ନାରୀମାନଙ୍କ ସ୍ବପ୍ନ, ସୃଜନ ଓ ସଂଘର୍ଷ ଏକାପରି। ସଫଳ ହେବାପାଇଁ ‌େଲାଡ଼ା ଉଭୟ ସାଧନ ଓ ସାଧନା। ତେବେ ଏଥିପାଇଁ ଘରେ ହେଉ ବା ବାହାରେ ନାରୀର ସୁରକ୍ଷା ଓ ସ୍ବାଧୀନତାକୁ ବାଧା ଦେଇଥାଏ ଅନେକ ପ୍ରତିବନ୍ଧକ ଓ ପ୍ରଶ୍ନ। ଶିରୋନାମ: ଝିଅ। ଏହି କ୍ରମରେ ଆଜିର ଅତିଥି ସଂଘମିତ୍ରା ଜେନା। ଛାତ୍ରୀ ଥିଲାବେଳେ ରାଜନୀତି ଓ ନେତୃତ୍ବ ନେବାର ଆଗ୍ରହ ତାଙ୍କୁ ଆଜି ଓଡ଼ିଶାର ଜଣେ ଆଗଧାଡ଼ିର ଯୁବନେତ୍ରୀର ପରିଚୟ ଦେଇଛି। ଆଇନ୍‌ ତଥା ସାମ୍ବାଦିକତା ତଥା ଗଣଯୋଗାଯୋଗର ଛାତ୍ରୀ ଥିବାରୁ ବିଭିନ୍ନ ସମସ୍ୟାକୁ ନେଇ ତାଙ୍କର ସ୍ବର ବେଶ୍‌ ସ୍ପଷ୍ଟ ଓ ଶାଣିତ।

Advertisment

 କ୍ୟାମ୍ପସ୍‌ ରାଜନୀତିରୁ ମୁଖ୍ୟଧାରାକୁ ଛାତ୍ରଛାତ୍ରୀମାନେ ଆଗରୁ ଆସୁଥିଲେ। ଗତ କିଛିବର୍ଷ ହେଲା କଲେଜ ନିର୍ବାଚନ ବନ୍ଦ ଅଛି, ଜଣେ ଛାତ୍ରନେତ୍ରୀ ଭାବରେ ଆପଣ ଏହାକୁ କେମିତି ଦେଖନ୍ତି?
ଛାତ୍ର ସଂସଦ ନିର୍ବାଚନ ଗଣତନ୍ତ୍ରର ଅନ୍ତୁଡ଼ିଶାଳ। ନିର୍ବାଚନ ବନ୍ଦ ଅର୍ଥ ନେତୃତ୍ବର ଭ୍ରୂଣହତ୍ୟା, ଯଦ୍ଦ୍ବାରା ରାଜନୀତି କେବଳ କ୍ଷମତାଶାଳୀ, ଧନୀ ଓ ପରିବାରବାଦ ଦ୍ବାରା କବଳିତ ହେଉଛି। ଫଳତଃ କେବଳ ଓଡ଼ିଶା ନୁହେଁ, ସମଗ୍ର ଦେଶରେ ନେତୃତ୍ବର ସଂକଟ ସୃଷ୍ଟି ହୋଇଛି। ସଚେତନ ଓ ସଜାଗ ନାଗରିକ ତିଆରି ହେବାର ବାଟ ବନ୍ଦ ହେଉଛି। ଏହା ଗଣତନ୍ତ୍ର ପାଇଁ ବିପଦ।

 ଆଜିକାଲି କ୍ୟାମ୍ପସ୍‌ଗୁଡ଼ିକ ଅଶାନ୍ତ ହୋଇପଡ଼ିଛି, ଶୈକ୍ଷିକ ବାତାବରଣ ନଷ୍ଟ ହୋଇଛି। ଛାତ୍ରଛାତ୍ରୀ ଶିକ୍ଷକଙ୍କୁ ମାନୁନାହାନ୍ତି। ପୁଣି ଛାତ୍ରୀମାନଙ୍କ ପ୍ରତି ଯୌନ ନିର୍ଯାତନା ଖବର ପାଲଟୁଛି। ଏଣେ କଲେଜ ପରିସରରେ ଆତ୍ମଦାହ ପରି ଘଟଣା ଘଟୁଛି। ଜଣେ ସମ୍ବେଦନଶୀଳ ମହିଳା ବା ନେତ୍ରୀ ଭାବେ ଏସବୁର କାରଣ କ’ଣ ହୋଇପାରେ ବୋଲି ଭାବୁଛନ୍ତି?
ପ୍ରଥମତଃ, ଶିକ୍ଷାର ବ୍ୟବସାୟୀକରଣ ଦ୍ବାରା ଶିକ୍ଷା ପଣ୍ୟଦ୍ରବ୍ୟରେ ପରିଣତ ହେଉଛି। ଏହା ଶିକ୍ଷା, ଶିକ୍ଷକ, ଛାତ୍ର-ଶିକ୍ଷକ ସଂପର୍କ ଓ ଶିକ୍ଷାୟତନକୁ ଧ୍ବସ୍ତବିଧ୍ବସ୍ତ କରୁଛି। ଦ୍ବିତୀୟତଃ, ବୈଷମ୍ୟପୂର୍ଣ୍ଣ ସମାଜ ହେଉଛି ପୁରୁଷତନ୍ତ୍ରର ପ୍ରୟୋଗଶାଳା, ଯାହାର ପ୍ରତିଫଳନ କ୍ୟାମ୍ପସ୍‌ରେ ଛାତ୍ରୀ ଅସଦାଚରଣ ତ ଆଉ କେଉଁଠି ଯୌନ ନିର୍ଯାତନା। ଏଣୁ ‘ବେଟି ବଚାଓ’ ନୁହେଁ ‘ବେଟେକୋ ସମ୍‌ଝାଓ’ ସ୍ଲୋଗାନ୍‌ରୁ ଲିଙ୍ଗଗତ ସମାନତାର ଶିକ୍ଷା ଆରମ୍ଭ ହେବା ଆବଶ୍ୟକ। ପରିଶେଷରେ ଏକ ଗଣତାନ୍ତ୍ରିକ, ସମତାମୂଳକ ଓ ଲିଙ୍ଗଗତ ସମ୍ବେଦନପୂର୍ଣ୍ଣ ସମାଜ ନିର୍ମାଣ ପାଇଁ ସ୍ବାଧୀନ ଓ ସଂଗଠିତ ତଥା ନିରବଚ୍ଛିନ୍ନ ଆନ୍ଦୋଳନ ଅପରିହାର୍ଯ୍ୟ।

 ପରିସଂଖ୍ୟାନ ଦୃଷ୍ଟିରୁ ଆମ ଦେଶର ଲୋକସଭା ଓ ଆମ ରାଜ୍ୟର ବିଧାନସଭାରେ ମହିଳାମାନଙ୍କ ସଂଖ୍ୟା ନଗଣ୍ୟ। ସେଥିରେ ପୁଣି ଉତ୍ତରାଧିକାରର କଥା ରହିଛି। ଆପଣଙ୍କ ରାଜନୈତିକ ଆକଳନ ଏ କ୍ଷେତ୍ରରେ କ’ଣ କହେ? ସୁଯୋଗ ନାହିଁ ନା ସାମର୍ଥ୍ୟର ଅଭାବ?
ସାମର୍ଥ୍ୟର ନୁହେଁ, ସୁଯୋଗର ଅଭାବ ରହିଛି। ହଜାର ହଜାର ବର୍ଷ ଧରି କ୍ଷମତାର କେନ୍ଦ୍ରରୁ ଓ ନିଷ୍ପତ୍ତିଗ୍ରହଣର ଅଧିକାରରୁ ବଞ୍ଚିତ ସମୁଦାୟ ପାଇଁ ନେତୃତ୍ବ ନେବାର ସୁଯୋଗ ଅତି ନଗଣ୍ୟ। କିନ୍ତୁ, ପୁରୁଷତନ୍ତ୍ରରେ ଆକ୍ରାନ୍ତ ସମାଜ ନାରୀର ସାମର୍ଥ୍ୟ ଉପରେ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି କରିବାରେ ହେଳା କରେନାହିଁ। ସେଥିପାଇଁ ଶିକ୍ଷା ଓ ରୋଜଗାର ସୁନିଶ୍ଚିତ କରିବା ସହ ମହିଳାଙ୍କୁ ସଂଖ୍ୟାନୁପାତିକ ସଂରକ୍ଷଣ ଓ ସ୍ବାଧୀନଭାବେ କାର୍ଯ୍ୟ କରିବା ପାଇଁ ଯଥେଷ୍ଟ ସୁଯୋଗ ଦେବା ସମୟର ଆହ୍ବାନ।

 ଆଧୁନିକ ମହିଳାମାନେ ଉଚ୍ଚଶିକ୍ଷିତା, ସ୍ବାବଲମ୍ବୀ ଓ ଉପାର୍ଜନକ୍ଷମ। କିନ୍ତୁ ସେମାନଙ୍କ ସୁରକ୍ଷା ତଥା ସ୍ବାଧୀନତା ସବୁବେଳେ ପ୍ରଶ୍ନ ଘେରରେ କାହିଁକି?
ସାମାଜିକ ସଂରଚନା ଯେତେବେଳେ ଅସମାନତାପୂର୍ଣ୍ଣ ଓ ପୁରୁଷତାନ୍ତ୍ରିକ, ମହିଳାଙ୍କ ସୁରକ୍ଷା ଓ ସ୍ବାଧୀନତା ପ୍ରଶ୍ନ ଘେରରେ ରହିବାକୁ ବାଧ୍ୟ। ମହିଳା ଶିକ୍ଷିତ ଓ କାର୍ଯ୍ୟରତ ହେଲେ ସୁଦ୍ଧା ଆମ ବ୍ୟବସ୍ଥା ସେମାନଙ୍କ ଶରୀର, ଚୟନ, ଗତିବିଧି ଓ ମନୋଭାବକୁ ଋଢ଼ିବାଦୀ ପରମ୍ପରା, ସାମାଜିକ ସଂକୀର୍ଣ୍ଣତା ଓ ହିଂସା ମାଧ୍ୟମରେ ନିୟନ୍ତ୍ରଣ କରିଥାଏ। ସାମାଜିକ ବ୍ୟବସ୍ଥାର ଅଧୀନତା ଅସ୍ବୀକାର କଲେ ନିର୍ଯାତନା, ଶୋଷଣ, ହିଂସା ଓ ନୈତିକ ପଲିସିଂ ମାଧ୍ୟମରେ ବ୍ୟବସ୍ଥା ପ୍ରତିଶୋଧ ନିଏ। ନାରୀମୁକ୍ତି ଶ୍ରେଣୀ ଓ ଜାତି ସଂଘର୍ଷ ସହ ଅଖଣ୍ଡ ଭାବରେ ଜଡ଼ିତ। ତେଣୁ ସାମାଜିକ ବିପ୍ଳବ ଦ୍ବାରା ସମାଜତନ୍ତ୍ରର ପ୍ରତିଷ୍ଠା ହିଁ ନାରୀମାନଙ୍କ ପାଇଁ ଭୟମୁକ୍ତ ସମାଜ ଗଢ଼ିପାରିବ।

 କେବଳ କଠୋର ଆଇନ ପ୍ରଣୟନ ହେଲେ କ’ଣ ଝିଅ ବା ମହିଳାମାନଙ୍କ ସବୁ ସମସ୍ୟାର ସମାଧାନ ହୋଇପାରିବ? ଆପଣଙ୍କର ମତ କ’ଣ?
ଔଷଧ ନୁହେଁ ପ୍ରତିଷେଧକର ଆବଶ୍ୟକତା ରହିଛି। କେବଳ କଠୋର ଆଇନ ଔଷଧ ଭାବେ ସବୁ ସମସ୍ୟାର ସମାଧାନ କରି ପାରିବ, ତା’ ନୁହେଁ। ବରଂ ପ୍ରତିଷେଧକ ଭାବେ ପାଠ୍ୟକ୍ରମରେ ବୁଦ୍ଧ, ଫୁଲେ, ଭୀମଭୋଇଙ୍କ ପରିକଳ୍ପିତ ସମତାପୂର୍ଣ୍ଣ ସମାଜ ସଂପର୍କରେ ଆଲୋଚନାର ପୃଷ୍ଠଭୂମି ସୃଷ୍ଟି କରିବା ଆବଶ୍ୟକ। ଏହାଛଡ଼ା ସାମାଜିକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଲିଙ୍ଗଗତ ସମ୍ବେଦନଶୀଳତାର ବୀଜ ବପନ ସମାଜର ତୃଣମୂଳ ସ୍ତରରୁ ଆରମ୍ଭ ହେବା ଆବଶ୍ୟକ।