• ସୌମ୍ୟରଂଜନ ପଟ୍ଟନାୟକ
Advertisment

ଜନ୍ମଦିନ ପାଳନ ଆମର ଏକ ନିଆରା ପରମ୍ପରା। ଉଭୟ କନିଷ୍ଠ ଓ ବରିଷ୍ଠଙ୍କ ଜନ୍ମଦିନ ଆମେ ଭିନ୍ନ ଭିନ୍ନ କାରଣରୁ ପାଳନ କରିଥାଉ। କନିଷ୍ଠମାନଙ୍କୁ ସଚେତନ କରାଇବା ଏବ˚ ବରିଷ୍ଠମାନଙ୍କୁ କୃତଜ୍ଞତା ଜଣାଇବା ପାଇଁ ଜନ୍ମଦିନ ଉତ୍ସବ ପାଳନ ହୋଇଥାଏ ବୋଲି ଆମେ ବିଚାର କରୁ। କୃତଜ୍ଞତା ଏଇଥିପାଇଁ ଯେ ଜେଜେ ଯଦି ମୋ ବାପାଙ୍କୁ ଜନ୍ମ ଦେଇ ନ ଥାନ୍ତେ, ମୁଁ ଏହି ଦୁନିଆକୁ ଆସିପାରି ନ ଥାନ୍ତି।

ସୁରେନ୍ଦ୍ର ମହାନ୍ତି ‘ସମ୍ବାଦ’ର ପ୍ରଥମ ସ˚ପାଦକ ଥିଲେ। କହିବାକୁ ଗଲେ ଆଜିର ବୃହତ୍ତର ‘ସମ୍ବାଦ ଯୌଥ ପରିବାର’ର ସେ ଥିଲେ ଅନ୍ୟତମ ପିତୃତୁଲ୍ୟ ଗୁରୁଜନ। ବଞ୍ଚିଥିଲେ ତାଙ୍କୁ ଆଜି ୧୦୦ ବର୍ଷ ପୂରିଥାଆନ୍ତା। ତାଙ୍କର ଜନ୍ମ ଶତବାର୍ଷିକୀରେ ‘ସମ୍ବାଦ’ ପରିବାର କିପରି ଓ କେଉଁ ଢଙ୍ଗରେ କୃତଜ୍ଞତା ଜଣାଇବ, ମୁଁ ହଠାତ୍‌ ଚିନ୍ତା କରିପାରୁନାହିଁ। ସୁରେନ୍ଦ୍ର ବାବୁଙ୍କ ପ୍ରତି ଅନେକ କାରଣରୁ ଆମେ ଋଣୀ। ୩୯ ବର୍ଷ ତଳେ ‘ସମ୍ବାଦ’ର ସେ ଯେଉଁ ଭିତ୍ତିଭୂମି ସ୍ଥାପନ କରିଥିଲେ ତାହାର ଫଳସ୍ବରୂପ ଆମେ ଆଜି ସର୍ବାଧିକ ପ୍ରସାରିତ ଖବରକାଗଜର ମାନ୍ୟତାକୁ ଉପଭୋଗ କରୁଛୁ। ‘ସମ୍ବାଦ’ ଓ ‘ସାହିତ୍ୟ’ ମଧ୍ୟରେ ଯେଉଁ ନିବିଡ଼ ସମ୍ପର୍କ ଗଢ଼ିଉଠିଛି, ତାହାର ମୂଳ କାରଣ ଥିଲେ ସୁରେନ୍ଦ୍ର ମହାନ୍ତି। ବହୁ ଯୁବପ୍ରତିଭାଙ୍କୁ ଆକର୍ଷିତ କରି ସେ ‘ସମ୍ବାଦ’ ପରିବାରରେ ସାମିଲ କରିଥିଲେ। ସେଦିନର ଯୁବ ଲେଖକ ଆଜି ଓଡ଼ିଆ ସାହିତ୍ୟର ଆଗଧାଡ଼ିର ଜଣେ ଜଣେ ନାମକରା ସାହିତ୍ୟିକ। ସାହିତ୍ୟର ଏପରି କୌଣସି ବିଭାଗ ନାହିଁ ଯେଉଁଥିରେ ‘ସମ୍ବାଦ’ର ସହଯୋଗୀ ବନ୍ଧୁମାନେ ନିଜର ଛାପ ଛାଡ଼ିଯାଇନାହାନ୍ତି। ଏଥିପାଇଁ ‘ସମ୍ବାଦ’ ପରିବାର ତାଙ୍କ ନିକଟରେ ଚିର କୃତଜ୍ଞ ରହିବ।

ସୁରେନ୍ଦ୍ର ବାବୁଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ‘ସମ୍ବାଦ’ ପରିବାର ତରଫରୁ ‘ରବିବାର ସମ୍ବାଦ’ର ଏକ ବିଶେଷ ସ˚ଖ୍ୟା ପ୍ରକାଶ ପାଇଥିବାରୁ ମୁଁ ବିଶେଷ ଆନନ୍ଦିତ। ସୁରେନ୍ଦ୍ର ବାବୁଙ୍କ ଋଣ ପରିଶୋଧ କରିବା ପାଇଁ ଏହାଠାରୁ ଭଲ ମାଧ୍ୟମ ଆଉ କ’ଣ ବା ହୋଇପାରେ! ମନେପଡୁଛି ବଞ୍ଚିଥିବା ବେଳେ ତାଙ୍କ ଜନ୍ମଦିନରେ ରକ୍ତ ଗୋଲାପର ଫୁଲତୋଡ଼ା ସହ ତାଙ୍କର ପସନ୍ଦର ପାନୀୟ ଉପହାର ଦେଇ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଯାଉଥିଲି। ଆଜି ତାଙ୍କ ଅବର୍ତ୍ତମାନରେ କେବଳ ତାଙ୍କର ଗୋଟିଏ କଥା ମନକୁ ଆସୁଛି। ସାହିତ୍ୟରେ ଗୋଷ୍ଠୀ ବିବାଦ କଥା ଉଠିଲେ ସେ କହୁଥିଲେ, ‘ସି˚ହଛୁଆ ଗୋଠରେ ରହେ ନାହିଁ।’ ପୁରସ୍କାର ଦୌଡ଼ରେ କିମ୍ବା କୌଣସି ଗୋଷ୍ଠୀ ବିବାଦରେ ସେ କେବେ ନ ଥିଲେ। ପୁରସ୍କାରଟିଏ ପାଇବା ପାଇଁ ଆଜି ପ୍ରବଳ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ପରସ୍ପର ପ୍ରତି ଯେପରି ଅସୂୟା ଭାବ ଦେଖାଦେଉଛି ତାହା ସୁରେନ୍ଦ୍ର ବାବୁଙ୍କୁ ଆଦୌ ଖୁସି ଦେଇ ନ ଥାନ୍ତା।

ତାଙ୍କ ଜନ୍ମଦିନ ଅବସରରେ ‘ରବିବାର ସମ୍ବାଦ’ର ଏ ବିଶେଷ ସ˚ଖ୍ୟାକୁ ଉପହାର ଦେବାବେଳେ ଏହି କଥାଟିକୁ ମନେରଖିବାକୁ ମୁଁ ନିବେଦନ କରୁଛି।

( ଏହି ଆଲେଖ୍ୟଟି ‘ରବିବାର ସମ୍ବାଦ’ର ସୁରେନ୍ଦ୍ର ବିଶେଷାଙ୍କରୁ ଉଦ୍ଧୃତ)