ଅଧା ପୃଥିବୀର ଅଧୀଶ୍ବରୀ ସିଏ। ସାରା ଆକାଶ ତା’ର। ହେଲେ ଉଡ଼ାଣ ଭରିବା ପୂର୍ବରୁ କେବେକେବେ ଡେଣା କଟିଯାଉଛି ତ କେବେ ଉଜୁଡ଼ିଯାଉଛି ସ୍ବପ୍ନ; ପୁଣି ହୁତୁହୁତୁୁ ନିଆଁାରେ ଜଳିଯାଉଛି ଶରୀର। ସ୍ବାଭିମାନ ଓ ସମ୍ମାନର ସହ କେଉଁଠି ସେ ସୁରକ୍ଷିତ? ଘରେ ନା ସାଥୀମେଳରେ, ଶିକ୍ଷାନୁଷ୍ଠାନରେ ନା କର୍ମକ୍ଷେତ୍ରରେ? କେଉଁଠି ତା’ର ପ୍ରଶ୍ବାସରେ ଭରପୂର ଥିବ ବିଶ୍ବାସର ଅମ୍ଳଜାନ? ଶିରୋନାମା: ‘ଝିଅ’। ଏହି କ୍ରମରେ ଆସନ୍ତୁ କିଛି ପ୍ରଶ୍ନର ଉତ୍ତର ଖୋଜିବା ପରିଚିତା ନାରୀମାନଙ୍କଠାରୁ। ଆଜିର ଅତିଥି ମହିଳା କମିଶନର ପ୍ରଥମ ଅଧ୍ୟକ୍ଷା, ଲୋପାମୁଦ୍ରା ମହାନ୍ତି।
ଆମ ସମାଜରେ ଝିଅଟିଏ ସୁରକ୍ଷିତ ନୁେହଁ କାହିଁକି?
ଝିଅଟିଏ ଯେ ପର୍ଯ୍ୟନ୍ତ ସମାଜରେ ଉପଭୋଗ୍ୟ ବସ୍ତୁରେ ପରିଗଣିତ ହେଉଥିବ ସେ ପର୍ଯ୍ୟନ୍ତ ସୁରକ୍ଷିତ ନୁହେଁ। ଆଜି ମଧ୍ୟ ‘ଝିଅ’ ଶବ୍ଦଟି ବ୍ୟବହାର ହେଲେ ପ୍ରଥମ ନଜରରେ ତାହାର ବାହ୍ୟ ସୌନ୍ଦର୍ଯ୍ୟ ଉପରେ ଆଲୋଚନା ହୁଏ। ସେହି ଧାରାରେ ଝିଅମାନେ ମଧ୍ୟ ପଡ଼ିଗଲେଣି। ଏହାର ସ୍ତର ଏମିତି ହେଲାଣି ଯେ ଝିଅମାନଙ୍କୁ କେହି “ସେକ୍ସି” କହିଲେ ସାମାନ୍ୟତଃ ସେମାନେ ମଧ୍ୟ ଆହ୍ଲାଦିତ ହେଲେଣି। ସମାଜ ଅଲକ୍ଷ୍ୟରେ ଅତି ସାଧାରଣ ଭାବେ ଝିଅଟି ଉପଭୋଗ୍ୟ ବସ୍ତୁ ପାଲଟିବାରେ ଲାଗିଲାଣି। ଏହି ମାନସିକତାର ବ୍ୟକ୍ତି ଶିକାରୀ ଓ ଝିଅଟି ଶିକାର ପାଲଟିବାର ପ୍ରାବଲ୍ୟ ବଢ଼ିବା ସଙ୍ଗେ ସଙ୍ଗେ ଝିଅଟି ଅସୁରକ୍ଷିତ ହୋଇ ଚାଲିଛି।
ଆପଣଙ୍କ ଦୃଷ୍ଟିରେ ନାରୀର ସ୍ବାଧୀନତା କହିଲେ କ’ଣ ବୁଝାଏ?
ଅଧୁନା ନାରୀର ସ୍ବାଧୀନତା କେବଳ ସ୍ୱାଧୀନ ବିଚରଣ କିମ୍ବା ସ୍ୱାଧୀନ ପରିଚ୍ଛଦ ପରିପାଟୀରେ ସୀମିତ ରହି ଯାଇଛି। ସ୍ୱାଧୀନ ଚେତନା ଓ ଆତ୍ମିକ ବିକାଶ ନାରୀକୁ ନାରାୟଣୀ କରିପାରେ। କେବଳ ପୁରୁଷ ପରି ହେବା କିମ୍ବା ପୁରୁଷ ସମକକ୍ଷ ହେବାର ପ୍ରତିଯୋଗିତା ଯୋଗୁଁ ନାରୀ ନିଜର ଅସ୍ତିତ୍ୱ ଓ ସ୍ବତନ୍ତ୍ରତା ହରାଇ ବସିଛି। ପ୍ରକୃତରେ ସମାଜର ପୁରୁଷ ଓ ନାରୀର ଭୂମିକା ସ୍ବତନ୍ତ୍ର ଏବଂ ନାରୀ ପୁରୁଷ ଉଭୟେ ଉଭୟଙ୍କର ପରିପୂରକ। ଏଣୁ ଉଭୟଙ୍କ ମଧ୍ୟରେ ପ୍ରତିଯୋଗିତା ସମାଜକୁ ଦୁର୍ବଳ କରିବ। ପ୍ରତିଯୋଗିତା ବଦଳରେ ସାମାଜିକ ସମତା ମାର୍ଗରେ ନାରୀ ନିଜର ଜ୍ଞାନ ଓ ଉପଯୋଗିତା ସଂପର୍କରେ ସଚେତନ ହୋଇ ପ୍ରତିସ୍ପର୍ଦ୍ଧାକୁ ଆପଣେଇ ସମାଜର ବିବିଧ କ୍ଷେତ୍ରରେ ନିଜର ସକାରାତ୍ମକ ଉଦାହରଣୀୟ ଉପସ୍ଥିତି ଜାହିର କଲେ ତାହାକୁ ବାସ୍ତବରେ ନାରୀ ସ୍ବାଧୀନତା ବୋଲି କୁହାଯାଇପାରେ।
ବିଦ୍ୟାଳୟ ବା ଶିକ୍ଷାନୁଷ୍ଠାନକୁ ମନ୍ଦିର ସହ ତୁଳନା କରାଯାଏ। ତେବେ ସେଇ ମନ୍ଦିର ଆଜି ଝିଅମାନଙ୍କ ପାଇଁ ଭରସାର କେନ୍ଦ୍ର ହୋଇପାରୁନି କାହିଁକି?
ଶିକ୍ଷା ବ୍ୟବସ୍ଥା ଜ୍ଞାନ ଆହରଣ ବା ଉପାସନ ସ୍ଥଳ ହୋଇ ରହି ନାହିଁ। ଶିକ୍ଷାନୁଷ୍ଠାନଗୁଡ଼ିକ କେବଳ ଉପାର୍ଜନଯୋଗ୍ୟ ଶିକ୍ଷା ଦେଇ ଶିକ୍ଷା ବ୍ୟବସ୍ଥାକୁ ବ୍ୟବସାୟରେ ପରିଣତ କରି ସାରିଲେଣି। ଚରିତ୍ର ଗଠନ ପାଇଁ ଆଧ୍ୟାତ୍ମିକ ବା ଆତ୍ମିକ ଶିକ୍ଷା, ଦେଶ ଗଠନ ପାଇଁ ସାମାଜିକ ଉତ୍ତରଦାୟିତ୍ୱ ଶିକ୍ଷା ଓ ଆମ ସଂସ୍କୃତି ବଞ୍ଚାଇବା ପାଇଁ ମାନବିକ ଶିକ୍ଷା ଆଜିର ଶିକ୍ଷାନୁଷ୍ଠାନରେ ବିରଳ। ଆଜିର ଗୁରୁ ଶିକ୍ଷା ଓ ଜ୍ଞାନବର୍ଦ୍ଧନ କାର୍ଯ୍ୟ ବଦଳରେ ବ୍ୟବସାୟୀ ହୋଇ ଛାତ୍ରୀମାନଙ୍କୁ ଅନୈତିକ ଉପାୟରେ ଲାଭ ପହଞ୍ଚାଇ ପ୍ରତିବଦଳରେ ସେମାନଙ୍କୁ ଶୋଷଣ କରିବା ଏକ ପ୍ରଥାର ପ୍ରଚଳନ ହେଲାଣି। ଏପରିକି, ଫକୀର ମୋହନ କଲେଜ ମାମଲାରେ ମଧ୍ୟ ସମସ୍ତେ ଏହାକୁ ‘ଅଫର’ ବୋଲି କହୁଥିଲେ ହେଁ କେହି ଏହାକୁ ‘ଅପସନ’ କିମ୍ବା ‘ବ୍ଲାକମେଲିଂ’ କହିଲେ ନାହିଁ। ଏହି ସବୁ ‘ଡିଲ’କୁ ସାକାର କରିବା ପାଇଁ ତଥାକଥିତ ‘ଅଫର’ ଚାଲୁ କରିବା ପରେ ଶିକ୍ଷାନୁଷ୍ଠାନ ଭରସାର କେନ୍ଦ୍ର ହେବ କିପରି?
ଆପଣ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା, ସେତେବେଳର ନାରୀମାନଙ୍କ ସମସ୍ୟା ଓ ଏବର ନାରୀମାନଙ୍କ ସମସ୍ୟା ଭିତରେ କି ପାର୍ଥକ୍ୟ ଲକ୍ଷ୍ୟ କରୁଛନ୍ତି?
ସେତେବେଳେ ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ଆଇନ ଲାଗୁ ହେବା ସତ୍ତ୍ୱେ ଅଜ୍ଞାନତା, ସଚେତନତା ଓ ସାମାଜିକ କ୍ଳିଷ୍ଟତା ଦୃଷ୍ଟିରୁ ମହିଳା ଉତ୍ପୀଡ଼ନ ସଂପର୍କିତ ମାମଲା ରୁଜୁ ହେଉନଥିଲା। ସମାଜରେ ଘଟନା ବାହାରକୁ ଆସିଲେ ପରିବାର ସମ୍ମାନରେ ଆଞ୍ଚ ଆସିବ ବୋଲି ସେମାନେ ଉତ୍ପୀଡ଼ନର ଏତାଲା କରି ନାହାନ୍ତି ବୋଲି ବହୁ ପୀଡ଼ିତା ମହିଳା ଆୟୋଗର ଅଧ୍ୟକ୍ଷା ଥିବା ସମୟରେ ମୋ’ ସମ୍ମୁଖରେ ପ୍ରକାଶ କରିଛନ୍ତି। ସେତେବେଳେ ସେମାନଙ୍କର ଅଧିକାର ସଂପର୍କରେ ସଚେତନ କରିବା ସହ ଅନୈତିକ କାର୍ଯ୍ୟର ପ୍ରତିବାଦ ଓ ପ୍ରତିରୋଧ ଦ୍ବାରା ହିଁ ସମାଜରେ ପରିବର୍ତ୍ତନ ସମ୍ଭବ ବୋଲି ବିଶ୍ବାସ ଜନ୍ମାଇବାକୁ ପଡୁଥିଲା। କାଳକ୍ରମେ କିଛି ମହିଳା ନିଜ ପାଇଁ ନ୍ୟାୟ ନୁହେଁ ବରଂ ଏହି ଆଇନର ଦୁରୁପଯୋଗ କରି ନିଜର ଅନୈତିକ ଦାବି ପୂରଣ ପାଇଁ ଏହାକୁ ଅସ୍ତ୍ର ରୂପେ ବ୍ୟବହାର କଲେ। ଏପରି ବହୁ ଉଦାହରଣୀୟ ମାମଲା ସାମ୍ନାକୁ ଆସିଲା ପରେ ସୁପ୍ରିମକୋର୍ଟ ପରିସ୍ଥିତିକୁ ପରଖି ଏଥିରେ ଥିବା କଠୋର କାର୍ଯ୍ୟାନୁଷ୍ଠାନକୁ କୋହଳ କଲେ। ସତ ଘଟନା ବି ଆଜି ସନ୍ଦେହ ଘେରରେ ରହି ଗୁରୁତ୍ୱ ହରାଇଛି ଏବଂ ନାରୀ ଆଜି ନାରୀ ପାଇଁ ସମସ୍ୟା ହୋଇଛି।
ଓଡ଼ିଶାରେ ଘଟିଥିବା ଛାତ୍ରୀଙ୍କ ଆତ୍ମାହୁତି ଘଟଣାକୁ ସୁପ୍ରିମକୋର୍ଟ ଲଜ୍ଜାଜନକ କହିଛନ୍ତି। ସରକାର କି ପ୍ରକାର ପଦକ୍ଷେପ ନେଲେ ଏପରି ଘଟଣାକୁ ରୋକାଯାଇପାରିବ ବୋଲି ଆପଣ ମନେ କରନ୍ତି?
ବିଶାଖା ବନାମ କେନ୍ଦ୍ର ମାମଲାରେ ସୁପ୍ରିମକୋର୍ଟ ରାୟ ଅନୁସାରେ କାର୍ଯ୍ୟକ୍ଷେତ୍ରରେ ମହିଳା ଉତ୍ପୀଡ଼ନ ପାଇଁ ଏକ ଅନ୍ତରୀଣ କମିଟି ଗଠନ ହେବା କଥା; ଯାହା ଆଜି ଯାଏ ଗଠିତ ହୋଇ ପାରୁ ନାହିଁ। କୌଣସି ଘଟନା ଘଟିତ ହେଲେ ସରକାର ଓ ପ୍ରସାଶନ ତତ୍ପର ହୁଅନ୍ତି ଏବଂ ଘଟନାଟି ଲୋକ ସ୍ମୃତିରୁ ହଟି ଗୁରୁତ୍ୱ ହରାଇବା ପରେ କେବଳ ଧର୍ମକୁ ଆଖିଠାର ଭଳି କାର୍ଯ୍ୟାନୁଷ୍ଠାନ ହୁଏ। ଆଇନ ଥିଲେ କ’ଣ ହେବ? କ୍ରିୟାନ୍ୱୟନ ନ ହେବା ଫଳରେ କିଛି ପରିବର୍ତ୍ତନ ପରିଲକ୍ଷିତ ହେଉନାହିଁ। ଏହାର କାର୍ଯ୍ୟାନ୍ବୟନ ପାଇଁ କୌଣସି ଉତ୍ତରଦାୟିତ୍ବ ନାହିଁ। ସୁପ୍ରିମକୋର୍ଟ ଘଟନା ଘଟିବା ପରେ କେବଳ ମନ୍ତବ୍ୟ ଦେଇ ନିଜ କାମ ସାରିଦେଲେ। ରାଜ୍ୟ ସରକାର ମଧ୍ୟ ଲୋକ ସ୍ମୃତିକୁ ଅପେକ୍ଷା କରିଛନ୍ତି; ତା’ପରେ ପ୍ରଶାସନ ମଧ୍ୟ ଚୁପ୍। ଅନ୍ତରୀଣ କମିଟି କଥା କେହି ଗୁରୁତ୍ୱ ଦେବେ ନାହିଁ। ଏହା ହିଁ ଚିରାଚରିତ ଧାରା। ଏହି ଧାରାକୁ ଭାଙ୍ଗି ରୁଗ୍ଣ ପଡ଼ିଥିବା ଆଇନ ବ୍ୟବସ୍ଥାକୁ ଚଳଚଞ୍ଚଳ ବା କାର୍ଯ୍ୟକ୍ଷମ କଲେ ନାରୀ ସୁରକ୍ଷାକୁ ଶକ୍ତି ମିଳିପାରେ କିମ୍ବା ଗଳାବାଟକୁ ବନ୍ଦ କରିବାକୁ ନୂତନ ପ୍ରଯତ୍ନ କରିବାକୁ ଖୋରାକ ଯୋଗାଇ ପାରେ। ଏଣୁ ଏଥିପ୍ରତି ସୁପ୍ରିମକୋର୍ଟ ଓ ସରକାର ଯତ୍ନବାନ ହେବା ଦରକାର ଏବଂ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ସମସ୍ତ କ୍ଷେତ୍ରରେ କଡ଼ାକଡ଼ି ଭାବେ ଉତ୍ତରଦାୟିତ୍ବର ଆକଳନ ଓ ସେ ସଂପର୍କିତ ଦଣ୍ଡବିଧାନ କରିବା ଆବଶ୍ୟକ।