ଏକାଧାରରେ ଓଡ଼ିଶାର ଜଣେ କୋକିଳକଣ୍ଠୀ ସୁଗାୟିକା ତଥା ପ୍ରତିଷ୍ଠିତ ଶିକ୍ଷାବିତ୍ ସେ। ନିଶା ଓ ପେସା ଦୁଇଟିଯାକ ଭିନ୍ନଭିନ୍ନ। ଏହାସହ ସେ ଉତ୍କଳ ବିଶ୍ବବିଦ୍ୟାଳୟର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ। ଦୂରଦର୍ଶନରେ ଖବର ପଢ଼ିଲାବେଳେ ବା ଗୀତ ଗାଇଲାବେଳେ ଆପଣ ତାଙ୍କୁ ଶୁଣିଥିବେ। ଶିକ୍ଷା, ଶୈକ୍ଷିକ ବାତାବରଣ ଓ ଶିକ୍ଷାବ୍ୟବସ୍ଥାକୁ ନେଇ ତାଙ୍କର ଯୋଜନା ସୁଦୂରପ୍ରସାରୀ। ଏଥରର ଶିରୋନାମ: ଝିଅ କ୍ରମରେ ନିଜେ ନିଜ ଜୀବନ କାହାଣୀର ସଫଳ ନାୟିକା ଡ. ମିତାଲି ଚିନାରା।
ଆପଣ ଅଧ୍ୟାପନା କରନ୍ତି ପୁଣି ଓଡ଼ିଶାର ଜଣେ ସୁନାମଧନ୍ୟା ଗାୟିକା ଭାବରେ ବେଶ୍ ଲୋକପ୍ରିୟ। ଶିକ୍ଷାଦାନ ଓ ଗାୟନ ଏ ଦୁଇଟିକୁ କେମିତି ସମୟ ଦିଅନ୍ତି? କାହାପ୍ରତି ଦୁର୍ବଳତା ବେଶୀ?
ଦୁଇଟିଯାକ କାର୍ଯ୍ୟ ମୋ ପସନ୍ଦର। ଦୁଇଟିଯାକ ମୁଁ ନିଜେ ବାଛିଚି, ମୋର ରୁଚି, ସାମର୍ଥ୍ୟ ଓ ଦୁର୍ବଳତା ଆଧାରରେ। ଗୋଟିଏ ମଧ୍ୟବିତ୍ତ ପରିବାରରୁ ଆସି ଅଧ୍ୟାପନାକୁ ବୃତ୍ତି ଓ ସଂଗୀତକୁ ରୁଚି ଭାବରେ ଗ୍ରହଣ କରିଛି। ଦୁଇଟିଯାକ ମୋ ଜୀବନକୁ ସୁନ୍ଦର ଓ ପରିପୂର୍ଣ୍ଣ କରିଛନ୍ତି। କ୍ୟାରିୟର୍ ଆରମ୍ଭ ସମୟରେ ମୋର ସଂଗୀତ ପ୍ରତି ଅଧିକ ଦୁର୍ବଳତା ନିଶ୍ଚୟ ଥିଲା। କିନ୍ତୁ ଆଜିକା ଦିନରେ ମୁଁ ସେକଥା କହିପାରିବିନି। କାରଣ ତାହା ବିଶ୍ୱର କୋଣ ଅନୁକୋଣରେ ଥିବା ମୋର ଅଗଣିତ ଛାତ୍ରଛାତ୍ରୀଙ୍କଠାରୁ ମୋତେ ମିଳିଥିବା ଅକୁଣ୍ଠିତ ଶ୍ରଦ୍ଧା ପ୍ରତି ଅନ୍ୟାୟ ହେବ। ହଁ, ଏହା ସତ୍ୟ ଯେ ମୋ ଭିତରେ ଗୋଟିଏ ଅନୁଶୋଚନା ରହିଛି କି ମୁଁ ସଂଗୀତକୁ ସେତିକି ସମୟ ଦେଇପାରିନାହିଁ ଯାହା ମୋର ଦେୟ। ବିଶ୍ବନିୟନ୍ତା ମତେ ଯେଉଁ ବାଟରେ ଚଳାଇଛନ୍ତି, ମୁଁ ପଡ଼ିଉଠି ସେହି ବାଟରେ ଚାଲିବାର ପ୍ରୟାସ କେବଳ ଜାରିରଖିଛି, ରଖିଥିବି ସାମର୍ଥ୍ୟ ଥିବା ଯାଏ।
ଆପଣ ଜଣେ ସଫଳ ବୃତ୍ତିଜୀବୀ ମହିଳା। ମାତୃତ୍ବ, ପରିବାର, ଲେଖାଲେଖି, କାର୍ଯ୍ୟକ୍ଷେତ୍ର ଭିତରେ ତାଳମେଳ ରଖିବା କାଠିକର ବୋଲି କେବେ ମନେ ହୋଇଛି?
ତାଳମେଳର କଥା ଆପେକ୍ଷିକ ବୋଲି ମୁଁ ଭାବେ। ଯେଉଁ କାମଟିକୁ ଜଣେ ଗୁରୁତ୍ୱ ଦେବ, ତା ପାଇଁ ସମୟ ବାହାର କରିପାରିବ। ସମୟ ସେହି ଦୃଷ୍ଟିରୁ ନମନୀୟ। ହଁ, ବେଳେବେଳେ ବ୍ୟତିବ୍ୟସ୍ତ ଲାଗେ। କାମର ଚାପ ଅନୁଭବ ହୁଏ। ମାତ୍ର ତାହା ସାମୟିକ। କାରଣ ମୁଁ ଜାଣେ ଯେ ମୁଁ ମୋର ଶହେ ପ୍ରତିଶତରୁ ଟିକିଏ ବି କମ୍ ଦେବାକଥା ଚିନ୍ତା ମଧ୍ୟ କରିନାହିଁ। ଟିକିଏ ଧୈର୍ଯ୍ୟ ଓ ଆତ୍ମବିଶ୍ୱାସ ସେହି ମୁହୂର୍ତ୍ତକୁ ଅତିକ୍ରମ କରିବାରେ ସାହାଯ୍ୟ କରିଥାଏ। ଅନେକ ସମୟରେ ପରିବାର ସଦସ୍ୟ ତଥା ସହକର୍ମୀମାନଙ୍କର ବିଶ୍ୱାସ ଓ ଆସ୍ଥା ମଧ୍ୟ ବହୁତ ସାହାଯ୍ୟ କରିଥାଏ।
ଆପଣ ଉତ୍କଳ ବିଶ୍ବବିଦ୍ୟାଳୟର ବରିଷ୍ଠ ପଦାଧିକାରୀ ଅଛନ୍ତି। ଛାତ୍ରୀମାନଙ୍କର ମୁଖ୍ୟ ସମସ୍ୟାଟି କ’ଣ ବୋଲି ଆପଣ ଅନୁଭବ କରନ୍ତି? ଆଧୁନିକତା ସେମାନଙ୍କୁ ଭୁଲ୍ବାଟରେ ନେଉଛି କି?
ବରିଷ୍ଠ ହେବା ପୂର୍ବରୁ କନିଷ୍ଠ ହୋଇ ଲମ୍ବା ରାସ୍ତା ଅତିକ୍ରମ କରିଛି ଏବଂ ସେହି ସମୟମାନଙ୍କର ଅନୁଭୂତିକୁ ପାଥେୟ କରି ବର୍ତ୍ତମାନର ଦାୟିତ୍ୱ ତୁଲାଇବାକୁ ଚେଷ୍ଟାକରୁଛି। କାରଣ ମୁଁ ଅନୁଭବ କରିଛି, ଜୀବନର ଗୋଟିଏ ସୋପାନ ଅତିକ୍ରମ କରିବାପରେ ଅନେକ ସେହିସବୁ ସମସ୍ୟାକୁ ଗୁରୁତ୍ୱ ଦିଅନ୍ତିନାହିଁ। ସେସବୁ ସମୟର ଅସହାୟତାକୁ ଭୁଲିଯିବାକୁ ପସନ୍ଦ କରିଥାନ୍ତି। ତଳ ପାହାଚରେ ଠିଆହେଇ ମୁଁ ଉପର ପାହାଚର କର୍ତ୍ତବ୍ୟ କରିବା ଉଚିତ ବୋଲି ଭାବେ। ଛାତ୍ରୀମାନଙ୍କର କଥା ଯଦି କହିବି, ତେବେ ମୁଁ ବହୁତ ଛାତ୍ରୀ ଦେଖିଛି ଓ ଦେଖୁଛି, ଯେଉଁମାନେ ଶ୍ରଦ୍ଧା ଓ ସମ୍ମାନ ପାଇବାର ହକ୍ଦାର୍। ସେମାନେ ଖୁବ୍ ଶୃଙ୍ଖଳିତ ଏବଂ ନିଜ ଲକ୍ଷ୍ୟ ବାବଦରେ ସଚେତନ। ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ରାସ୍ତା ବିଷୟରେ ଜ୍ଞାନ ରଖନ୍ତି ଓ ସେ ରାସ୍ତା ଚାଲିବାର ଇଚ୍ଛାଶକ୍ତି ମଧ୍ୟ। ସେମାନେ ସହଜ ରାସ୍ତା ନେବାକଥା ଚିନ୍ତା ବି କରନ୍ତିନାହିଁ। ହଁ, ସମସ୍ତେ ଏପରି ନୁହନ୍ତି। ଗୋଟିଏ ସମସ୍ୟା ବିଷୟରେ କହିବାକୁ ଚାହିବି। ସେଇଟି ହେଲା ବୃତ୍ତିଗତ ଓ ପାରିବାରିକ ଜୀବନ ଭିତରେ ସନ୍ତୁଳନ ରଖିବାର ଆବଶ୍ୟକତା। ସମାଜ ଓ ପରିବାରର ଗୋଟିଏ ଝିଅଠାରୁ କିଛି ଆଶା ରହିଛି ଯାହା ସ୍ୱାଭାବିକ ଓ ଜରୁରି ମଧ୍ୟ। ନିଜର ବୃତ୍ତିକୁ ନେଇ ଝିଅଟିର କିଛି ସ୍ବପ୍ନ ରହୁଛି ଯାହାପାଇଁ ସେ ସମୟ ଓ ପରିଶ୍ରମ ଲଗାଇ ଥାଇପାରେ। ଏହି ଦୁଇଟି ମଧ୍ୟରେ ସନ୍ତୁଳନ ବହୁତ ଜରୁରି। ଏଥିରେ ତା’ର ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନର ଗୁଣବତ୍ତା ନିର୍ଭର କରେ। ଆଧୁନିକତା, ମୋ ମତରେ ପୋଷାକରେ ନଥାଏ। ଏହା ଆମର ଚିନ୍ତାଧାରା ଓ କାର୍ଯ୍ୟଶୈଳୀରେ ଥାଏ। ମୋ ବୋଉ ମୋତେ ଏଇଟା ଶିଖାଇଥିଲା, ଯେତେବେଳେ ମୁଁ ଶିଶୁରୁ କିଶୋରୀ ହେଉଥିଲି। ପ୍ରତିଦିନ ଏହି କଥାର ତାତ୍ପର୍ଯ୍ୟ ଅଧିକରୁ ଅଧିକ ବୁଝୁଛି। ଆମ ଝିଅମାନେ ଏହା ହୃଦୟଙ୍ଗମ କରିପାରିଲେ ତାଙ୍କୁ ଜୀବନଯାତ୍ରାରେ ଅନେକ ସମସ୍ୟା ସମାଧାନରେ ସହାୟକ ହେବ।
ଆଜିକାଲି ସବୁଠି କ୍ୟାମ୍ପସ୍ଗୁଡ଼ିକ ଅଶାନ୍ତ ହୋଇପଡ଼ିଛି। ଶୈକ୍ଷିକ ବାତାବରଣ ନଷ୍ଟ ହୋଇଛି। ଛାତ୍ରଛାତ୍ରୀ ଗୁରୁମାନଙ୍କୁ ମାନୁନାହାନ୍ତି। ନିଜର ଦୀର୍ଘ କର୍ମମୟ ଜୀବନର ଅଭିଜ୍ଞତାରୁ ଏହାର କାରଣ କ’ଣ ହୋଇପାରେ ଭାବୁଛନ୍ତି?
ମୁଁ କହିବି ଏହା ଆଜିର ସମାଜ ଓ ସମୟର ଏକ ପ୍ରତିଫଳନ। ଘରେ ପିଲାମାନେ ବାପାମା’ଙ୍କୁ ମାନୁଛନ୍ତି କି? ଘରର ସାନମାନେ ବଡ଼ମାନଙ୍କୁ ସମ୍ମାନ ଦେଉଛନ୍ତି ତ? କାର୍ଯ୍ୟକ୍ଷେତ୍ରରେ ମଧ୍ୟ ସେହି ଅବସ୍ଥା ଆମେ ଦେଖୁନାହୁଁ କି? ସେହି ସମାଜର ଚିତ୍ର କ୍ୟାମ୍ପସ୍ରେ। କାରଣ କ୍ୟାମ୍ପସ୍ଗୁଡ଼ିକ ଏହି ସମାଜର ଏକ ଅଂଶ। ଏହା ଏକା ସାମାଜିକ ଅବକ୍ଷୟର ଚିତ୍ର। ଏହା ହଠାତ୍ ହୋଇନାହିଁ। ଏହି ପରିବର୍ତ୍ତନ ଧୀରେଧୀରେ ସାମାଜିକ ବ୍ୟବସ୍ଥାକୁ ଗ୍ରାସ କରିଛି। କୋଉଠି ନା କୋଉଠି ଆମେ ବଡ଼ମାନେ ଏହାର ଉତ୍ତରଦାୟିତ୍ୱ ନେବାକୁ ହେବ। ଆମେ ବା ଆମର ପୂର୍ବସୂରୀ, ସମାଜରେ ନିଜର ଦାୟିତ୍ୱ ଠିକ୍ରେ ତୁଲାଇବାରେ ହେଳା କରିଛୁ। ସାନମାନଙ୍କର ପାଖରେ ଆଦର୍ଶ ଭାବରେ ଠିଆ ହେବାର ଚେଷ୍ଟା କରିନାହୁଁ। ମାଗିଲେ ବା ଦାବି କଲେ ସମ୍ମାନ ବା ଶ୍ରଦ୍ଧା ମିଳେ ନାହିଁ। ତାକୁ ଅର୍ଜନ କରିବାକୁ ହୁଏ। ସମାଜର ଏହିସବୁ ପରିବର୍ତ୍ତନ ହେବାବେଳେ ଆମେ ତାକୁ ଅଣଦେଖା କରିଛୁ। କିନ୍ତୁ ମୁଁ ମୋର ଛାତ୍ରଛାତ୍ରୀମାନଙ୍କଠାରୁ ଅନେକ ଶ୍ରଦ୍ଧା ପାଇଛି। ଅଯାଚିତ ଓ ଅକୁଣ୍ଠିତ ସ୍ନେହ ପାଇଛି। ସେଇଟା ସେମାନଙ୍କର ବଡ଼ପଣିଆ। ଆଜି ମୁଁ ସମସ୍ତଙ୍କୁ ମୋର ଭଲପାଇବା ପୁଣିଥରେ ଦେଉଛି। ପିଲାମାନେ ମତେ ଜଣେ ‘ରାଗୀ ମ୍ୟାଡାମ୍’ ବୋଲି କହନ୍ତି! ସେହି ରାଗର ପ୍ରଚ୍ଛନ୍ନରେ ଥିବା ସ୍ନେହଶ୍ରଦ୍ଧା ସେମାନେ ଅନୁଭବ କରୁଥିବେ ବୋଲି ଆଶା କରୁଛି।
କଠୋର ଆଇନ ପ୍ରଣୟନ ଦ୍ବାରା ନାରୀମାନଙ୍କ ସୁରକ୍ଷା ଓ ସ୍ବାଧୀନତାକୁ ନିଶ୍ଚିତ କରିହେବ କି?
କଠୋର ଆଇନ ସହ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ନିହାତି ଜରୁରି। ତା’ଛଡ଼ା ଏକ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ମାମଲାଗୁଡ଼ିକର ତଦନ୍ତ ଓ ବିଚାର ଶେଷହେବା ମଧ୍ୟ ନିତାନ୍ତ ଆବଶ୍ୟକ। କିନ୍ତୁ ଏହା ଯଥେଷ୍ଟ ନୁହେଁ। ଏଥିପାଇଁ ସାମାଜିକ ପରିବର୍ତ୍ତନ ଓ ପ୍ରତିବଦ୍ଧତା ଆବଶ୍ୟକ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ କହୁଛି ଯେ, ନାରୀମାନଙ୍କ ବିରୋଧରେ ଘଟୁଥିବା ହିଂସାର ଦୁଇ ତୃତୀୟାଂଶ ଘରର ଚାରିକାନ୍ଥ ମଧ୍ୟରେ ଆଜି ବି ଘଟୁଛି, ଘରୋଇ ହିଂସାବିରୋଧୀ ଆଇନ ପ୍ରଣୟନ ସତ୍ତ୍ବେ। ତା’ମାନେ ଏହିସବୁ ଆଇନମାନଙ୍କ ଭିଡ଼ରେ ନାରୀଟିଏ ଘରେ ବା ବାହାରେ କୋଉଠି ବି ସୁରକ୍ଷିତ ନୁହେଁ। ଆମକୁ ନାରୀମାନଙ୍କ ସୁରକ୍ଷାକୁ ବହୁତ ଗୁରୁତ୍ୱ ଦେବାକୁ ହେବ। ମନେରଖିବାକୁ ହେବ, ଦୋଷୀ ଦଣ୍ଡ ପାଇଲେ ମଧ୍ୟ ନିଜର କ୍ଷତି କେବେବି ଭରଣା ହୋଇପାରିବ ନାହିଁ। ସେହିଭଳି ପୁରଷମାନେ ମଧ୍ୟ ପ୍ରତିଟି ନାରୀକୁ, ଘରେ ଓ ବାହାରେ ସମ୍ମାନ ଦେବାର ଆବଶ୍ୟକତା ବିଷୟରେ ସଚେତନ ହେବାକୁ ପଡ଼ିବ। ମା’ମାନେ ନିଜର ପୁଅମାନଙ୍କୁ ଏହି ଶିକ୍ଷା ପିଲାଟିଦିନରୁ ଦେବା ଦରକାର। ନାରୀ ନିଜକୁ ପଣ୍ୟ ଭାବରେ ବ୍ୟବହାର ହେବାକୁ ଦେବାର ପ୍ରକ୍ରିୟାକୁ ବିରୋଧ କରିବା ଦରକାର। ସ୍ୱାଧୀନତା ସହିତ ଯେଉଁ ଦାୟିତ୍ୱ ଆସେ, ତାକୁ ତୁଲାଇବାର ଉତ୍ତରଦାୟିତ୍ୱ ଆମ ନାରୀମାନଙ୍କର।