ସ୍ବାଧୀନ ଭାରତକୁ ଏକ ଆଧୁନିକ ରାଷ୍ଟ୍ର ଭାବେ ପ୍ରତିଷ୍ଠିତ କରିବାରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଅବଦାନ ଅବସ୍ମରଣୀୟ। ସେହିପରି ଲେଖକ, ଐତିହାସିକ ଓ ବକ୍ତା ଭାବେ ତାଙ୍କ ପ୍ରସିଦ୍ଧି ଅନନ୍ୟ। ସେ ୧୮୮୯ ମସିହା ନଭେମ୍ବର ୧୪ରେ ଆହ୍ଲାବାଦ (ଆଜିର ପ୍ରୟାଗରାଜ)ର ଏକ କାଶ୍ମୀରୀ ପଣ୍ଡିତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ପନ୍ଦର ବର୍ଷ ବୟସରେ ଇଂଲଣ୍ଡ୍ ଚାଲିଯାଇଥିଲେ ଏବଂ ସେଠାରୁ ବାରିଷ୍ଟର୍ ହୋଇ ଫେରିଥିଲେ। ସେ ମହାତ୍ମା ଗାନ୍ଧୀଙ୍କ ଦ୍ବାରା ଗଭୀର ଭାବେ ଅନୁପ୍ରାଣିତ ହୋଇଥିଲେ। ୧୯୧୯ରେ ସେ ଜାତୀୟ କଂଗ୍ରେସରେ ଯୋଗ ଦେଲେ। ୧୯୨୯ରେ ପ୍ରଥମ ଥର ସେ ଜାତୀୟ କଂଗ୍ରେସର ସଭାପତି ନିର୍ବାଚିତ ହୋଇଥିଲେ। ସ୍ବାଧୀନତା ଆନ୍ଦୋଳନରେ ସକ୍ରିୟତା ପାଇଁ ନେହରୁ ଅନେକ ଥର କାରାବରଣ କରିଥିଲେ। ବନ୍ଦୀ ସମୟରେ ସେ ‘ଦ ଡିସ୍କଭରି ଅଫ୍ ଇଣ୍ଡିଆ’, ‘ଗ୍ଲିମ୍ପ୍ସେସ୍ ଅଫ ଵାର୍ଲଡ୍ ହିଷ୍ଟ୍ରି’, ‘ଆନ୍ ଅଟୋବାୟୋଗ୍ରାଫି’, ‘ଲେଟର୍ସ ଫ୍ରମ୍ ଏ ଫାଦର୍ ଟୁ ହିଜ୍ ଡଟର୍’ ଆଦି ପୁସ୍ତକ ରଚନା କରିଥିଲେ। ୧୯୪୭ ଅଗଷ୍ଟ ୧୫ରେ ସେ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଗଣତନ୍ତ୍ର, ସମାଜବାଦ, ଏକତା ଓ ଧର୍ମନିରପେକ୍ଷତା ତାଙ୍କ ରାଜନୀତିର ଚାରିଟି ମୁଖ୍ୟ ସ୍ତମ୍ଭ ଥିଲା। ଭାରତରେ ମୁକ୍ତ, ଗାଣତାନ୍ତ୍ରିକ ଓ ବିବିଧତାପୂର୍ଣ୍ଣ ରାଜନୀତି ବ୍ୟବସ୍ଥାର ପ୍ରତିଷ୍ଠା କରି ପ୍ରତ୍ୟେକଙ୍କ ଜୀବନରେ ଉନ୍ନତି ଆଣିବା ଉପରେ ସେ ସର୍ବାଧିକ ଗୁରୁତ୍ବ ଦେଉଥିଲେ। ସେ ଦେଶରେ ବିଶାଳ ସରକାରୀ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରଥମେ ଅଣ୍ଟା ଭିଡ଼ିଥିଲେ। ବୈଜ୍ଞାନିକ ଭାବନାର ପ୍ରସାର ଦିଗରେ ସେ କ୍ରିୟାଶୀଳ ଥିଲେ। ତାଙ୍କ ଦ୍ବାରା ସ୍ଥାପିତ ଅନୁଷ୍ଠାନଗୁଡ଼ିକ ଦେଶରେ ଶକ୍ତିଶାଳୀ ତଥା ସକ୍ରିୟ ଗଣତନ୍ତ୍ରର ମୂଳଦୁଆ ପକାଇଥିଲା। ୧୯୫୫ରେ ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତରତ୍ନ’ ପ୍ରଦାନ କରାଯାଇଥିଲା। ନେହରୁ ଶିଶୁଙ୍କ ପ୍ରତି ଖୁବ୍ ସ୍ନେହୀ ଥିଲେ। ସେଥିପାଇଁ ତାଙ୍କର ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଏ। ନେହରୁ ପ୍ରଧାନମନ୍ତ୍ରୀ ପଦରେ ଥିବା ବେଳେ ହିଁ ୧୯୬୪ ମେ ଆଜିର ଦିନରେ ତାଙ୍କର ତିରୋଧାନ ହୋଇଥିଲା।