ପଇଁତିରିଶ ବର୍ଷ ତଳେ ଚାଇନାର ଜଣେ ଝିଅ ଓଡ଼ିଆ ପୁଅକୁ ବାହାହୋଇ ଗୋଟିଏ ଏକାନ୍ନବର୍ତ୍ତୀ ପରିବାରକୁ ଆସନ୍ତି। ଓଡ଼ିଶାର ଖାଦ୍ୟ, ବସ୍ତ୍ର, ସଂସ୍କୃତି, ପରମ୍ପରାକୁ ଆଗ୍ରହରେ ଆପଣେଇ ନିଅନ୍ତି। ଓଡ଼ିଆ ଭାଷ‌ା ସହିତ ଆଉ କେତୋଟି ଭାରତୀୟ ଭାଷା ଶିଖନ୍ତି। ବାଣୀବିହାରରେ ଅଧ୍ୟାପନା କରନ୍ତି ଏବଂ ବ୍ୟବସାୟ ପ୍ରତି ଆଗ୍ରହୀ ହୋଇ ଅଧୁନା ଏକ ସଫଳ ବ୍ୟବସାୟୀ ଭାବେ ଭାରତ ଓ ଚାଇନା ଭିତରେ ସଂଯୋଗ ସେତୁ ଭାବରେ କାମ କରୁଛନ୍ତି ମାଓ ୱାନ୍‌ ଚୁଁଇ

Advertisment

 ଆପଣ ଚୀନ୍‌ର ଝିଅ ଓଡ଼ିଶାର ବୋହୂ। ବିବାହ ପରେ ଚୀନ୍‌ର ଜଣେ ନାରୀର ଜୀବନ ଏବଂ ଓଡ଼ିଶାର ଜଣେ ବୋହୂର ଜୀବନ ଭିତରେ କ’ଣ ପାର୍ଥକ୍ୟ ଅନୁଭବ କରିଛନ୍ତି?
ମୁଁ ୧୯୯୦ ମସିହାରେ ଓଡ଼ିଆ ଘରର ବୋହୂ ହୋଇ ଆସିଲି। ମୁଁ ଏଠିକି ଯେତେବେଳେ ବୋହୂ ହୋଇ ଆସିଲି ମୋର ସୌଭାଗ୍ୟ ଯେ ମୋ ଶାଶୂଶ୍ୱଶୁର ଆଧୁନିକ ଓ ପ୍ରଗତିଶୀଳ। ତାଙ୍କର ବୃହତ୍ତର ପରିବାର ଓ ଆତ୍ମୀୟମାନେ ରକ୍ଷଣଶୀଳ ହେଲେ ମଧ୍ୟ ଉଦାର ଓ ସ୍ନେହୀ। ତା’ ଛଡ଼ା ଏଠି ଜନସାଧାରଣ ମୋତେ ଏତେ ସ୍ନେହ ଓ ସମ୍ମାନ ଦେଉଥିଲେ ଯେ ମୋର ଘରେ କିମ୍ବା ବାହାରେ ଚଳିବାରେ ବିଶେଷ କିଛି ଅସୁବିଧା ହେଉ ନଥିଲା।  ଚୀନ୍‌ରେ କି ପୁଅ, କି ଝିଅ ତାକୁ ସ୍ୱାଧୀନ ଭାବେ ଗୋଟିଏ ବୃତ୍ତି ଆଦରି ନେବାକୁ ହେବ- ଏହା ସରକାରୀ ନୀତି ଓ ସାମାଜିକ ଚଳଣି ମାଧ୍ୟମରେ ପିଲାବେଳୁ ମୁଣ୍ଡରେ ଭର୍ତ୍ତି କରି ଦିଆଯାଇଥାଏ। ଚୀନ୍‌ରେ ଯୌତୁକପ୍ରଥା ନାହିଁ। ତେଣୁ ଝିଅକୁ କେହି ବୋଝ ବୋଲି ଭାବେ ନାହିଁ। ଭାରତରେ ଅନେକ ପରିବାରରେ ଝିଅ ପଦାକୁ ଗୋଡ଼ କାଢ଼ିବାକୁ ବାରଣ କରାଯାଏ। ଶିକ୍ଷାଦାନ କ୍ଷେତ୍ରରେ ମଧ୍ୟ ପୁଅ-ଝିଅଙ୍କ ଭିତରେ ତଳ ସ୍ତରରେ ବାରଣ ରହିଥିବା ଶୁଣିଛି। ଏସବୁ ଶୀଘ୍ର ଦୂର ହେବା ଉଚିତ। ବିବାହ କ୍ଷେତ୍ରରେ ଜାତିଆଣଭାବ ଓ ଯୌତୁକପ୍ରଥା ରହିବା ଉଚିତ ନୁହେଁ।

 ଆପଣ ଚୀନା ଭାଷା ବ୍ୟତୀତ ଓଡ଼ିଆ ସମେତ ଆଉ କେତୋଟି ଭାରତୀୟ ଭାଷା ଅଳ୍ପ ବହୁତ ଶିଖି ପାରିଛନ୍ତି। ଆପଣ ଉତ୍କଳ ବିଶ୍ୱବିଦ୍ୟାଳୟରେ କିଛି କାଳ ଚୀନା ଭାଷା ଶିକ୍ଷା ଦେଉଥିଲେ। ଆପଣ ଓଡ଼ିଆ ଶିଖିଲା ପରି ଓଡ଼ିଆ ପିଲାଏ ଚୀନା ଭାଷା ଶିଖିପାରିଲେ କି?
ମୋର ଓଡ଼ିଶା ଆଗମନ କେବଳ ଏକ ଭୌଗୋଳିକ ସ୍ଥାନାନ୍ତର ନଥିଲା। ଏହାଥିଲା ଏକ ସାଂସ୍କୃତିକ ତୀର୍ଥଯାତ୍ରା। ମୁଁ ଏଠାକୁ ଆସିବାବେଳେ ଚୀନା ଭାଷା ଛଡ଼ା ଆଉ କୌଣସି ଭାଷା ଜାଣି ନଥିଲି। ଇଂରାଜୀରେ ଖଣ୍ଡିଉଡ଼ା ଦେଉଥିଲି। ରୋଷେଇଶାଳରେ ଶାଶୂଙ୍କୁ ରୋଷେଇରେ ସାହାଯ୍ୟ କରିବାକୁ ଯାଇ ଓଡ଼ିଆ ଶୀଘ୍ର ଶୀଘ୍ର ଶିଖିବାକୁ ବାଧ୍ୟହେଲି। ମୋ ଶ୍ୱଶୁର ମୋ ସହିତ ଇଂରାଜୀରେ ଏବଂ ସ୍ୱାମୀ ଚୀନା ଭାଷା ସହିତ ଓଡ଼ିଆ ମିଶାଇ କଥା ହେବାରୁ ଉଭୟ ଓଡ଼ିଆ ଓ ଇଂରାଜୀରେ କଥାବାର୍ତ୍ତା ସହଜ ଓ ମାର୍ଜିତ ହୋଇଗଲା। ଆବଶ୍ୟକତାବୋଧ ସବୁ ଉଦ୍ଭାବନ ଓ ଆବିଷ୍କାରର ଜନକ ବୋଲି କୁହାଯାଏ। କେବଳ ସଉକରେ ଭାଷା ଶିଖିବା କଷ୍ଟ ଓ ସମୟସାପେକ୍ଷ।

ବାଣୀବିହାରରେ ମୁଁ ଯେତେବେଳେ ଚୀନା ଭାଷା ପଢ଼ାଇଲି ସେ ଛାତ୍ରଛାତ୍ରୀ ବୃତ୍ତି ଅନ୍ୱେଷଣରେ ଥିଲେ। ଭାରତରେ ସରକାରଙ୍କ ଗୃହବିଭାଗ, ଆଇନ ବିଭାଗ ଓ ଦୂତାବାସରେ ଚୀନା ଭାଷା ଜାଣିଥିବା ବ୍ୟକ୍ତିଙ୍କର ଆବଶ୍ୟକତା ଥିଲା। ସନ୍ତୋଷର ବିଷୟ, ମୋ ପାଖରୁ ଚୀନା ଭାଷା ଶିକ୍ଷା କରିଥିବା ଅନେକ ଛାତ୍ର ଉଭୟ ଭାରତରେ ଓ ଚୀନ୍‌ରେ ବିଭିନ୍ନ କାର୍ଯ୍ୟରେ ଅବସ୍ଥାପିତ ହୋଇ ପାରିଛନ୍ତି। ମୁଁ ଜାଣେନା, କେଉଁ କାରଣରୁ ଏଠି ଚୀନା ବିଭାଗ ହଠାତ୍‌ ବନ୍ଦ କରି ଦିଆଗଲା। ଏବେ ଯେତେବେଳେ ଉଭୟ ସରକାରଙ୍କ ଭିତରେ ରାଜନୈତିକ, ବାଣିଜ୍ୟଗତ ଓ ସାଂସ୍କୃତିକ ସଂପର୍କ ବଢୁଛି ଆମ ଓଡ଼ିଶାରେ ଚୀନା ଭାଷା ଶିକ୍ଷା ପୁନଃପ୍ରଚଳନ ହେବା ଉଚିତ। ପ୍ରକାଶଥାଉ କି, ଚୀନ୍‌ରେ ହିନ୍ଦୀ ଓ ସଂସ୍କୃତ ଶିକ୍ଷାର ଅନେକ ସୁଯୋଗ ରହିଛି। ଶୁଣିଛି, ଓଡ଼ିଶାର ଖ୍ୟାତନାମା ପ୍ରଫେସର ସ୍ୱର୍ଗୀୟ ପ୍ରହଲ୍ଲାଦ ପ୍ରଧାନ ଏକଦା ବେଜିଂ ବିଶ୍ୱବିଦ୍ୟାଳୟରେ ସଂସ୍କୃତ ଓ ପାଲି ଭାଷାର ମୁଖ୍ୟ ଅଧ୍ୟାପକ ଥିଲେ।

 ଭାରତ ଓ ଚୀନ୍‌ର ସାମାଜିକ ଜୀବନରେ, ଅର୍ଥାତ୍‌ ଘରେ ଓ ବାହାରେ ନାରୀର ସ୍ଥାନ ଓ ଭୂମିକା ଭିତରେ କ’ଣ ପାର୍ଥକ୍ୟ ଅନୁଭବ କରନ୍ତି? କେଉଁ କଥାଟି ଆପଣଙ୍କୁ ଦୁଃଖୀ କରେ, ପୁଣି କେଉଁ କଥାଟି ଆପଣଙ୍କୁ ଆନନ୍ଦ ଦିଏ?
ଭାରତ ଭଳି ଚୀନ୍‌, ଏପରିକି ପୃଥିବୀର ସର୍ବତ୍ର ସମାଜ ଅଳ୍ପବହୁତ ପୁରୁଷଙ୍କ ପ୍ରାଧାନ୍ୟକୁ ସ୍ୱୀକାର କରିନେଇଛି। ତଥାପି ଆମ ଉଭୟ ଦେଶରେ ଧୀରେ ଧୀରେ ଏ ନିଗଡ଼ ବନ୍ଧନ ଭାଙ୍ଗୁଛି। ମୋର ଦୁଃଖ ତିନିଟି। ପ୍ରଥମତଃ, ରାଷ୍ଟ୍ର-ରାଷ୍ଟ୍ର ଭିତରେ ସଂପର୍କ ଯାହା ହେଉ, ଉଭୟ ଦେଶର ଜନସାଧାରଣଙ୍କ ଭିତରେ ସଂପର୍କ କାହିଁକି ତିକ୍ତ ହେବ? ମୋ ଶାଶୂ ଚୀନ୍‌ରେ ୨ ଥରରେ ଛ’ ମାସ ରହିକି ଆସିଛନ୍ତି। ସେ ସଂପୂର୍ଣ୍ଣ ନିରାମିଷାଶୀ। ଓଡ଼ିଆ ଛଡ଼ା ଆଉକିଛି ଭାଷା ଜାଣନ୍ତି ନାହିଁ। ଇଂରାଜୀରେ ଖଣ୍ଡିଉଡ଼ା ଦିଅନ୍ତି। ୬ ମାସ ଭିତରେ ସେ ଆମ ଘର, ପଡ଼ୋଶୀଙ୍କ ଠାରୁ ଓ ଦୋକାନ ବଜାରରୁ ଏତେ ସ୍ନେହ ସମ୍ମାନ ପାଇଛନ୍ତି ଯେ ଏବେ ପୁଣି ଚୀନ୍‌ ଯିବେ ବୋଲି ବାହାରିଛନ୍ତି। 

ସେ ବହୁତ ଦୁଃଖିତ ଯେ ଚୀନ୍‌ର ଚାଲିଚଳଣି, ଖାଦ୍ୟପେୟ ଇତ୍ୟାଦିକୁ ନେଇ ଏଠି ଉଦ୍ଭଟ ଖବରମାନ ପ୍ରକାଶ ପାଉଛି। ସାଂଘାଇରେ ଥିବା ଭାରତୀୟ, ବିଶେଷ କରି ଓଡ଼ିଆଙ୍କ ଠାରୁ ଆପଣ ସେଠିକା ଜନସାଧାରଣଙ୍କ ଭିତରେ ଭାରତ ବିରୁଦ୍ଧରେ ଏପରି କୁତ୍ସା ପ୍ରଚାର ଶୁଣିଛନ୍ତି କି? ସେମାନଙ୍କୁ ପଚାରନ୍ତୁ। ମୋର ଦ୍ୱିତୀୟ ଦୁଃଖ, ଏକଦା ଗୋଟିଏ ନିର୍ଦ୍ଦିଷ୍ଟ ଘଟଣାରୁ ମୋର ଜଗନ୍ନାଥଙ୍କ ମାହାତ୍ମ୍ୟ ଉପରେ ବିଶ୍ୱାସ ଆସିଗଲା। ମୁଁ ଶ୍ରୀମନ୍ଦିର ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଚାହିଲି। ମାତ୍ର ମୋତେ ସେ ଅନୁମତି ମିଳିଲା ନାହିଁ। ସେଦିନ ମୋତେ ଖୁବ୍‌ ଆଘାତ ଲାଗିଥିଲା। ଅବଶ୍ୟ କଟକ ଖାନ୍‌ନଗରରେ ଥିବା ଆମ ପାରିବାରିକ ମନ୍ଦିରରେ ମୁଁ ଯାଇ ପୂଜାଅର୍ଚ୍ଚନା କରିଥାଏ। ମୁଁ ଚୀନ୍‌ରେ ସାବିତ୍ରୀ ଓଷା, ଶିବରାତ୍ରୀ ଆଦି ପାଳନ କରେ। ତୃତୀୟ ଦୁଃଖ, ମୁଁ ଓଡ଼ିଶାରେ ଦେଖୁଛି ସ୍ତ୍ରୀମାନଙ୍କ ଘରକରଣା କାର୍ଯ୍ୟରେ ପୁରୁଷମାନଙ୍କର ସହଯୋଗ ନାହିଁ। ଚୀନ୍‌ରେ ଆପଣ ଏସବୁ ଦେଖିବାକୁ ପାଇବେ ନାହିଁ। ସେଠି ରୋଷେଇଶାଳରୁ ଆରମ୍ଭ କରି ବ୍ୟବସାୟ ପର୍ଯ୍ୟନ୍ତ ସର୍ବତ୍ର ସ୍ୱାମୀମାନେ ସ୍ତ୍ରୀମାନଙ୍କୁ ପାଦେପାଦେ ସାହାଯ୍ୟ କରିଥାଆନ୍ତି।

 ଓଡ଼ିଶା, ଓଡ଼ିଆ ଭାଷା, ଓଡ଼ିଆ ଖାଦ୍ୟ, ଓଡ଼ିଆ ପର୍ବପର୍ବାଣି, ଓଡ଼ିଶାର ସ୍ଥାପତ୍ୟ, କଳା, ପୋଷାକ ଏସବୁ ବିଷୟରେ ଆପଣଙ୍କ ସଂକ୍ଷିପ୍ତ ଅଭିମତ ଆଶା କରିବୁ।
ଓଡ଼ିଆ ପର୍ବପର୍ବାଣି, ଓଡ଼ିଆ ଭାଷା, ଓଡ଼ିଆ ଖାଦ୍ୟ, ଓଡ଼ିଆ ପୋଷାକ ଏସବୁକୁ ନେଇ ମୋର ଅନେକ ଅଙ୍ଗେନିଭା ଅନ୍ତରଙ୍ଗ ଅନୁଭୂତିମାନ ରହିଛି। ସେ ଭିତରୁ ଗୋଟିଏ ହେଲା, ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ସହଯୋଗରେ ଆମେ ୨୦୧୦ ମସିହାରେ ସାଂଘାଇରେ ଏକ ରୋଡ୍‌ ସୋ’ କରିଥିଲୁ। ତଦାନୀନ୍ତନ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ସାଂଘାଇରେ ଆମର ଅତିଥି ହୋଇଥିଲେ। ଓଡ଼ିଶାର କଳା, ସ୍ଥାପତ୍ୟ, ପର୍ବପର୍ବାଣି, ଜନଜାତି ଇତ୍ୟାଦିଙ୍କ ବୈଶିଷ୍ଟ୍ୟକୁ ଭିତ୍ତିକରି ମୋ ସ୍ୱାମୀ ଗୁଡ଼ିଏ ସୁନ୍ଦର ବ୍ରୋସିଅର୍‌ ଓ ପୋଷ୍ଟର ତିଆରି କରିଥିଲେ। କିଛି ଚୀନା ସ୍ୱେଚ୍ଛାସେବିକାଙ୍କୁ ମୁଁ ଓଡ଼ିଆ ଅଭିବାଦନ ସହିତ କେତୋଟି ଶବ୍ଦ ଓ ବାକ୍ୟ ଶିଖାଇ ଦେଇଥିଲି। ରୋଡ଼୍ ସୋ’ର ସଫଳତା ହେତୁ ମନ୍ତ୍ରୀ ମହୋଦୟ ବେଶ୍‌ ସନ୍ତୋଷ ପ୍ରକାଶ କରିଥିଲେ। ଗତ ଅଗଷ୍ଟ ମାସରେ ସାଂଘାଇ ଠାରେ ଅନୁଷ୍ଠିତ ହୋଇଥିବା ଅାନ୍ତର୍ଜାତିକ ବାଣିଜ୍ୟ ମେଳାରେ ସାଂଘାଇରେ ଥିବା ଭାରତୀୟ କନ୍‌ସୁଲେଟ୍‌ର କନ୍‌ସୁଲ୍‌ ଜେନେରାଲ୍‌ ଭାରତ‌ ସହିତ ଚୀନ୍‌ର ସାମୁଦ୍ରିକ ଖାଦ୍ୟ ବ୍ୟବସାୟ ଅଭିବୃଦ୍ଧିରେ ମୋର କ୍ଷୁଦ୍ର ଅବଦାନକୁ ସ୍ବୀକାର କରି ମୋତେ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶାରେ ଆମ ପରିବାର ଏକ ସଂସ୍କୃତି ଓ କଳାପ୍ରେମୀ ପରିବାର। ମୋ ଶ୍ବଶୁର ହେଉଛନ୍ତି ବିଶିଷ୍ଟ କବି ଶୈଳଜ ରବି। ମୋ ସ୍ବାମୀ ଚେ ଅଭିଜିତ୍‌ ସା‌ହୁ ଜଣେ ବ୍ୟବସାୟୀ ଓ ଚିତ୍ରଶିଳ୍ପୀ। ପୁଅ ହୁଏନ୍‌ସାଂ ବୁଦ୍ଧପଦସାଂଘାଇସ୍ଥିତ ଗୋଟିଏ ବ୍ରିଟିସ୍‌ ବ୍ୟ‌ାଙ୍କ୍‌ର କର୍ମଚାରୀ ଓ ଝିଅ ବିଦିଶା କାଲିଫର୍ଣ୍ଣିଆରେ ପାଶ୍ଚାତ୍ୟ ଶାସ୍ତ୍ରୀୟ ନୃତ୍ୟ-ସଂଗୀତ ଛାତ୍ରୀ।