ଓଡ଼ିଶା ପାଠାଗାର ଆନ୍ଦୋଳନର ପୁରୋଧା ତଥା ସଂଗ୍ରାହକ ଓ ସାରସ୍ୱତ ସାଧକ ଦାଶରଥି ପଟ୍ଟନାୟକ ୧୯୦୭ ମସିହା ଆଜି ତାରିଖରେ ନୟାଗଡ଼ ଅନ୍ତର୍ଗତ ରାଇପୁର ଗ୍ରାମରେ ଜନ୍ମ ହୋଇଥିଲେ। ସେ ଦାସିଆ ଅଜା ନାମରେ ସମଗ୍ର ଓଡ଼ିଶାରେ ସୁପରିଚିତ। ସେ ଅତି ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ମାତ୍ର ଚତୁର୍ଥ ଶ୍ରେଣୀ ଯାଏଁ ପଢ଼ିଥିଲେ ବି ବହି ପଢ଼ିବା ତାଙ୍କର ଏକ ନିଶା ଥିଲା। ଏହି ନିଶା ଯୋଗୁଁ ସେ ଓଡ଼ିଶା ଯାତ୍ରା ଆରମ୍ଭ କଲେ। ଗାଁ ଗଣ୍ଡା ସହର ବଜାର ଦ୍ୱାରଦ୍ୱାର ବୁଲି ସେ ପାଲଟିଗଲେ ଜ୍ଞାନର ଭିକାରୀ। ହାତ ପାତି ସମସ୍ତଙ୍କୁ ପୁସ୍ତକ, ପତ୍ରପତ୍ରିକା, ତାଳପତ୍ର ପୋଥି, ପୁରାତନ ସଂସ୍କୃତିର ସନ୍ତକ ଓ ଦଶ ପଇସାର ଭିକ୍ଷା ମାଗୁଥିଲେ। ମାଗିଯାଚି ସେ ଜାତି ପାଇଁ ସୃଷ୍ଟି କଲେ ଏକ ପ୍ରସିଦ୍ଧ ସାଂସ୍କୃତିକ ପର୍ଯ୍ୟଟନ ସମ୍ଭାର।
ନୟାଗଡ଼ର ଏକ ନିପଟ ପାହାଡ଼ିଆ ମଫସଲ ଗାଁ ଉଦୟପୁରରେ ସେ ପ୍ରତିଷ୍ଠା କରିଥିଲେ ଏକ ପାଠାଗାର, ସଂଗ୍ରହାଳୟ, ସାହିତ୍ୟ ସଂସଦ ଓ ଗବେଷଣାଗାର। ଦାସିଆ ଅଜାଙ୍କୁ ଏହି ମହାନ କାର୍ଯ୍ୟରେ ସହଯୋଗ କରିଥିଲେ ତାଙ୍କ ସହଧର୍ମିଣୀ ପୌର୍ଣ୍ଣମାସୀ ଦେବୀ। ଦାସିଆ ଅଜାଙ୍କ ଦ୍ବାରା ପ୍ରତିଷ୍ଠିତ ପାଠାଗାରରେ ପୃଥିବୀର ବିଭିନ୍ନ ଭାଷାର ଦେଢ଼ ଲକ୍ଷରୁ ଅଧିକ ପୁସ୍ତକ, ପତ୍ରପତ୍ରିକା, ସହସ୍ରାଧିକ ତାଳପତ୍ର ପୋଥି, ବ୍ରିଟିଶ କାଳର ଶତାଧିକ ରେକର୍ଡପତ୍ର ସମେତ ଶହଶହ ବିରଳ ପଦାର୍ଥମାନ ସଂଗୃହୀତ ହୋଇ ରହିଛି। ଜୀବିତାବସ୍ଥାରେ ସେ ନିଜ ଦ୍ବାରା ପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକ ପାଇଁ ଏକ ଟ୍ରଷ୍ଟ୍ ଗଠନ କରିଥିଲେ। ୧୯୯୭ରେ ମୃତ୍ୟୁ ପୂର୍ବରୁ ନାତି ଦୀପକଙ୍କୁ ସେ ଏହି ଟ୍ରଷ୍ଟର ଦାୟିତ୍ବ ପ୍ରଦାନ କରିଥିଲେ। ଦାଶିଆ ଅଜାଙ୍କର ଏହି ମହାନ୍ ସା˚ସ୍କୃତିକ ସମ୍ଭାର ଆଜି ଦେଶ-ବିଦେଶର ପାଠକ, ଗବେଷକ, ଦର୍ଶକ, ପର୍ଯ୍ୟଟକ, ସାହିତ୍ୟିକ ଓ ବୁଦ୍ଧିଜୀବୀଙ୍କ ପାଇଁ ଏକ ତୀର୍ଥସ୍ଥଳୀରେ ପରିଣତ ହୋଇଛି।