ନୂଆଦିଲ୍ଲୀ: ଆପଣ ଜାଣିଥିବେ ନିଶ୍ଚୟ ଯେ ୨୦୧୫ର ଆଇଏଏସ ଟପ୍ପର ଟିନା ଡାବି ପୁଣି ଥରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ସୋମବାର ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ନିଜ ନୂଆ ସାଥୀଙ୍କ ସହ ଫଟୋ ପୋଷ୍ଟ କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଟିନା ଡାବି, ୨୦୧୩ ବ୍ୟାଚର ଆଇଏଏସ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କୁ ବିବାହ କରିବାକୁ ଯାଉଛନ୍ତି। ଟିନା ଡାବିଙ୍କ ଭାବି ସ୍ୱାମୀ ପ୍ରଦୀପ ଗାୱାଣ୍ଡେ ରାଜସ୍ଥାନ କ୍ୟାଡରର ୨୦୧୩ ବ୍ୟାଚ୍ ଆଇଏଏସ ଅଧିକାରୀ। ବର୍ତ୍ତମାନ ସେ ପ୍ରତ୍ନତତ୍ତ୍ୱ ଏବଂ ସଂଗ୍ରହାଳୟର ନିର୍ଦ୍ଦେଶକ ପଦରେ ଅଛନ୍ତି।
ତେବେ ଟିନାଙ୍କଠାରୁ ତାଙ୍କ ଭାବି ସ୍ବାମୀ ୧୩ ବର୍ଷ ବଡ଼। ଏନେଇ ସାମାଜିକ ଗଣମାଧ୍ୟମରେ ବହୁ ଆଲୋଚନା ହେବା ପରେ ଟିନା କହନ୍ତି, ‘ସ୍ବଭାବ, ଆପୋଷ ବୁଝାମଣା ଏକ ସଂପର୍କ ପାଇଁ ଅଧିକ ଜରୁରୀ। ସଂପର୍କ ଗଢ଼ିବା ପାଇଁ ବୟସ ଏକମାତ୍ର ମାନଦଣ୍ଡ ନୁହେଁ।’
ତେବେ ଟିନା ଡାବିଙ୍କ ଭାବି ସ୍ୱାମୀ ପ୍ରଦୀପ ଗାୱାଣ୍ଡେ ଆଇଏଏସ୍ ହେବା ପୂର୍ବରୁ ଏକ ହସ୍ପିଟାଲ୍ରେ ଡାକ୍ତର ମଧ୍ୟ ଥିଲେ। ଯେଉଁ କାରଣରୁ ଟିନା ତାଙ୍କୁ ଅଧିକାଂଶ ସୋସିଆଲ୍ ମିଡିଆ ପୋଷ୍ଟ୍ରେ ଡାକ୍ତର ବାବୁ ବୋଲି ସମ୍ବୋଧନ କରିଛନ୍ତି।
View this post on Instagram
ଏହାପୂର୍ବରୁ ଟିନା ଡାବି ୨୦୧୮ ମସିହାରେ ଆଇଏଏସ୍ ଅଥର ଖାନଙ୍କୁ ବିବାହ କରିଥିଲେ। ୨୦୧୫ ୟୁପିଏସସି ପରୀକ୍ଷାରେ ଟିନା ଡାବି ଟପ୍ପର ରହିଥିବା ବେଳେ ଦ୍ୱିତୀୟରେ ରହିଥିଲେ ଅଥର ଖାନ ।
ପ୍ରଥମେ ବନ୍ଧୁତା, ପରେ ପ୍ରେମ ଓ ପରେ ଉଭୟ ପରସ୍ପରକୁ ଜୀବନସାଥୀ ଭାବେ ବାଛିିନେଇଥିଲେ । ମସୁରୀରେ ଥିବା ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଆକାଡେମି ଫର ଆଡମିନିଷ୍ଟ୍ରେସନରେ ଉଭୟଙ୍କ ସାକ୍ଷାତ ହେବା ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଅବଶ୍ୟ, ଉଭୟଙ୍କ ସମ୍ପର୍କ ଅଧିକ ଦିନ ତିଷ୍ଠି ପାରିନଥିଲା। ୨୦୨୦ ମସିହାରେ ଆପୋଷ ବୁଝାମଣାରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା ।