ଇତିହାସର ଆଇନାରେ ଆଜିର ଦିନ : ରତ୍ନ ଦିବସ, କାର୍ଟାଜେନା ଯୁଦ୍ଧ ଓ ମେହମୁଦ ଦରବେଶ

ଇତିହାସରେ ଆଜିର ଦିନ ଅର୍ଥାତ ମାର୍ଚ୍ଚ ୧୩ ତାରିଖ ବହୁ ଭାବରେ ଗୁରୁତ୍ବପୂର୍ଣ୍ଣ। ଆସନ୍ତୁ ଜାଣିବା ଏହା କାହିଁକି ସମସ୍ତଙ୍କ ଲାଗି ସ୍ମରଣୀୟ।

ମେହମୁଦ ଦରବେଶ
କେହି କେହି ତାଙ୍କୁ ପ୍ରତିରୋଧ ଓ ସଂଘର୍ଷର କବି କହନ୍ତି ଆଉ କେହି କହନ୍ତି ଯେ ସେ ମାନବବାଦୀ ଓ ଶାନ୍ତିକାମୀ କବି। କିନ୍ତୁ ତାଙ୍କ କବିତା ଯେ ହୃଦୟକୁ ଚହଲେଇ ଦେଇଥାଏ, ଏଥିରେ ସମସ୍ତେ ସହମତ ହେବେ। ଏହା ପାଲେଷ୍ଟାଇନ୍‌ର ଜାତୀୟ କବି ମାନ୍ୟତା ପାଇଥିବା କବି ମେହମୁଦ ଦରବେଶଙ୍କ କବିତାର କଥା। ତାଙ୍କ କବିତାର ଧାଡ଼ିଟିଏ ଏହିପରି: କବିତା ହେଉଛି ମୋ ହୃଦୟର ରକ୍ତ। ୧୯୪୧ ମସିହା ମାର୍ଚ୍ଚ ମାସ ଆଜି ତାରିଖରେ ପାଲେଷ୍ଟାଇନ୍‌ରେ ତାଙ୍କର ଜନ୍ମ। ୧୯୪୮ରେ ଆରବ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ହେବାରୁ ତାଙ୍କ ପରିବାର ଲେବାନନ ଚାଲିଯାଇଥିଲେ। ପରବର୍ତ୍ତୀ ସମୟରେ ଇସ୍ରାଏଲ୍‌ରେ ରହିଥିଲେ। ୧୯ ବର୍ଷ ବୟସରେ ପ୍ରକାଶ ପାଇଥିଲା ତାଙ୍କର ପ୍ରଥମ କବିତା ସଂକଳନ ‘ଅସଫିର ବିଲା ଅଜନିଆ’ (ପରହୀନ ପକ୍ଷୀ)। ୧୯୭୦ରେ ସେ ଇସ୍ରାଏଲ୍ ଛାଡ଼ି ରୁଷ୍ ଚାଲିଯାଇଥିଲେ ପଢ଼ିବା ପାଇଁ। ୧୯୭୩ରେ ପାଲେଷ୍ଟାଇନ୍ ଲିବରେସନ୍ ଅର୍ଗାନାଇଜେସନ୍‌ର ସଦସ୍ୟ ହେବାରୁ ତାଙ୍କୁ ଇସ୍ରାଏଲ୍ ଫେରିବାକୁ ବାରଣ କରାଯାଇଥିଲା। ତାଙ୍କର ତିରିଶଟି କବିତା ସଙ୍କଳନ ଏବଂ ଆଠଟି ଗଦ୍ୟ ପୁସ୍ତକ ପ୍ରକାଶିତ। କୋଡ଼ିଏରୁ ଅଧିକ ଭାଷାରେ ତାଙ୍କର କବିତା ଅନୂଦିତ ହୋଇଛି। କ୍ଲାସିକ୍ ଆରବୀୟ ରୀତିରେ କବିତା ଲେଖିବା ଆରମ୍ଭ କରିଥିବା ଦରବେଶ ପରେ ମୁକ୍ତ ଛନ୍ଦ ଓ ବିଚାରର କବିତା ଲେଖି ଆନ୍ଦୋଳନ ସୃଷ୍ଟି କରିଥିଲେ। ତାଙ୍କ କବିତାରେ ପାଲେଷ୍ଟାଇନ୍ ହେଉଛି ଜନ୍ମ, ମୃତ୍ୟୁ, ପୁନର୍ଜନ୍ମ ତଥା ନିର୍ବାସନର ପ୍ରତୀକ। ସେ ଲୋଟସ୍ ପ୍ରାଇଜ୍, ଲେନିନ ଶାନ୍ତି ପୁରସ୍କାର, ଇଣ୍ଟରନ୍ୟାସ୍‌ନାଲ୍‌ ଫୋରମ୍ ଫର୍‌ ଆରବିକ୍ ପୋଏଟ୍ରି ପ୍ରାଇଜ୍ ଆଦି ଅନେକ ପୁରସ୍କାର ଲାଭ କରିଥିଲେ। ୯ ଅଗଷ୍ଟ ୨୦୦୮ରେ ତାଙ୍କର ଦେହାନ୍ତ ହୋଇଥିଲା।

ସିଷ୍ଟର ନିର୍ମଳା
ସିଷ୍ଟର ନିର୍ମଳା ଯୋଶୀ (୨୩ ଜୁଲାଇ ୧୯୩୪- ୨୩ ଜୁନ୍ ୨୦୧୫) ୧୯୯୭ ମାର୍ଚ୍ଚ ଆଜିର ତାରିଖରେ ନୋବେଲ୍‌ ପୁରସ୍କାର ବିଜେତା ପ୍ରଖ୍ୟାତ ‌ସମାଜସେବୀ ମଦର ଟେରେସାଙ୍କ ଉତ୍ତରାଧିକାରୀ ଘୋଷିତ ହୋଇଥିଲେ। ସମଗ୍ର ବିଶ୍ବରେ ୧୩୪ଟି ଦେଶରେ ମଦର ଟେରେସାଙ୍କ ସେବା ସଂସ୍ଥାର ପ୍ରସାର କରିବାରେ ସେ ସଫଳ ହୋଇଥିଲେ। ସେ ରାଞ୍ଚିରେ ଏକ ବ୍ରାହ୍କଣ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କ ବାପା ମୂଳତଃ ନେପାଳୀ ଥିଲେ ଏବଂ ବ୍ରିଟିସ୍ ଇଣ୍ଡିଆନ୍ ଆର୍ମିର ସୈନିକ ଥିଲେ। ନିର୍ମଳା ହଜାରିବାଗରେ ମିସ୍‌ନାରୀ ସ୍କୁଲ୍‌ରେ ପାଠ ପଢ଼ିଥିଲେ। ସେ ସମୟରେ ସେ ମଦର ଟେରେସାଙ୍କ ସମ୍ପର୍କରେ ବହୁ କଥା ଜାଣିବାକୁ ପାଇଲେ। ୧୯୭୬ରୁ ୧୯୯୭ ପର୍ଯ୍ୟନ୍ତ ସେ ଏକ ମିସ୍‌ନାରୀ ସଂସ୍ଥାର ମୁଖ୍ୟ ଥିଲେ। ୧୯୯୭ରେ ମଦର ଟେରେସାଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ୨୦୦୯ରେ ତାଙ୍କୁ ପଦ୍ମ ବିଭୂଷଣ ଉପାଧି ପ୍ରଦାନ କରାଯାଇଥିଲା। ସେହି ବର୍ଷ ସିଷ୍ଟର ନିର୍ମଳାଙ୍କ ପାଖରୁ ଦାୟିତ୍ବ ନେଇଥିଲେ ଜର୍ମା‌ନୀରେ ଜନ୍ମିତ ସିଷ୍ଟର ମେରୀ ପ୍ରେମା ପେରିକ୍।

ରତ୍ନ ଦିବସ


ମାର୍ଚ୍ଚ ୧୩ ହେଉଛି ‘ରତ୍ନ ଦିବସ’। ବିଶ୍ବର ବିଭିନ୍ନ ଅଞ୍ଚଳରେ ମିଳୁଥିବା ମୋଟ ୧୩୦ ପ୍ରକାରର ମୂଲ୍ୟବାନ ପ୍ରସ୍ତରକୁ ରତ୍ନ ବା ଜୁଏଲ୍‌ର ମାନ୍ୟତା ଦିଆଯାଇଛି। ଲାଟିନ୍‌ ଶବ୍ଦ ‘ଜୋସେଲ୍‌’ରୁ ‘ଜୁଏଲ୍‌’ ଶବ୍ଦର ସୃଷ୍ଟି। ଏହା ଏକ ମୂଲ୍ୟବାନ ସମ୍ପଦ। ଏହା ଶରୀରର ଶୋଭା ବଢ଼ାଇବା ସହ କେତେକ ରୋଗ ପ୍ରତିରୋଧ କରିଥାଏ। ଉତ୍ସ ଅନୁଯାୟୀ ଏହା ମୁଖ୍ୟତଃ ତିନି ଭାଗରେ ବିଭକ୍ତ: ଖଣିଜ, ପ୍ରାଣୀଜ ଓ ବାନସ୍ପତିକ। ରତ୍ନ ମିଳୁଥିବା ବିଶ୍ବର ମୁଖ୍ୟ ଦେଶ: ଭାରତ, ଯୁକ୍ତରାଷ୍ଟ୍ର ଆମେରିକା, କଙ୍ଗୋ, ବେଲ୍‌ଜିଅମ୍‌, ମିଆଁମାର, ଥାଇଲାଣ୍ତ, ବ୍ରାଜିଲ, ରସିଆ, ଘାନା, ଦକ୍ଷିଣ ଆଫ୍ରିକା, ସିଏରା ଲିଓନ, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ। ରତ୍ନ ମଧ୍ୟରେ ହୀରା, ସ୍ବଚ୍ଛ ନୀଳ ମଣି (ସାଫେୟାର‌୍‌), ରକ୍ତ ବର୍ଣ୍ଣ ମଣି (ରୁବି), ସବୁଜ ମରକତ ମଣି (ଏମ୍‌ରାଲ୍‌ଡ) ସବୁଠାରୁ ମୂଲ୍ୟବାନ। ବିଭିନ୍ନ ଉପାୟରେ ଲୋକେ ଏହି ଦିବସ ପାଳନ କରିଥାନ୍ତି। ଏହିଦିନ କେହି କେହି ନିଜ ପାଇଁ ମନଲାଖି ରତ୍ନ ଅଳଙ୍କାର କିଣିଥାନ୍ତି ଏବଂ ଅନ୍ୟକୁ ଉପହାର ମଧ୍ୟ ଦେଇଥାନ୍ତି।

କାର୍ଟାଜେନା ଯୁଦ୍ଧ


୧୩ ମାର୍ଚ୍ଚ ୧୭୩୯ରୁ ୨୦ ମେ ୧୭୪୧ ପର୍ଯ୍ୟନ୍ତ ସ୍ପେନ୍ ଏବଂ ବ୍ରିଟେନ୍ ମଧ୍ୟ‌ ଯୁଦ୍ଧ ହୋଇଥିଲା। ବ୍ରିଟିସ୍‌ମାନେ ମୁଖ୍ୟତଃ ସ୍ପେନ୍‌ର ବନ୍ଦରଗୁଡ଼ିକୁ ଅଧିକାର କରିବାକୁ ଉଦ୍ୟମ କରିଥିଲେ। ସେ ମଧ୍ୟରେ ପୋର୍ଟେ ବେଲୋ, ପାନାମାର ଚାର୍ଜେସ୍, ହାଭାନା ଏବଂ କାର୍ଟାଜେନା ଡି ଇଣ୍ଡିଆଜ୍ (ଏବେ କଲମ୍ବିଆରେ) ଆଦି ଅନ୍ତର୍ଭୁକ୍ତ ଥିଲା। ଏହି ଯୁଦ୍ଧ ପୂର୍ବରୁ ୧୭୪୯ରେ ଦୁଇଥର ଜଳଜାହାଜ ମାଧ୍ୟମରେ ଆକ୍ରମଣ ବିଫଳ ହେଲାପରେ ବ୍ରିଟେନ୍ ତରଫରୁ ୧୭୪୧ରେ ତୃତୀୟ ଥର ଉଭୟ ଜଳ ଓ ସ୍ଥଳପଥରେ ଆକ୍ରମଣ ହୋଇଥିଲା। ଲଗାତାର ଆକ୍ରମଣରେ ସ୍ପେନ୍‌ର ଅନେକ ଦୁର୍ଗ ଧ୍ବଂସ ହୋଇଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସ୍ପେନ୍ ସାହସିକତାର ସହ ବ୍ରିଟେନ୍‌ର ସାମ୍ନା କରିଥିଲା ଏବଂ ଯୁଦ୍ଧ ବନ୍ଦ ହୋଇଥିଲା। ଯୁଦ୍ଧ ବନ୍ଦ ହେବାର ଅନ୍ୟ ଏକ କାରଣ ଥିଲା ପୀତଜ୍ବର। ଏଥିରେ ପୀଡ଼ିତ ହୋଇ ୧୧ ହଜାରରୁ ଅଧିକ ବ୍ରିଟିସ୍ ସୈନିକ ମୃତ୍ୟୁବରଣ କରିଥିଲେ।

ୟୁରାନସ୍


୧୭୮୧ ମାର୍ଚ୍ଚ ୧୩ ତାରିଖରେ ଉଇଲିଅମ୍‌ ହର୍‌ସେଲ୍‌ଙ୍କ ଦ୍ବାରା ୟୁରାନସ୍‌ ଗ୍ରହ ଆବିଷ୍କୃତ ହୋଇଥିଲା। ଗ୍ରୀକ୍ ମିଥଲଜି ଅନୁସାରେ ୟୁରାନସ୍ ହେଉଛି ଶନି ଗ୍ରହର ବାପା, ଜୁପିଟରର ଅଜା ଏବଂ ମଙ୍ଗଳର ଅଜାର ବାପା। ବ୍ୟାସାର୍ଦ୍ଧ ଅନୁସାରେ ଏହା ତୃତୀୟ ବଡ଼ ଗ୍ରହ। ପୃଥିବୀଠାରୁ ଏହା ପ୍ରାୟ ପନ୍ଦର ଗୁଣ ବଡ଼। ସଂରଚନା ଦୃଷ୍ଟିରୁ ନେପ୍‌ଚ୍ୟୁନ୍ ସହିତ ୟୁରାନସ୍‌ର ସାଦୃଶ୍ୟ ରହିଛି। ଏହି ଦୁଇ ଗ୍ରହକୁ ବୈଜ୍ଞାନିକମାନେ ଆଇସ୍ ଜାଏଣ୍ଟ୍‌ ବୋଲି କହିଥାନ୍ତି। ୟୁରାନସ୍‌ରେ ଜଳ, ଆମୋନିଆ, ମିଥେନ୍ ଏବଂ ସ୍ବଳ୍ପ ପରିମାଣର ହାଇଡ୍ରୋକାର୍ବନ୍‌ ଥିବାର ଜଣାପଡ଼େ। ୟୁରାନସ୍ ହେଉଛି ସୌରଜଗତର ସବୁଠୁ ଶୀତଳ ଗ୍ରହ। ସେଠିକାର ସର୍ବନିମ୍ନ ତାପମାତ୍ରା -୨୨୪ ଡିଗ୍ରୀ ସେଲସିୟସ୍। ଥରେ ସୂର୍ଯ୍ୟ ଚାରିପଟେ ଘୂରିବାକୁ ଏହାକୁ ୮୪ ବର୍ଷ ସମୟ ଲାଗିଥାଏ। ପୂର୍ବରୁ ଏକାଧିକ ଥର ୟୁରାନସ୍‌କୁ ଠିକଣା କରାଯାଇଥିଲେ ସୁଦ୍ଧା ଉଇଲିଅମ୍ ହରସେଲ୍‌ ହିଁ ସର୍ବପ୍ରଥମେ ଏହା ଏକ ଗ୍ରହ ବୋଲି କହିଥିଲେ। ଏହି ବ୍ରିଟିସ୍ ବୈଜ୍ଞାନିକ ଇନ୍‌ଫ୍ରାରେଡ୍‌ ରେଡିଏସନ୍ ମଧ୍ୟ ଆବିଷ୍କାର କରିଥିଲେ। ସେ ରୟାଲ୍‌ ଆଷ୍ଟ୍ରୋନମିକାଲ୍‌ ସୋସାଇଟିର ପ୍ରଥମ ସଭାପତି ଥିଲେ। ୧୭୮୧ରେ ରୟାଲ୍‌ ସୋସାଇଟି ତରଫରୁ ତାଙ୍କୁ କୁପଲେ ମେଡାଲ୍‌ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର