‘ଟାଇଟାନିକ୍’ ଜାହାଜର ନାଁ ଊଣାଅଧିକେ ସମସ୍ତେ ଜାଣନ୍ତି। ଇଂଲଣ୍ଡର ସାଉଦାମ୍ପଟନ୍ରୁ ଆମେରିକାର ନିଉୟର୍କ ଯାଉଥିବା ଏହି ଜାହାଜଟି ୧୯୧୨ ମସିହା ଏପ୍ରିଲ୍ ମାସରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଥିବା ୧୫୦୦ରୁ ଅଧିକ ଯାତ୍ରୀ ପ୍ରାଣ ହରାଇଥିବା ଖବରଟି ସାରା ବିଶ୍ବରେ ଚର୍ଚ୍ଚିତ। ମାତ୍ର ଅନେକେ ଜାଣନ୍ତି ନାହିଁ ଯେ ଏହି ଦୁର୍ଘଟଣାର ୨୫ ବର୍ଷ ପୂର୍ବରୁ ଓଡ଼ିଶାର ବାଲେଶ୍ବର ଉପକୂଳର ଅନତିଦୂରରେ ବଙ୍ଗୋପସାଗରରେ ଘଟିଥିଲା ଆମ ଇତିହାସର ସବୁଠାରୁ ବଡ଼ ଓ ସବୁଠାରୁ ମର୍ମନ୍ତୁଦ ଜାହାଜ ଦୁର୍ଘଟଣା, ଯାହାର ଛାତିଥରା କାହାଣୀ ଶୁଣିଲେ ଏବେ ବି ଆଖିରେ ଲୁହ ଭରିଯାଏ।
୧୮୮୭ ମସିହାର କଥା। ସେତେବେଳେ କଲିକତାରୁ ପୁରୀ ଆସିବାକୁ ରେଳଲାଇନ୍ ନଥିଲା। ଲୋକେ ଜଗନ୍ନାଥ ଦର୍ଶନ ଲାଗି ନଈନାଳ ପାର ହୋଇ ଜଙ୍ଗଲ ପାହାଡ଼ ଘେରା ବିପଦସଙ୍କୁଳ ପଥରେ ପୁରୀ ଆସୁଥିଲେ। ଏଣୁ ଷ୍ଟିମର୍ ସେବା ଆରମ୍ଭ ହେବା ପରେ ଲୋକେ ଜଳପଥରେ ଆସିବାକୁ ଅଧିକ ପସନ୍ଦ କଲେ। ସେତେବେଳେ କଲିକତାର ହୁଗୁଳି ନଦୀଘାଟରୁ ଷ୍ଟିମର୍ ଧରି ଲୋକେ ଆସୁଥିଲେ ଚାନ୍ଦବାଲି। ସେଠାରୁ ନଦୀ ଓ କେନାଲ ପଥରେ କଟକ ଏବଂ ଆଗକୁ ବଳଦଗାଡ଼ି ବା ପାଲିଙ୍କି କରି ପହଞ୍ଚୁଥିଲେ ପୁରୀରେ।
ସେ ବର୍ଷ ରଥଯାତ୍ରା ପଡୁଥାଏ ଜୁନ୍ ୨୩ ତାରିଖରେ। ତାହାର ପ୍ରାୟ ମାସେ ଆଗରୁ ମେ ମାସ ୨୫ ତାରିଖରେ କଲିକତାର ହୁଗୁଳି ନଦୀ କୂଳରେ ଥିବା ଛୋଟୁଲାଲ୍ ଘାଟରୁ ୭୫୦ ଯାତ୍ରୀଙ୍କୁ ଧରି ବାହାରିଥିଲା ମାକ୍ନିଲ୍ ଏଣ୍ଡ୍ କମ୍ପାନିର ଏକ ବିଶାଳ ଷ୍ଟିମର୍। ନାଁ ଥିଲା ‘ସାର୍ ଜନ୍ ଲରେନ୍ସ’। ହୁଗୁଳି ମୁହାଣ ଓ ସାଗର ଦ୍ବୀପ ପାର ହୋଇ ଗଭୀର ସମୁଦ୍ରରେ ପ୍ରବେଶ କରିବାର କେଇ ଘଣ୍ଟା ପରେ ସେଦିନ ଏକ ଭୟଙ୍କର ଝଡ଼ ଉଠିଥିଲା। ସେଇ ଝଡ଼ରେ ଜାହାଜଟି ଦୁର୍ଘଟଣାଗ୍ରସ୍ତ ହେଲା। ଏଥିରେ ଜାହାଜର ସମସ୍ତ ଯାତ୍ରୀ ଓ କର୍ମଚାରୀ ପ୍ରାଣ ହରାଇଥିଲେ। କେହି ଜଣେ ବି ବଞ୍ଚି ନଥିଲେ। ଏହା ଥିଲା ବଙ୍ଗୋପସାଗରର ସବୁଠାରୁ ବଡ଼ ଜାହାଜ ଦୁର୍ଘଟଣା, ଯାହା କି ବ୍ରିଟିସ୍ ସରକାରକୁ ଦୋହଲାଇ ଦେଇଥିଲା ଏବଂ ଏହାପରେ ସେମାନେ କଲିକତାରୁ ପୁରୀ ରେଳଲାଇନ୍ ଖୋଲିବା ପାଇଁ ଏକପ୍ରକାର ବାଧ୍ୟ ହୋଇଥିଲେ। ପ୍ରତିବର୍ଷ କଲିକତାରୁ ପୁରୀ ଆସୁଥିବା ପ୍ରାୟ ୬ ଲକ୍ଷ ଯାତ୍ରୀଙ୍କ ଆବଶ୍ୟକତାକୁ ଲକ୍ଷ୍ୟରେ ରଖି କଲିକତା ଓ ଚାନ୍ଦବାଲି ଭିତରେ ଷ୍ଟିମର୍ ଚଳାଇବାରେ ମୁଖ୍ୟ ଭୂମିକା ନେଇଥିଲା ବ୍ରିଟିସ୍ ସାହେବ କ୍ୟାପଟେନ୍ ମାକ୍ନିଲ୍ଙ୍କ ପରିଚାଳିତ ‘ମାକ୍ନିଲ୍ ଏଣ୍ଡ୍ କମ୍ପାନି’। ହୁଗୁଳି ଘାଟରୁ ଚାନ୍ଦବାଲି ପର୍ଯ୍ୟନ୍ତ ନିୟମିତ ଷ୍ଟିମର୍ ସେବା ଆରମ୍ଭ କରିଥିଲା କମ୍ପାନି। ଏଥିରେ ଟିକେଟ ପାଇବା ପାଇଁ ଲୋକେ ଲମ୍ବା ଲାଇନ୍ ଲଗାଉଥିଲେ। ବିଶେଷକରି ସ୍ବଚ୍ଛଳବର୍ଗର ଲୋକେ ଏବଂ ବ୍ରିଟିସ୍ ସରକାରଙ୍କ ଉଚ୍ଚପଦସ୍ଥ କର୍ମଚାରୀମାନେ ପରିବାର ସହ ଷ୍ଟିମର୍ରେ ଯିବାଆସିବା କରିବାକୁ ଅଧିକ ପସନ୍ଦ କରୁଥିଲେ।
ସାର୍ ଜନ୍ ଲରେନ୍ସ ଷ୍ଟିମର୍ଟି ଥିଲା ବେଶ୍ ବଡ଼। ଏହାକୁ ଭାରତର ପୂର୍ବତନ ଭାଇସ୍ରାୟ ସାର୍ ଜନ୍ ଲରେନ୍ସଙ୍କ ନାମରେ ନାମିତ କରାଯାଇଥିଲା ଏବଂ ଏଥିରେ ସର୍ବାଧିକ ୭୫୦ ଯାତ୍ରୀ ପରିବହନ ପାଇଁ ଅନୁମତି ଥିଲା। କିନ୍ତୁ ସେବର୍ଷ ରଥଯାତ୍ରା ପାଇଁ ପୁରୀ ଯିବାକୁ ଯାତ୍ରୀମାନଙ୍କ ମଧ୍ୟରେ ଥିଲା ପ୍ରବଳ ଉତ୍ସାହ। ଯାହା ଜଣାଯାଏ, ୨୫ ମେ’ରେ ଏଥିରେ ଧାର୍ଯ୍ୟ ସଂଖ୍ୟାଠାରୁ ବେଶ୍ ଅଧିକ ଯାତ୍ରୀ ଚଢ଼ିଥିଲେ। କିନ୍ତୁ କିଏ ଜାଣିଥିଲା, ଆଗକୁ ସେମାନଙ୍କ ପାଇଁ ଦୁର୍ଭାଗ୍ୟ ଅପେକ୍ଷା କରି ରହିଛି। ସେଦିନ ହୁଗୁଳି ମୁହାଣ ଦେଇ ସାଗର ଦ୍ବୀପ ଅତିକ୍ରମ କଲାବେଳକୁ ପାଗ ଖରାପ ହେବାର ସୂଚନା ମିଳିସାରିଥିଲା। ଅନ୍ୟ କେତୋଟି ଜାହାଜ ଆଗକୁ ନବଢ଼ି ଅଟକି ଯାଇଥିଲେ ମଧ୍ୟ ସାର୍ ଜନ୍ ଲରେନ୍ସ ମାଡ଼ି ଚାଲିଥିଲା ଆଗକୁ। ଏଇ ବିଶାଳକାୟ ଷ୍ଟିମର୍ଗୁଡ଼ିକୁ ଲୋକେ ସେତେବେଳେ ଧୂଆଁକଳ ଜାହାଜ ବୋଲି କହୁଥିଲେ। କାରଣ ଏହାର ଚିମନିରୁ ଭସ୍ଭସ୍ ଧୂଆଁ ବାହାରୁଥିଲା। ଲୋକେ ଏଭଳି ଜାହାଜକୁ ବେଶ୍ ସୁରକ୍ଷିତ ମଣୁଥିଲେ। ମାତ୍ର ମେ ୨୫ ତାରିଖର ଦୁର୍ଘଟଣା ଲୋକଙ୍କ ବିଶ୍ୱାସକୁ ଦୋହଲାଇ ଦେଇଥିଲା।
୧୮୮୭ ଜୁନ୍ ୧୧ ସଂଖ୍ୟାରେ ଉତ୍କଳ ଦୀପିକା ଲେଖିଥିଲା-‘‘ଧୂଆଁକଳ ଜାହାଜରେ ମରିବାର ଭୟ ନାହିଁ ବୋଲି ଯାହା ଗୋଟିଏ ବିଶ୍ବାସ ଥିଲା, ତାହା ଏକାବେଳେକେ ଉଠିଗଲା। ଚାନ୍ଦବାଲି ବନ୍ଦର ଫିଟିବା ଦିନରୁ ଏପରି ଦୁର୍ଘଟନା କେବେ ଘଟି ନଥିଲା।” ଉତ୍କଳ ଦୀପିକା ଆହୁରି ଲେଖିଥିଲା ଯେ, ତିନିଖଣ୍ଡ ଧୂଆଁକଳ ଜାହାଜ ଏ ତୋଫାନରେ ପଡ଼ିଥିଲା। ସାଗର ଦ୍ବୀପରେ ସ୍ଥାପିତ ଏକ ସରକାରୀ ଜାହାଜ ସ୍ଥାନଭ୍ରଷ୍ଟ ହୋଇ ପିପିଲି ବନ୍ଦର ସରିକି ଭାସି ଯାଇଥିଲା। କିନ୍ତୁ ସେଥିରେ ସମସ୍ତେ ନିରାପଦ ଥିଲେ। ‘ରିଟ୍ରିଭର୍’ ନାମକ ଅନ୍ୟ ଏକ ଜାହାଜ ସମ୍ପୂର୍ଣ୍ଣ ରୂପେ ଧ୍ବଂସ ହୋଇଥିଲେ ମଧ୍ୟ ତହିଁରୁ ଜଣେ ଖଲାସି ଖଣ୍ଡେ ପଟା ଧରି ୧୭ ଘଣ୍ଟାକାଳ ସମୁଦ୍ରରେ ଭାସି ବଞ୍ଚି ଯାଇଥିଲେ। କିନ୍ତୁ ତୃତୀୟ ଜାହାଜ ସାର୍ ଜନ୍ ଲରେନ୍ସର ୭୫୦ ଯାତ୍ରୀ ଓ ୫୦ ଜଣ କର୍ମଚାରୀଙ୍କ ମଧ୍ୟରୁ କେହି ଜଣେ ବି ବଞ୍ଚିନଥିଲେ। ଅନୁସନ୍ଧାନ ପାଇଁ ପଠାଯାଇଥିବା ‘ରିଜୋଲ୍ୟୁଟ୍’ ନାମକ ଜାହାଜର କପ୍ତାନ ତିନିଦିନ ପରେ ଫେରି ସମୁଦ୍ରରେ ଅନେକ ସ୍ତ୍ରୀ ଲୋକଙ୍କ ଶବ ଭାସୁଥିବା ଦେଖିଥିବାର କହିଲେ। କେଉଁଠି ଗୋଟା ଗୋଟା ହୋଇ ଶବ ଭାସୁଥିଲା ତ, ଆଉ କେଉଁଠି ଧରାଧରି ହୋଇ।
ଏପରିକି ଜଣେ ମହିଳା ଆପଣା ପିଲାକୁ ଛାତିରେ ଜାକି ଧରିଥିବା ଅବସ୍ଥାରେ ଭାସୁଥିବାର ସେ ଦେଖିଛନ୍ତି ବୋଲି କହିଥିଲେ। ଧାର୍ଯ୍ୟ ସଂଖ୍ୟାଠାରୁ ବହୁ ଅଧିକ ଯାତ୍ରୀ ଚଢ଼ାଇବା ଏବଂ କର୍ମଚାରୀଙ୍କ ଦାୟିତ୍ବହୀନତାକୁ ରିପୋର୍ଟରେ ଦୁର୍ଘଟଣା ପାଇଁ ଦାୟୀ କରାଯାଇଥିଲା। ଏହି ଦୁର୍ଘଟଣାରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା। ଦୁର୍ଘଟଣାର ଭୟାବହତାରେ ମର୍ମାହତ ହୋଇ କବିଗୁରୁ ରବୀନ୍ଦ୍ରନାଥ ‘ସିନ୍ଧୁ ତରଙ୍ଗ’ ନାମରେ ଏକ ମର୍ମସ୍ପର୍ଶୀ କବିତା ରଚନା କରିଥିଲେ, ଯାହା ପ୍ରକାଶିତ ହେବାପରେ ଜନମାନସରେ ଖୁବ୍ ପ୍ରଭାବ ପକାଇଥିଲା। ମୃତକଙ୍କ ମଧ୍ୟରେ ବେଶ୍ କେତେଜଣ ଇଂରେଜ ଓ ଉଚ୍ଚପଦସ୍ଥ ଅଫିସରଙ୍କ ସମ୍ପର୍କୀୟମାନେ ଥିବାରୁ ପ୍ରାଶାସନିକ ସ୍ତରରେ ବିଶେଷ ଆଲୋଡ଼ନ ସୃଷ୍ଟି ହୋଇଥିଲା। କେତେଜଣ ଇଂରେଜ ମହିଳା ମିଶି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ସ୍ମୃତିରେ ବଙ୍ଗଳା ଓ ଇଂରାଜୀରେ ଲେଖା ଦ୍ବିଭାଷୀ ସ୍ମୃତିଫଳକଟିଏ ଛୋଟୁଲାଲ୍ ଘାଟରେ ଲଗାଇଥିଲେ ଯାହା ଆଜି ମଧ୍ୟ ଦେଖିବାକୁ ମିଳେ। ତେବେ ପରୋକ୍ଷରେ ଏଇ ଦୁର୍ଘଟଣାର ଏକ ବହୁତ ବଡ଼ ସୁଫଳ ମିଳିଥିଲା। ଅଧିକସଂଖ୍ୟକ ନଈନାଳ ଉପରେ ପୋଲ ନିର୍ମାଣ କରିବା ବ୍ୟୟବହୁଳ ହେବ ଦର୍ଶାଇ କଲିକତା-ପୁରୀ ରେଳପଥ ନିର୍ମାଣରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ବ୍ରିଟିସ୍ ସରକାର ଏହି ଦୁର୍ଘଟଣା ପରେ ରେଳପଥ ନିର୍ମାଣକୁ ଅଗ୍ରାଧିକାର ଦେଲେ। ୧୯୦୧ରେ ମହାନଦୀ ପୋଲ ନିର୍ମାଣ ଶେଷହେବା ପରେ କଲିକତାରୁ ପୁରୀ ସିଧାସଳଖ ଟ୍ରେନ୍ ଚାଲିବା ଆରମ୍ଭ ହେଲା।