ଏବେ ଖବରକାଗଜ ବା ଟିଭି ଖୋଲୁଖୋଲୁ ଯଦି କେଉଁ ରୋଗ ଉପରେ ଅଧିକ ଚର୍ଚ୍ଚା ଚାଲିଛି ତାହା ହେଉଛି ‘ଡିପ୍ଥେରିଆ’। ରାୟଗଡ଼ାର କାଶୀପୁରରୁ ଆରମ୍ଭ ହୋଇଥିବା ଏହି ରୋଗରେ ବର୍ତ୍ତମାନ ସୁଦ୍ଧା ୨୧ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟ କହୁଥିବା ବେଳେ ଏଥିରେ ୬ ଜଣଙ୍କ ମୃତ୍ୟୁ ବି ହୋଇସାରିଛି। ତେବେ ଏହି ରୋଗ କ’ଣ, ଏହାର ଲକ୍ଷଣ, ଉପଚାର ଓ ଟିକାକରଣ ବ୍ୟବସ୍ଥା କ’ଣ ରହିଛି? ଏ ସମ୍ପର୍କରେ ଆମେ ଭୁବନେଶ୍ବରସ୍ଥିତ ମଣିପାଲ୍ ହସ୍ପିଟାଲ୍ର ସଂକ୍ରାମକ ରୋଗ ବିେଶଷଜ୍ଞ ଡାକ୍ତର ଶୁଭଶ୍ରୀ ସାମନ୍ତରାୟଙ୍କ ସହ ଆଲୋଚନା କରିଥିଲୁ।
ଡିପ୍ଥେରିଆ ରୋଗ କ’ଣ, ଏହା କାହିଁକି ହୁଏ?
ଡିପ୍ଥେରିଆ ଏକ ଜୀବାଣୁଜନିତ ସଂକ୍ରାମକ ରୋଗ, ଯାହାକି ‘କରାଇନେବ୍ୟାକ୍ଟେରିୟମ୍ ଡିପ୍ଥେରିଆ’ ଜୀବାଣୁ ଦ୍ବାରା ହୋଇଥାଏ। ‘ଡିପ୍ଥେରିଆ’ ଶବ୍ଦର ଅର୍ଥ ହେଉଛି ଏକ ‘ଚମଡ଼ା ପରଦା’। ଯେଉଁ ରୋଗୀଙ୍କୁ ଏହି ରୋଗ ହୋଇଥାଏ ସେମାନଙ୍କର ଗଳା ଓ ଶ୍ବାସନଳୀରେ ଏକ ପରଦା ବିକଶିତ ହୁଏ। ଏହା ବଢ଼ି ଆମ ଶ୍ବାସନଳୀକୁ ଆଚ୍ଛାଦିତ କରିଦିଏ। ଫଳରେ ଶ୍ବାସକ୍ରିୟାରେ ଅସୁବିଧା ହୁଏ ଓ ରୋଗୀର ମୃତ୍ୟୁ ଘଟେ।
ଏହି େରାଗର ଲକ୍ଷଣ କ’ଣ?
ଡିପ୍ଥେରିଆ ଜୀବାଣୁ ସଂକ୍ରମଣ ଦ୍ବାରା ପ୍ରଥମେ ରୋଗୀକୁ ଜ୍ବର ଆସିଥାଏ। ଏହାପରେ ତଣ୍ଟି ଦରଜ, ଖାଦ୍ୟ ଗିଳିବାରେ ଅସୁବିଧା, କାଶ, ଛିଙ୍କ ଆଦି ସମସ୍ୟା ଦେଖାଯାଇଥାଏ। ଏହି ସମୟରେ ରୋଗ ନିରୂପଣ କରି ଚିକିତ୍ସା ଆରମ୍ଭ କରିଦେଲେ ଏହି ଜୀବାଣୁର ବିଷାକ୍ତ ପଦାର୍ଥ ଶରୀରରେ ବ୍ୟାପିପାରେ ନାହିଁ। ଫଳରେ ଗଳାରେ ପରଦାଟି ବିକଶିତ ହୋଇପାରିବ ନାହିଁ। ଏଥିପାଇଁ ଡିପ୍ଥେରିଆ ଠିକ୍ ସମୟରେ ଚିହ୍ନଟ ହେବା ନିହାତି ଆବଶ୍ୟକ।
ଏହି ରୋଗ କେବେ ହୋଇଥାଏ ଓ ଏହା କିପରି ବ୍ୟାପେ?
ସାଧାରଣତଃ ଋତୁ ପରିବର୍ତ୍ତନ ସମୟେର ଏହି ରୋଗ ଅଧିକ ଦେଖାଯାଏ। ଏହା ଏକ ବାୟୁବାହୀ ରୋଗ। ଡିପ୍ଥେରିଆ ରୋଗୀଙ୍କ କାଶ, ଛିଙ୍କ, ସେମାନଙ୍କ ବ୍ୟବହୃତ ରୁମାଲ କିମ୍ବା ସେମାନଙ୍କ ଅତି ନିକଟରେ ରହିବା ଦ୍ବାରା ଅନ୍ୟମାନଙ୍କୁ ଏହି ରୋଗ ବ୍ୟାପିଥାଏ। ଶ୍ବାସକ୍ରିୟାଜନିତ ଡିପ୍ଥେରିଆ ୫ ବର୍ଷ ବା ତା’ଠାରୁ କମ୍ ବୟସ୍କ ପିଲାମାନଙ୍କୁ ହୋଇଥାଏ। ସେହିଭଳି ବଡ଼ମାନଙ୍କ ଶରୀରରେ ଚର୍ମରୋଗଜନିତ ଡିପ୍ଥେରିଆ ଦେଖାଯାଇଥାଏ। ବିଶେଷ କରି ପାଦରେ ଘା’ ହୋଇଥିଲେ ତାହା ଯଦି ମାଟି ସଂସ୍ପର୍ଶରେ ଆସେ ତେବେ ଡିପ୍ଥେରିଆ ଜୀବାଣୁ ଘା’ରେ ରହି ଏହାକୁ ଶୁଖିବାକୁ ଦିଅନ୍ତି ନାହିଁ। କିନ୍ତୁ ବଡ଼ମାନଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବାରୁ ଏହି ରୋଗ ସେମାନଙ୍କୁ ବିଶେଷ କ୍ଷତିଗ୍ରସ୍ତ କରିପାରେନି। କିନ୍ତୁ, ଏହି ଜୀବାଣୁ ବ୍ୟାପିବାର ବଡ଼ କାରଣ ସେମାନେ ହିଁ ହୁଅନ୍ତି।
ଡିପ୍ଥେରିଆର ଚିକିତ୍ସା କ’ଣ ରହିଛି?
ଡିପ୍ଥେରିଆ ଜୀବାଣୁ ବିଶେଷ କରି ଶିଶୁଙ୍କ ଶରୀରରେ ଏକ ବିଷାକ୍ତ ପଦାର୍ଥ ଛାଡ଼ିଥାଏ। ଫଳରେ ରୋଗର ଲକ୍ଷଣ ଦେଖାଇବା ଆରମ୍ଭ ହୁଏ। ଏହି ବିଷାକ୍ତ ପଦାର୍ଥକୁ ନଷ୍ଟ କରିବାକୁ ‘ଆଣ୍ଟି-ଟକ୍ସିନ୍ ସିରମ୍’ ଦେଇ ଚିକିତ୍ସା କରାଯାଏ। ରୋଗୀକୁ ଏହି ସିରମ୍ ଲକ୍ଷଣ ଦେଖାଇବାର ପ୍ରଥମ ୪୮ ଘଣ୍ଟା ମଧ୍ୟରେ ଦିଆଯାଇଥାଏ। ଏହି ଚିକିତ୍ସା ଫଳରେ ରୋଗୀର ମୃତ୍ୟୁ ରୋକିହୁଏ। ଦ୍ବିତୀୟ ହେଉଛି, ଆଣ୍ଟିବାୟୋଟିକ୍ ଚିକିତ୍ସା। କିଛି କ୍ଷେତ୍ରରେ ଚିକିତ୍ସା ମାଧ୍ୟମରେ ଜୀବାଣୁକୁ ମାରିଦିଆଯାଏ। ଉଭୟ ଚିକିତ୍ସା ଦ୍ବାରା ହିଁ ‘ଡିପ୍ଥେରିଆ’ ଭଲ ହୋଇଥାଏ।
ଏହି ରୋଗର ନିରାକରଣ ବ୍ୟବସ୍ଥା କ’ଣ ରହିଛି?
ସରକାରୀସ୍ତରରେ ଡିପ୍ଥେରିଆର ଟିକାକରଣ ବ୍ୟବସ୍ଥା ରହିଛି। ୧ ଜୁନ୍ ୨୦୨୩ରୁ ‘ନ୍ୟାସ୍ନାଲ୍ ଇମ୍ୟୁନାଇଜେସନ୍ ସେଡ୍ୟୁଲ୍’ର ନୂଆ ବ୍ୟବସ୍ଥା ଆସିଛି। ଏଥିରେ ନବଜାତ ଶିଶୁମାନଙ୍କ ୬ ସପ୍ତାହ, ୧୦ ସପ୍ତାହ ଓ ୧୪ ସପ୍ତାହରେ ୩ ଥରରେ ଡିପ୍ଥେରିଆ ଟିକାର ୩ଟି ମାତ୍ରା ଦିଆଯାଉଛି। ଏହାପରେ ଡିପ୍ଥେରିଅାର ପ୍ରଥମ ବୁଷ୍ଟର୍ ଟିକା (ଡିପିଟି) ଛୁଆଙ୍କୁ ୧୬ରୁ ୨୪ ମାସ ଭିତରେ ଦିଆଯାଇଥାଏ। ପ୍ରାୟତଃ ୨ ବର୍ଷ ଭିତରେ ଡିପ୍ଥେରିଆ ପ୍ରତିରୋଧକ ସମସ୍ତ ଟିକା ଶିଶୁମାନେ ନେଇ ସାରିଥା’ନ୍ତି। ଏହାପରେ ବି ଡିପିଟି ବୁଷ୍ଟର୍-୨ ରହିଛି, ଯାହାକି ୫ରୁ ୬ ବର୍ଷୀୟ ଶିଶୁଙ୍କୁ ଦିଆଯିବା ଆବଶ୍ୟକ। ୧୦ ବର୍ଷ ବୟସରେ ବି ଆଉ ଏକ ଟିକା ନେବା ଉଚିତ। ବଡ଼ମାନେ ମଧ୍ୟ ପ୍ରତି ୧୦ ବର୍ଷରେ ଥରେ ଡିପ୍ଥେରିଆ ପାଇଁ ଟିକା ନେବା ବିଧେୟ। କିନ୍ତୁ ସଚେତନତା ଅଭାବରୁ ଏହା କେହି ନେଉନାହାନ୍ତି।
କାଶୀପୁରରେ ଡିପ୍ଥେରିଆ ବ୍ୟାପିବାର କାରଣ କ’ଣ?
ଶିଶୁମାନଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି କମିବା ଏହାର ପ୍ରମୁଖ କାରଣ। ଅର୍ଥାତ୍ ଶିଶୁଙ୍କର ଠିକ୍ ଭାବେ ଟିକାକରଣ ନ ହେବା ହିଁ ଏହାର ମୁଖ୍ୟ କାରଣ। ୫ରୁ ୬ ବର୍ଷୀୟ ଶିଶୁଙ୍କୁ ଡିପିଟି ବୁଷ୍ଟର-୨ ବାଧ୍ୟତାମୂଳକ କଲେ ଏହି ସମସ୍ୟା ରହିବ ନାହିଁ।