ନୂଆଦିଲ୍ଲୀ: କିଛି ଦିନ ହେବ ସୋସିଆଲ୍ ମିିଡିଆରେ ଟ୍ରେଣ୍ଡିଂ ହେବାରେ ଲାଗିଛି ‘ବାବା କା ଢାବା’। ଦିଲ୍ଲୀର ମାଲବୀୟ ନାଗରରେ ଥିବା ‘ବାବା କା ଢାବା’ରେ ଏବେ ଲୋକଙ୍କ ଗହଳି ଜମିିଛି। ଏବେ ଡେଟିଂ ଆପ୍ ଟିଣ୍ଡର୍ ମଧ୍ୟ ତା’ର ଗ୍ରାହକଙ୍କୁ ‘ବାବା କା ଢାବା’କୁ ଡେଟିଂରେ ଯିବା ପାଇଁ ସୁପାରିସ୍ କରିଥିବାର ଦେଖିବାକୁ ମିଳିଛି। ଅନେକ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଟିଣ୍ଡରର ଏହି ଘୋଷଣାରେ ନିଜର ଖୁସି ବ୍ୟକ୍ତ କରିଥିବା ବେଳେ ଆହୁରି କେହି କେହି ଏହାକୁ ନେଇ ଖୁବ୍ ମଜା ମଜା କଥା କହୁଥିବାର ଦେଖିବାକୁ ମିଳିଛି। କିଛି ବ୍ୟବହାରକାରୀ ଟିଣ୍ଡରକୁ ପ୍ରଶ୍ନ କରିଛନ୍ତି କି କେଉଁ ତାରିଖରେ ଯିବୁ ତାହା ବି କହିଦିଅ। ସେହିପରି ଆହୁରି କେହି କହିଥିବାର ନଜର ଆସିଛି ଯେ ଡେଟିଂରେ ଯିବା ପାଇଁ ପ୍ରଥମେ ସାଥୀ ତ ଯେଗାଡ଼ କରିଦିଅ।
We recommend #BabaKaDhabha for your next date 🔥
— Tinder India (@Tinder_India) October 8, 2020
ଆପଣ ଜାଣିଥିବେ ନିଶ୍ଚୟ ଯେ ମାଲବୀୟ ନଗରରେ ଅବସ୍ଥିତ ‘ବାବା କା ଢାବା’ ହେଉଛି ଏକ ଛୋଟ ଭୋଜନାଳୟ, ଯାହାକୁ କି ଏକ ବୃଦ୍ଧ ଦମ୍ପତି ଦୀର୍ଘ ୩୦ ବର୍ଷ ହେଲା ଚଳାଇ ଆସୁଛନ୍ତି। ମାତ୍ର ମହାମାରୀ କରୋନା ହେତୁ ଏହି ଢାବା ପ୍ରାୟ ବନ୍ଦ ପରି ହୋଇ ଯାଇଥିବା ବେଳେ ଗୁରୁବାର ଦିନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇ କାହାଣୀ ବଦଳାଇ ଦେଇଛି। ସାଧାରଣ ଏକ ଭୋଜନାଳୟରୁ ବହୁଚର୍ଚ୍ଚିତ ପାଲଟିଛି ବୃଦ୍ଧ ଦମ୍ପତିଙ୍କର ଏହି ‘ବାବା କା ଢାବା’। ଭିଡିଓରେ ଦମ୍ପତି ସେମାନଙ୍କ ଦୁଃଖ କହିବା ପରେ ତାଙ୍କ ଭୋଜନାଳୟରେ ଲୋକଙ୍କ ଭିଡ଼ ଜମିଥିଲା। କେବଳ ସେତିକି ନୁହେଁ, ବିଭିନ୍ନ ଆଡୁ ଅନୁଦାନ ମିଳିଥିବା ଏହି ଢାବା ଏବେ ଦେଶରେ ବେଶ୍ ପରିଚତ।
ବୃଦ୍ଧଦମ୍ପତ୍ତି କାନ୍ଦିକାନ୍ଦି ଦୁଃଖ କଥା କହୁଥିବା ବେଳେ ଜଣେ ବ୍ୟକ୍ତି ଏହାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, ଯାହା ଖୁବ ଭାଇରାଲ ହେଉଛି ।ଏହି ଭିଡିଓକୁ ବଲିଉଡ କଳାକାରଙ୍କଠୁ ଆରମ୍ଭ କରି କ୍ରିକେଟ ତାରକା ପର୍ଯ୍ୟନ୍ତ ସମସ୍ତେ ସେୟାର କରିଥିଲେ । ରବିନା ଟଣ୍ଡନ, ସୁନୀଲ ସେଟ୍ଟୀ, ରଣଦୀପ୍ ହୁଡା, ସ୍ୱରା ଭାସ୍କର ଓ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନୀ ଏହି ଭିଡିଓକୁ ସେୟାର କରିବା ସହ ଏଠାରେ ଖାଇବା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ ।
ରବିନା ଟଣ୍ଟନ ଟ୍ୱିଟ କରି ଲେଖିଛନ୍ତି, ଏଠି ଯିଏ ଖାଇବା ସହ ମୋତେ ଫଟୋ ପଠେଇବେ ମୁଁ ସେମାନଙ୍କ ଫଟୋ ସେୟାର କରିବା ସହ ତାଙ୍କ ପାଇଁ ଗୋଟେ ମେସେଜ ଦେବି । ସେହିପରି ସୁନୀଲ ସେଟ୍ଟୀ ଲେଖିଛନ୍ତି, ଚାଲନ୍ତୁ ତାଙ୍କ ହସକୁ ଫେରାଇ ଆଣିବା ପାଇଁ ତାଙ୍କୁ ସାହାଯ୍ୟ କରିବା । ଏହି ଭିଡିଓ ଭାଇରାଲ ହେବା ପରେ ଏବେ ବାବା କା ଢାବାରେ ଖାଇବା ପାଇଁ ଲୋକଙ୍କ ଖୁବ ଭିଡ ଲାଗିଛି ।