ତ୍ରିରଙ୍ଗାର ଅମୃତ ତତ୍ତ୍ୱ

ଆମ ଦେଶ ଏବେ ପାଳନ କରୁଛି ସ୍ୱାଧୀନତାର ୭୫ ବର୍ଷ। ଏହା ‘ଅମୃତ ମହୋତ୍ସବ’ ରୂପେ ସାରା ଦେଶରେ ଉତ୍ସାହର ସହ ପାଳିତ ହେଉଛି। ଏଥିପାଇଁ ‘ହର୍ ଘର୍ ତିରଙ୍ଗା’ ବା ‘ଘରେ ଘରେ ଜାତୀୟ ପତାକା’ର ଆହ୍ୱାନ ଦିଆଯାଇଛି। ଏଣୁ ଏହି ଅବସରରେ, ଆମର ଜାତୀୟ ପତାକା, ଏହି ‘ତ୍ରିରଙ୍ଗା’ର ଅମୃତ ତତ୍ତ୍ୱ ବାବଦରେ ଆମେ ଅବଗତ ହେବା ଉଚିତ।

ଆମ ଜାତୀୟ ପତାକାରେ ଅଛି- ତିନିଟି ରଙ୍ଗ। ତଳେ ସବୁଜ, ଉପରେ ନାରଙ୍ଗି ଓ ମଝିରେ ଧଳା। ମଝିର ଧଳାରଙ୍ଗ ଭିତରେ ଶୋଭା ପାଉଛି ନୀଳରଙ୍ଗର ଅଶୋକଚକ୍ର। ଏସବୁର ଅନେକ ବିଶେଷତ୍ୱ ରହିଛି। ଏହା ଆମର ଜାତୀୟ ପତାକା ବା ତ୍ରିରଙ୍ଗାର ଅମୃତ ତତ୍ତ୍ୱ। ଏହାର ଅନେକ ବ୍ୟାଖ୍ୟା ମଧ୍ୟରୁ ଗୋଟିଏ ହେଉଛି- ଆମ ଜାତୀୟ ପତାକାର ନିମ୍ନଭାଗରେ ଥିବା ସବୁଜ ରଙ୍ଗ ଧରିତ୍ରୀ ବା ଭୂମିର ପ୍ରତୀକ ହୋଇଥିବା ବେଳେ, ଊର୍ଦ୍ଧ୍ୱର ନାରଙ୍ଗି ରଙ୍ଗ ଭୂମା ବା ଆଧ୍ୟାତ୍ମିକ ଉତ୍କର୍ଷର ପ୍ରତୀକ। ଏହାର ମଧ୍ୟଭାଗରେ ଥିବା ଧଳାରଙ୍ଗ ଶାନ୍ତି, ସତ୍ୟ ଓ ଶୁଦ୍ଧତାର ପ୍ରତୀକ। ସେହି ଶାନ୍ତି, ସତ୍ୟ ଓ ଶୁଦ୍ଧତା ସହିତ ଜୀବନର ଅଗ୍ରଗତିର ପ୍ରତୀକ ହେଉଛି ଚକ୍ର। ଏହା ସୂଚାଏ ଯେ ଗତିଶୀଳତା ହେଉଛି ଜୀବନ ଏବଂ ସ୍ଥବିରତା ହେଉଛି ମୃତ୍ୟୁ।

ଗୌତମ ବୁଦ୍ଧ ବୋଧିପ୍ରାପ୍ତ ହେବା ପରେ, ଯେଉଁ ମୃଗବନଠାରେ ତାଙ୍କର ପ୍ରଥମ ଧର୍ମୋପଦେଶ ପ୍ରଦାନ କରିଥିଲେ, ତାହା ଏବେ ସାରନାଥ ଭାବରେ ପ୍ରସିଦ୍ଧ। କଳିଙ୍ଗ ଯୁଦ୍ଧ ପରେ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ। ତାହା ପରେ, ସେହି ସ୍ଥାନକୁ ସ୍ମରଣୀୟ କରି ରଖିବାପାଇଁ ସେ ସେଠାରେ ଏକ ସ୍ତମ୍ଭ ନିର୍ମାଣ କରିଥିଲେ। ସେହି ସ୍ତମ୍ଭରେ ଏହି ଚକ୍ର ସ୍ଥାନ ପାଇଥିଲା। ତାହା ଥିଲା ୨୪ଟି ପହି ବା ଅର ବିଶିଷ୍ଟ ଚକ୍ର। ସେହି ଚକ୍ର ଆମ ଜାତୀୟ ପତାକାରେ ସ୍ଥାନ ପାଇଛି। ତାହା ରାତି ଓ ଦିନର ୨୪ ଘଣ୍ଟାର ପ୍ରତୀକ ବୋଲି କୁହାଯିବା ବେଳେ, ଅନ୍ୟ ବ୍ୟାଖ୍ୟା ଅନୁସାରେ- ତାହା ସାଧୁତା, ସ୍ୱାସ୍ଥ୍ୟ, ଶାନ୍ତି, ଆତ୍ମୋତ୍ସର୍ଗ, ନୈତିକତା, ସେବା, କ୍ଷମା, ପ୍ରେମ, ବନ୍ଧୁତା, ଭ୍ରାତୃତ୍ୱ, ସଂଗଠନ, କଲ୍ୟାଣ, ସମୃଦ୍ଧି, ଶିଳ୍ପ, ନିରାପତ୍ତା, ସଚେତନତା, ସମାନତା, ଅର୍ଥ, ନୀତି, ନ୍ୟାୟ, ସହଯୋଗ, କର୍ତ୍ତବ୍ୟ, ଅଧିକାର ଓ ପ୍ରଜ୍ଞାର ପ୍ରତୀକ। କିନ୍ତୁ ଏହାର ଅନ୍ୟ ତାତ୍ତ୍ୱିକ ବ୍ୟାଖ୍ୟା ରହିଛି। ତାହା ଅନୁସାରେ- ଏହା ପଞ୍ଚ ମହାଭୂତ, ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ କର୍ମେନ୍ଦ୍ରିୟ, ମନ, ପଞ୍ଚ ତନ୍ମାତ୍ର ଏବଂ ଅହଂକାର, ମହତ ଓ ପ୍ରକୃତି, ଏହିପରି ଚତୁର୍ବିଂଶ ତତ୍ତ୍ୱର ପ୍ରତୀକ। ଏସବୁ ଆମ ପାଇଁ ଆମ ଜାତୀୟ ପତାକା ବା ତ୍ରିରଙ୍ଗାର ଅମୃତ ତତ୍ତ୍ୱ।

ସମ୍ବନ୍ଧିତ ଖବର