ନୂଆଦିଲ୍ଲୀ:  ଆସନ୍ତା ୨୩ ତାରିଖରେ ଲଣ୍ଡନ୍‌ଠାରେ ଏକ ଐତିହାସିକ ଖଣ୍ଡା ନିଲାମ କରାଯିବ। ଏ ସୁନା ଖଚିତ ଖଣ୍ଡାଟି ଏକଦା ଟିପୁ ସୁଲତାନଙ୍କ ହାତରେ ଶୋଭା ପାଉଥିଲା। ୧୭୮୨ରେ ପିତାଙ୍କ ମୃତ୍ୟୁ ପରେ ଟିପୁ ସୁଲତାନ ଶାସନ ଦାୟିତ୍ବ ଗ୍ରହଣ କରିଥିଲେ। ୧୭୮୨ରୁ ୧୭୯୯ ପର୍ଯ୍ୟନ୍ତ ଟିପୁ ଏହି ଖଣ୍ଡାଟିକୁ ବ୍ୟବହାର କରୁଥିଲେ। ଟିପୁଙ୍କ ମୃତ୍ୟୁ ପରେ ତାଙ୍କ ଶୟନ କକ୍ଷରୁ ଏହି ବିରଳ ଖଣ୍ଡାଟି ମିଳିଥିଲା। ଖଣ୍ଡାଟିର ମୁଷ୍ଟି ସୁନାର ହୋଇଥିବା ବେଳେ ଏଥିରେ ସୁନ୍ଦର ଖୋଦେଇ କାମ ହୋଇଛି। ଏହା ରାଜସ୍ଥାନର ଆଦିବାସୀଙ୍କ ଦ୍ବାରା ପ୍ରସ୍ତୁତ ରାଜକୀୟ ହତିଆରର ଉତ୍କୃଷ୍ଟ ନିଦର୍ଶନ ରୂପେ ପରିଗଣିତ। ଏହାର ଦୈର୍ଘ୍ୟ ପାଖାପାଖି ୧୦୦ ସେଣ୍ଟିମିଟର୍‌। ଟିପୁ ସୁଲତାନଙ୍କ ଐତିହ୍ୟ ବିବାଦୀୟ ହୋଇଥିଲେ ହେଁ ଭାରତୀୟ ଇତିହାସରେ ସେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନର ଅଧିକାରୀ। ଟିପୁଙ୍କ ଶକ୍ତିଶାଳୀ ସାମରିକ ନେତୃତ୍ବ ତାଙ୍କୁ ‘ମହୀଶୂରର ବାଘ’ ଉପନାମ ପ୍ରଦାନ କରିଥିଲା। ସେ ବ୍ରିଟିସ୍ ଇଷ୍ଟ ଇଣ୍ଡିଆ କମ୍ପାନିକୁ ସାହସର ସହିତ ପ୍ରତିରୋଧ କରିଥିଲେ। ଟିପୁଙ୍କ ଖଣ୍ଡାଟି ୧୫ରୁ ୨୦ କୋଟି ଟଙ୍କାରେ ନିଲାମ ହେବ ବୋଲି ନିଲାମକାରୀ କମ୍ପାନି ‘ବୋନହାମ୍‌ସ’ ପ୍ରକାଶ କରିଛି।

Advertisment

ଅନ୍ୟ ପକ୍ଷରେ କିଛି ସପ୍ତାହ ପୂର୍ବରୁ କର୍ଣ୍ଣାଟକରେ ଟିପୁଙ୍କ ମୃତ୍ୟକୁ ନେଇ ବିବାଦ ହୋଇଥିଲା। ଏହାକୁ ନେଇ ରାଜନୀତି ଜୋର ଧରିଥିଲା।  ଆଡାଣ୍ଡା କାରିଆପ୍ପାଙ୍କ ଦ୍ବାରା ଲିଖିତ ପୁସ୍ତକ ଟିପୁ ନିଜାକାନାସୁଗାଲୁ (ଟିପୁଙ୍କ ବାସ୍ତବ ସ୍ବପ୍ନ) ଉପରେ ଲିଖିତ ନାଟକରେ ଦାବି କରାଯାଇଛି ଯେ ଦୁଇଜଣ ଭୋକାଲିଗା ନେତା ଉରି ଗୌଡ଼ା ଓ ନାଞ୍ଜେ ଗୌଡ଼ା ଟିପୁଙ୍କୁ ହତ୍ୟା କରିଥିଲେ। କେତେଜଣ ଐତିହାସିକ ଏହାକୁ ଅସ୍ବୀକାର କଲେ ମଧ୍ୟ ବିଜେପିର ଜାତୀୟ ମହାସଚିବ ତଥା ଭୋକାଲିଙ୍ଗା ନେତା ସିଟି ରବି ଏବଂ ମନ୍ତ୍ରୀ ଅଶ୍ବଥ ନାରାୟଣ ଓ ଗୋପାଳାୟାଙ୍କ ସମେତ ବିଜେପି ନେତାମାନେ ଏହାକୁ ସମର୍ଥନ କରୁଛନ୍ତି। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶୋଭା କରଣ୍ଡଲାଜେ ଓ ଅଶ୍ବଥ ନାରାୟଣଙ୍କ ପରି ବିଜେପି ନେତାମାନେ ଦାବି କରୁଛନ୍ତି ଯେ ଉରି ଗୌଡ଼ା ଓ ନାଞ୍ଜେ ଗୌଡ଼ାଙ୍କ ସମ୍ପର୍କରେ ଐତିହାସିକ ପ୍ରମାଣ ରହିଛି। ମହୀଶୂର ଅଞ୍ଚଳରେ ଭୋକାଲିଗା ସମ୍ପ୍ରଦାୟର ପ୍ରାଧାନ୍ୟ ଥିବା ବେଳେ ସେମାନେ ସାଧାରଣତଃ କଂଗ୍ରେସ ଓ ଏଚ୍‌ଡି କୁମାରସ୍ବାମୀଙ୍କ ଜେଡିଏସ୍‌ର ସମର୍ଥକ। ଉଭୟ ଦଳର ନେତାମାନେ ଦାବି କରୁଛନ୍ତି ଯେ ଉରି ଗୌଡ଼ା ଓ ନାଞ୍ଜେ ଗୌଡ଼ା ବୋଲି ଇତିହାସରେ କେହି ନ ଥିଲେ ଏବଂ ସେମାନେ ହେଉଛନ୍ତି କାଳ୍ପନିକ ଚରିତ୍ର।