କଥାକାର ଗୋପୀନାଥ ମହାନ୍ତି
ଗୋପୀନାଥ ମହାନ୍ତି ଓଡ଼ିଆ କଥା-ସାହିତ୍ୟର ଜଣେ ଅସାମାନ୍ୟ, ସମ୍ବେଦନଶୀଳ ସ୍ରଷ୍ଟା। ତାଙ୍କ ସୃଷ୍ଟିର ଦିଗନ୍ତ ଖୁବ୍ ବ୍ୟାପକ ଏବ˚ ସମୃଦ୍ଧ। ତାଙ୍କ ଭାଷା ଅତି ଜୀବନ୍ତ ଏବ˚ ଶୈଳୀ ଖାଣ୍ଟି ଓଡ଼ିଆ। ଏକାଧାରରେ ସେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର, ନିବନ୍ଧକାର ଓ ଅନୁବାଦକ। ଓଡ଼ିଆ ସାହିତ୍ୟରେ ପ୍ରଥମଥର ପାଇଁ ତାଙ୍କ ଲେଖନୀରେ ଶାନ୍ତ, ସରଳ ନିରୀହ ଆଦିବାସୀଙ୍କ ଜୀବନଗାଥା ହିଁ ରୂପାୟିତ ହୋଇଥିଲା। ସେଇ ପଟ୍ଟଭୂମିରେ ସେ ରଚନା କରିଥିଲେ ‘ପରଜା’, ‘ଦାଦି ବୁଢ଼ା’, ‘ମାଟି ମଟାଳ’, ଅମୃତର ସନ୍ତାନ’ ଭଳି କାଳଜୟୀ ଉପନ୍ୟାସ। ‘ମାଟି ମଟାଳ’ ପାଇଁ ପ୍ରଥମ ଓଡ଼ିଆ ଭାବେ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର ପାଇଥିଲେ। ‘ଅମୃତର ସନ୍ତାନ’ ଉପନ୍ୟାସ ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ମିଳିଥିଲା। ‘ମୁଁ ଲେଖେ କାହିଁକି’ ଶୀର୍ଷକରେ ସେ ଠାଏ ଲେଖିଥିଲେ- ‘‘ମୁଁ ମୋ’ର ଦେଖା, ଅଦେଖା ଜଗତକୁ ଭଲପାଏ; ମଣିଷକୁ ଭଲପାଏ; ଜୀବନକୁ ଭଲପାଏ।... ଏହି ତୀବ୍ର ସ˚ପର୍କ ଯୋଗୁଁ ଯେତେ ପ୍ରକାର ପ୍ରାଣର ଦାହ, ଘରର ସମସ୍ୟା, ପରର ଦୁଃଖ ନିଜର ହୋଇଯାଏ, ପୁଣି ବାହାରର ଆନନ୍ଦ ଉଲ୍ଲାସ ପଶେ ନିଜଠି।’’ ସେ ବୃତ୍ତିରେ ଥିଲେ ଜଣେ ପ୍ରଶାସକ; କିନ୍ତୁ ତାଙ୍କ ମନୋବୃତ୍ତି ଥିଲା ଜଣେ ସମ୍ବେଦନଶୀଳ ସ୍ରଷ୍ଟାର। ମାକ୍ସିମ୍ ଗର୍କିଙ୍କ ‘ମାଇଁ ୟୁନିଭର୍ସିଟିଜ୍’ ଓ ଲିଓ ଟଲ୍ଷ୍ଟୟଙ୍କ ‘ଵାର୍ ଆଣ୍ତ୍ ପିସ୍’ ପୁସ୍ତକର ସେ ସଫଳ ଓଡ଼ିଆ ଅନୁବାଦ କରିଥିଲେ। ‘ସ୍ରୋତସ୍ବତୀ’ ଗୋପୀନାଥଙ୍କ ଆତ୍ମଚରିତ। ୧୯୮୧ରେ ତାଙ୍କୁ ଭାରତ ସରକାର ‘ପଦ୍ମଭୂଷଣ’ ଉପାଧିରେ ସମ୍ମାନିତ କରିଥିଲେ। କଟକ ଜିଲ୍ଲା ଅନ୍ତର୍ଗତ ସିଜୁଆ ନଦୀକୂଳ ଗାଁ ନାଗବାଲିରେ ଗୋପୀନାଥଙ୍କ ଜନ୍ମ। ଓଡ଼ିଆ ସାହିତ୍ୟର ଏହି କି˚ବଦନ୍ତି ପୁରୁଷ ୧୯୯୧ ମସିହା ଅଗଷ୍ଟ ୨୦ ତାରିଖରେ ଇହଲୋକରୁ ବିଦାୟ ନେଇଥିଲେ।
/sambad/media/post_attachments/wp-content/uploads/2023/08/56456fs46f5h4f6h5sfh.jpg)
ରାଜୀବ ଗାନ୍ଧୀ
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ୧୯୪୪ ମସିହା ଅଗଷ୍ଟ ୨୦ ତାରିଖରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୮୪-୮୯ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଥିଲେ। ୧୯୮୪ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ କଂଗ୍ରେସ ଲୋକସଭା ନିର୍ବାଚନରେ ୪୦୪ଟି ଆସନ ପାଇଥିଲା। ଏହାପରେ ରାଜୀବ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ରାଜୀବ ଗାନ୍ଧୀ ଏୟାର ଇଣ୍ଡିଆରେ ପାଇଲଟ୍ ଥିଲେ। ରାଜୀବ ଗାନ୍ଧୀ ଇଞ୍ଜିନିୟରିଂ କରିବା ପାଇଁ ପ୍ରଥମେ ଲଣ୍ଡନ ଏବଂ ପରେ କେମ୍ବ୍ରିଜର ଟ୍ରିନିଟି କଲେଜରୁ ତିନି ବର୍ଷର ଶିକ୍ଷା ନେଇଥିଲେ। ପରେ ସେ ଲଣ୍ଡନର ଇମ୍ପେରିଆଲ୍ କଲେଜରେ ମେକାନିକାଲ୍ ଇଞ୍ଜିନିୟରିଂରେ ଆଡ୍ମିସନ୍ କରିଥିଲେ, ହେେଲ ଖୁବ୍ କମ୍ ଦିନ ପରେ ସେ ଭାରତ ଫେରି ଆସିଥିଲେ। ପରେ ଦିଲ୍ଲୀର ଫ୍ଲାଇଙ୍ଗ୍ କ୍ଲବ୍ରେ ପାଇଲଟ୍ ଟ୍ରେନିଂ ନେଇଥିଲେ। ରାଜୀବ ୧୯୭୦ ମସିହାରେ ଏୟାର ଇଣ୍ଡିଆ ସହିତ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୦ରେ ସେ ରାଜନୀତିରେ ପାଦ ଦେଇଥିଲେ। ମାତ୍ର ୪୦ ବର୍ଷ ବୟସରେ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ରାଜୀବ ଗାନ୍ଧୀ ଭାରତର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ। ରାଜୀବ ଗାନ୍ଧୀଙ୍କ ସରକାର ୧୮ ବର୍ଷ ବୟସର ଯୁବକଙ୍କୁ ଭୋଟ୍ ଦେବାର ଅଧିକାର ଦେଇଥିଲେ। ଚେନ୍ନାଇ ନିକଟସ୍ଥ ଶ୍ରୀପେରୁମ୍ବୁଦୁର ଠାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ଅବସରରେ ମେ ୨୧ ତାରିଖ ୧୯୯୧ ମସିହାରେ ଏଲ୍ଟିଟିଇ ଆତ୍ମଘାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। କୁହାଯାଏ ରାଜୀବ ଗାନ୍ଧୀ ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏକି ନିଜ କାର୍ ଚଳାଇ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିଲେ। ଅନେକ ନିର୍ବାଚନ ରାଲିରେ ମଧ୍ୟ ସେ ନିଜ କାର ଚଳାଇ ପହଞ୍ଚୁଥିଲେ।
ବିଶ୍ବ ମଶା ଦିବସ
ପ୍ରତି ବର୍ଷ ଅଗଷ୍ଟ ୨୦ରେ ପାଳନ କରାଯାଉଛି ‘ବିଶ୍ବ ମଶା ଦିବସ’। ମାଈ ଏନୋଫିଲିସ୍ ମଶା ମାଧ୍ୟମରେ ମଣିଷ ମ୍ୟାଲେରିଆ ଆକ୍ରାନ୍ତ ହୁଏ। ୧୮୯୭ ଅଗଷ୍ଟ ଏହି ଦିନରେ ଏହା ଆବିଷ୍କାର କରିଥିଲେ ବୈଜ୍ଞାନିକ ସାର୍ ରୋନାଲ୍ଡ ରସ୍। ମଣିଷ ପାଇଁ ବିଶ୍ବର ସବୁଠାରୁ ବିପଜ୍ଜନକ କୀଟ ମଶା। ସାରା ବିଶ୍ବ ଏହାର ବାସସ୍ଥାନ। ଏସିଆ, ଆଫ୍ରିକା ଏବ˚ ଉତ୍ତର ଆମେରିକାର ମଶା ସବୁଠାରୁ ବିପଜ୍ଜନକ। ମାଈ ମଶାଙ୍କ ମାଧୢମରେ ମାଲେରିଆ, ନୀଳ ନଦୀର ଭୂତାଣୁ ବା ନାଇଲ୍ସ ଭାଇରସ୍, ୟେଲୋ ଫିଭର୍ ବା ପୀତ ଜ୍ବର, ଡେଙ୍ଗୁ, ଜିକା ଏବ˚ ଫାଇଲେରିଆ ଭଳି ଏକାଧିକ ରୋଗ ବ୍ୟାପିଥାଏ। ପ୍ରତିବର୍ଷ ବିଶ୍ବର ପ୍ରାୟ ସତୁରି କୋଟି ମଣିଷ ଏହିସବୁ ରୋଗ ଦ୍ବାରା ଆକ୍ରାନ୍ତ ହେଉଛନ୍ତି। ଠିକ୍ ସମୟରେ ଚିକିତ୍ସା କରା ନ ଗଲେ ମଣିଷଙ୍କ ପ୍ରାଣ ଯାଉଛି। ମଶାଙ୍କ ଯୋଗୁଁ ବାର୍ଷିକ ଅନ୍ୟୂନ ଦଶ ଲକ୍ଷ ମଣିଷଙ୍କ ଜୀବନ ଯାଉଛି। କେବଳ ମ୍ୟାଲେରିଆ କାରଣରୁ ପ୍ରତି ତିରିଶ ସେକେଣ୍ଡରେ ଜଣେ ଶିଶୁ ମରୁଛି। ମଶାଜନିତ ମୃତ୍ୟୁ ସଂଖ୍ୟା ଆଫ୍ରିକାରେ ସର୍ବାଧିକ। ଦ୍ବିତୀୟ ସ୍ଥାନରେ ଅଛି ଭାରତ। ବିଶ୍ବରେ ୩୫୦୦ ପ୍ରଜାତିର ମଶା ଦେଖାଯାଆନ୍ତି। ଏଥିରୁ ତିନିଟି ପ୍ରଜାତିର ମଶା ରୋଗ ବାହକ। ଏନୋଫିଲ୍ସ ମଶା ଦ୍ବାରା ମାଲେରିଆ, ଫାଇଲେରିଆ ଓ ଏନ୍ସିଫାଲିଟିସ୍, କ୍ୟୁଲେକ୍ସ ମଶା ଦ୍ବାରା ଏନ୍ସିଫାଲିଟିସ୍, ଫାଇଲେରିଆ ଓ ନୀଳ ନଦୀର ଭୂତାଣୁ ଏବ˚ ଏଡିସ୍ ମଶା ଦ୍ବାରା ପୀତ ଜ୍ବର, ଚିକୁନ୍ଗୁନିଆ ଓ ଡେଙ୍ଗୁ ବ୍ୟାପୁଥିବା ଜଣାଯାଏ। ଜମାହୋଇ ରହୁଥିବା ଅପରିଷ୍କାର ପାଣିରେ ମଶା ଡିମ୍ବ ଦେଉଥିବାରୁ ପରିବେଶକୁ ନିର୍ମଳ ରଖିବା ଉପରେ ଆମେ ଧୢାନ ଦେବା ଆବଶ୍ୟକ। ମଶାଙ୍କୁ ଜନ୍ମ ହେବାକୁ ନ ଦେଲେ, ଆମେ ଅନେକ ପରିମାଣରେ ସମସ୍ୟାମୁକ୍ତ ହୋଇପାରିବା।
ତ୍ରିଲୋଚନ ଶାସ୍ତ୍ରୀ
୨୦ ଅଗଷ୍ଟ, ୧୯୧୭ ମସିହାରେ ଜନ୍ମ ନେଇଥିଲେ ହିନ୍ଦୀ ସାହିତ୍ୟର ପ୍ରଗତିଶୀଳ କାବ୍ୟଧାରାର ଅନ୍ୟତମ ପ୍ରସିଦ୍ଧ ସାହିତ୍ୟିକ ତ୍ରିଲୋଚନ ଶାସ୍ତ୍ରୀ। ଆଧୁନିକ ହିନ୍ଦୀ କବିତାର ପ୍ରଗତିଶୀଳ ତିନି ଖମ୍ବ ମଧ୍ୟରେ ତ୍ରିଲୋଚନ ଶାସ୍ତ୍ରୀଙ୍କୁ ବାଦ୍ଦେଲେ ଅନ୍ୟ ଦୁଇଜଣ ହେଉଛନ୍ତି ନାଗାର୍ଜୁନ ଏବଂ ରାମଶେର ବାହାଦୁର ସିଂହ। ତ୍ରିେଲାଚନଙ୍କର ଜନ୍ମ ଉତ୍ତରପ୍ରଦେଶର ସୁଲତାନପୁର ଜିଲ୍ଲାର କଠଘରା ଚିରାନୀ ପଟ୍ଟି ନାମକ ସ୍ଥାନରେ ହୋଇଥିଲା। ତାଙ୍କର ମୂଳ ନାମ ଥିଲା ବାସୁଦେବ ସିଂହ। ସେ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଏବଂ ଲାହୋରରୁ ଶାସ୍ତ୍ରୀ ଡିଗ୍ରୀ ପ୍ରାପ୍ତ ହୋଇଥିଲେ। ପ୍ରୟୋଗଧର୍ମିତାରେ ବିଶ୍ବାସ ରଖିଥିବା ଶାସ୍ତ୍ରୀ ସର୍ବଦା କହୁଥିଲେ, ‘‘ଭାଷାରେ ଯେତେ ପ୍ରୟୋଗ ହେବ ତାହା ସେତେ ସମୃଦ୍ଧ ହେବ।’’ ପ୍ରଭାକର, ବାନର, ହଂସ, ଆଜ୍ ଓ ସମାଜ ପରି ପତ୍ର-ପତ୍ରିକାର ସେ ସମ୍ପାଦନା କରିଛନ୍ତି। ସନେଟ୍ ରଚନା କ୍ଷେତ୍ରରେ ଶାସ୍ତ୍ରୀଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଛି। ସେ ପାଞ୍ଚଶହରୁ ଊର୍ଦ୍ଧ୍ବ ସନେଟ୍ ରଚନା କରିଛନ୍ତି। ଏହା ବାଦ୍ କାହାଣୀ, ଗୀତ, ଗଜଲ ଏବଂ ଆଲୋଚନା କ୍ଷେତ୍ରରେ ମଧ୍ୟ ସେ ହିନ୍ଦୀ ସାହିତ୍ୟକୁ ସମୃଦ୍ଧ କରିଯାଇଛନ୍ତି। ତାଙ୍କର ପ୍ରଥମ କବିତା ସଂକଳନ ‘ଧରତୀ’ ୧୯୪୫ ମସହାରେ ପ୍ରକାଶ ପାଇଥିଲା। ‘ଗୁଲାବ ଔର୍ ବୁଲ୍ବୁଲ’, ‘ଉସ୍ ଜନପଦ କା କବି ହୁଁ’ ଏବଂ ‘ତାପ୍ କେ ତାୟେ ହୁଏ ଦିନ୍’ ତାଙ୍କର ଚର୍ଚ୍ଚିତ କବିତା ସଂକଳନ। ସାହିତ୍ୟ ରତ୍ନ, ସାହିତ୍ୟ ଅକାଦେମୀ ସମ୍ମାନ ପରି ଅନେକ ସମ୍ମାନ ସେ ଲାଭ କରିଛନ୍ତି। ୨୦୦୭ ମସିହା ଡିସେମ୍ବର ୯ ତାରିଖରେ ତ୍ରିଲୋଚନ ଶାସ୍ତ୍ରୀଙ୍କର ଦେହାନ୍ତ ହୋଇଥିଲା।
/sambad/media/post_attachments/wp-content/uploads/2023/08/4f465fh465fh465f4fhs.jpg)
ହଙ୍ଗେରୀର ନୂତନ ସମ୍ବିଧାନ ଘୋଷଣା
କେନ୍ଦ୍ରୀୟ ୟୁରୋପରେ ଅବସ୍ଥିତ ହଙ୍ଗେରୀ ଏକ ସ୍ଥଳରୁଦ୍ଧ ଦେଶ। ଏହାକୁ ଚାରିପଟୁ ବିଭିନ୍ନ ଦେଶ ଘେରି ରହିଛନ୍ତି। ଅଧିକାଂଶ ଅଞ୍ଚଳ ସମତଳ ଏବଂ ପାହାଡ଼। ଇତିହାସ କହେ ପ୍ରାୟ ୧୦୦୦ ବର୍ଷ ତଳେ ସେଣ୍ଟ୍ ଇଷ୍ଟଭାନ୍ ଏକ ସାମ୍ରାଜ୍ୟ ପ୍ରତିଷ୍ଠା କରି ହଙ୍ଗେରୀର ପ୍ରଥମ ରାଜା ହୋଇଥିଲେ। ୧୫ଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ରାଜା ମାଥିଆସଙ୍କ ଶାସନ ହଙ୍ଗେରୀ ଇତିହାସର ସବୁଠାରୁ ଗୌରବମୟ ସମୟ ଥିଲା। ୧୫୨୬ ମସିହାରେ ତୁର୍କୀ ଆକ୍ରମଣ କରିଥିଲା।​୧୬୯୯ରୁ ସମଗ୍ର ଅଞ୍ଚଳ ହବ୍ସବର୍ଗ ରାଜବଂଶ ଦ୍ୱାରା ଶାସିତ ହୋଇଥିଲା। ୧୮୬୭ ମସିହାରେ ଅଷ୍ଟ୍ରୋ-ହଙ୍ଗେରୀ ଚୁକ୍ତିନାମା ଅଷ୍ଟ୍ରୋ-ହଙ୍ଗେରୀ ସାମ୍ରାଜ୍ୟର ପ୍ରତିଷ୍ଠା ବିଷୟରେ ଘୋଷଣା କରିଥିଲା। ପ୍ରଥମ ବିଶ୍ୱଯୁଦ୍ଧ ପରେ ଅଷ୍ଟ୍ରୋ-ହଙ୍ଗେରୀ ସାମ୍ରାଜ୍ୟ ବିଚ୍ଛିନ୍ନ ହେଲା। ୨୧ ମାର୍ଚ୍ଚ, ୧୯୧୯ରେ ହଙ୍ଗେରୀ ସୋଭିଏତ୍ ରିପବ୍ଲିକ୍ ପ୍ରତିଷ୍ଠା ହେଲା। ସେହି ବର୍ଷ ଅଗଷ୍ଟରେ ସାମ୍ବିଧାନିକ ରାଜତନ୍ତ୍ର ପୁନଃ ସ୍ଥାପିତ ହୋଇଥିଲା ଏବଂ ହର୍ଟିଙ୍କ ଫାସିଷ୍ଟ ଶାସନ ଆରମ୍ଭ ହୋଇଥିଲା। ଏପ୍ରିଲ୍ ୧୯୪୫ରେ ସୋଭିଏତ୍ ୟୁନିଅନ୍ ହଙ୍ଗେରୀର ସମସ୍ତ ଅଞ୍ଚଳକୁ ମୁକ୍ତ କରିଥିଲା। ଫେବ୍ରୁଆରି ୧୯୪୬ରେ ଏହା ରାଜତନ୍ତ୍ରର ରଦ୍ଦ ଏବଂ ହଙ୍ଗେରୀ ରିପବ୍ଲିକ୍ ପ୍ରତିଷ୍ଠା ଘୋଷଣା କରିଥିଲା। ୨୦ ଅଗଷ୍ଟ, ୧୯୪୯ରେ ହଙ୍ଗେରୀରେ ପିପୁଲ୍ସ ରିପବ୍ଲିକ୍ ପ୍ରତିଷ୍ଠା କରାଯାଇ ଏକ ନୂତନ ସମ୍ବିଧାନ ଘୋଷଣା କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/4654fs65fhfhfhfh.jpg)