ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କର ଆଜି ଜନ୍ମ ଦିବସ। ପ୍ରସିଦ୍ଧ ସାହିତ୍ୟିକ କାଳିନ୍ଦୀ ଚରଣ ପାଣିଗ୍ରାହୀ ଓ ରତ୍ନମଣି ଦେବୀଙ୍କ ଜ୍ୟେଷ୍ଠା କନ୍ୟା ରୂପେ ୧୯୩୧ ମସିହାରେ ସେ ଜନ୍ମ ନେଇଥିଲେ। ଶୈଶବରୁ ସେ ସ୍ବାଭିମାନୀ ଓ ସ୍ବାଧୀନଚେତା ଥିଲେ। ଛାତ୍ରୀ ଜୀବନରୁ ସେ ରାଜନୀତି ଓ ସାହିତ୍ୟ ପ୍ରତି ଆକର୍ଷିତ ହୋଇଥିଲେ। ଆରମ୍ଭରୁ ସେ କକେଇ ଭଗବତୀଚରଣଙ୍କ ସାମ୍ୟବାଦୀ ଚିନ୍ତାଧାରା ଦ୍ବାରା ପ୍ରଭାବିତ ହୋଇଥିଲେ। କିନ୍ତୁ ପରେ କ˚ଗ୍ରେସ ଦଳରେ ଯୋଗଦେଇ ୧୯୬୨ରେ ପ୍ରଥମେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ଇନ୍ଦିରା ଗାନ୍ଧୀଙ୍କ ସହ ପରିଚୟ ହେବା ପରେ ସେ ତାଙ୍କର ବିଶ୍ବସ୍ତ ସହଯୋଗୀ ପାଲଟିଯାଇଥିଲେ।
/sambad/media/post_attachments/wp-content/uploads/2023/06/654f654sf6fshsfhsfh.jpg)
ଇନ୍ଦିରା ପ୍ରଧାନମନ୍ତ୍ରୀ ହେବା ପରେ ନନ୍ଦିନୀଙ୍କୁ ସୂଚନା ଓ ପ୍ରସାରଣ ବିଭାଗର ମନ୍ତ୍ରୀ ପଦ ମିଳିଥିଲା। ୧୯୭୨ରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ନିର୍ବାଚନରେ ଜୟ-ପରାଜୟକୁ ଯଦିଓ ସେ ଗୁରୁତ୍ବ ଦେଉ ନ ଥିଲେ, କିନ୍ତୁ ସେ କେବେ ହେଲେ ନିର୍ବାଚନ ହାରି ନ ଥିଲେ। ସେ ୧୯୭୨-୧୯୯୫ ମଧ୍ୟରେ ସାତ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପିତାଙ୍କ ସାହିତ୍ୟିକ ରକ୍ତ ଆଜୀବନ ତାଙ୍କ ଶିରା-ପ୍ରଶିରାରେ ପ୍ରବାହିତ ହୋଇଥିଲା। ରାଜନୀତି ସାଙ୍ଗକୁ ଅବସର ସମୟରେ ଲେଖାପଢ଼ା ଜାରି ରଖିଥିଲେ। ତସ୍ଲିମା ନସ୍ରିନଙ୍କ ‘ଲଜ୍ଜା’ ପୁସ୍ତକର ଅନୁବାଦ କରିଥିଲେ। ଅମୃତା ପ୍ରୀତମଙ୍କ ଆତ୍ମଜୀବନୀ ‘ରେଭିନ୍ୟୁ ଟିକେଟ୍’ର ଓଡ଼ିଆ ଅନୁବାଦ ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା। ୨୦୦୬ ଅଗଷ୍ଟ ୪ ତାରିଖରେ ଭୁବନେଶ୍ବର ଠାରେ ନନ୍ଦିନୀଙ୍କ ତିରୋଧାନ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/Nandini-Satpathys-Birth-Annniversary_Thumbnail.jpg)