ଜାନକୀବଲ୍ଲଭ ପଟ୍ଟନାୟକ ଏକାଧାରରେ ଜଣେ ପ୍ରତିଷ୍ଠିତ ରାଜନୀତିଜ୍ଞ, ଯଶସ୍ବୀ ସାମ୍ବାଦିକ, ସାହିତ୍ୟିକ, ବାଗ୍ମୀ ଓ ସ˚ସ୍କୃତ ବିଦ୍ବାନ ଥିଲେ। ନିଜର ଅଧ୍ୟବସାୟ ବଳରେ ସେ ତିନି ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ସହ କେନ୍ଦ୍ର ମନ୍ତ୍ରୀ ଓ ଆସାମ ରାଜ୍ୟପାଳ ହୋଇପାରିଥିଲେ। ୧୯୨୭ ମସିହା ଜାନୁଆରି ୩ ତାରିଖରେ ଖୋର୍ଦ୍ଧା ଜିଲ୍ଲାର ରାମେଶ୍ବରରେ ତାଙ୍କର ଜନ୍ମ। ସେ ଜଣେ ମେଧାବୀ ଛାତ୍ର ଥିଲେ। ଖୋର୍ଦ୍ଧାରୁ ମାଟ୍ରିକ୍ ଶିକ୍ଷା ସାରି ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକ ଡିଗ୍ରି ଓ ପରେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ‘ପ୍ରଜାତନ୍ତ୍ର ପ୍ରଚାର ସମିତି’ରେ ସେ ସାମ୍ବାଦିକତା ବୃତ୍ତି ଆରମ୍ଭ କରିଥିଲେ। ମାତ୍ର ୨୫ ବର୍ଷ ବୟସରେ ସେ ‘ଇଷ୍ଟର୍ଣ୍ଣ ଟାଇମ୍ସ’ ଓ ‘ପ୍ରଜାତନ୍ତ୍ର’ ଖବରକାଗଜର ସମ୍ପାଦକ ହୋଇଥିଲେ। କ୍ରମେ ନିଜ ଅଧ୍ୟବସାୟ ବଳରେ ବହୁବିଧ ପ୍ରତିଭାର ଅଧିକାରୀ ହୋଇ ସେ ଓଡ଼ିଶାର ରାଜନୈତିକ ଜୀବନ ସଙ୍ଗେ ସଙ୍ଗେ ସାମାଜିକ-ସାଂସ୍କୃତିକ ଜୀବନକୁ ମଧ୍ୟ ବହୁଳ ଭାବରେ ପ୍ରଭାବିତ କରିଥିଲେ।
ରାଜନୀତି ପ୍ରତି ଆକର୍ଷଣ ବଢ଼ିବା ପରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ୧୯୭୧ ମସିହାରେ ଲୋକସଭାକୁ ନିର୍ବାଚିତ ହୋଇ ସେ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରିମଣ୍ଡଳରେ ୧୯୭୩ରୁ ୧୯୭୫ ଯାଏ ପ୍ରତିରକ୍ଷା ଉପମନ୍ତ୍ରୀ ହୋଇଥିଲେ ଏବଂ ୧୯୭୭ ଯାଏ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ୧୯୮୦ରେ ସେ କେନ୍ଦ୍ର ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳର କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ। ସେହି ବର୍ଷ ସେ ଓଡ଼ିଶାକୁ ଫେରି ମୁଖ୍ୟମନ୍ତ୍ରୀ ହୋଇଥିଲେ। ଜାନକୀବଲ୍ଲଭ ୧୯୮୦ରୁ ୧୯୯୦ ଦୁଇ ପାଳି ଏବଂ ୧୯୯୫ରୁ ୧୯୯୯ ଯାଏ ସେ ତୃତୀୟ ପାଳି ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ। ସେ ୨୦୦୯ରୁ ୨୦୧୪ ଯାଏ ଆସାମର ରାଜ୍ୟପାଳ ହୋଇଥିଲେ। ‘ସିନ୍ଧୁ ଉପତ୍ୟକା’, ‘ମାଲୁଣୀର ଫୁଲ ଓ ଅନ୍ୟାନ୍ୟ ଗଳ୍ପ’, ‘ଗୌତମ ବୁଦ୍ଧ’, ‘ସ୍ବପ୍ନ ଓ ସ˚କଳ୍ପ’ ପ୍ରମୁଖ ତାଙ୍କ ସାରସ୍ବତ ପ୍ରତିଭାର ପରିଚାୟକ। ୧୯୬୭ରେ ତାଙ୍କ ସଂପାଦନାରେ ମାସିକ ପତ୍ରିକା ‘ପୌରୁଷ’ର ପ୍ରକାଶନ ଆରମ୍ଭ ହୋଇଥିଲା। ସେ ମହାକାବ୍ୟ ‘ରାମାୟଣ’ ଓ ‘ମହାଭାରତ’ର ପୁନର୍ଲିଖନ ସହିତ ସଂସ୍କୃତ ‘ଶ୍ରୀମଦ୍ଭାଗବତ’ର ସଂପୂର୍ଣ୍ଣ ଗଦ୍ୟାନୁବାଦ କରିଥିଲେ। ଭର୍ତ୍ତୃହରିଙ୍କ ‘ନୀତି ଶତକ’, ‘ଶୃଙ୍ଗାର ଶତକ’ ଓ ‘ବୈରାଗ୍ୟ ଶତକ’ ସ˚ସ୍କୃତ ଗ୍ରନ୍ଥର ଅନୁବାଦ କରିଥିଲେ। ଭର୍ତ୍ତୃହରିଙ୍କ ‘ବୈରାଗ୍ୟ ଶତକ’ର ଅନୁବାଦ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ବଙ୍କିମ ଉପନ୍ୟାସମାଳାର ଅନୁବାଦ ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା। ୨୦୧୫ ଏପ୍ରିଲ ଆଜି ତାରିଖରେ ଏହି ଯୋଗଜନ୍ମା ଜନନାୟକଙ୍କ ତିରୋଧାନ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/janaki-ballabh-patnaik.jpg)