ଉତ୍କଳ ମାଟିରେ ଜନ୍ମଗ୍ରହଣ କରି ଓଡ଼ିଆ ଭାଷା-ସାହିତ୍ୟକୁ ଋଦ୍ଧିମନ୍ତ କରିଥିବା ସାରସ୍ବତ ସାଧକମାନଙ୍କ ମଧ୍ୟରେ ଶ୍ରୀଧର ଦାସ ଅନ୍ୟତମ। ଜୀବନକାଳ ମଧ୍ୟରେ ସେ ତିନିଟି ଅଭିଧାନ, ଦଶଟି ବ୍ୟାକରଣ ପୁସ୍ତକ, ସାତଟି ପାଠ୍ୟ ପୁସ୍ତକ, ଏକସ୍ତରିଟି ଅନୁବାଦ ପୁସ୍ତକ, ସାତଟି ସଂପାଦିତ ପୁସ୍ତକ ଓ ଚାରିଟି ଜୀବନୀ ପୁସ୍ତକ ସମେତ ଶତାଧିକ ପୁସ୍ତକ ରଚନା କରିଥିଲେ। ନିଜର ଆତ୍ମଜୀବନୀ ‘ସୁଅ ମୁହଁରେ ପତର’ କେବଳ ଆତ୍ମଜୀବନୀ ନୁହେଁ, ସମସାମୟିକ ଓଡ଼ିଶାର ବିଭିନ୍ନ ଦିଗକୁ ନେଇ ରଚିତ ଏକ ମୂଲ୍ୟବାନ ଦସ୍ତାବିଜ। ତାଙ୍କ ଦ୍ବାରା ପ୍ରଣୀତ ‘ନବ ଅଭିଧାନ’ ଓ ‘ସର୍ବସାର’ ଶୁଦ୍ଧ ଓଡ଼ିଆ ଲିଖନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। କାକଟପୁରର ନାଉସିରା ଗ୍ରାମରେ ୧୯୦୧ ମସିହା ଅକ୍ଟୋବର ୪ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ।
ଉଚ୍ଚ ଶିକ୍ଷା ହାସଲ ପରେ ବିଭିନ୍ନ ସ୍କୁଲ୍ରେ ଶିକ୍ଷକତା କରିଥିଲେ ଏବଂ ପରେ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟାପକ ରୂପେ ନିଯୁକ୍ତ ହୋଇଥିଲେ। ବୈଜ୍ଞାନିକ ଚିନ୍ତାଧାରରେ ତାଙ୍କର ପୂର୍ଣ୍ଣ ବିଶ୍ବାସ ଥିଲା। ତାଙ୍କ ଜୀବନଶୈଳୀରେ ଗାନ୍ଧୀ-ଗୋପବନ୍ଧୁଙ୍କ ଜୀବନଧାରା ପରିଲକ୍ଷିତ ହୋଇଥିଲା। ପେସାରେ ଓଡ଼ିଆ ଅଧ୍ୟାପକ ହୋଇଥିଲେ ହେଁ ଇତିହାସ, ଭୂଗୋଳ, ଗଣିତ, ବିଜ୍ଞାନ, ଅର୍ଥନୀତି, ଦର୍ଶନ, ସମାଜଶାସ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ରରେ ତାଙ୍କର ଅଗାଧ ଜ୍ଞାନ ଥିଲା। ଆଖିରେ ଜ୍ୟୋତି ଥିବା ଯାଏଁ ସେ ଅଧ୍ୟୟନରୁ ବିରତ ହୋଇନଥିଲେ। ୧୯୭୪ରେ ତାଙ୍କୁ ସୋଭିଏତ୍ ଲାଣ୍ଡ୍ ନେହରୁ ପୁରସ୍କାର ମିଳିଥିଲା। ୧୯୮୮ ଏପ୍ରିଲ୍ ୨୪ ତାରିଖରେ ଶ୍ରୀଧର ଦାସ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।