ନୂଆଦିଲ୍ଲୀ: କ୍ୟାରିୟର ଆରମ୍ଭରୁ ଚର୍ଚ୍ଚାରେ ରହି ଆସିଛନ୍ତି ଆଇଏଏସ୍ ଟିନା ଡାବି। ପ୍ରଥମେ ୟୁପିଏସସି ପରୀକ୍ଷାରେ ସଫଳତା, ତା’ପରେ ପ୍ରେମ ବିବାହ, ବିବାହ ବିଚ୍ଛେଦ ଓ ଶେଷରେ ପୁର୍ନବିବାହ ନେଇ ଚର୍ଚ୍ଚାରେ ଅଛନ୍ତି । ସୋସିଆଲ ମିଡିଆରେ ଏହି କାରଣରୁ ତାଙ୍କ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥାଏ। ଏଥର ଟିନାଙ୍କ ସଂପର୍କରେ କିଛି ନୂଆ କଥା ଆମେ ଆପଣଙ୍କୁ କହିବୁ। ଆପଣ ଜାଣନ୍ତି କି ୨୦୧୫ ମସିହାରେ ସିଭିଲ୍ ସର୍ଭିସ ପରୀକ୍ଷାରେ ଟପ୍ପର ହୋଇଥିବା ଏହି ବହୁଚର୍ଚ୍ଚିତ ଆଇଏଏସ୍ଙ୍କ ଦରମା କେତେ ?
ଆପଣ ଜାଣନ୍ତି ଯେ ଟିନା ହେଉଛନ୍ତି ଅନୁସୂଚୀତ ଜାତିର ପ୍ରଥମ ଟପ୍ପର। ସେ ଏବେ ରାଜସ୍ଥାନର ଜୈସଲ୍ମେରର ୬୫ତମ ଜିଲ୍ଲାପାଳ ଭାବେ କାର୍ଯ୍ୟ ତୁଲାଉଛନ୍ତି। ଏହା ପୂର୍ବରୁ ସେ ରାଜସ୍ଥାନ ସରକାରଙ୍କ ଅର୍ଥ ବିଭାଗ ଦାୟିତ୍ବରେ ଥିଲେ। ସେହି ସମୟରେ ସେ ମାସକୁ ୫୬୧୦୦ ଟଙ୍କା ପାଉଥିବା ବେଳେ ଏବେ ସେ ତାହାର ଦ୍ବିଗୁଣ ଦରମା ପାଉଛନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ରାଜସ୍ଥାନରେ ଜିଲ୍ଲାପାଳଙ୍କ ଦରମା ୧.୩୪ ଲକ୍ଷରୁ ୧.୫ ଲକ୍ଷ ମଧ୍ୟରେ ହୋଇଥାଏ। ତେଣୁ ଟିନା ବି ଏତିକି ଟଙ୍କା ମଧ୍ୟରେ ଦରମା ପାଉଥିବେ ବୋଲି ଅନୁମାନ କରାଯାଇପାରେ।
ଏହାବ୍ୟତୀତ ତାଙ୍କୁ ସରକାରୀ ଘର ଓ କାର୍ ମିଳିଛି। ତାଙ୍କର ଅଧିକ ସୁବିଧା ସକାଶେ ତାଙ୍କୁ ଗାଡ଼ି ଚାଳକ ଓ ଗୃହ ସହାୟକ ବି ଯୋଗାଇ ଦିଆଯାଇଛି। ତାଙ୍କ ଘର ବଗିଚାର ଦାୟିତ୍ବ ତୁଲାଇବା ପାଇଁ ତାଙ୍କୁ ସରକାରଙ୍କ ପକ୍ଷରୁ ଏକ ମାଳି ବି ପ୍ରଦାନ କରାଯାଇଛି। ତେବେ ଗତବର୍ଷ ସେ ଆଇଏଏସ୍ ପ୍ରଦୀପ ଗୱାଣ୍ଡେଙ୍କୁ ଦ୍ବିତୀୟ ବିବାହ କରି ଚର୍ଚ୍ଚାରେ ରହିଥିଲେ।