ଅଖ୍ୟାତ ପଲ୍ଲୀରୁ ଦିଲ୍ଲୀରେ ଯାଇ ପହଞ୍ଚିପାରିଛନ୍ତି ସେ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷାର ତୁଳସୀ ମହକ ବାଣ୍ଟୁଛନ୍ତି। ୬୦ ଦଶକରୁ ବଞ୍ଚିତ ବର୍ଗର ସାମାଜିକ ଜୀବନକୁ ସୁଧାରିବାର ଆକାଂକ୍ଷା ଏଯାଏ ସରିନାହିଁ। ବାକି ଅଛି ଅନେକ ଯୋଜନା ଓ ସ୍ବପ୍ନ। ଏଥରର ଶିରୋନାମ: ଝିଅ କ୍ରମରେ ନିଜେ ନିଜ ଜୀବନ କାହାଣୀର ସଫଳ ନାୟିକା ପଦ୍ମଶ୍ରୀ ତୁଳସୀ ମୁଣ୍ଡା।
ନିଜେ ଆନୁଷ୍ଠାନିକ ଶିକ୍ଷାଗ୍ରହଣ କରିନଥିଲେ ମଧ୍ୟ ଆପଣ ୧୯୬୪ ମସିହାରେ ବିଦ୍ୟାଳୟଟିଏ ସ୍ଥାପନ କରିବାରେ ସଫଳ ହୋଇଥିଲେ। ଏହା ପଛରେ କାରଣ କ’ଣ ଥିଲା?
ମୁଁ ୧୯୫୭ ମସିହାରେ ମାତ୍ର ଦଶବର୍ଷ ବୟସରେ ବଡ଼ବିଲ ନିକଟସ୍ଥ ସେରେଣ୍ଡାକୁ ଲୁଚିକରି ପଳାଇଆସିଥିଲି। ଏଠାରେ ମୋ ଭିଣୋଇ ବିଜୁବାବୁଙ୍କ ଖଣିରେ ମାଇନ୍ସମେଟ୍ ଭାବେ କାମ କରୁଥିଲେ। ଇଚ୍ଛାଥିଲା ଭିଣୋଇଙ୍କ ପାଖରେ ରହି ପାଠପଢ଼ିବି। ମାତ୍ର ତାହା ସମ୍ଭବ ନହେବାରୁ ଅନ୍ୟ ଶିଶୁ ଶ୍ରମିକମାନଙ୍କ ସହ ମିଶି ରାସ୍ତାରେ ପଡ଼ିଥିବା ଲୁହାପଥର ଗୋଟାଇ ଗୋଟିଏ ୩×୩×୧ ସାଇଜ୍ ମାପର କାଠବାକ୍ସରେ ଭରୁଥିଲି। ଗୋଟିଏ ବାକ୍ସ ଭରିଲେ ଆମକୁ ସାତଅଣା ପଇସା ମିଳୁଥିଲା। ସେ ସମୟରେ ଦୁଇଜଣ ଓଡ଼ିଆଙ୍କୁ ଛାଡ଼ିଦେଲେ ପ୍ରାୟ ଅନ୍ୟସମସ୍ତ ଉଚ୍ଚପଦସ୍ଥ ଅଧିକାରୀ ଥିଲେ ବଙ୍ଗାଳୀ, ପଞ୍ଜାବୀ, ବିହାରୀ ଆଦି ଅଣଓଡ଼ିଆ। ବୁଧବାର ଦିନ ବଡ଼ବିଲ ହାଟ ହେଉଥିଲା। ସେଥିପାଇଁ ସୋମବାର କିମ୍ବା ମଙ୍ଗଳବାର ଦିନ ସାପ୍ତାହିକ ମଜୁରୀ ପଇସା ମିଳିଯାଏ। ଏଇ ଦୁଇଦିନ ଅଣଓଡ଼ିଆ କର୍ମଚାରୀମାନେ ଡ୍ରମ୍ ବା ଗିଲନ୍ରେ ମଦ ଭରି ନେଇଆସନ୍ତି ଏବଂ ଭଲଭଲ ସୁନ୍ଦର ଝିଅମାନଙ୍କୁ ଜଙ୍ଗଲକୁ ଉଠାଇନେଇ ଅତ୍ୟାଚାର କରନ୍ତି। କିଛି କର୍ମଚାରୀ ଝାଡୁକରିବା, ସିଲେଇ କରିବା କାମ ବାହାନାରେ ଘରକୁ ଡାକି ଅସଦ୍ ବ୍ୟବହାର କରନ୍ତି। ଏସବୁ ଦେଖିଲାପରେ ମୋ ମନରେ ବିଦ୍ରୋହ ସୃଷ୍ଟିହୋଇଥିଲା। ଏହାର ପ୍ରତିକାର ପାଇଁ ସେଇ ଝିଅମାନଙ୍କ ସହ ମିଶି ତାଙ୍କୁ ସତର୍କତା ଅବଲମ୍ବନ କରିବାକୁ କହିଥିଲି। ଶିକ୍ଷା ହିଁ ଏହାର ଏକମାତ୍ର ଉପାୟ ବିଚାର କରି ୧୯୬୪ ମସିହାରେ ସତେଇଶ ଜଣ ଶିଶୁ ଶ୍ରମିକଙ୍କୁ ନେଇ ପ୍ରଥମେ ବିଦ୍ୟାଳୟ ଗଢ଼ିଥିଲି ଏବଂ ମୁଁ ନିଜେ ମଧ୍ୟ ସେଠାରେ ପାଠ ପଢୁଥିଲି। ମୋ ଭିଣୋଇଙ୍କ ମାମୁପୁଅ ଭାଇ ଶ୍ରୀଧର ଓରାମ୍ ଆମକୁ ପ୍ରଥମେ ପାଠ ପଢ଼ାଇଥିଲେ। ବିଜୁ ପଟ୍ଟନାୟକ ଖଣିର ଚିତ୍ତରଞ୍ଜନ ଦାସ ଓ ମ୍ୟାନେଜର୍ ମିତ୍ରସେନ ଇଂରାଜୀର ଛବିଶଟି ଅକ୍ଷର ଶିଖାଇଥିଲେ। ସେ ସମୟରେ ଅନ୍ୟତମ ଖଣି ମାଲିକ ସିରାଜଉଦ୍ଦିନ୍ କିଛି ଆର୍ଥିକ ସହଯୋଗ ବି କରୁଥିଲେ।
ଆଦିବାସୀବହୁଳ ଅଞ୍ଚଳରେ ଝିଅମାନଙ୍କର ଅଧାରୁ ପାଠ ଛାଡ଼ିବା, ଶିଶୁଶ୍ରମିକ ସମସ୍ୟା ଅବ୍ୟାହତ ରହିବା, କିଶୋରୀ କନ୍ୟାଙ୍କୁ ପୁଷ୍ଟିକର ଖାଦ୍ୟ ନମିଳିବା; ଏସବୁ ପଛରେ କାରଣ କ’ଣ ଓ କିପରି ଏହାର ସମାଧାନ କରାଯାଇପାରିବ?
ପ୍ରଥମତଃ ସରକାର ବିଚାର ସହ ସମାଜ ଖାପ ଖାଉନାହିଁ। ଆଦିବାସୀ ସମାଜରେ ଦାରିଦ୍ର୍ୟ ହିଁ ସବୁର ମୂଳ। ପିତାମାତାମାନେ ସଚେତନ ନୁହନ୍ତି, ଅନ୍ୟପଟେ ଝିଅଟିଏ ପାଠପଢ଼ିଲେ ଯେଉଁ ଖର୍ଚ୍ଚ ଓ ସମୟ ନଷ୍ଟହେବ ତା’ ବଦଳରେ କିଛି ରୋଜଗାର ପାଇଁ କାମ କରିବାକୁ ଶ୍ରେୟ ମଣନ୍ତି। ସବୁଠାରୁ ବଡ଼ କଥା ଆଦିବାସୀ ଝିଅମାନଙ୍କର ସାମାଜିକ ନିରାପତ୍ତାର ଘୋର ଅଭାବ ହେତୁ ବାପାମାଆମାନେ ଅଧାରୁ ପାଠପଢ଼ା ବନ୍ଦ କରୁଛନ୍ତି। କିଶୋରୀ କନ୍ୟାମାନେ ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ, ମାତ୍ର ତାହା ସମ୍ଭବ ହୋଇପାରୁନାହିଁ। ଶାଗ ପଖାଳକୁ ସେମାନେ ପ୍ରାଥମିକତା ଦେଉଛନ୍ତି। ସରକାର ଯାହା ବି ଅଣ୍ଡା ଛତୁଆ ଆଦି ଦେଉଛନ୍ତି, ସେଥିରେ ବାଟମାରଣା ହେଉଛି। ଶିଶୁଶ୍ରମିକ ସମସ୍ୟା ଏବେ ବି ରହିବାର ମୂଳ କାରଣ ହେଉଛି ଦାରିଦ୍ର୍ୟ। ଗାନ୍ଧିଜୀ ପାଞ୍ଚଟି ଦିଗ ଉପରେ ଦୃଷ୍ଟିଦେବାକୁ କହିଥିଲେ। ସେଗୁଡ଼ିକ ହେଲା ଶିକ୍ଷା, ସ୍ବାସ୍ଥ୍ୟ, ଖାଦ୍ୟ, ବସ୍ତ୍ର, ବାସଗୃହ। ଏଇ ପାଞ୍ଚଟି ମୌଳିକ ସୁବିଧା ପ୍ରତ୍ୟେକ ନାଗରିକ ପାଖରେ ପହଞ୍ଚିବା ଉଚିତ।
ସରକାର କ’ଣ କଲେ ଝିଅମାନେ ଶିକ୍ଷିତ ଓ ସ୍ବାବଲମ୍ବୀ ହୋଇପାରିବେ ବୋଲି ଆପଣ ଭାବୁଛନ୍ତି?
ପ୍ରଥମେ ସାମାଜିକ ସୁରକ୍ଷା ଝିଅମାନଙ୍କୁ ଯୋଗାଇ ଦିଆଯାଉ। ବିଦ୍ୟାଳୟରେ ଆଧ୍ୟାତ୍ମିକ ଶିକ୍ଷାସହ ବୈଷୟିକ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯାଉ। ଏହା କେବଳ କାଗଜ କଲମରେ ସୀମିତ ନହୋଇ ବାସ୍ତବ କ୍ଷେତ୍ରରେ ପରିଲକ୍ଷିତ ହେଉ।
ଆପଣଙ୍କ ଜୀବନ ସଂଘର୍ଷପୂର୍ଣ୍ଣ। ଆପଣ ଅଶିକ୍ଷା ବିରୋଧରେ ଲଢ଼ିଛନ୍ତି। ସାମାଜିକ ବୈଷମ୍ୟ ବିରୋଧରେ ସ୍ବରଉତ୍ତୋଳନ କରିଛନ୍ତି। ଆପଣ ବି ସଫଳ ହୋଇଛନ୍ତି ଆପଣଙ୍କ ଜୀବନକୁ ନେଇ। ଆପଣଙ୍କୁ ନେଇ ସିନେମା ହୋଇଛି, ପଦ୍ମ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଆଜି ୭୮ବର୍ଷ ପଛକୁ ଫେରି ଚାହିଁଲେ ଆପଣଙ୍କ ସଫଳତାର ସୂତ୍ରଟି କ’ଣ କହିବେ?
ମୁଁ ସମାଜସେବାକୁ ବ୍ରତଭାବେ ଗ୍ରହଣ କଲାପରେ ଅନେକ ବିରୋଧର ସମ୍ମୁଖୀନ ହୋଇଛି। ୧୯୬୩ ମସିହାରେ ବିନୋବାଜୀ ମୟୂରଭଞ୍ଜ ଆସିବା ସମୟରେ ତାଙ୍କୁ ଦେଖାକରି ନବଜୀବନ ମଣ୍ଡଳରେ ଟ୍ରେନିଂ ନେଇଥିଲି। ଗାଁ ଗାଁ ବୁଲି ମୁଠିଚାଉଳ ସଂଗ୍ରହ କରିଛି। ୧୯୬୧ ମସିହାରେ ମାଳତୀ ଚୌଧୁରୀ ଓ ନବକୃଷ୍ଣ ଚୌଧୁରୀଙ୍କ ଅନୁଗୁଳ ଆଶ୍ରମରେ ତିନିବର୍ଷ ସମାଜ ସେବାପାଇଁ ଟ୍ରେନିଂ ନେଇଛି। ଇନ୍ଦୋରରେ ଶାନ୍ତିସୈନିକ ଟ୍ରେନିଂ ନେଇଛି। ମୋ କେନ୍ଦୁଝର ମାଟିରେ ବହୁ ଜନହିତକର କାର୍ଯ୍ୟ ଭିତରେ ଶିକ୍ଷାକୁ ଗୁରୁତ୍ବ ଦେଇଛି। ଗାଁ ଗାଁ ବୁଲି ଗ୍ରାମସଭା କରିଛି। ଗ୍ରାମର ଉନ୍ନତି ହିଁ ଦେଶର ଉନ୍ନତି। ଆମ ପିଲାମାନେ ଗାଁରେ ପଢ଼ନ୍ତୁ, ଗାଁରେ ବଢ଼ନ୍ତୁ। ଗାଁରେ ସରକାର ରୋଜଗାର ସୃଷ୍ଟି କରନ୍ତୁ। ଗାଁର କେସ୍ ଗାଁରେ ସମାଧାନ ହେଉ, କେହି ଜେଲ୍ ନଯାଉ। କେନ୍ଦୁଝର ସଦର, ପାଟଣା, ଝୁମ୍ପୁରା ଆଦି ବ୍ଲକ୍ର ୪୪ଟି ଗ୍ରାମରେ ଗ୍ରାମସଭା କରିଛି। ମୁଁ ସେରେଣ୍ଡାରେ ସେଦିନ ଆରମ୍ଭ କରିଥିବା ବିଦ୍ୟାଳୟରେ ବର୍ତ୍ତମାନ ୭୮୦ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଶ୍ରମିକମାନଙ୍କ ପିଲା ପାଇଁ କ୍ରେଚ୍ଠୁ ଆରମ୍ଭ କରି ଦଶମ ଶ୍ରେଣୀଯାଏ ପିଲା ପାଠପଢ଼ନ୍ତି। ଗାଁ ଗାଁ ବୁଲି ଅନେକ ଡ୍ରପ୍ଆଉଟ୍ ପିଲାଙ୍କୁ ଆଣି ଏଠାରେ ପଢ଼ାଯାଉଛି। ସେହିପରି ମୋ ପୈତୃକ ଜନ୍ମମାଟି କାଇଁଶିଠାରେ ଆଉ ଏକ ବିଦ୍ୟାଳୟ ସ୍ଥାପନକରିଛି। ଯେଉଁଠାରେ ୪୦୦ ପିଲା ପାଠପଢୁଛନ୍ତି। ଏହାକୁ ଯଦି ଆପଣ ସଫଳତା କହିବେ ମୁଁ ସେଥିରେ ଏକମତ ନୁହେଁ, ବରଂ ମୋ ସ୍ବପ୍ନର ଗ୍ରାମସଭାରେ ମୁଁ ହାରିଯିବା ହିଁ ମୋର ଦୁଃଖ।
ଆପଣଙ୍କ ଭବିଷ୍ୟତର ଯୋଜନାସବୁ କ’ଣ?
ଆମ ଯୁବସମାଜ ଦାଦନ ଯାତ୍ରୀ। ଆମର ସମସ୍ତ ଖଣିଜସମ୍ପଦ ଥାଇ ବି ଆମେ ଦୁଃଖୀ ଦରିଦ୍ର। ଏହାର କାରଣ ଆମର ସଚେତନତାର ଅଭାବ। ଅନ୍ୟପଟେ ଯୁବସମାଜ ବିପଥଗାମୀ। କିଛି ଟଙ୍କାର ପ୍ରଲୋଭନରେ ସେମାନେ ନିଜଲୋକ ବିରୋଧରେ ଠିଆ ହେଉଛନ୍ତି। ପୁଞ୍ଜିପତିମାନଙ୍କର ଶୋଷଣ ସରିନାହିଁ। ଗାଁର ବିକାଶ ରୋଜଗାରପନ୍ଥା ସୃଷ୍ଟିହେବା ମୋର ଲକ୍ଷ୍ୟ। ବୁଢ଼ା ବାପମାଆକୁ ଛାଡ଼ି ପୁଅଟିଏ ଦାଦନ ନଯାଉ। ଭୂମିହୀନ ଲୋକକୁ ସରକାର ଚାଷ ଉପଯୋଗୀ ଜମି ଯୋଗାଇ ଦିଅନ୍ତୁ। ମୁଁ ମଲାପରେ ଯଦି ଆଉଥରେ ମଣିଷ ଜନ୍ମ ନିଏ, ତେବେ ମୋ ଅଧୁରା ସ୍ବପ୍ନକୁ ସାକାର କରିବାକୁ ଯତ୍ନବାନ ହେବି।
ଦିନେ ଗାଁ ଗାଁ ବୁଲି ଗାଉଥିଲି,
“ଗାଁର କଳି ଗାଁରେ ଭାଙ୍ଗୁ,
ଭାଇ ଭାଇରେ ଏକତା ଜାଗୁ।”
ସାକ୍ଷାତ୍କାର: ସୁବୋଧ ଦାସ ଓ
ଅଧ୍ୟାପକ କୈଳାସ ଚନ୍ଦ୍ର ସାହାଣୀ