ଅଧା ପୃଥିବୀର ଅଧୀଶ୍ବରୀ ସିଏ। ସାରା ଆକାଶ ତା’ର। ହେଲେ ଉଡ଼ାଣ ଭରିବା ପୂର୍ବରୁ କେବେକେବେ ଡେଣା କଟିଯାଉଛି ତ କେବେ ଉଜୁଡ଼ିଯାଉଛି ସ୍ବପ୍ନ; ପୁଣି ହୁତୁହୁତୁୁ ନିଆଁାରେ ଜଳିଯାଉଛି ଶରୀର। ସ୍ବାଭିମାନ ଓ ସମ୍ମାନର ସହ କେଉଁଠି ସେ ସୁରକ୍ଷିତ? ଘରେ ନା ସାଥୀମେଳରେ, ଶିକ୍ଷାନୁଷ୍ଠାନରେ ନା କର୍ମକ୍ଷେତ୍ରରେ? କେଉଁଠି ତା’ର ପ୍ରଶ୍ବାସରେ ଭରପୂର ଥିବ ବିଶ୍ବାସର ଅମ୍ଳଜାନ? ଶିରୋନାମ: ‘ଝିଅ’। ଏହି କ୍ରମରେ ମୁମ୍ବାଇର ଟାଟା ସାମାଜିକ ବିଜ୍ଞାନ ସଂସ୍ଥାନର ମାନବସମ୍ବଳ ବିକାଶ ଓ ଶ୍ରମସଂସାଧନ ସମ୍ବନ୍ଧରେ ସ୍ନାତକୋତ୍ତର ଡିଗ୍ରୀଧାରୀ ଅନ୍ୱେଷା ନନ୍ଦ ବର୍ତ୍ତମାନ ମୁମ୍ବାଇର ଏକ ଅଗ୍ରଣୀ ବୈଷୟିକ ପ୍ରତିଷ୍ଠାନର ମାନବସମ୍ବଳ ବିଭାଗର ବରିଷ୍ଠ ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି। ସେ ମଧ୍ୟ ଆଇଆଇଏମ୍ ମୁମ୍ବାଇର ଅତିଥି ଅଧ୍ୟାପିକା ଭାବରେ କାର୍ଯ୍ୟ କରନ୍ତି।

Advertisment

 ନାରୀର ସୁରକ୍ଷା ଓ ସ୍ବାଧୀନତାର କଥା ପଡ଼ିଲେ କେଉଁ କଥାଟି ମନକୁ ଆନ୍ଦୋଳିତ କରେ?
ଘରୁ ଅଫିସ୍, ପାର୍ଟି ବା ଅନ୍ୟ ଯେକୌଣସି ସ୍ଥାନକୁ ଯିବା ପୂର୍ବରୁ ସମୟ, ଯାନବାହନ, ବେଶପୋଷାକ, ପେପର ସ୍ପ୍ରେ, ଜରୁରିକାଳୀନ ଯୋଗାଯୋଗ ନମ୍ବର, ଫୋନ୍ ନେଟୱର୍କ ଇତ୍ୟାଦି ବିଷୟରେ ସଠିକ୍ ଓ ସନ୍ତୁଳିତ ତଥ୍ୟକୁ ଦିନରେ ଅତି କମ୍‌ରେ ଦୁଇଥର ଭଲଭାବେ ଆଜୀବନ ତଦାରଖ କରିବାକୁ ହୁଏ। ସମୟ ହୁଏତ ବଦଳିଛି; କିନ୍ତୁ ସମାଜର ନାରୀ ପ୍ରତି ଦୃଷ୍ଟିକୋଣ ସବୁ ଜାଗାରେ ବିଶେଷ ବଦଳି ନାହିଁ। ତେଣୁ ଦୁର୍ଭାଗ୍ୟବଶତଃ ସାବଧାନତା ଅପରିହାର୍ଯ୍ୟ, ନିଜ ଦାୟିତ୍ୱରେ ଅବହେଳା ଅକ୍ଷମଣୀୟ। ‌ତେବେ ନିଜ ମନମୁତାବକ ଚଳିବା ପାଇଁ ପରିବାର ବା ମୁରବିଙ୍କର ଅନୁମତି ନେବା ବିଧେୟ।

 ଆପଣ ଜଣେ ଉଚ୍ଚଶିକ୍ଷିତା, ସ୍ବାବଲମ୍ବୀ, ଗୋଟିଏ ବଡ଼ ଗୋଷ୍ଠୀକୁ ନେତୃତ୍ବ ଦେଉଥିବା କର୍ମଜୀବୀ ମହିଳା। ଏହି କ୍ରମରେ ନିଜ ସହ କାମ କରୁଥିବା ପୁରୁଷ ଓ ମହିଳା ସହଯୋଗୀଙ୍କ ଭିତରେ କେଉଁ ପାର୍ଥକ୍ୟ ଆପଣ ଦେଖନ୍ତି ଓ ମହିଳାଙ୍କ ମୁଖ୍ୟ ସମସ୍ୟାଟି ସାଧାରଣତଃ କ’ଣ ଥାଏ?
ପ୍ରାୟତଃ ପୁରୁଷମାନଙ୍କୁ ପରିବାରର ପ୍ରମୁଖ ପ୍ରତିପୋଷଣକାରୀ ଭାବରେ ଦେଖାଯାଏ। ସେମାନଙ୍କର ସାମାଜିକ ଯୋଗ୍ୟତା ସେମାନଙ୍କ ଉପାର୍ଜନକ୍ଷମତା ଉପରେ ନିର୍ଭରଶୀଳ। କାର୍ଯ୍ୟକ୍ଷେତ୍ରରେ କୌଣସି ସୁଯୋଗ ହାତଛଡ଼ା ହେଲେ ପୁରୁଷମାନଙ୍କର କ୍ରୋଧ, ହତାଶା ଓ ପ୍ରତିଶୋଧପରାୟଣତା ଆସେ। ଅନ୍ୟପକ୍ଷରେ ମହିଳାମାନେ ଅଧିକ ଯୋଗ୍ୟ ହୋଇ ସୁଦ୍ଧା କାର୍ଯ୍ୟକ୍ଷେତ୍ର‌ ଅପେକ୍ଷା ପାରିବାରିକ ଆବଶ୍ୟକତାକୁ ଅଧିକ ଗୁରୁତ୍ବ ଦିଅନ୍ତି। କାର୍ଯ୍ୟକ୍ଷେତ୍ରରେ କୌଣସି ସୁଯୋଗ ହାତଛଡ଼ା ହେଲେ ସେମାନେ ଆଗ ଦୁଃଖରେ ଭାଙ୍ଗିପଡ଼ନ୍ତି, କ୍ରୋଧ ବା ପ୍ରତିଶୋଧପରାୟଣତା ଅପେକ୍ଷା ପରିସ୍ଥିତି ସହ ସାଲିସ୍‌ କରିବାକୁ ଆଗେଇ ଆସନ୍ତି। କାର୍ଯ୍ୟାଳୟରେ ଏହା ସେମାନଙ୍କର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ। ମହିଳାମାନେ ନିଜର ସମସ୍ତ ଯୋଗ୍ୟତାକୁ କାର୍ଯ୍ୟକ୍ଷେତ୍ରରେ ପ୍ରୟୋଗ କରିବାର ସାମର୍ଥ୍ୟ ଜୁଟାଇବା ଆଜିଯାଏ ପାରିବାରିକ ସହଯୋଗ ବିନା ଅସମ୍ଭବ ମନେହୁଏ। ବିବାହ ପୁରୁଷକୁ ଦିଏ ଅଧିକ ଆୟ କରିବାର ସାମାଜିକ ଦାୟିତ୍ୱ, ତେଣୁ ସେ କାର୍ଯ୍ୟକ୍ଷେତ୍ରରେ ଅଧିକ ସମୟ ଓ ପରିଶ୍ରମ ଦିଏ। ଅନ୍ୟପକ୍ଷରେ ବିବାହିତା ମହିଳାମାନେ ନୂତନ ପରିବାର ସହ ଖାପଖୁଆଇ ଚଳିବାପାଇଁ ପ୍ରାୟତଃ କାର୍ଯ୍ୟକ୍ଷେତ୍ରକୁ ଅବହେଳା କରନ୍ତି। ସ୍ଥଳବିଶେଷରେ ଚାକିରି ଛାଡ଼ିବାକୁ ପଡ଼େ, ବେଳେବେଳେ ଏହା ସେମାନଙ୍କର ବ୍ୟକ୍ତିତ୍ୱକୁ କ୍ଷୁବ୍ଧ ଓ ବ୍ୟଥିତ କରେ ଏବଂ ବିବାହ ପ୍ରତି ବିତୃଷ୍ଣା ଆଣେ।

 କଠୋର ଆଇନ ପ୍ରଣୟନ ଦ୍ବାରା ନାରୀମାନଙ୍କ ସମସ୍ୟାର ସମାଧାନ ସମ୍ଭବ କି?
ସମାଧାନ କୌଣସି ଗୋଟିଏ ଆଇନ, ଗୋଟିଏ ପଦକ୍ଷେପ ଆଣିପାରିବ ନାହିଁ। ସମାଧାନ ଏକ ବୃହତ୍ତର ସାମାଜିକ, ରାଜନୈତିକ, ଅର୍ଥନୈତିକ ପରିବର୍ତ୍ତନର ପରିଣତି। ପ୍ରକୃତ ପରିବର୍ତ୍ତନ ସେତେବେଳେ ଆସିବ ଯେତେବେଳେ ନାରୀମାନଙ୍କ ପ୍ରତି ସମାଜର ଦୃଷ୍ଟିକୋଣ ବଦଳିବ। ସାଧାରଣ ଲୋକ, ଆଇନ ପ୍ରଣୟନକାରୀ ଓ ଏହାଦ୍ୱାରା ଉପକୃତ ହେଉଥିବା ମହିଳାମାନେ ଗୋଟିଏ ସରଳରେଖାରେ ରହିଲେ ଯାଇ କିଛି ପରିବର୍ତ୍ତନ ହେବ। ପୋସ୍‌ ଆକ୍ଟ ୨୦୧୩ ପ୍ରଣୟନ ହେବାପାଇଁ ଜଣେ ନିର୍ଭୟା ପ୍ରାଣ ହରାଇଲେ ୨୦୧୨ରେ। ଏହା ପୂର୍ବରୁ କର୍ପୋରେଟ୍‌ ଜଗତରେ ଜଣେ ମହିଳା କାର୍ଯ୍ୟକ୍ଷେତ୍ରରେ ଅଶାଳୀନ ବ୍ୟବହାର ବା ଯୌନ ଉତ୍ପୀଡ଼ନର ଶିକାର ହେଲେ ତାହା ମୁଖ୍ୟସମ୍ବାଦ ହେଉନଥିଲା ବା ଗମ୍ଭୀର ଆଲୋଚନାର ପରିସରକୁ ଆସୁନଥିଲା।

 କଲେଜ ପଢ଼ୁଆ ଝିଅମାନଙ୍କ ଭିତରେ ଆତ୍ମହତ୍ୟା ପ୍ରବଣତା ଏ ଭିତରେ ବହୁତ ବଢ଼ିଯାଇଛି। ଏହି ନକାରାତ୍ମକ ମାନସିକତା ପଛରେ କାରଣ କ’ଣ ହୋଇପାରେ?
ସମକାଳୀନ କଲେଜ ଛାତ୍ରୀମାନଙ୍କ ପାଇଁ ଅନେକ ଅସୁବିଧା ରହିଛି। ଉଚ୍ଚତର ବୈଷୟିକ ଶିକ୍ଷାନୁଷ୍ଠାନରେ ପଢ଼ିବା ପାଇଁ ତଣ୍ଟିକଟା ସଂଘର୍ଷ କରିବାକୁ ହୁଏ। ସମସ୍ତେ ସମାନ ପରିମାଣର ମେଧା ବା ଆଗ୍ରହ ରଖନ୍ତି ନାହିଁ। କିନ୍ତୁ ବାପାମା’ ଚାହାନ୍ତି ପିଲା ସେଠି ପଢୁ। ନିଜର ସାଙ୍ଗ ପଢ଼ିଲା ବୋଲି ପିଲା ବି ଚାହେ ସେଠି ଗୋଟେ ସିଟ୍‌ ଯେମିତି ସେମିତି ମିଳନ୍ତା କି! ଯେତେବେଳେ ମିଳେନି ସେତେବେଳେ ହତାଶା ସମ୍ଭାଳିବାର କ୍ଷମତା ନଥାଏ। କେହି ମାନସିକ ସହାୟତା କରନ୍ତି ନାହିଁ; ଅଧିକନ୍ତୁ ଚାପ ଅଧିକ ହୁଏ। ପିଲା ସହ ଆଲୋଚନା, କଥାବାର୍ତ୍ତା କେହି କରନ୍ତିନି। ତେଣୁ ସେ ଆତ୍ମହତ୍ୟାର ପଥ ବାଛିନିଏ। ୨୦୦୦ ମସିହା ପରେ ଜନ୍ମଗ୍ରହଣ କରିଥିବା ପିଲା ଛୋଟବେଳୁ ଇଣ୍ଟରନେଟ୍‌ ସୁବିଧା ପାଇଛନ୍ତି। ସେମାନେ ବିଦ୍ୟାଳୟରେ ଦଣ୍ଡ ପାଆନ୍ତିନି, ମେଟ୍ରିକ୍‌ ପର୍ଯ୍ୟନ୍ତ ଭଲ ଗ୍ରେଡ୍‌ ପାଇପାଇ ମନମୋଟିଆ ହେଇଯାଆନ୍ତି, ଉଚ୍ଚତର ଶିକ୍ଷା ବେଳକୁ ଅସଲ ପ୍ରତିଭା ଜଣାପଡ଼େ। ସେମାନେ ଫେଲ୍‌ ହେବା ସହିପାରନ୍ତିନି, ଗାଳିଗୁଲଜ, ଧମକଚମକ ଶୁଣିଲେ ମାନସିକ ଭାବେ ଭାଙ୍ଗିପଡ଼ନ୍ତି। କେହି ତାଙ୍କ ମନସ୍ତାତ୍ତ୍ୱିକ ସୁରକ୍ଷା ବ୍ୟବସ୍ଥା କଥା ଭାବେନି, ପିଲା ନିଜେ ନିଜର ନଷ୍ଟ ପାଇଁ ବାଟ ଖୋଜିନିଏ। ଛାତ୍ରୀଟି ଯଦି ଦୁର୍ଭାଗ୍ୟବଶତଃ କୌଣସି ପ୍ରକାର ଶାରୀରିକ ଶୋଷଣର ଶିକାର ହେଲା, ତେବେ ଆମ ସମାଜରେ ପୀଡ଼ିତାଟି ଆଗ ବଦନାମ୍ ହୁଏ। ଶୋଷଣକାରୀ ଆଇନର ବିଭିନ୍ନ ଗଳାବାଟ ଦେଇ ନିର୍ବିଘ୍ନରେ ଖସିଯାଏ। ଲୋକଲଜ୍ଜା ଓ ଅସୁରକ୍ଷିତ ଭାବନା ଅପେକ୍ଷା ଝିଅଟି ମରିବାକୁ ପସନ୍ଦ କରେ। ଯଦି ଦୋଷୀ ଦଣ୍ଡ ପାଉଥାଆନ୍ତା, ସମାଜରେ ଝିଅକୁ ସମବେଦନା ଓ ସହାନୁଭୂତି ମିଳୁଥାଆନ୍ତା, ତେବେ ହୁଏତ ଏଭଳି ହୁଅନ୍ତାନାହିଁ ବୋଲି ମୁଁ ଭାବେ।

 ଆର୍ଥିକ ସ୍ବାଧୀନତା ନାରୀକୁ ଅଧିକ ଶକ୍ତି ପ୍ରଦାନ କରେ କି? ନା ଏହାଦ୍ବାରା ମହିଳାଟିଏ ଅଧିକ ସ୍ବେଚ୍ଛାଚାରୀ ହେବାକୁ ବଳପାଏ?
ପୃଥିବୀ ଚଳେଇବାର ଇନ୍ଧନ ହେଉଚି ଅର୍ଥ। ଯାହା ପାଖରେ ଅର୍ଥ, ଅର୍ଥାତ୍‌ ଯିଏ ନିଜେ ଉପାର୍ଜନ କରିପାରେ ଏବଂ ନିଜପାଇଁ ନିଜେ ଅର୍ଥ ଖର୍ଚ୍ଚ କରିବାର ସାମର୍ଥ୍ୟ ରଖେ ସମସ୍ତେ ତା’ କଥା ଶୁଣନ୍ତି। ସେହି କାରଣରୁ ଜଣେ ଉପାର୍ଜନକ୍ଷମ ମହିଳାର ସ୍ୱର ଜଣେ ଆର୍ଥିକ ଦୃଷ୍ଟିରୁ ନିର୍ଭରଶୀଳା ମହିଳାର ସ୍ୱର ଅପେକ୍ଷା ଦୃପ୍ତ ଓ ପ୍ରଭାବଶାଳୀ। ଆର୍ଥିକ ସ୍ୱାଧୀନତା ନିଃସନ୍ଦେହରେ ନାରୀକୁ ଶକ୍ତି ଦିଏ। ଆଉ ସ୍ୱେଚ୍ଛାଚାରିତା କଥା ଯାହା କହିଲେ, ସେଥିପାଇଁ ଏତିକି କହିପାରିବି ଆଜିଯାଏ ଉପାର୍ଜନକ୍ଷମ ପୁରୁଷମାନେ ସଂସାରକୁ ଚଳେଇଆସିଲେ, ସେମାନେ ଯଦି ସ୍ବେଚ୍ଛାଚାରୀ ହେଲେ, ତେବେ ମହିଳା ହେଉ ଏବେ। ଆଉ ଯଦି ସେମାନେ ସ୍ବେଚ୍ଛାଚାରୀ ହେଉନାହାନ୍ତି ତେବେ ମହିଳା କାହିଁକି ହେବେ?