ଅଧା ପୃଥିବୀର ଅଧୀଶ୍ବରୀ ସିଏ। ସାରା ଆକାଶ ତା’ର। ହେଲେ ଉଡ଼ାଣ ଭରିବା ପୂର୍ବରୁ କେବେକେବେ ଡେଣା କଟିଯାଉଛି ତ କେବେ ଉଜୁଡ଼ିଯାଉଛି ସ୍ବପ୍ନ; ପୁଣି ହୁତୁହୁତୁୁ ନିଆଁାରେ ଜଳିଯାଉଛି ଶରୀର। ସ୍ବାଭିମାନ ଓ ସମ୍ମାନର ସହ କେଉଁଠି ସେ ସୁରକ୍ଷିତ? ଘରେ ନା ସାଥୀମେଳରେ, ଶିକ୍ଷାନୁଷ୍ଠାନରେ ନା କର୍ମକ୍ଷେତ୍ରରେ? କେଉଁଠି ତା’ର ପ୍ରଶ୍ବାସରେ ଭରପୂର ଥିବ ବିଶ୍ବାସର ଅମ୍ଳଜାନ? ଶିରୋନାମ: ‘ଝିଅ’। ଏହି କ୍ରମରେ ଆସନ୍ତୁ କିଛି ପ୍ରଶ୍ନର ଉତ୍ତର ଖୋଜିବା ପରିଚିତା ନାରୀମାନଙ୍କଠାରୁ। ଆଜିର ଅତିଥି ସୁକଣ୍ଠୀ ଗାୟିକା ସୁସ୍ମିତା ଦାସ
ଆପଣଙ୍କ ଦୃଷ୍ଟିରେ ନାରୀର ସ୍ବାଧୀନତା କହିଲେ କ’ଣ ବୁଝାଏ ?
ରକ୍ଷଣଶୀଳ ସମାଜରେ ପ୍ରାୟତଃ ଗୋଟିଏ ଧାରଣା ଥାଏ ଯେ ନିଜେ ନିଜେ ନିଷ୍ପତ୍ତି ନେଇଯିବା ନାରୀର ସୁଲଭ ଗୁଣ ନୁହେଁ। ଝିଅଦିନରେ ଗୋଟିଏ ଭଲ ଝିଅ ଯାହାବି କରେ ତା’ ଭାଇ, ଦାଦା କି ବାପାଙ୍କୁ ପଚାରି କରିଥାଏ। ବାହାଘର ପରେ ଯେ କୌଣସି ଜିନିଷରେ ନିଷ୍ପତ୍ତି ନେବା ପାଇଁ ସ୍ବାମୀର ସମ୍ମତି କିମ୍ବା ଉପଦେଶ ନେବା ଯେପରି ଅନିବାର୍ଯ୍ୟ ହୋଇଯାଏ। ପିଲାମାନେ ବଡ଼ ହୋଇଗଲା ପରେ ସବୁ କଥାରେ ପୁଅର ନିଷ୍ପତ୍ତି ଏକପ୍ରକାର ବାଧ୍ୟତାମୂଳକ ହୋଇଯାଏ। ଲାଗିବ ଯେମିତି େଗାଟିଏ ନାରୀ ବାପା, ଭାଇ, ସ୍ବାମୀ ଓ ପୁଅ ବିନା ଯେପରି କୌଣସି କାମ କରିପାରିବନି। ମଁୁ ଉଗ୍ର ଏବଂ ଉଦ୍ଧତ ନାରୀ ସ୍ବାଧୀନତାର ସପକ୍ଷବାଦୀ ନୁହେଁ। ମଁୁ ଚାହେଁ ଗୋଟେ ପୁରୁଷ ଯେମିତି କୌଣସି ବିଷୟରେ ନିର୍ଣ୍ଣୟ ନେଇପାରୁଛି ସେହିପରି ଗୋଟେ ନାରୀ ମଧ୍ୟ ଅନୁରୂପ ନିର୍ଣ୍ଣୟ ନେଇପାରିବା ଉଚିତ। ଗୋଟିଏ ପୁରୁଷ କ’ଣ ତା’ର ବାପା, ମା, ସ୍ତ୍ରୀ, ଭଉଣୀ, ଝିଅର ପରାମର୍ଶ ନେଇଥାଏ? ତେଣୁ ମୋ ମତରେ ନାରୀ ସ୍ବାଧୀନତାର ଅର୍ଥ ହେଲା ଯେ ତାକୁ ନିଜର ନିଷ୍ପତ୍ତି ନେବାର ସ୍ବାଧୀନତା ରହିବାର ଅାବଶ୍ୟକତା ଅଛି।
ଆପଣ ଜଣେ ସୁନାମଧନ୍ୟ ଗାୟିକା। ଦେଶ ବିଦେଶର ବିଭିନ୍ନ ସ୍ଥାନରେ ନିୟମିତ କାର୍ଯ୍ୟକ୍ରମରେ ଭାଗ ନିଅନ୍ତି। ଆପଣ ନିଜକୁ କେବେ ଅସହଜ ମଣିଛନ୍ତି କି? କିମ୍ବା ନିଜ ଆଖ ପାଖରେ କୌଣସି ସାଥୀ ସହଯୋଗୀ ସହ କିଛି ଅପ୍ରୀତିକର ଘଟିବାର ଜାଣିଛନ୍ତି କି ?
ମଁୁ ପିଲାଦିନୁ ମଁୁ ନିଜର ନିର୍ଣ୍ଣୟ ନେବାକୁ ଚାହିଁଥାଏ। ବାହାଘର ପରେ ମଁୁ ମୋର ନିଜର ନିଷ୍ପତ୍ତି ନେଇଆସିଛି। ଅବଶ୍ୟ ସ୍ବାମୀ ଓ ପିଲାମାନଙ୍କୁ ଦରକାର ହେଲେ ପଚାରେ। ଦେଶବିଦେଶରେ କାର୍ଯ୍ୟକ୍ରମ ପରିବେଷଣ କରିବା ସମୟରେ ମଁୁ ହିଁ ନେତୃତ୍ବ ନେଇଥାଏ। ମୋର ସଂଗୀତ ଗୋଷ୍ଠୀରେ ମୋ ଛଡ଼ା ସମସ୍ତେ ହେଉଛନ୍ତି ପୁରୁଷ, କିନ୍ତୁ ମଁୁ ସବୁ ନିଷ୍ପତ୍ତି ନେଇଥାଏ। ଅପ୍ରୀତିକର ପରିସ୍ଥିତି ହେବାପାଇଁ ମଁୁ ସୁଯୋଗ ଦିଏ ନାହିଁ। କାର୍ଯ୍ୟକ୍ରମରେ ସଂଗଠକମାନଙ୍କୁ ମଁୁ ସଚେତନ କରେଇ ଦେଇଥାଏ ଯେ ମତେ କେଉଁ ପ୍ରକାରର ନିଷ୍ପତ୍ତି ନବାକୁ ହେବ ଏବଂ ଏହି କାର୍ଯ୍ୟକ୍ରମର ସଙ୍ଗୀତ ପରିବେଷଣ ସମ୍ବନ୍ଧୀୟ ସବୁ ନିଷ୍ପତ୍ତି ମଁୁ ନେବି ଏବଂ ସେଥିପାଇଁ ସେମାନେ ମୋ ସହ ଯୋଗାଯୋଗ କରିବେ।
ଲିଭଇନ୍ ରିଲେସନ୍, ବିବାହୋତ୍ତର ସମ୍ପର୍କ ଇତ୍ୟାଦି ନାରୀକୁ ଆଧୁନିକାର ପରିଚୟ ଦିଏ କି ? ଏସବୁକୁ ଆପଣ କିପରି ଗ୍ରହଣ କରନ୍ତି ?
ଲିଭଇନ୍ ରିଲେସନ୍ ଏବଂ ବିବାହୋତ୍ତର ସମ୍ପର୍କ ହେଉଛି ସଂପୂର୍ଣ୍ଣ ବ୍ୟକ୍ତିଗତ ନିଷ୍ପତ୍ତି। ଏ ବିଷୟରେ ମଁୁ ଆଦୌ ଜଜ୍ମେଣ୍ଟାଲ ହେବାକୁ ଇଚ୍ଛା କରୁନାହିଁ। ପୂର୍ବରୁ ସ୍ତ୍ରୀ ଲୋକମାନେ ବହୁତ ଚଞ୍ଚଳ ବିବାହ ବନ୍ଧନରେ ବନ୍ଧା ହେଇ ଯାଉଥିଲେ। କିନ୍ତୁ ଆଜିର ଦିନରେ ସମସ୍ତେ ସ୍ଥିରୀକୃତ ହେଲା ପରେ ବାହାହେବା କଥା ଚିନ୍ତା କରୁଛନ୍ତି। ତେଣୁ ଲିଭ୍ଇନ୍ ରିଲେସନ୍ ସଂପର୍କରେ ମଁୁ କୌଣସି ମତାମତ ଦେବାକୁ ଇଚ୍ଛା କରୁ ନାହିଁ।
ଘର, ଶିକ୍ଷାନୁଷ୍ଠାନ, କାର୍ଯ୍ୟକ୍ଷେତ୍ର ସବୁଠି ମହିଳାଙ୍କ ପ୍ରତି ଦିନକୁ ଦିନ ଘରୋଇ ହିଂସା ଓ ଯୌନ ନିର୍ଯାତନା ବଢ଼ିଚାଲିଛି। ଏହାକୁ ଆପଣ କେମିତି ଦେଖନ୍ତି? ଜଣେ ସଚେତନ ସୃଜନସ୍ରଷ୍ଟା ଭାବରେ ସମାଧାନର ସୂତ୍ର କ’ଣ ହୋଇପାରେ ଭାବନ୍ତି?
ଏ ପ୍ରକାର ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ, କିନ୍ତୁ ଆଜିକାଲି ଯେ ଏଇ ଯୌନ ନିର୍ଯାତନା ବଢ଼ିଯାଉଛି ମଁୁ ବିଶ୍ବାସ କରୁନାହିଁ। ମୋର ଧାରଣା େହଲା ଏଟା ଆଗରୁ ମଧ୍ୟ ହେଉଥିଲା ଏବଂ ସେଗୁଡ଼ିକ ଲୋକଲଜ୍ଜା ଦୃଷ୍ଟିରୁ ଚପାଇ ଦିଆଯାଉଥିଲା। ବର୍ତ୍ତମାନ ନାରୀମାନେ ନିର୍ଭୀକ ଭାବରେ ସ୍ବର ଉତ୍ତୋଳନ କରୁଛନ୍ତି ସେଟା ବହୁତ ଭଲକଥା।
ଆପଣ ଜଣେ ଝିଅର ମା’, ଝିଅ ପାଇଁ କିପରି ପୃଥିବୀର ସ୍ବପ୍ନ ଦେଖନ୍ତି?
ମଁୁ ଗୋଟିଏ ନୁହେଁ ଦୁଇଟି ଝିଅର ମା। ଏବଂ ମଁୁ ମୋ ଝିଅମାନଙ୍କୁ ସବୁବେଳେ ସ୍ବାଧୀନଚେତା ଓ ସ୍ବାବଲମ୍ବୀ ହେବା ପାଇଁ ଉତ୍ସାହିତ କରୁଛି। ମଁୁ ଗୋଟିଏ କଥା ସବୁବେଳେ କହେ- ଜୀବନରେ ଭଲ ମଣିଷ ହୁଅ, ବାକି ସବୁ ଅାପେ ଆପେ ହେବ।