ମଣିଷ ମରଣଶୀଳ। ମୃତ୍ୟୁ ଏକ ବାସ୍ତବ ଓ କଠୋର ସତ୍ୟ। ତେବେ ଜୀବନର ପ୍ରକୃତ ଅର୍ଥ ଓ ଉଦ୍ଦେଶ୍ୟ କ’ଣ? ଜୀବନର ମୂଲ୍ୟାୟନ କିପରି କରିବା? ଜୀବନର ସଂଜ୍ଞା କ’ଣ? ଅନେକ ଚିନ୍ତାଶୀଳ ବ୍ୟକ୍ତିବିଶେଷ ଜୀବନ ସଂପର୍କରେ ସେମାନଙ୍କର ମତ ପ୍ରକାଶ କରିଛନ୍ତି। ପ୍ରଖ୍ୟାତ ଅଭିନେତା ଚାର୍ଲି ଚାପ୍ଲିନ୍ଙ୍କ ମତରେ ଆମେ ସମସ୍ତେ ପର୍ଯ୍ୟଟକ। ଈଶ୍ୱର ଆମର ପର୍ଯ୍ୟଟନ ନିର୍ଦ୍ଦେଶକ। ସେ ଆମର ଭ୍ରମଣ ଯାତ୍ରାର ମାର୍ଗ ଏବଂ ଗନ୍ତବ୍ୟ ସ୍ଥଳ ପୂର୍ବରୁ ସ୍ଥିର କରିସାରିଛନ୍ତି। ତାଙ୍କଠାରେ ବିଶ୍ୱାସ ରଖି ଜୀବନର ଆନନ୍ଦ ଉପଭୋଗ କର। ଧର୍ମଶାସ୍ତ୍ର ବାଇବେଲରେ ମଣିଷର କ୍ଷଣସ୍ଥାୟୀ ଜୀବନକୁ ‘ମେଘ’, ‘ଧୂମ’, ‘ପୁଷ୍ପ’, ‘ସ୍ୱପ୍ନ’ ଓ ‘ଘାସ’ ସହିତ ତୁଳନା କରାଯାଇଛି। ଧରାବତରଣ ପରେ ସ୍ୱୟଂ ଯୀଶୁ ଜୀବନ ଚିନ୍ତାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଲେ। ସେ ନିଜକୁ ଅନନ୍ତ ଜୀବନଦାୟକ ଜଳର ନିର୍ଝର ରୂପେ ବର୍ଣ୍ଣନା କରିଥିଲେ। ଯୀଶୁଙ୍କର ଜନ୍ମର ଏକମାତ୍ର ଉଦ୍ଦେଶ୍ୟ ଥିଲା ତାଙ୍କର କ୍ରୁଶୀୟ ମୃତ୍ୟୁ। ସେ ସମଗ୍ର ପାପକ୍ଳିଷ୍ଟ ଜଗତର ଉଦ୍ଧାର ପାଇଁ ପ୍ରାୟଶ୍ଚିତ ରୂପେ କ୍ରୁଶରେ ଆପଣା ପ୍ରାଣ ଉତ୍ସର୍ଗ କରିଥିଲେ। ଯୀଶୁଙ୍କର କ୍ରୁଶଭୋଗ ଓ ମୃତ୍ୟୁ ବିଫଳତାର ପ୍ରତୀକ ନୁହେଁ, ତାହା ହେଉଛି ଏକ ଅକ୍ଷୟ ଓ ଅନନ୍ତ ଜୀବନ ସମ୍ବଳିତ ଉଜ୍ଜ୍ୱଳ ଭବିଷ୍ୟତର ଅତୁଟ ଭରସା। ସେ ଆଜି ଆତ୍ମିକ ରୂପେ ଆମ ମଧ୍ୟରେ ବାସ କରୁଛନ୍ତି ଏବଂ ଦୁଃଖ ଯନ୍ତ୍ରଣା ଓ ସମସ୍ୟା ଜଡ଼ିତ ଜୀବନରେ ଆମକୁ ଶାନ୍ତି, ସାନ୍ତ୍ୱନା ଓ ଧୈର୍ଯ୍ୟ ପ୍ରଦାନ କରୁଛନ୍ତି।
ଶୁଭ ଶୁକ୍ରବାରର ଶୁଭବାର୍ତ୍ତା ହେଉଛି ମୃତ୍ୟୁ ପରେ ମଣିଷର ଜୀବନ ଶେଷ ହୁଏ ନାହିଁ। ଶାରୀରିକ ମୃତ୍ୟୁ ଆଉ ଏକ ଅନନ୍ତ ଜୀବନର ପ୍ରବେଶ ଦ୍ୱାର। ସେ ଜୀବନ ଅକ୍ଷୟ, ଅମର ଓ ଚିରନ୍ତନ। ଯୀଶୁ ସେହି ଜୀବନର ଉତ୍ସ ଓ ଆଧାର। ତାଙ୍କଠାରେ ଅଛି ପ୍ରେମ, ଶାନ୍ତି, କ୍ଷମା ଓ ଆନନ୍ଦର ଏକ ଉଚ୍ଛଳ ଜୀବନ। ଜୀବନର ସଂଘର୍ଷ ଭିତରେ କ୍ଳାନ୍ତ ଶ୍ରାନ୍ତ ମଣିଷ ଜାତିକୁ ଯୀଶୁଙ୍କ ପ୍ରେମପୂର୍ଣ୍ଣ ଆହ୍ୱାନ ହେଉଛି- “ହେ ଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକେ, ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି।” ଆଜିର ଏହି ପବିତ୍ର ଦିବସ ହେଉଛି ଯୀଶୁଖ୍ରୀଷ୍ଟଙ୍କ ଆଦର୍ଶ ଅନୁସରଣ କରି ପ୍ରେମ, ସେବା, ତ୍ୟାଗ, କ୍ଷମା, କରୁଣା, ଶାନ୍ତି ଓ ସୌହାର୍ଦ୍ଦ୍ୟରେ ପୂର୍ଣ୍ଣ ଏକ ସୁସ୍ଥ ସମାଜ ଗଠନର ଶପଥ ନେବାର ଦିନ।
- ସାମୁଏଲ ପାତ୍ର
ମୋ: ୯୪୩୭୦୧୩୮୧୬
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/5464d6jgjgjgjj.jpg)