ଓଡ଼ିଆ ଜାତୀୟତାବାଦର ମନ୍ତ୍ରଦାତା, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣୀ ଓ ଓଡ଼ିଆ ସ୍ବାଭିମାନର ପ୍ରତୀକ ଉତ୍କଳଗୌରବ ମଧୁସୂଦନ ଦାସ ୧୮୪୮ ଏପ୍ରିଲ ଆଜିର ଦିନରେ ସତ୍ୟଭାମାପୁର ଠାରେ ଜନ୍ମ ହୋଇଥିଲେ। ତାଙ୍କ ଜନ୍ମଦିନକୁ ରାଜ୍ୟବ୍ୟାପୀ ସ୍ବାଭିମାନ ଦିବସ ରୂପେ ପାଳନ କରାଯାଉଛି। ଇଂରେଜ ଶାସନ କାଳରେ ଓଡ଼ିଆ ଜାତିକୁ ଆତ୍ମପରିଚିତିର ସଂକଟରୁ ଉଦ୍ଧାର କରିବାରେ ତାଙ୍କର ଭୂମିକା ଅବିସ୍ମରଣୀୟ। ଜଣେ ଓକିଲ, ସାମ୍ବାଦିକ, ଲେଖକ, ବିଧାନ ପରିଷଦ ସଦସ୍ୟ, ରାଜନେତା ଓ ସମାଜ ସଂସ୍କାରକ ଭୂମିକାରେ ସେ ଓଡ଼ିଶାବାସୀଙ୍କର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଉନ୍ନତି ଲାଗି ନିଜ ସମଗ୍ର ଜୀବନକୁ ଉତ୍ସର୍ଗ କରିଦେଇଥିଲେ। ତାଙ୍କ ପିଲାଦିନର ନାମ ଥିଲା ଗୋବିନ୍ଦବଲ୍ଲଭ। କଟକରେ ସ୍କୁଲ୍ ଶିକ୍ଷା ସାରିବା ପରେ ସେ ଉଚ୍ଚଶିକ୍ଷା ପାଇଁ କଲିକତା ଚାଲିଯାଇଥିଲେ। ସେଠାରେ ସେ ପ୍ରଥମ ଓଡ଼ିଆ ଭାବରେ ସ୍ନାତକ ଡିଗ୍ରି ହାସଲ କରିଥିଲେ।
ସ୍ନାତକୋତ୍ତର ଓ ଆଇନ ଡିଗ୍ରି ହାସଲ କରିବା ସଙ୍ଗେ ସଙ୍ଗେ ବିଲାତ ଯାତ୍ରା କରିବା, ମନ୍ତ୍ରୀ ତଥା ଜାତୀୟ ନେତା ହେବାରେ ମଧ୍ୟ ସେ ପ୍ରଥମ ଓଡ଼ିଆ ହୋଇଥିଲେ। ବାରିଷ୍ଟରି ନ ପଢ଼ି ମଧ୍ୟ ଲୋକମୁଖରେ ସେ ‘ମଧୁ ବାରିଷ୍ଟର୍’। ଓଡ଼ିଆଙ୍କ ହୃଦୟରେ ଦେଶାତ୍ମବୋଧ ଭାବନା ଉଦ୍ରେକ କରିବାକୁ ‘ଉତ୍କଳ ସନ୍ତାନ’, ‘ଜାତି ଇତିହାସ’, ‘ଜନନୀର ଉକ୍ତି’ ଭଳି ଶକ୍ତିଶାଳୀ କବିତା ରଚନା କରିଥିଲେ। ତାଙ୍କ ଉଦ୍ୟମରେ ୧୯୦୩ରେ ‘ଉତ୍କଳ ସମ୍ମିଳନୀ’ ଜନ୍ମ ନେଇଥିଲା। ଏହା କ୍ରମେ ରାଜ୍ୟବ୍ୟାପୀ ଆନ୍ଦୋଳନରେ ପରିଣତ ହୋଇଥିଲା। ଏହି ଅନ୍ଦୋଳନର ଫଳସ୍ବରୂପ ୧୯୩୬ ଏପ୍ରିଲ ପହିଲାରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ମିଳିଥିଲା। ଓଡ଼ିଶାରେ ସ୍ବଦେଶୀ ଶିଳ୍ପର ଉନ୍ନତି ପାଇଁ ସେ ‘ଉତ୍କଳ ଟ୍ୟାନେରି’ ଓ ‘ଓଡ଼ିଶା ଆର୍ଟୱେର୍’ ପ୍ରତିଷ୍ଠା କରିଥିଲେ। କଟକର ତାରକସି ଶିଳ୍ପକୁ ବିଶ୍ବ ଦରବାରରେ ପରିଚିତ କରାଇବାରେ ତାଙ୍କର ଅନବଦ୍ୟ ଭୂମିକା ରହିଥିଲା। ବିଚକ୍ଷଣ ଓକିଲାତି ବଳରେ ସେ ପୁରୀ ଶ୍ରୀମନ୍ଦିରକୁ ଇ˚ରେଜ ସରକାରଙ୍କ ଷଡ୍ଯନ୍ତ୍ରରୁ ମୁକ୍ତ କରିପାରିଥିଲେ। ସେ ନାରୀ ସଶକ୍ତୀକରଣ, ଧର୍ମ ନିରପେକ୍ଷତା ଓ ସାଂପ୍ରଦାୟିକ ସଦ୍ଭାବନାର ଜଣେ ମୁଖର ସମର୍ଥକ ଥିଲେ। ଜୀବନର ଶେଷ ମୁହୂର୍ତ୍ତରେ ସେ କହିଥିଲେ- ‘ମୁଁ ତ ଯାଉଛି, ମନେ ରଖିଥିବ ଜଣେ ଓଡ଼ିଆ ଥିଲା।’ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଦୁଇ ବର୍ଷ ପୂର୍ବରୁ ୧୯୩୪ ଫେବ୍ରୁଆରି ୪ରେ ଉତ୍କଳଗୌରବ ମଧୁସୂଦନଙ୍କ ତିରୋଧାନ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/64f65s46hsfsfhsfh.jpg)