ଓଡ଼ିଶାରେ ଆଧୁନିକ ଚିତ୍ରକଳାର ଜନକ ଭାବେ ପରିଗଣିତ ଅଜିତ କେଶରୀ ରାୟ ୧୯୨୨ ମସିହା ଡିସେମ୍ବର ପହିଲାରେ ଜନ୍ମଗ୍ରହଣ କରିଥିଲେ। ସାକ୍ଷୀଗୋପାଳର ଏକ ଜମିଦାର ପରିବାରରେ ତାଙ୍କର ଜନ୍ମ ହୋଇଥିଲା। ଅଳ୍ପ ବୟସରୁ ସେ ଚିତ୍ରକଳା ପ୍ରତି ଆକୃଷ୍ଟ ହୋଇଥିଲେ। ଡେରାଡୁନର ସ˚ଭ୍ରାନ୍ତ ‘ଡୁନ ସ୍କୁଲ’ରୁ ସ୍କୁଲ୍ ଶିକ୍ଷା ସମାପ୍ତ କରିବା ପରେ ୧୯୪୦ରେ ସେ ଫାଇନ୍ ଆର୍ଟ ପଢ଼ିବା ଲାଗି ଶାନ୍ତିନିକେତନରେ ଭର୍ତ୍ତି ହୋଇଥିଲେ। ସେଠାରେ ନନ୍ଦଲାଲ ବୋଷ ଥିଲେ ତାଙ୍କର ଅଧ୍ୟାପକ। ଶାନ୍ତିନିକେତନ ରହଣି କାଳରେ କିଂବଦନ୍ତି ଚଳଚ୍ଚିତ୍ର ନିର୍ମାତା ସତ୍ୟଜିତ ରାୟଙ୍କ ସହିତ ଗୋଟିଏ ପ୍ରକୋଷ୍ଠରେ ରହୁଥିଲେ। ଏହା ପରେ ଲଣ୍ଡନ୍ ଯାଇ ଆଙ୍ଗ୍ଲୋ ଫ୍ରେଞ୍ଚ ଆର୍ଟ ସେଣ୍ଟର୍ରେ ଯୋଗ ଦେଇ ମୂର୍ତ୍ତିକଳା, ଖୋଦେଇ ଓ ଗ୍ରାଫିକ୍ ଆର୍ଟରେ ପାରଦର୍ଶିତା ଆହରଣ କରିଥିଲେ।
୧୯୫୧ରେ ଅଜିତ ସ୍ବଦେଶ ଫେରିଥିଲେ। ୧୯୫୭ରେ ଖଲିକୋଟରେ ସରକାରୀ ଚାରୁକଳା ମହାବିଦ୍ୟାଳୟ ଖୋଲିବା ପରେ ସେଠାରେ ଅଜିତ ଅଧ୍ୟାପନା ଆରମ୍ଭ କଲେ ଏବଂ ତାହାର ଅଧ୍ୟକ୍ଷ ହୋଇ ଅବସର ଗ୍ରହଣ କରିଥିଲେ। ଅଧ୍ୟାପନା କାଳରେ ସମସାମୟିକ କଳାକାର ଶରତ ଚନ୍ଦ୍ର ଦେବ ଓ ଅନନ୍ତ ପଣ୍ଡାଙ୍କ ସହିତ ମିଶି ସେ ଓଡ଼ିଶାରେ ଆଧୁନିକ ଚିତ୍ରକଳାର ଆନ୍ଦୋଳନ ଆରମ୍ଭ କରିଥିଲେ। ତାଙ୍କ ସମୟରେ ସେ ଭାରତର ଶ୍ରେଷ୍ଠ ଚିତ୍ରକରଙ୍କ ଭିତରେ ଗଣାହେଉଥିଲେ। ଆଧୁନିକ ଚିତ୍ରକଳା ପାଇଁ ପ୍ରଦାନ କରାଯାଇଥିବା ପ୍ରଥମ ଲଳିତ କଳା ଏକାଡେମି ପୁରସ୍କାର ଅଜିତଙ୍କୁ ମିଳିଥିଲା ତାଙ୍କର ‘ଦି ଫ୍ଲାଇଟ୍’ ଶୀର୍ଷକ କୃତି ପାଇଁ। ଲଳିତ କଳା ଏକାଡେମିର ସଭାପତି ହେବା ସହିତ ସେ ‘ନ୍ୟାସନାଲ୍ ଏକ୍ଜିବିସନ୍ ଅଫ୍ ଆର୍ଟ’ର ଜୁରି ମଧ୍ୟ ରହିଥିଲେ। ୨୦୦୩ ମସିହାରେ ତାଙ୍କର ଆତ୍ମଜୀବନୀ ‘ପୋଟ୍ରେଟ୍ ଅଫ୍ ଏ ପେଣ୍ଟର୍’ ଉନ୍ମୋଚିତ ହୋଇଥିଲା। ୨୦୧୨ ଅକ୍ଟୋବର ୧୦ରେ ଅଜିତ କେଶରୀ ରାୟ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/4hs654h65sf4f654fh.jpg)