ଭାରତର ଚତୁର୍ଥ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ୧୮୯୬ ଫେବ୍ରୁଆରି ୨୯ରେ ଗୁଜରାଟର ଭଦେଲିରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଗାନ୍ଧୀବାଦୀ ସ୍ବାଧୀନତା ସଂଗ୍ରାମୀ ଓ ଉତ୍କୃଷ୍ଟ ରାଜନେତା ଭାବେ ଚିରସ୍ମରଣୀୟ। ବମ୍ବେ (ଆଜିର ମୁମ୍ବାଇ)ର ଵିଲସନ୍ କଲେଜରୁ ସ୍ନାତକ ଶିକ୍ଷା ସାରି ସେ ବମ୍ବେ ପ୍ରୋଭିନ୍ସିଆଲ୍ ସିଭିଲ୍ ସର୍ଭିସ୍ରେ ଯୋଗ ଦେଇ ଉପଜିଲ୍ଲାପାଳ ଭାବେ ଅନେକ ବର୍ଷ କାର୍ଯ୍ୟ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ଆଇନ ଅମାନ୍ୟ ଆନ୍ଦୋଳନ ଆହ୍ବାନରେ ସେ ସରକାରୀ ଚାକିରିରୁ ଇସ୍ତଫା ଦେଇଥିଲେ। ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇ ପ୍ରଥମେ ଗୁଜରାଟ ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ହୋଇଥିଲେ। ଦକ୍ଷ ନେତୃତ୍ବ ଜରିଆରେ ସେ ଶୀଘ୍ର ନିଜକୁ ଜଣେ ରାଜନେତା ଭାବେ ପ୍ରତିଷ୍ଠିତ କରିପାରିଥିଲେ। ସତ୍ୟାଗ୍ରହ ଓ ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେବା କାରଣରୁ ତାଙ୍କୁ ଅନେକ ଥର କାରାବରଣ କରିବାକୁ ପଡ଼ିଥିଲା। ମୋରାରଜୀ ଦେଶାଇ ସ୍ବାଧୀନତା ପୂର୍ବରୁ ତତ୍କାଳୀନ ବମ୍ବେ ରାଜ୍ୟର ଗୃହମନ୍ତ୍ରୀ ଏବଂ ୧୯୫୨ରେ ବମ୍ବେର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଥିଲେ।
ସେ ଦ୍ବିତୀୟ ଲୋକସଭାରୁ ଆରମ୍ଭ କରି ଷଷ୍ଠ ଲୋକସଭା ଯାଏଁ ଲଗାତାର ପାଞ୍ଚ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହା ଭିତରେ ସେ କେନ୍ଦ୍ର ମନ୍ତ୍ରୀ, ଉପପ୍ରଧାନମନ୍ତ୍ରୀ ଓ ୧୯୭୭ରୁ ୧୯୭୯ ଯାଏ ଦେଶର ପ୍ରଧାନମନ୍ତ୍ରୀ ପଦ ମଣ୍ଡନ କରିଥିଲେ। ସେ ଦେଶର ପ୍ରଧାନମନ୍ତ୍ରୀ ହେବାରେ ପ୍ରଥମ ଅଣକଂଗ୍ରେସ ନେତା। ଭାରତର ପ୍ରଧାନମନ୍ତ୍ରୀ ଭାବେ ସେ ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହ ସମ୍ପର୍କରେ ଉନ୍ନତି ଆଣିବା ଲାଗି ଆତ୍ମବିଶ୍ବାସର ପରିବେଶ ସୃଷ୍ଟି ପାଇଁ ଉଦ୍ୟମ ଚଳାଇଥିଲେ। ନିଜର ଦୀର୍ଘ ରାଜନୈତିକ ଜୀବନରେ ସେ ଜାତୀୟ ସ୍ବାର୍ଥକୁ ପାଥେୟ କରି ସମସ୍ତ ନିଷ୍ପତ୍ତି ନେଉଥିଲେ। ସେ ସ୍ବଦେଶୀ ସାମଗ୍ରୀ ଓ ରାଷ୍ଟ୍ରବାଦୀ ଶିକ୍ଷାର ଦୃଢ଼ ସମର୍ଥକ ଥିଲେ। ସେ ଏକମାତ୍ର ଭାରତୀୟ ଯିଏ ଉଭୟ ଭାରତ ଓ ପାକିସ୍ତାନର ସର୍ବୋଚ୍ଚ ନାଗରିକ ସମ୍ମାନ- ‘ଭାରତରତ୍ନ’ ଓ ନିଶାନ-ଏ-ପାକିସ୍ତାନ’ ପାଇଥିଲେ। ୧୯୯୫ ଏପ୍ରିଲ୍ ଆଜି ଦିନରେ ୯୯ ବର୍ଷ ବୟସରେ ମୋରାରଜୀ ଦେଶାଇଙ୍କ ତିରୋଧାନ ଘଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/564s65fh4fsfhsfhfh.jpg)