍ଦୀ। ସେମାନେ ଆଜି ତାଙ୍କ ଫୋନ୍ର ପରଦାରେ ବ୍ୟସ୍ତ, ଯାହା କି ତାଙ୍କୁ ଦିନରାତି ବସ୍ତୁଗତ ସଫଳତା ଓ ଅପହଞ୍ଚ ଜୀବନଶୈଳୀର ଦୃଶ୍ୟ ଦେଖାଇ ଚାଲିଛି। ଏହି ଆଭାସୀ ଦୁନିଆଟି ପରସ୍ପର ସହ ତୁଳନା ଓ ଈର୍ଷା ସୃଷ୍ଟି କରିବାର ଅନ୍ତୁଡ଼ିଶାଳ। ପୂର୍ବର ସାମୂହିକ ପ୍ରଚେଷ୍ଟା ଦ୍ୱାରା ସମସ୍ୟା ଦୂରୀକରଣ ଆଜି ଜଣକର ଏକାକୀ ଯୁଦ୍ଧରେ ପରିଣତ ହେଲାଣି। ଛୋଟ ପିଲାମାନେ ମୁକ୍ତ ଆକାଶ ତଳେ ବେପରୁଆ ଭାବରେ ହର୍ଷୋଲ୍ଲାସରେ ଦୌଡ଼ି ବୁଲିବା ଆଜି ଦେଖିବାକୁ ମିଳୁନାହିଁ। ଆଜି ଅପରିଣତ ବୟସରୁ ସେମାନଙ୍କୁ ଏମିତି ଏକ ଦୁନିଆକୁ ଜବରଦସ୍ତ ପଠାଇ ଦିଆଯାଉଛି, ଯେଉଁଠି ତାଙ୍କର ପ୍ରତ୍ୟେକଟି କାର୍ଯ୍ୟ ଓ ସଫଳତାକୁ ନିଖୁଣ ଭାବେ ମପାଯାଏ। ସେ ପରିବେଶରେ ତଥାକଥିତ ବିଫଳତାକୁ ହାଲୁକା ଭାବରେ ନିଆଯାଏ ନାହିଁ, ବରଂ ଏହାର ପରିଣତି ହୁଏ ହତାଶା, ଲଜ୍ଜା ଓ ଏମିତିକି ଦୁଃଖଦ ପରିସ୍ଥିତିରେ ଆତ୍ମହତ୍ୟା ରୂପରେ। ସଫଳତା ପାଇଁ ଯେଉଁ ବାଜି ଲଗାଯାଉଛି ତାହାର ମୂଲ୍ୟ ଆଜି ବହୁତ ଉଚ୍ଚରେ, ଆଉ ଏହି ବାଜିର ଭରଣା କରାଯାଉଛି ମାନସିକ ସୁଖର ମୁଦ୍ରା ମାଧ୍ୟମରେ।
ତୃଣମୂଳ ସ୍ତରରେ ଆମେ କେବଳ ହାସ୍ୟରସକୁ ହରେଇ ନାହୁଁ, ଆମେ ହରେଇଛୁ ଜୀବନ ଜିଇଁବାର ଗୋଟିଏ ସଫଳ ପ୍ରଣାଳୀକୁ। ସେହି ଜୀବନଶୈଳୀ ଯାହା ଦିନେ ଗ୍ରହଣୀୟତା, ସରଳତା ଓ ସାମୂହିକ ସାମର୍ଥ୍ୟ ଉପରେ ପର୍ଯ୍ୟବସିତ ଥିଲା ଆଜି ତାହା ବ୍ୟକ୍ତିକୈନ୍ଦ୍ରିକତା, ଉଚ୍ଚାଭିଳାଷ ଓ ଡିଜିଟାଲ୍ ଉନ୍ମତ୍ତତା ଉପରେ ନିର୍ଭରଶୀଳ। ଅତୀତରେ ପରିବାର ସଦସ୍ୟମାନେ ଏକାଠି ଠୁଳ ହେଉଥିଲେ ସମସ୍ୟାକୁ ହାଲୁକା କରିବା ଉଦ୍ଦେଶ୍ୟରେ, ଆଜି ସେମାନେ ଦୁଶ୍ଚିନ୍ତା ଦୂର କରିବାକୁ ହେଲେ ଗୋପନୀୟ ଆଶ୍ରୟସ୍ଥଳମାନ ଖୋଜୁଛନ୍ତି। ଗ୍ରାମ୍ୟ ଜୀବନରେ ଲୋକେ ଦିନେ ସଙ୍କଟକୁ ହସରେ ଉଡ଼େଇ ଦେବାର ଉପାୟ ଜାଣିଥିଲେ, ଆଜି ସେମାନେ ହତାଶ ହୋଇ ମାନସିକ ରୋଗ ଓ ଭଗ୍ନ ସମ୍ପର୍କର ଶିକାର ହେବା ସଙ୍ଗେ ସଙ୍ଗେ ଗୋଷ୍ଠୀ ଭିତରେ ନିଜର ପରିଚୟକୁ ହରାଉଛନ୍ତି।
ହାସ୍ୟରସର ଅସଲି ଧର୍ମ ହେଲା ଜୀବନର ଅଯୋୖକ୍ତିକତାକୁ ଚିହ୍ନେଇଦେବା। ଏହା ଏକ ସ୍ୱୀକାରୋକ୍ତି ଯେ ଆମେ ସବୁକିଛିକୁ ସବୁବେଳେ ନିୟନ୍ତ୍ରଣ କରିପାରିବା ନାହିଁ। ତେଣୁ ମହାସଂକଟରେ ବେଳେବେଳେ ସର୍ବୋତ୍ତମ ସମାଧାନଟି ହେଲା ଅନ୍ୟମାନଙ୍କ ସାଙ୍ଗରେ ମିଶି ଏକ ମନଖୋଲା ହସ। ଆଜି ଆମ ଜୀବନରୁ ହଜିଯାଇଥିବା ସେଇ ହସକୁ ଆମେ ପୁନରୁଦ୍ଧାର କରିପାରିବା କି? ଆମେ ପୁଣି ଆଉଥରେ ମିଳିମିଶି ହସି ପାରିବା କି? ଅବାସ୍ତବ ଆଶାଗୁଡ଼ିକୁ ବାଦ୍ ଦେଇ ଆମେ ପୁଣି ସେହି ସରଳ ଓ ନିଷ୍କପଟ ଆହ୍ଲାଦପୂର୍ଣ୍ଣ ମୁହୂର୍ତ୍ତଗୁଡ଼ିକୁ ଖୋଜିପାଇବା କି, ଯାହା ଦିନେ ଆମ ତୃଣମୂଳ ଜୀବନକୁ ସଂଜ୍ଞାୟିତ କରୁଥିଲା?
ଏ ସବୁର ଉତ୍ତର ଖୋଜି ପାଇଲେ ଆମ ଭବିଷ୍ୟତ ଜୀବନରୁ ବିଷାଦର କାଳିମା ଆପଣାଛାଏଁ ଉଠିଯିବ।
ମୋ: ୯୪୩୭୦୮୯୬୫୫
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/g1dqX91niqVjlHsCW2b8.jpg)