ଆଜି ଓଡ଼ିଶାର ସୁପରିଚିତ ଶିକ୍ଷାବିତ୍ ଓ ସାହିତ୍ୟ ସାଧକ ପ୍ରଫେସର ଅମୂଲ୍ୟକୃଷ୍ଣ ମିଶ୍ରଙ୍କ ଜନ୍ମଦିବସ। ୧୯୩୨ ମସିହା ଜୁଲାଇ ୬ରେ ଆଧୁନିକ ଓଡ଼ିଆ ସାହିତ୍ୟର ସ୍ରଷ୍ଟା ଦୟାନିଧି ମିଶ୍ରଙ୍କ କନିଷ୍ଠ ପୁତ୍ରସନ୍ତାନ ଭାବରେ ତାଙ୍କର ଆବିର୍ଭାବ ହୋଇଥିଲା ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପବିତ୍ର ଜନ୍ମପୀଠ ବରପାଲି ନିକଟସ୍ଥ ତୁଲଣ୍ଡି ଗ୍ରାମରେ। ବିଜ୍ଞାନର ଅଧ୍ୟାପକ ହୋଇଥିଲେ ମଧ୍ୟ ସେ ତାଙ୍କ ପି.ଏଚ୍.ଡି. ଡିଗ୍ରି ନିମିତ୍ତ ଗବେଷଣାତ୍ମକ ନିବନ୍ଧ ରଚନା କରିଥିଲେ ଭକ୍ତକବି ସାଲବେଗଙ୍କ ଚିରନ୍ତନ ସାହିତ୍ୟକୃତି ଉପରେ। ଓଡ଼ିଆ ବିଜ୍ଞାନ ସାହିତ୍ୟକୁ ସେ ଯେପରି ସମୃଦ୍ଧଶାଳୀ କରିଛନ୍ତି, ସେହିପରି ଗଳ୍ପ, ନାଟକ, ଉପନ୍ୟାସ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ନିଜସ୍ୱ ସାମାଜିକ ପ୍ରତିବଦ୍ଧତାର ପରିଚୟ ପ୍ରଦାନ କରିଛନ୍ତି। ବିଜ୍ଞାନର ଗବେଷଣା ମାନବ-କଲ୍ୟାଣ ଅଭିମୁଖୀ ହେବାର ବାର୍ତ୍ତା ତାଙ୍କ ସାହିତ୍ୟରେ ଯେପରି ପ୍ରଜ୍ଜ୍ବଳ, ଠିକ୍ ସେହିପରି କଥା ସାହିତ୍ୟ ସୃଷ୍ଟି ମଧ୍ୟରେ ଜାତୀୟ-ସଂହତିର ଶୁଭ ଶଙ୍ଖନାଦ ନିନାଦିତ। ସେ ସହଧର୍ମିଣୀ ଶୈଳବାଳା ମିଶ୍ରଙ୍କ ସହଯୋଗିତାରେ ପିତା ଦୟାନିଧି ମିଶ୍ରଙ୍କ ଜୀବନୀ ‘ଗ୍ରସ୍ତସୂର୍ଯ୍ୟ’ ରଚନା କରିଥିଲେ। ୨୦୦୧ ଫେବ୍ରୁଆରି ୨୬ ତାରିଖରେ ଅମୂଲ୍ୟକୃଷ୍ଣ ମିଶ୍ର ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

Advertisment