ନାରୀମାନଙ୍କ ସ୍ବପ୍ନ, ସୃଜନ ଓ ସଂଘର୍ଷ ଏକାପରି। ସଫଳ ହେବାପାଇଁ ‌େଲାଡ଼ା ଉଭୟ ସାଧନ ଓ ସାଧନା। ତେବେ ଏଥିପାଇଁ ଘରେ ହେଉ ବା ବାହାରେ ନାରୀର ସୁରକ୍ଷା ଓ ସ୍ବାଧୀନତାକୁ ଦେଇଥାଏ ଅନେକ ବାଧା, ପ୍ରତିବନ୍ଧକ ଓ ପ୍ରଶ୍ନ। ଶିରୋନାମ: ଝିଅ। ଏହି କ୍ରମରେ ଉତ୍ତର ଦେଇଛନ୍ତି ଆମର ଅତିଥି ଚନ୍ଦ୍ରା ମିଶ୍ର। ବୃତ୍ତିରେ ସେ ଜଣେ ଅବସରପ୍ରାପ୍ତ ମେଡିକାଲ୍‌ ବୈଜ୍ଞାନିକ। ଉଭୟ ଓଡ଼ିଆ ଓ ଇଂରେଜୀରେ ତାଙ୍କ ଦ୍ବାରା ଲିଖିତ ଗଳ୍ପ ଓ କବିତା ଦେଶବିଦେଶରେ ବେଶ୍ ଆଦୃତ। ନିଜକୁ ମାନସିକ ଓ ଶାରୀରିକ ଭାବରେ ଫିଟ୍‌ ରଖିବାକୁ ସେ ଭଲପାଆନ୍ତି। ଅବସର ସମୟରେ ଆମେରିକାରେ ନର୍ସିଂ ପାଠ୍ୟକ୍ରମର ଉନ୍ନତି ପାଇଁ ସ୍ବେଚ୍ଛା ଶ୍ରମଦାନ କରନ୍ତି।

Advertisment

 ଆପଣ ଦୀର୍ଘ ବର୍ଷ ହେଲା ଆମେରିକାରେ ରହୁଛନ୍ତି। ସେଠାକାର ନାରୀମାନଙ୍କ ସୁରକ୍ଷା ଓ ସ୍ବାଧୀନତା ସହ ଆମ ଓଡ଼ିଶାର ନାରୀମାନଙ୍କ ତୁଳନା କରି କେଉଁ ପାର୍ଥକ୍ୟ ବା ବିସଂଗତି ଲକ୍ଷ୍ୟ କରନ୍ତି?
ଆମେରିକା ଓ ଓଡ଼ିଶାର ନାରୀମାନଙ୍କର ସୁରକ୍ଷା ଓ ସ୍ବାଧୀନତାରେ ଅନେକ ପାର୍ଥକ୍ୟ ସ୍ପଷ୍ଟ ଦେଖାଯାଏ। ସେଠାରେ ନାରୀମାନେ ଅପେକ୍ଷା‌କୃତ ଅଧିକ ସରକାରୀ ଓ ଆଇନଗତ ସୁରକ୍ଷା‌ ପାଆନ୍ତି। ଯେପରିକି ଘରୋଇ ହିଂସା, ନିର୍ଯାତନା କିମ୍ବା ସମାଜରେ ଅସମାନତା ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ହୁଏ। ରାତିରେ ଯାତାୟାତ କରିବା, କାର୍ଯ୍ୟସ୍ଥଳରେ ଆଇନ ଓ ପୁଲିସ୍‌ର ସୁରକ୍ଷା ସବୁଠାରେ ମିଳେ। ଓଡ଼ିଶାରେ ମଧ୍ୟ କଠୋର ଆଇନ ଅଛି। କିନ୍ତୁ ପ୍ରାୟୋଗିକ ମାନଦଣ୍ଡ ଅଧିକାଂଶ ସମୟରେ ଦୃଢ଼ ନୁହେଁ। ସହରଗୁଡ଼ିକରେ କିଛି ସୁଧାର ହୋଇଛି। ହେଲେ ମୋ ଜାଣିବାରେ ଛୋଟ ସହର ବା ଗାଁଗଣ୍ଡାରେ ସୁରକ୍ଷାର ଅଭାବ ଏବେ ବି ଅଛି। ସେହିପରି ଆମେରିକାରେ ନାରୀମାନେ ଅଧିକ ସ୍ବାଧୀନ। ସେମାନେ ନିଜର ପେସା, ପୋଷାକ, ଜୀବନଶୈଳୀ ସମ୍ପର୍କିତ ସବୁ ନିଷ୍ପତ୍ତି ନିଜେ ନିଅନ୍ତି। ପାଠପଢ଼ା, ଚାକିରି, ବିବାହ କିମ୍ବା ବ୍ୟକ୍ତିଗତ ଜୀବନ ସମ୍ପର୍କରେ ନିଷ୍ପତ୍ତି ନେବାରେ ସୁବିଧା ପାଆନ୍ତି। ଯେକୌଣସି ବୟସରେ ସ୍ତ୍ରୀଲୋକମାନେ ଯାହା ଇଚ୍ଛା ତାହା କରିପାରନ୍ତି। କିନ୍ତୁ ଓଡ଼ିଶାରେ ଅନେକ ସ୍ଥାନରେ ପରିବାର ଓ ସାମାଜିକ ପ୍ରଭାବ ଅଧିକ ଥାଏ କିଛି ନିଷ୍ପତ୍ତି ନେବାପାଇଁ। ସାମାଜିକ ଅବଧାରଣା ଅନୁସାରେ, ଆମେରିକାରେ ନାରୀଙ୍କର କାର୍ଯ୍ୟକ୍ଷମତା, ସ୍ୱତନ୍ତ୍ର ଚିନ୍ତା, କ୍ୟାରିଅର୍‌ରେ ଆଗକୁ ଯିବାକୁ ଅଧିକ ଗୁରୁତ୍ବ ଦିଆଯାଏ। ଓଡ଼ିଶାରେ ଏହାର ଉନ୍ନତି ହେଉଥିଲେ ମଧ୍ୟ, ଅଧିକାଂଶ ଲୋକ ନାରୀଙ୍କୁ ପରିବାରକେନ୍ଦ୍ରିତ ଦୃଷ୍ଟିଭଙ୍ଗୀରେ ଦେଖନ୍ତି। ‘ଇଚ୍ଛା କର, କିନ୍ତୁ ଚୁପ୍‌ ରହ; ବଡ଼ମାନଙ୍କୁ ମାନ’- ଏଭଳି ଛୋଟବେଳୁ ଶିଖେଇ ଦିଆଯାଏ। ଫଳରେ ଅନେକ ନାରୀ ନିଜ କଥା କହିବାରେ ସାହସ ଠୁଳ କରିପାରନ୍ତିନି।

 ଏବେ ଓଡ଼ିଶାର ବିଭିନ୍ନ ଜାଗାରେ ଝିଅମାନେ ନିଆଁ ଲଗେଇ ଆତ୍ମହତ୍ୟା କରୁଥିବାର କ୍ରମିକ ଘଟଣା ଗଣମାଧ୍ୟମରୁ ଦେଖୁଥିବେ। ପ୍ରବାସରେ ରହି ଜଣେ ସମ୍ବେଦନଶୀଳ ନାରୀ ଭାବରେ ଏହାକୁ କିପରି ରୋକାଯାଇପାରିବ ବୋଲି ଭାବୁଛନ୍ତି?
ଝିଅମାନେ ନିଆଁ ଲଗେଇ ଆତ୍ମହତ୍ୟା କରୁଥିବାର କ୍ରମିକ ଘଟଣା ଶୁଣି ଓ ଦେଖି ଜଣେ ସମ୍ବେଦନଶୀଳ ନାରୀ ଭାବେ ମୋତେ ବହୁତ ଦୁଃଖ ହେଉଛି। ସେଥିପାଇଁ ସମାଜକୁ ଝିଅମାନଙ୍କ ମନୋଭାବ ବୁଝିବାକୁ ହେବ। ଝିଅମାନେ ନିଜର ଦୁଃଖ ବା ଦାବିକୁ କାହାକୁ କହିବାର ସୁବିଧା ପାଉ ନଥିବାରୁ ସେମାନେ ସମାଧାନ ନଖୋଜି ଚୂଡ଼ାନ୍ତ ପଥକୁ ବାଛନ୍ତି। ସେଥିପାଇଁ ସ୍କୁଲ୍‌, କଲେଜ କିମ୍ବା ବିଭିନ୍ନ ଅନୁଷ୍ଠାନ ଦ୍ବାରା ମାନସିକ ସଚେତନତା ଶିବିର, କାଉନ୍‌ସେଲିଂ ଇତ୍ୟାଦି ବହୁତ ପ୍ରୟୋଜନ। ପରିବାରର ଅକୁଣ୍ଠ ସମର୍ଥନ, ଆଶ୍ୱାସନା ଆଦି ବଢ଼ାଇବା ଆବଶ୍ୟକ। ଝିଅମାନେ ଯଦି ଭୟ ବା ଲଜ୍ଜା ଛାଡ଼ି ପରିବାରକୁ ତାଙ୍କ ମନ କଥା କହିପାରିବେ, ତାହାଲେ ଏମିତି କାଣ୍ଡ ଅନେକଟା କମିଯିବ। ଝିଅମାନଙ୍କୁ କେବଳ ପାଠପଢ଼ା ନୁହେଁ, ଜୀବନକୌଶଳ, ମନୋବଳ, ସଙ୍କଟକୁ ମୁକାବିଲା କରିବାର ଶିକ୍ଷା ଦେବା ଦରକାର। ଓଡ଼ିଶାରେ ବହୁତ ସମୟରେ ଝିଅମାନେ ଯୌତୁକ, ପ୍ରେମ ସମ୍ପର୍କ, ବିବାହ, କ୍ୟାରିଅର୍‌କୁ ନେଇ ଚାପରେ ଥା’ନ୍ତି। ତେଣୁ ସେମାନଙ୍କ ମନୋବଳ ବଢ଼ାଇବା ପାଇଁ ୨୪ ଘଣ୍ଟିଆ ହେଲ୍‌ପଲାଇନ୍‌ ସହାୟତା କାଉନ୍‌ସେଲର୍‌, ସମାଜସେବୀ ଇତ୍ୟାଦି ସହାୟତା କଲେ ଝିଅଟି ସଠିକ୍‌ ନିଷ୍ପତ୍ତି ନେଇପାରିବ। ପୁଣି ଝିଅମାନେ ଅର୍ଥନୈତିକ ଓ ସାମାଜିକ ଭାବେ ସ୍ବାଧୀନ ହେଲେ ସେମାନଙ୍କର ଆତ୍ମହତ୍ୟା ପ୍ରବଣତା କମ୍‌ ହେବ।

 ଗୋଟିଏ ଝିଅର ସ୍ବାଧୀନତା କେଉଁଠୁ ଆରମ୍ଭ ହେବା ଦରକାର? ପରିବାର, ସମାଜ, ଶିକ୍ଷାନୁଷ୍ଠାନ ନା କର୍ମକ୍ଷେତ୍ର, କାହାର ଭୂମିକା ଅଧିକ?
ଜଣେ ଝିଅର ସ୍ବାଧୀନତା କେବଳ ଗୋଟିଏ ଜାଗାରୁ ନୁହେଁ, ବିଭିନ୍ନ ସ୍ତରରୁ ଆରମ୍ଭ ହୋଇଥାଏ। ସ୍ବାଧୀନତାର ମୂଳଦୁଆ ପରିବାରରୁ ଆରମ୍ଭ ହୋଇଥାଏ। ଯେତେବେଳେ ମା’ବାପା ଝିଅକୁ ପୁଅ ସମାନ ଅଧିକାର, ସ୍ନେହ, ଶିକ୍ଷା, ସ୍ବପ୍ନ ଦେଇଥାନ୍ତି ସେଠାରୁ ସ୍ବାଧୀନତାର ଅଙ୍କୁର ଉତ୍ପନ୍ନ ହୁଏ। ପରିବାର ଯଦି ଝିଅର ମତାମତକୁ ସମ୍ମାନ କରେ, ସେଥିରେ ଝିଅ ଆତ୍ମବିଶ୍ୱାସୀ ହୁଏ। ଝିଅଟିଏ ଶିକ୍ଷା ସହିତ ପରିସ୍ଥିତିକୁ ମୁକାବିଲା କରିବାର କୌଶଳ ଶିଖେ। ଶିକ୍ଷକଶିକ୍ଷୟିତ୍ରୀମାନେ ଯଦି ଲିଙ୍ଗଭେଦ ବିନା ସୁବିଧା ଓ ପ୍ରୋତ୍ସାହନ ଦିଅନ୍ତି, ଝିଅମାନେ ନିଜର କ୍ଷମତାରେ ବିଶ୍ୱାସ କରିବାକୁ ଶିଖନ୍ତି। ସାମାଜିକ ଧାରଣା, ପ୍ରଥା, ପ୍ରଚଳିତ ଧାରା ଝିଅର ମନୋଭାବକୁ ବହୁତ ପ୍ରଭାବିତ କରେ। ଯଦି ସମାଜ ‘ଝିଅମାନେ କିଛି କରିପାରିବେ ନାହିଁ’ ବୋଲି ଚାପ ଦେଇଥାଏ, ସେଥିରେ ସେମାନଙ୍କର ସ୍ବାଧୀନତା ବାଧା ପାଏ। ତେଣୁ ସମାଜର ସମର୍ଥନ, ସୁରକ୍ଷା, ସୁବିଧା ଦ୍ୱାରା ସ୍ବାଧୀନତାକୁ ପରିପୁଷ୍ଟ କରିବା ଆବଶ୍ୟକ। ଯେତେବେଳେ ଝିଅମାନେ ଅର୍ଥୋପାର୍ଜନ କରନ୍ତି, ସେଥିରୁ ଆର୍ଥିକ ସ୍ବାଧୀନତା ଆସେ। କାର୍ଯ୍ୟକ୍ଷେତ୍ରର ସମାନ ଅବସର, ନିରାପତ୍ତା, ଲିଙ୍ଗସମାନତା ସ୍ବାଧୀନତାର ମୂଳକଥା। ସ୍ବାଧୀନତାର ଆରମ୍ଭ ପରିବାରରୁ ହେବା ଦରକାର। କାରଣ ପରିବାର ମୂଳ ହେଲେ, ପରେ ଶିକ୍ଷାନୁଷ୍ଠାନ, ସମାଜ ଓ କର୍ମକ୍ଷେତ୍ର।

 ଆପଣ ପୁରୀର ଝିଅ। ମ୍ୟାଟ୍ରିକ୍‌ ପରର ଉଚ୍ଚଶିକ୍ଷା ଆପଣ ବିଦେଶରେ ସମାପ୍ତ କରିଛନ୍ତି। ପରିବାର, ବୃତ୍ତିଗତ ଜୀବନ ପୁଣି ଲେଖାଲେଖି ସବୁଥିରେ ତାଳମେଳ ରଖିଛନ୍ତି। ‘ଝିଅଟିଏ ପଥୁରିଆ ସାହିର’ ପରି ପାଠକ ପ୍ରିୟ ଜୀବନାଲେଖଟିଏ ଲେଖିଛନ୍ତି। ସାହିତ୍ୟ ହେଉ ବା ଜୀବନ ଆଧୁନିକା ଝିଅଟିଏ ପାଇଁ ସଫଳତାର ସୂତ୍ର କ’ଣ ହେବା ଆବଶ୍ୟକ ବୋଲି ଆପଣ ମନେ କରନ୍ତି? 
ମୋ ଜୀବନର ଅଧିକାଂଶ ବର୍ଷ ମୁଁ ଓଡ଼ିଶା ବାହାରେ କାଟିଛି। କେବଳ ୧୭ ବର୍ଷ ପୁରୀରେ ଥିଲି। ବାହା ହୋଇ ଆଗ ମୁମ୍ବାଇ ଓ ପରେ ସ୍ବାମୀଙ୍କ ଚାକିରି ଯୋଗୁଁ ଆମେରିକା ଆସି ଏଠାରେ ପ୍ରାୟ ୪୮ ବର୍ଷ ହେଲା ରହିଲିଣି। ପାଠ ପଢ଼ିବା ପାଇଁ ମୋର ପିଲାଦିନରୁ ବହୁତ ଇଚ୍ଛାଥିଲା। ମାଆ ନଥିବାରୁ ଅଳ୍ପ ବୟସରେ ଏକ ରକ୍ଷଣଶୀଳ ପରିବାରରେ ମୋର ବାହାଘର ହୋଇଯାଇଥିଲା। ଦୁଇଟି ପିଲାଙ୍କ ମାଆ ହେଲାପରେ ମୁଁ ମୁମ୍ବାଇରେ ସକାଳ କଲେଜରୁ ଅର୍ଥଶାସ୍ତ୍ରରେ ବି.ଏ. ପାସ୍‌ କରିଥିଲି। ଆମେରିକାରେ ମୁଁ ପ୍ରଥମେ କଲେଜରେ ନର୍ସିଂ ପଢ଼ିଲି। କାରଣ ମୋ ପାଇଁ ନର ସେବା ନାରାୟଣଙ୍କ ସେବା କଲାପରି ଲାଗେ। ପରେ ମେଡିକାଲ୍‌ ବୈଜ୍ଞାନିକ ଭାବେ ଔଷଧ କମ୍ପାନିରେ ମୁଁ ଅନେକ ବର୍ଷ କାମ କରି ଅବସର ନେଲି। ମୁଁ ଆମେରିକାରେ ପ୍ରଥମ ଓଡ଼ିଆ ନର୍ସ। ଅବସର ପରେ ମୁଁ ଓଡ଼ିଆରେ ଲେଖିବା ଆରମ୍ଭ କଲି। ମୋର ସଫଳତା ପଛରେ ଅଛି ମୋ ବାପାଙ୍କଠାରୁ ପାଇଥିବା ପରିଶ୍ରମୀ ଗୁଣ। ନିରନ୍ତର ପ୍ରୟାସ, ବିଫଳତାରୁ ଶିଖିବା ଯୋଗୁଁ ମଣିଷ ଆଗକୁ ଯାଏ। ମୋ ମତରେ ସମୟ ଆଉ ଶୃଙ୍ଖଳା ସଫଳତା ପାଇଁ ବହୁତ ଆବଶ୍ୟକ। ସଫଳତା ପାଇଁ ନୂଆ ପ୍ରଯୁକ୍ତିବିଦ୍ୟା ଶିଖିବା ଦରକାର। ମୁଁ ଏବେବି ନୁଆ ପ୍ରଯୁକ୍ତିବିଦ୍ୟା କାମ ଶିଖି ନିଜର ସବୁ କାମ ନିଜେ କରେ। ସଫଳତା ପାଇଁ ଜୀବନରେ ସମାଜ ପାଇଁ କିଛି ଉପକାରୀ କାମ କରିବା ଉଚିତ। ଶିକ୍ଷା, ସୃଜନଶୀଳତା, ଆତ୍ମବିଶ୍ୱାସ, ଧୈର୍ଯ୍ୟ ଓ ସମାଜ ସହଯୋଗ କଲେ ଝିଅଟିଏ ଜୀବନରେ ସଫଳ ହୁଏ। ସଫଳତା ପାଇଁ ନିଜର ମାନସିକ ଆଉ ଶାରୀରିକ ଯତ୍ନ ନେବା ବହୁତ ଜରୁରି। ଏହା ବିନା ସଫଳତାରେ ତିଷ୍ଠି ରହିପାରେ ନାହିଁ।

 ଘରୋଇ ହିଂସା କିମ୍ବା କର୍ମକ୍ଷେତ୍ରରେ ଯୌନ ନିର୍ଯାତନାକୁ ଝିଅଟିଏ କିପରି ସାମ୍ନା କରିବା ଆବଶ୍ୟକ ବୋଲି ଆପଣ ଭାବନ୍ତି?
ପ୍ରଥମେ ଝିଅମାନେ ନିଜେ ସାହସୀ ହେବା ଦରକାର। ଝିଅଟିଏ ପ୍ରଥମେ ବୁଝିବା ଦରକାର ନିର୍ଯାତନାର ଦୋଷ ତାଙ୍କର ନୁହେଁ। “ମୁଁ ଦୁର୍ବଳ ନୁହେଁ, ମୋର ଅଧିକାର ଅଛି”- ଝିଅମାନେ ଏହି ବିଶ୍ୱାସ ମନରେ ରଖିବା ଆଉ ବିଶ୍ବାସ କରିବା ନିତାନ୍ତ ଆବଶ୍ୟକ। ଘରେ ଓ କାର୍ଯ୍ୟକ୍ଷେତ୍ରରେ ସ୍ବର ଉଠାଇବା ଦରକାର। ପରିବାର ସଦସ୍ୟ, ସାଙ୍ଗସାଥୀ, ପଡ଼ୋଶୀ ଓ ଶୁଭେଚ୍ଛୁ ନିର୍ଯାତନା ବିଷୟରେ ସଚେତନ କରିବା ଆବଶ୍ୟକ। କର୍ମକ୍ଷେତ୍ରରେ ମାନବ ସମ୍ବଳ ବିଭାଗ ଓ ମହିଳା ଅଭିଯୋଗ ପ୍ରକୋଷ୍ଠକୁ ଉପଯୁକ୍ତ ସମୟରେ ନିଜର ଅଭିଯୋଗ ଜଣାଇବା ଜରୁରି। ଘରୋଇ ହିଂସା ପାଇଁ କାର୍ଯ୍ୟବିଭାଗ ଅଛି। କର୍ମକ୍ଷେତ୍ରରେ ପୋସ୍‌ ଆକ୍ଟ ବିଭାଗ ଅଛି। ଦରକାର ଅନୁସାରେ ଏହିସବୁ ବିଭାଗର ସାହାଯ୍ୟ ନେବା ଉଚିତ। ନିଜର ବନ୍ଧୁ, ସହକର୍ମୀ, ମହିଳା ସଂଗଠନ, କାଉନ୍‌ସେଲର୍‌ ନେଟ୍‌ୱର୍କଙ୍କ ସମର୍ଥନ ନେଇ ନିୟମ ସବୁକୁ ପଢ଼ି, ଜାଣି ଏହି ବିଷୟରେ ପଦକ୍ଷେପ ନେବା ଉଚିତ। ଏଥିପାଇଁ ସାଙ୍ଗସାଥୀଙ୍କ ସହଯୋଗ ତଥା ପ୍ରମାଣ ସଂଗ୍ରହ କରିବା ଦରକାର। ହିଂସା କିମ୍ବା ନିର୍ଯାତନାର ତାରିଖ, ସମୟ, ସାକ୍ଷୀ, ମେସେଜ୍‌, ଭିଡିଓଅଡିଓ ଯାହା ମିଳେ ସେଗୁଡ଼ିକ ସଂଗ୍ରହ କରିବା ଉଚିତ। ପ୍ରମାଣ ଥିଲେ ନିର୍ଯାତନା ବିରୁଦ୍ଧରେ ଲଢ଼ିବା ସହଜ ହୁଏ। ଏପରି ଅଭିଜ୍ଞତାରେ ଅନେକ ଝିଅ ଡିପ୍ରେସନ୍‌, ଭୟ, ଲଜ୍ଜାରେ ଭାଙ୍ଗିପଡ଼ନ୍ତି। କାଉନ୍‌ସେଲିଂ, ଧ୍ୟାନ, ସୃଜନଶୀଳ କାମ ଆଦି ସେମାନଙ୍କୁ ମାନସିକ ଶକ୍ତି ଦେଇପାରେ। ମୋ ମତରେ ଝିଅଟିଏ ହିଂସା କିମ୍ବା ଯୌନ ନିର୍ଯାତନାରେ ଚୁପ୍‌ ରହିବା ନୁହେଁ; ବରଂ ସାହସ, ସ୍ବର ଉତ୍ତୋଳନ, ଆଇନ, ସହାୟତା ଓ ମନୋବଳ, ଏହି ୫ଟି ସ୍ତମ୍ଭ ଉପରେ ଠିଆ ହୋଇ ନିର୍ଯାତନାର ମୁକାବିଲା କରିବା ଆବଶ୍ୟକ।