ଆଜି ଶିଶୁ ଦିବସ: ପଣ୍ଡିତ ଜବାହରଲାଲ ନେହରୁଙ୍କ ଜନ୍ମଦିନ

ଦେଶର ସର୍ବପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ସ୍ବାଧୀନ ଭାରତକୁ ବିଶ୍ବରେ ପ୍ରତିଷ୍ଠିତ କରାଇବାରେ ଜବାହରଲାଲ ନେହରୁଙ୍କ ଭୂମିକା ଅବିସ୍ମରଣୀୟ। ସ୍ବାଧୀନତା ଆନ୍ଦୋଳନରେ ତାଙ୍କର ଭୂମିକା ଯେତିକି ଗୁରୁତ୍ବପୂର୍ଣ୍ଣ, ସ୍ବାଧୀନୋତ୍ତର ଭାରତର ଭାଗ୍ୟ ନିର୍ଦ୍ଧାରଣରେ ତାଙ୍କର ଅବଦାନ ସେତିକି ଅବିସ୍ମରଣୀୟ। ୧୮୮୯ ମସିହା ନଭେମ୍ବର ଆଜି ଦିନରେ ଆହ୍ଲାବାଦ (ଆଜିର ପ୍ରୟାଗରାଜ)ର ଏକ କାଶ୍ମୀରୀ ପଣ୍ଡିତ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ପ୍ରସିଦ୍ଧ ଓକିଲ ମୋତିଲାଲ ନେହରୁ ଥିଲେ ତାଙ୍କର ପିତା। ଘରୋଇ ଭାବେ ପ୍ରାଥମିକ ଶିକ୍ଷା ସରିବା ପରେ ସେ ପନ୍ଦର ବର୍ଷ ବୟସରେ ଇଂଲଣ୍ଡ୍ ଚାଲିଯାଇଥିଲେ। କ୍ୟାମ୍ବ୍ରିଜ୍ ଅନ୍ତର୍ଗତ ଟ୍ରିନିଟି କଲେଜରୁ ସ୍ନାତକ ଡିଗ୍ରି ହାସଲ କରିବା ପରେ ଲଣ୍ଡନ୍‌ର ଇନର୍ ଟେମ୍ପଲ୍‌ରେ ଆଇନ ଶିକ୍ଷା ସାରିଥିଲେ। ୧୯୧୨ରେ ଭାରତ ଫେରି ସେ କିଛି ବର୍ଷ ଓକିଲାତି କରିଥିଲେ। ୧୯୧୯ରେ ସେ ଜାତୀୟ କଂଗ୍ରେସରେ ଯୋଗ ଦେଲେ। ସେ ମହାତ୍ମା ଗାନ୍ଧୀଙ୍କ ଦ୍ବାରା ଗଭୀର ଭାବେ ପ୍ରଭାବିତ ହୋଇଥିଲେ।

ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇ ସେ ଅନେକ ଥର କାରାବରଣ କରିଥିଲେ। ୧୯୨୯ରେ ପ୍ରଥମ ଥର ସେ ଜାତୀୟ କଂଗ୍ରେସର ସଭାପତି ନିର୍ବାଚିତ ହୋଇଥିଲେ। ୧୯୪୭ ଅଗଷ୍ଟ ୧୫ରେ ସେ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେଲେ। ଗଣତନ୍ତ୍ର, ସମାଜବାଦ, ଏକତା ଓ ଧର୍ମନିରପେକ୍ଷତା ତାଙ୍କ ରାଜନୀତିର ଚାରିଟି ମୁଖ୍ୟ ସ୍ତମ୍ଭ ଥିଲା। ଭାରତରେ ମୁକ୍ତ, ଗାଣତାନ୍ତ୍ରିକ ଓ ବିବିଧତାପୂର୍ଣ୍ଣ ରାଜନୀତି ବ୍ୟବସ୍ଥାର ପ୍ରତିଷ୍ଠା କରି ପ୍ରତ୍ୟେକଙ୍କ ଜୀବନରେ ଉନ୍ନତି ଆଣିବା ଉପରେ ସେ ସର୍ବାଧିକ ଗୁରୁତ୍ବ ଦେଉଥିଲେ। ଏଥିପାଇଁ ସେ ଜାତି, ଧର୍ମ ଓ ଆର୍ଥିକ ସ୍ଥିତି ନିର୍ବିଶେଷରେ ସଭିଙ୍କର ପ୍ରିୟ ଥିଲେ। ସେ ଦେଶରେ ବିଶାଳ ସରକାରୀ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରଥମେ ଅଣ୍ଟା ଭିଡ଼ିଥିଲେ। ଜନମାନସରେ ବୈଜ୍ଞାନିକ ଭାବନା ଜାଗ୍ରତ କରାଇବା ଦିଗରେ ସେ କ୍ରିୟାଶୀଳ ଥିଲେ। ତାଙ୍କ ଦ୍ବାରା ସ୍ଥାପିତ ଅନୁଷ୍ଠାନଗୁଡ଼ିକ ଦେଶରେ ଶକ୍ତିଶାଳୀ ତଥା ସକ୍ରିୟ ଗଣତନ୍ତ୍ରର ମୂଳଦୁଆ ପକାଇଥିଲା। ସେହିପରି ଲେଖକ, ଐତିହାସିକ ଓ ବକ୍ତା ଭାବେ ପଣ୍ଡିତ ନେହରୁଙ୍କ ପ୍ରସିଦ୍ଧି ଅନନ୍ୟ। ବନ୍ଦୀ ସମୟରେ ସେ ‘ଦ ଡିସ୍‌କଭରି ଅଫ୍ ଇଣ୍ଡିଆ’ ରଚନା କରିଥିଲେ। ‘ଗ୍ଲିମ୍ପ୍‌ସେସ୍ ଅଫ ଵାର୍ଲଡ୍ ହିଷ୍ଟ୍ରି’, ‘ଆନ୍ଅ ଟୋବାୟୋଗ୍ରାଫି’, ‘ଲେଟର୍ସ ଫ୍ରମ୍ ଏ ଫାଦର୍‌ ଟୁ ହିଜ୍ ଡଟର୍’ ଆଦି ତାଙ୍କର କେତେକ ଲୋକପ୍ରିୟ ପୁସ୍ତକ। ୧୯୫୫ରେ ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତରତ୍ନ’ ପ୍ରଦାନ କରାଯାଇଥିଲା। ୧୯୬୪ ମେ ୨୭ରେ ଏହି ମହାନାୟକଙ୍କର ପରଲୋକ ଘଟିଥିଲା। ଭାରତୀୟ ଶିଶୁଙ୍କ ପାଇଁ ସେ ଥିଲେ ପ୍ରିୟ ‘ଚାଚା ନେହରୁ’। ଶିଶୁଙ୍କ ପ୍ରତି ନେହରୁଙ୍କ ଅନାବିଳ ସ୍ନେହ ଯୋଗୁଁ ତାଙ୍କର ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି।

ସମ୍ବନ୍ଧିତ ଖବର