ଓଡ଼ିଶାର ପ୍ରଖ୍ୟାତ ଐତିହାସିକ, ସମ୍ପାଦକ, ଶିକ୍ଷାବିତ୍, ସମାଜସେବୀ, ସମାଜ ସଂସ୍କାରକ, ସ୍ବତନ୍ତ୍ର ଓଡ଼ିଶା ଗଠନର ଅନ୍ୟତମ କର୍ଣ୍ଣଧାର ପ୍ୟାରୀମୋହନ ଆଚାର୍ଯ୍ୟ ୧୮୫୧ ଅଗଷ୍ଟ ୫ ତାରିଖରେ କଟକ ଜିଲ୍ଲାର ପଶୁଲୁଣ୍ଡା ଗ୍ରାମରେ ଜନ୍ମ ହୋଇଥିଲେ। ମାତ୍ର ୩୦ ବର୍ଷର ଜୀବନର ଶେଷ ୧୦ ବର୍ଷ ସେ ଦେଶପ୍ରୀତି ଓ ଜାତି ଗଠନ ଲାଗି ଉତ୍ସର୍ଗ କରିଦେଇଥିଲେ। ମାତୃଭୂମି ଓ ମାତୃଭାଷାର ଉନ୍ନତି ପାଇଁ ତାଙ୍କର ଜୀବନ ସମର୍ପିତ ଥିଲା। ସେ ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନର ସ୍ବପ୍ନ ଦେଖିଥିଲେ। ବ୍ରିଟିସ୍ ଶାସନ ବିରୋଧରେ ସ୍ବର ଉତ୍ତୋଳନ କରି ଉତ୍କଳୀୟମାନଙ୍କୁ ଜାତୀୟ ଭାବନାରେ ଉଦ୍‌ବୁଦ୍ଧ କରିବା ପାଇଁ ପ୍ୟାରୀମୋହନ ‘ଉତ୍କଳପୁତ୍ର’ ପତ୍ରିକା ମାଧ୍ୟମରେ ଉଦ୍ୟମ କରିଥିଲେ। ଦର୍ଶନ ଅଧ୍ୟାପକ ହରନାଥ ଭଟ୍ଟାଚାର୍ଯ୍ୟଙ୍କ ଦ୍ବାରା ପ୍ରଭାବିତ ହୋଇ ସେ ୧୮୭୦ରେ ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ। ତତ୍‌କାଳୀନ କଟକ ସହରର ରାସ୍ତାଘାଟର ଅବସ୍ଥାକୁ ଲକ୍ଷ୍ୟ କରି ‘ଦରଖାସ୍ତ ଜୁତିଆନ’ ନାମକ ଲେଖା ପ୍ରକାଶ କରି ଇଂରେଜଙ୍କ ରୋଷର ଶିକାର ହୋଇଥିଲେ ଏବଂ ତାଙ୍କୁ ପାଠପଢ଼ାରେ ଡୋରି ବାନ୍ଧିବାକୁ ପଡ଼ିଥିଲା। ସେ ନିଜସ୍ବ ଉଦ୍ୟମରେ ‘କଟକ ଏକାଡେମୀ’ ନାମକ ଏକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ଯାହା ଆଜି ପ୍ୟାରୀମୋହନ ଏକାଡେମୀ ନାମରେ ପ୍ରଖ୍ୟାତ। ଓଡ଼ିଆରେ ଇତିହାସ ରଚନାର ଆବଶ୍ୟକତାକୁ ହୃଦୟଙ୍ଗମ କରି ପ୍ୟାରୀମୋହନ ଓଡ଼ିଆ ଜାତିର ତ୍ରୁଟିରହିତ ପୂର୍ଣ୍ଣାଙ୍ଗ ଇତିହାସ ରଚନା କରିଥିଲେ। ୧୮୭୫ରେ ପ୍ୟାରୀମୋହନଙ୍କ ‘ଓଡ଼ିଶାର ଇତିହାସ’ ପ୍ରକାଶ ପାଇଥିଲା। ୧୮୮୧ ଡିସେମ୍ବର ୨୮ ତାରିଖରେ ଏହି ମହାପୁରୁଷ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।
- ଭାବଗ୍ରାହୀ ରାଉତ

Advertisment