ଲକ୍ଷ୍ନୌ: କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅତିକ ଅହମଦର ପୁଅ ଅସଦ ଅହମଦ ଏବଂ ତାର ଜଣେ ସହଯୋଗୀ ଗୁଲାମ ମହମ୍ମଦକୁ ଗତକାଲି ଉତ୍ତରପ୍ରଦେଶର ଝାନ୍‌ସୀରେ ଏନକାଉଣ୍ଟର କରାଯାଇଛି।‌ ତେବେ ଦୁଃଖର କଥା ହେଉଛି ଏବେ ଜାଣିବାକୁ ମିଳୁଛି କି ଅସଦ ଅହମଦକୁ ମୃତ୍ୟୁ ବେଳକୁ ୧୯ ବର୍ଷ ହୋଇଥିବା ବେଳେ ତା’ର ବିବାହ ସ୍ଥିର ହୋଇ ସାରିଥିଲା। ଅତିକ ନିଜ ଭଉଣୀର ଝିଅକୁ ଅସଦ ସହ ବିବାହ କରିବାକୁ ସ୍ଥିର କରିଥିଲା।

Advertisment

ବିଏସ୍‌ପି ବିଧାୟକ ରାଜୁ ପାଲ୍‌ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲ୍‌ ହତ୍ୟା ମାମଲାର ପ୍ର‌ାୟ ୨ ମାସ ପରେ ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌ (ସ୍ପେସାଲ ଟାସ୍କଫୋର୍ସ) ଏହି ଏନକାଉଣ୍ଟର କରିଛି। ଉଭୟ ଅସଦ ଏବଂ ଗୁଲାମକୁ ଉମେଶ ପାଲ ହତ୍ୟା ମାମଲାରେ ପୁଲିସ ଖୋଜୁଥିଲା। ତେବେ ଅନୁମାନ କରାଯାଉଛି ଯେ ଅତିକଙ୍କ ଭଉଣୀ ଓ ଭିଣୋଇଙ୍କର ବି ସଂପୃକ୍ତି ଥିଲା।

ଗତକାଲି ଏନକାଉଣ୍ଟର ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ସଂକ୍ରାନ୍ତରେ ଆଲୋଚନା ପାଇଁ ଏକ ବୈଠକ କରିଥିଲେ। ଏନକାଉଣ୍ଟରରେ ସାମିଲ ଥିବା ଅଧିକାରୀଙ୍କୁ ଯୋଗୀ ପ୍ରଶଂସା କରିଥିଲେ। ଗୃହ ବିଭାଗର ମୁଖ୍ୟ ସଚିବ ସଂଜୟ ପ୍ରସାଦ ମୁଖ୍ୟମନ୍ତ୍ରୀଙ୍କୁ ଏନକାଉଣ୍ଟର ସଂକ୍ରାନ୍ତ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ସେହିପରି ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ୟୁପି ଏସଟିଏଫ୍‌କୁ ଶୁଭେଚ୍ଛା ଜଣାଇଥିଲେ। ଇତିମଧ୍ୟ‌ରେ ଉମେଶ ପାଲ୍‌ଙ୍କ ମା’ ଅସଦର ଏନକାଉଣ୍ଟର ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ଜଣାଇଛନ୍ତି।