ମୁମ୍ବାଇ: ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ୧୨ଜୁଲାଇରେ ଅର୍ଥାତ୍ ଆସନ୍ତାକାଲି ବିବାହ ହେବାକୁ ଯାଉଛି। ବିବାହ ପୂର୍ବରୁ ଅମ୍ବାନୀ ପରିବାର ଶିବ- ଶକ୍ତିର ପୂଜା ରଖିଥିଲେ। ଯେଉଁଥିରେ ବଲିଉଡର ଅନେକ କଳାକାର ଯୋଗ ଦେଇଥିଲେ।
ଏହି ପୂଜା ସମୟରେ ଆଣ୍ଟିଲିୟା ଗେଟ ସାମ୍ନାରେ ଭଗବାନ ତିରୁପତି ବାଲାଜୀଙ୍କ ତିଲକ ଆକୃତିକୁ ଗୋଲାପୀ ଓ ବାଇଗଣୀ ରଙ୍ଗର ଫୁଲରେ ସଜା ଯାଇଥିଲା।
ରାଧିକା ମର୍ଚ୍ଚାଣ୍ଟ ଏବଂ ଅନନ୍ତଙ୍କ ବିବାହକୁ ସ୍ମରଣୀୟ କରିବା ପାଇଁ ଅମ୍ବାନୀ ପରିବାର ଜୋରସୋରରେ ଲାଗି ପଡ଼ିଛନ୍ତି। ଗତବର୍ଷ ଅନନ୍ତ ଓ ରାଧିକାଙ୍କ ନିର୍ବନ୍ଧ ପରେ ଦୁହେଁ ତିରୁପତି ବାଲାଜୀଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ତେଣୁ ଏହି ତିଲକ ଦେଖି ଲାଗୁଛି ଅନନ୍ତ ଓ ରାଧିକା ଭଗବାନ ତିରୁପତିଙ୍କ ପ୍ରତି ଗଭୀର ଭାବେ ଆସ୍ଥା ରଖନ୍ତି ।
ଭଗବାନ ତିରୁପତିଙ୍କ ତିଲକକୁ ନେଇ ୯୦ଦଶକରୁ ବିବାଦ ଲାଗି ରହିଥିଲା। ଯାହାକି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା। ଏହାପରେ ସୁପ୍ରିମକୋର୍ଟ ଏହା ଉପରେ ନିଷ୍ପତ୍ତି ଶୁଣାଇ କହିଥିଲେ, ‘ଭଗବାନ ତିରୁପତିଙ୍କୁ ମାସକୁ ୧୫ଦିନ ୟୁ ଓ ଆଗାମୀ ୧୫ଦିନ ୱାଇ ଆକୃତିର ତିଲକ ଲଗାଯିବ।
ଜୁଲାଇ ୧୨ରୁ ଜୁଲାଇ ୧୪ପର୍ଯ୍ୟନ୍ତ ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ଅନନ୍ତଙ୍କ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ। ବିଦେଶରୁ ଅନେକ ଲୋକ ମଧ୍ୟ ଏହି ବିବାହ ଉତ୍ସବରେ ଯୋଗଦେବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅନନ୍ତ ଏବଂ ରାଧିକାଙ୍କୁ ଆଶୀର୍ବାଦ ଦେବାକୁ ପହଞ୍ଚିବେ ବୋଲି କୁହାଯାଉଛି।