ଅଧା ପୃଥିବୀର ଅଧିଶ୍ବରୀ ସିଏ। ସାରା ଆକାଶ ତା’ର। ହେଲେ ଉଡ଼ାଣ ଭରିବା ପୂର୍ବରୁ କେବେକେବେ ଡେଣା କଟିଯାଉଛି ତ କେବେ ଉଜୁଡ଼ିଯାଉଛି ସ୍ବପ୍ନ; ପୁଣି ହୁତୁହୁତୁୁ ନିଆଁାରେ ଜଳିଯାଉଛି ଶରୀର। ସ୍ବାଭିମାନ ଓ ସମ୍ମାନର ସହ କେଉଁଠି ସେ ସୁରକ୍ଷିତ? ଘରେ ନା ସାଥୀମେଳରେ, ଶିକ୍ଷାନୁଷ୍ଠାନରେ ନା କର୍ମକ୍ଷେତ୍ରରେ? କେଉଁଠି ତା’ର ପ୍ରଶ୍ବାସରେ ଭରପୂର ଥିବ ବିଶ୍ବାସର ଅମ୍ଳଜାନ? ଶିରୋନାମା: ‘ଝିଅ’। ଏହି କ୍ରମରେ ଆସନ୍ତୁ କିଛି ପ୍ରଶ୍ନର ଉତ୍ତର ଖୋଜିବା ପରିଚିତା ନାରୀମାନଙ୍କଠାରୁ। ଆଜିର ଅତିଥି ସୁଖ୍ୟାତ ସାହିତ୍ୟିକା ସରୋଜିନୀ ସାହୁ।
ଆପଣ ଜଣେ ସୁନାମଧନ୍ୟା ସାହିତ୍ୟିକା। ତେବେ ବୃତ୍ତିଗତ ଜୀବନରେ ଆପଣ ଜଣେ ଅଧ୍ୟାପିକା ଥିଲେ। ଆପଣଙ୍କ ଅଧ୍ୟାପନା କାଳରେ ଶୈକ୍ଷିକ ବାତାବରଣ ଛାତ୍ରୀମାନଙ୍କ ପାଇଁ କେମିତି ଥିଲା?
ମୁଁ ରାଜ୍ୟର ଉପାନ୍ତ ଅଞ୍ଚଳ ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ କଲେଜରେ ଅଧ୍ୟାପିକା ଥିଲି। ଆମ କଲେଜରେ ଛାତ୍ରଙ୍କ ତୁଳନାରେ ଛାତ୍ରୀ ଅଧିକ ଥିଲେ। ଟାଟା ରିଫ୍ରାକ୍ଟ୍ରିଜ୍, ବିଭିନ୍ନ ଖଣି ଅଞ୍ଚଳ ଓ ଗଁାଗଣ୍ଡାରୁ ପ୍ରତିଦିନ ଝିଅମାନେ କଲେଜକୁ ପଢ଼ିବାକୁ ଆସୁଥିଲେ। ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ହୋଇ ରହିବା ପଛରେ ଅଧ୍ୟକ୍ଷ, ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କର ପ୍ରମୁଖ ଭୂମିକା ଥିଲା। କେବେ ଯଦି କୌଣସି ଅପ୍ରୀତିକର ଘଟଣା କୌଣସି ଅଧ୍ୟାପକ କିମ୍ବା ଅଧ୍ୟାପିକାଙ୍କ ନଜରରେ ପଡୁଥିଲା ସେ ଯେଉଁ ବିଭାଗର ହୁଅନ୍ତୁ ପଛେକେ, ତୁରନ୍ତ ଘଟଣା କ’ଣ ବୁଝି ସମାଧାନର ରାସ୍ତା ବାହାର କରନ୍ତି। ଅଧ୍ୟକ୍ଷଙ୍କ କାନରେ ମଧ୍ୟ କଥା ପଡୁଥିଲା। ଅଧ୍ୟକ୍ଷ ଛାତ୍ର/ଛାତ୍ରୀଙ୍କୁ ଡକେଇ ସମାଧାନ କରିଥା’ନ୍ତି। କେବେ କେବେ ପିଲାର ଅଭିଭାବକଙ୍କୁ ମଧ୍ୟ ଡକାଯାଇ ପିଲା ସଂପର୍କରେ ଅବଗତ କରାଯାଉଥିଲା। କଲେଜରେ ରାଜନୈତିକ କାର୍ଯ୍ୟକଳାପକୁ ବିଶେଷ ଗୁରୁତ୍ବ ଦିଆଯାଉ ନ ଥିଲା। ଥରେ ଜଣେ ଅଧ୍ୟାପକ କୌଣସି ଛାତ୍ରୀ ଉପରେ ଅଶୋଭନୀୟ ମନ୍ତବ୍ୟ ଦେଇଥିଲେ ବୋଲି ଉତ୍ତେଜନା ପ୍ରକାଶ ପାଇଥିଲା। ଷ୍ଟାଫ୍ କାଉନ୍ସିଲ୍ର ନିଷ୍ପତ୍ତି ଅନୁଯାୟୀ, ଉକ୍ତ ଅଧ୍ୟାପକଙ୍କୁ କ୍ଷମା ମାଗିବାକୁ କୁହାଯାଇଥିଲା।
ଆପଣଙ୍କ କୌଣସି ଲେଖାରେ ବୃତ୍ତିଗତ ଜୀବନରେ ଦେଖିଥିବା, ଶୁଣିଥିବା କି ଭୋଗିଥିବା ନିପୀଡ଼ନର କାହାଣୀ ଅଛି କି?
ହଁ, ଅଛି। ମୁଁ ଯେତେବେଳେ ନୂଆ ହେଇ କଲେଜରେ ଯୋଗଦେଇଥିଲି କାହିଁକି କେଜାଣି ମୋ ବିଭାଗ ମୁଖ୍ୟ ଓ ସେତେବେଳର ଅସ୍ଥାୟୀ ଅଧ୍ୟକ୍ଷ, ମୋ ଉପସ୍ଥିତି ସହ୍ୟ କରିପାରି ନଥିଲେ। ସେ ମୋତେ କ୍ଲାସ୍ ଦେବାରେ ହଇରାଣ କରୁଥିଲେ। କିଛିଦିନ ନାଟକ ପଢ଼େଇବା ପରେ, ନୀଳଶୈଳ ଉପନ୍ୟାସ ପଢ଼େଇବାକୁ କହୁଥିଲେ। ଉପନ୍ୟାସରୁ ବାହାର କରି ଆଣି ଗଳ୍ପ ଅବା କାବ୍ୟକବିତା ଏଇଭଳି କିଛି ମାସ ଚାଲିବା ପରେ ସେ ମୋ’ ନଁାରେ ଅଭିଯୋଗ ଅଣିଥିଲେ। କିଛି ପିଲାଙ୍କୁ କହି ମୋ’ ବିରୋଧରେ ଦସ୍ତଖତ ସଂଗ୍ରହ କରାଇଥିଲେ ଯେ ମୁଁ ‘ରେପ୍’ ପରି ଗଳ୍ପ େଲଖିଥିବାରୁ ମୁଁ ଜଣେ ଶିକ୍ଷାବିତ୍ ହେବାକୁ ଅେଯାଗ୍ୟ। ଏଇସବୁ ଅସହାୟତାକୁ ନେଇ ମୁଁ ‘ଜହ୍ଲାଦ’ ନଁାରେ ଗପଟେ ଲେଖିଥିଲି ସେ ସମୟରେ ଯାହା ‘କଥା’ରେ ପ୍ରକାଶ ପାଇଥିଲା। ଜହ୍ଲାଦ ଗପ ପାଇଁ ମୋ’ ବିରୋଦ୍ଧରେ ମହାଅଭିଯୋଗ ଅାସିଥିଲା। ଷ୍ଟାଫ୍ କାଉନ୍ସିଲ୍ରେ ମୋତେ କ୍ଷମା ମାଗିବା ପାଇଁ ବାଧ୍ୟ କରାଯାଇଥିଲା। କେବଳ ସେତିକି ନୁହେଁ, ସେ ଅଞ୍ଚଳର କିଛି ଶିକ୍ଷାବିତ୍ ଓ ମ୍ୟାନେଜ୍ମେଣ୍ଟଙ୍କ ମିଳିତ ମିଟିଂରେ ମୋ’ ନଁାରେ ଅଭିଯୋଗ ଉପସ୍ଥାପନ କରାଯାଇଥିଲା। ଭଗବାନଙ୍କୁ ଅଶେଷ ଧନ୍ୟବାଦ ମିଳିତ କମିଟି, ମୋ’ ଲେଖାଲେଖିକୁ ମୋର ବ୍ୟକ୍ତିଗତ ଜୀବନ କହି ମୋତେ ଦୋଷମୁକ୍ତ କରିଥିଲେ। ମୋ’ ସ୍ବାମୀ ଚାହୁଥିଲେ ମୁଁ ଚାକିରିରୁ ଇସ୍ତଫା ଦେଇଦିଏ, ମାତ୍ର ଏତେ ଲଢ଼ିବା ପରେ ମୁଁ ଛାଡ଼ିବାକୁ ଚାହି ନ ଥିଲି।
ଝିଅଟିଏ ସଂକ୍ଷିପ୍ତ ପୋଷାକ ପିନ୍ଧିବା, ପୁରୁଷବନ୍ଧୁ ସହ ବୁଲିବା, ଧୂମ୍ରପାନ କରିବା ଇତ୍ୟାଦି ପାଇଁ ତା’କୁ ଅଶୋଭନୀୟ ଆଚରଣ କରିବା ବା ଦୁଷ୍କର୍ମ କରିବା ବଢ଼ିଯାଇଛି, ଆପଣ ଏହାକୁ କେମିତି ଗ୍ରହଣ କରନ୍ତି?
ଝିଅଟିଏ ସଂକ୍ଷିପ୍ତ ପୋଷାକ ପିନ୍ଧିବା, ଧୂମ୍ରପାନ କରିବା ଓ ପୁରୁଷବନ୍ଧୁ ସହ ବୁଲିବା ଭଳି ଅପସଂସ୍କୃତି ଦ୍ବାରା ଆଜିର ଯୁବପିଢ଼ି ଖୁବ୍ ପ୍ରଭାବିତ ହେଉଛନ୍ତି। ହଟ୍ପ୍ୟାଣ୍ଟ୍ ପିନ୍ଧି ବୁଲିବାଟାକୁ କଦାପି ନାରୀ ସ୍ବାଧୀନତା କୁହାଯାଇ ନ ପାରେ। ଏହା ଗୋଟେ ପ୍ରକାର ପାଶ୍ଚାତ୍ୟ ସଂସ୍କୃତି ପ୍ରତି ଆକର୍ଷଣ ମାତ୍ର। ଏହା ଏକପ୍ରକାର ଉଚ୍ଛୃଙ୍ଖଳତା। ବାପାମା’ଙ୍କ ସଙ୍ଗେ ପ୍ୟାଣ୍ଟ ପିନ୍ଧି ମଲ୍ରେ ବୁଲୁଥିବା ଝିଅମାନଙ୍କୁ ମୁଁ ଦେଖିଛି। ଯେଉଁମାନଙ୍କର ସଂସ୍କାର ଶିଖାଇବା କଥା ସେମାନେ ଯଦି ଏହାକୁ ଆଧୁନିକତା ଓ ସେମାନଙ୍କର ଷ୍ଟାଟସ୍ର ପ୍ରତୀକ ଭାବିବେ, ଅନ୍ୟମାନେ ବା କ’ଣ କହିପାରିବେ! ପିଲାଟିଏ ପରିବାରରୁ ସଂସ୍କାର ଶିଖିଥାଏ। ମାତ୍ର ଆଜିକାଲି ବାପାମା’ଙ୍କ ପାଖରେ ସମୟ ଯେମିତି ଅଭାବ! ତେଣୁ ପିଲା କେତେବେଳେ ଘରକୁ ଫେରୁଛି, କେତେବେଳ ଯାଏ ଶୋଇରହୁଛି, ଏସବୁ ପାଇଁ ଧ୍ୟାନ ନାହିଁ। ତେବେ ଦୁଃଖର ବିଷୟ ଯେ ଏମାନଙ୍କ ଅପେକ୍ଷା ସୁଶୀଳା, ପୂରା ପୋଷାକ ପିନ୍ଧିଥିବା ଝିଅମାନେ ବେଶି ଅଶୋଭନୀୟ ଆଚରଣ ଓ ଦୁଷ୍କର୍ମର ଶିକାର ହେଉଛନ୍ତି। ଏହା ପଛରେ ପୋଷାକ, ଧୂମ୍ରପାନ ଅପେକ୍ଷା ମୋବାଇଲ୍ ଫୋନ୍ ଓ ସୋସିଆଲ୍ ମିଡିଆ ଅଧିକ ଦାୟୀ ମନେହେଉଛି।
ଫକୀରମୋହନଙ୍କ ରେବତୀ ଓ ଆଜିର ରେବତୀ ଭିତରେ ପାର୍ଥକ୍ୟ କ’ଣ?
ଫକୀରମୋହନଙ୍କ ରେବତୀ ପାଠ ପଢ଼ିବାକୁ ଚାହିଥିଲା। ମାତ୍ର ବାସୁ ମାଷ୍ଟରଙ୍କୁ ଚାହିଁ ସେ କେବେ ସିଧାସଳଖ କଥା ହୋଇ ନ ଥିଲା। ଭରସା, ବିଶ୍ବାସ ଓ ଭଲପାଇବାଟେ ଥିଲା ତ। କିନ୍ତୁ ଆଜିର ରେବତୀ ବଜାରବାଦର କିଣାବିକାରେ ଅତିଷ୍ଠ। ଅବଶ୍ୟ ଏକଥା ମାନିବାକୁ ହେବ ଯେ, ବଜାରବାଦ ଆଜିର ରେବତୀକୁ କିଣାବିକାର କଳା ଶିଖେଇଛି। ଯିଏ ତିଷ୍ଠି ପାରିଲା, ପାରିଲା। ଯିଏ ନ ପାରିଲା ଜଳିପୋଡ଼ି ହୋଇ ମରିବାକୁ ବାଧ୍ୟ ହେଲା। ଅବଶ୍ୟ ଏହା ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ। ଅନେକ ଝିଅ ଅଛନ୍ତି ବିଷମ ପରିସ୍ଥିତିରେ, ଆର୍ଥିକ ଅସ୍ବଚ୍ଛଳ ଅବସ୍ଥାରେ ବି ପାଠ ପଢ଼ି ଉପରକୁ ଯାଇଛନ୍ତି। ସେମାନଙ୍କ ସାଧନା ପାଇଁ ସେମାନେ ପ୍ରଶଂସାଯୋଗ୍ୟା।
ଫକୀରମୋହନ ରେବତୀ ପଢ଼ିବାକୁ ଚାହି, ଶୁଣିଥିଲା, ଲୋ ରେବି, ଲୋ ନିଅଁା, ଲୋ ଚୁଲି, ଆଜିର ରେବତୀ ପଢ଼ିବାକୁ ଚାହି ଗାଳିର ନିଅଁାକୁ ନୁହେଁ ପ୍ରକୃତ ନିଅଁାରେ ଆତ୍ମଦାହ କରୁଛି। ଶହେ ଦେଢ଼ଶହ ବର୍ଷ ଭିତରେ କିଛି ବଦଳିଛି କି?
ଝିଅମାନଙ୍କର ଗୋଟେ ସିକ୍ସଥ ସେନ୍ସ ଥାଏ ବୋଲି କୁହାଯାଏ। ସେମାନେ ଅନେକ ସମୟରେ ବିପଦର ସୂଚନା ଅନୁଭବ କରିପାରନ୍ତି। ଯେଉଁଠି ସେମାନେ ନିଜକୁ ବିପଦପୂର୍ଣ୍ଣ ଅବସ୍ଥାରେ ଅଛନ୍ତି ବୋଲି ମନେକରନ୍ତି, ଲୋକାଳୟ ଦେଖି ସୁରକ୍ଷିତ ସ୍ଥାନରେ ଓେହ୍ଲଇ ଯାଇ ପରିବାର ସହ ଯୋଗାଯୋଗ କରିବା ଉଚିତ। ସେଲ୍ଫ ଡିଫେନ୍ସ ପାଇଁ ଅାଜିକାଲି ଅନେକ ଛୋଟମୋଟ ଉପକରଣ ମିଳୁଛି, ଯାହା ଦରକାର ବେଳେ ବ୍ୟବହାର କରିବା ପାଇଁ, ବିଭିନ୍ନ ସଂସ୍ଥା ତରଫରୁ ସଚେତନ କରାଯାଉଛି, ସେସବୁକୁ ଗୁରୁତ୍ବର ସହ ନେବା ଉଚିତ। ସବୁଠୁ ବଡ଼ କଥା ହେଉଛି ଦୃଢ଼ ମନୋବଳ। ଦୃଢ଼ ମନୋବଳ ଅନେକ ସମୟରେ ପ୍ରତିପକ୍ଷକୁ ମାନସିକ ସ୍ତରରେ ଦୁର୍ବଳ କରିଦେଇଥାଏ। ଅପରାଧୀଙ୍କୁ ଯଦି ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯିବ ତେବେ ଅନେକ ପରିମାଣ ଅପରାଧ କମିଯିବ ଓ ନାରୀ ନିଜକୁ ସୁରକ୍ଷିତ ରଖିପାରିବ।