ଆନ୍ତର୍ଜାତିକ ଧଳାବାଡ଼ି ଦିବସ ଆଜି : ମହାମାରୀ ପରିପ୍ରେକ୍ଷୀରେ ଅଧିକ ସଚେତନତା ଲୋଡ଼ା

ପ୍ରତ୍ୟେକ ଦିବସ ପରି ଚଳିତ ୨୦୨୦ ମସିହା ଅକ୍ଟୋବର ୧୫ ତାରିଖ ଗୁରୁବାର ଦିନ ଆନ୍ତର୍ଜାତିକ ଧଳାବାଡ଼ି ଦିବସ ପାଳିତ ହେବ। ଆନ୍ତର୍ଜାତିକ ଧଳାବାଡ଼ି ଦିବସ ପାଳନ ଉଦ୍ଦେଶ୍ୟ ହେଉଛି ଦୃଷ୍ଟିହୀନ ବ୍ୟକ୍ତିମାନଙ୍କ ସ୍ବାଧୀନ ଭାବେ ଜୀବନଯାପନ କରିବା ସମ୍ପର୍କରେ ଜନ ସମୁଦାୟକୁ ସଚେତନ କରିବା। ଚଳିତ ବର୍ଷ କରୋନା ମହାମାରୀର ଭୟାବହତା ପରିପ୍ରେକ୍ଷୀରେ ଏହା ସମସ୍ତ ନୀତି ନିର୍ଦ୍ଧାରକମାନଙ୍କୁ ମନେ ରଖିବାକୁ ହେବ ଯେ ସାର୍ବଜନୀନ ରୂପାୟନ ଓ ପୁନଃ ରୂପାୟନ କାର୍ଯ୍ୟକୁ କିଭଳି ସମ୍ପାଦନା କରିବାକୁ ହେବ। ଯାହା ଦ୍ବାରା କି ନୂତନ ଭାବେ ଗଠିତ ଭିତ୍ତିଭୂମି ସମ୍ପୂର୍ଣ୍ଣ ଦୃଷ୍ଟିହୀନ, ସ୍ବଳ୍ପଦୃଷ୍ଟି ସମ୍ପନ୍ନ ଏବଂ ଦୃଷ୍ଟିହୀନ ବ୍ୟକ୍ତିମାନଙ୍କ ଦ୍ବାରା ସମାନ ଭାବରେ ଉପଯୋଗ କରାଯାଇ ପାରୁଥିବ। ଉଦାହରଣ ସ୍ବରୂପ ସର୍ବସାଧାରଣ ଗୃହର ଚଟାଣଗୁଡ଼ିକୁ ଟେକ୍‌ଟାଇଲ୍ ବ୍ୟବହାର କରି ଏପରି ଭାବେ ନିର୍ମାଣ କରିବାକୁ ହେବ ଯେପରି ଜଣେ ଦୃଷ୍ଟିହୀନ ବ୍ୟକ୍ତି ସେହି ଟେକ୍‌ଟାଇଲ୍ ଉପରେ ନିଜର ଧଳାବାଡ଼ି ଚାଳନ କରି ଅବାଧରେ ନିଜର ଗନ୍ତବ୍ୟ ପଥ ନିରୂପଣ କରିପାରୁଥିବେ। ସର୍ବସାଧାରଣ ସ୍ଥାନରେ ଧାଡ଼ି ବାନ୍ଧି ରାସନ ବା ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ଦୃଷ୍ଟିବାଧିତ ଲୋକମାନେ ଯେପରି ଶାରୀରିକ ଦୂରତା ବଜାୟ ରଖନ୍ତି, ତାହାକୁ ଦୃଷ୍ଟିରେ ରଖି ସେମାନଙ୍କର ସ୍ବତନ୍ତ୍ର ଧାଡ଼ି ନିର୍ଦ୍ଧାରଣ କରିବାକୁ ହେବ।

ସାର୍ବଜନୀନ ନିର୍ମାଣ ନିମନ୍ତେ ନୀତି ନିର୍ଦ୍ଧାରଣ କରିବା ସମୟରେ ଭିନ୍ନକ୍ଷମମାନଙ୍କ ଅଧିକାର ସମ୍ବଳିତ ମିଳିତ ଜାତିସଂଘର ସନନ୍ଦରେ ଲିପିବଦ୍ଧ ହୋଇଥିବା ଧାର-୯ ଓ ୧୯ର ବିଧି ବ୍ୟବସ୍ଥା ତଥା ଚିରନ୍ତନ ବିକାଶ ଲକ୍ଷ୍ୟର ଏକାଦଶ ଲକ୍ଷ୍ୟ ସମ୍ବନ୍ଧରେ ଆମକୁ ବିଚାର କରିବାକୁ ହେବ। ଭିନ୍ନକ୍ଷମମାନଙ୍କର ଅଧିକାର ସମ୍ବଳିତ ମିଳିତ ଜାତିସଂଘର ଚୁକ୍ତିପତ୍ରର ଧାରା-୯ରେ ଉଲ୍ଲେଖ ଅଛି ଯେ ଭିନ୍ନକ୍ଷମ ବ୍ୟକ୍ତିମାନେ ଯେପରି ଉପଯୁକ୍ତ ପରିବେଶ, ପରିବହନ ଓ ଯାତାୟାତ ଏବଂ ଜନସାଧାରଣମାନଙ୍କ ପାଇଁ ଉଦ୍ଦିଷ୍ଟ ସୁବିଧା ସୁଯୋଗଗୁଡ଼ିକୁ ବ୍ୟବହାର କଲାବେଳେ ସେମାନେ ଯେପରି କୌଣସି ବାଧା ବା ପ୍ରତିବନ୍ଧକ ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଅନୁକୂଳ ବ୍ୟବସ୍ଥା କରିବା।

ଏହି ଚୁକ୍ତିପତ୍ରର ଧାରା ୧୯ରେ ଉଲ୍ଲେଖ ଅଛି ଯେ ଭିନ୍ନକ୍ଷମ ବ୍ୟକ୍ତିମାନେ ଯେପରି ସ୍ବାଧୀନ ଭାବେ ବଞ୍ଚିପାରିବେ ଏବଂ ଗୋଷ୍ଠୀଗତ ଜୀବନରେ ସାମିଲ ହୋଇପାରିବେ ସମୁଚିତ ସରକାର ସେଥିପାଇଁ ଉପଯୁକ୍ତ ବ୍ୟବସ୍ଥାମାନ ଗ୍ରହଣ କରିବେ। ଚିରନ୍ତନ ବିକାଶର ୧୧ତମ ଲକ୍ଷ୍ୟରେ ଏହା ଉଲ୍ଲେଖ ଅଛି ଯେ ଉଭୟ ନଗର ଓ ଅନ୍ୟ ସମସ୍ତ ଜନବସତିମାନଙ୍କରେ ଉପଲବ୍ଧ ବ୍ୟବସ୍ଥା ଗୁଡ଼ିକୁ ଭିନ୍ନକ୍ଷମ ବ୍ୟକ୍ତିମାନେ ଯେପରି ନିରାପଦ ବ୍ୟବହାର କରିପାରିବେ, ସେଥିପାଇଁ ବିଶେଷ ଭାବେ ପ୍ରଯତ୍ନ କରିବାକୁ ହେବ।

ଆନ୍ତର୍ଜାତିକ ଧଳାବାଡ଼ି ଦିବସ-୨୦୨୦ ପାଳନ ଅବସରରେ ଏହା ଆମକୁ ମନେରଖିବାକୁ ହେବ ଯେ ଉଭୟ ଦୃଷ୍ଟିହୀନ ଓ ସ୍ବଳ୍ପ ଦୃଷ୍ଟିସମ୍ପନ୍ନ ବ୍ୟକ୍ତିମାନେ ଯେପରି ରାସ୍ତାରେ ଏବଂ ସାର୍ବଜନୀନ ପରିବେଶରେ ନିରାପଦରେ ଯାତାୟାତ କରିପାରିବେ ଏବଂ ସେମାନଙ୍କ ଦ୍ବାରା ବ୍ୟବହୃତ ଧଳାବାଡ଼ିଗୁଡ଼ିକ ଯେପରି ଉପଯୁକ୍ତ ଭାବେ ସାନିଟାଇଜ୍ ବା ବିଶୋଧିତ ହୋଇଥିବ କୋଭିଡ୍-୧୯ ପାଇଁ ନୀତି ନିର୍ଦ୍ଧାରଣ କରୁଥିବା ସମୋଚିତ ସଂସ୍ଥାମାନେ ସେଥିପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବେ।

ସନ୍ନ୍ୟାସୀ କୁମାର ବେହେରା
ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (ମୁଖ୍ୟାଳୟ)

ସମ୍ବନ୍ଧିତ ଖବର