ବିନୋଦ କାନୁନ୍ଗୋ ଓଡ଼ିଶା ସାରସ୍ବତ ଆକାଶର ଜଣେ ଉଜ୍ଜ୍ବଳ ନକ୍ଷତ୍ର। ସେ ଏକାଧାରରେ ଜଣେ ସ୍ବାଧୀନତା ସଂଗ୍ରାମୀ, ସମାଜସେବୀ, ସମାଜ ସଂସ୍କାରକ, ଶିଶୁ ସାହିତ୍ୟିକ ତଥା ଓଡ଼ିଆ ଭାଷାର ସବୁଠାରୁ ଉନ୍ନତ ଜ୍ଞାନକୋଷ- ‘ଜ୍ଞାନମଣ୍ତଳ’ର ସୃଷ୍ଟିକର୍ତ୍ତା। ସେ ୧୯୧୨ ଜୁନ୍ ଆଜି ତାରିଖରେ କଟକ ଅନ୍ତର୍ଗତ ମଲ୍ଲୀପୁର ଗ୍ରାମରେ ଜନ୍ମ ହୋଇଥିଲେ। ମହାତ୍ମା ଗାନ୍ଧୀଙ୍କ ଆହ୍ବାନରେ ସ୍ବାଧୀନତା ଅନ୍ଦୋଳନରେ ଯୋଗ ଦେବା ପାଇଁ ସେ ଦଶମ ଶ୍ରେଣୀରୁ ସ୍କୁଲ୍ ଛାଡ଼ିଥିଲେ। କିନ୍ତୁ ତାଙ୍କ ପାଠପଢ଼ା ବନ୍ଦ ହୋଇ ନ ଥିଲା। କାରବରଣ ସମୟକୁ ଅଧ୍ୟୟନରେ ବିନିଯୋଗ କରି ସେ ସାହିତ୍ୟ ରଚନା ଆରମ୍ଭ କରିଥିଲେ। ସ୍ବାଧୀନତା ପରେ ସେ ରାଜନୀତିରେ ନ ମାତି ଜ୍ଞାନର ପ୍ରସାରକ ସାଜିବା ପାଇଁ ନିଷ୍ପତ୍ତି ନେଇଥିଲେ। ମାତ୍ର ଏକ ଟଙ୍କା, ଖଣ୍ତିଏ ଖଦଡ଼ ଶତରଞ୍ଜି, ଖଦଡ଼ ପୋଷାକ ଓ କିଛି ବହି ଧରି କଟକ ଆସିଥିଲେ। ୧୯୫୪ରେ ‘ଜ୍ଞାନମଣ୍ଡଳ’ ରଚନା ପାଇଁ ତଥ୍ୟ ସଂଗ୍ରହ ଆରମ୍ଭ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ନିଷ୍ଠାପର ଉଦ୍ୟମ ଓ ସାଧନା ବଳରେ ସେ ଏକାକୀ ଜ୍ଞାନମଣ୍ଡଳର ସ˚ପାଦନା, ପ୍ରକାଶନ ଓ ବିକ୍ରୟ ଦାୟିତ୍ବ ବହନ କରିଥିଲେ। ୨ ଡିସେମ୍ବର୍ ୧୯୬୦ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଦ୍ବାରା ଏହାର ପ୍ରଥମ ଖଣ୍ତ ଉନ୍ମୋଚିତ ହୋଇଥିଲା। ତେବେ ତାଙ୍କର ବିଶେଷ ଆର୍ଥିକ ସମ୍ବଳ ନ ଥିଲା। ଗୋଟିଏ ସ˚ଖ୍ୟା ବିକ୍ରି ପରେ ସେଇ ଅର୍ଥରେ ସେ ଆଉ ଗୋଟିଏ ସ˚ଖ୍ୟା ମୁଦ୍ରଣ କରୁଥିଲେ। ତିରିଶ ବର୍ଷର ନିରବଚ୍ଛିନ୍ନ ସାଧନା ବଳରେ ସେ ଚାଳିଶ ଖଣ୍ତ ‘ଜ୍ଞାନମଣ୍ତଳ’ ପ୍ରକାଶ କରିପାରିଥିଲେ। ସେ ଏକାଧିକ ଶିଶୁ ସାହିତ୍ୟ ଗ୍ରନ୍ଥ ମଧ୍ୟ ରଚନା କରିଛନ୍ତି। ଆତ୍ମଜୀବନୀମୂଳକ ପୁସ୍ତକ ‘ଋଣ ପରିଶୋଧ’ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା। ୧୯୮୬ରେ ସେ ପଦ୍ମଶ୍ରୀ ସମ୍ମାନ ପାଇଥିଲେ। ୧୯୯୦ ଜୁନ୍ ୨୨ରେ ବିନୋଦ କାନୁନ୍ଗୋଙ୍କ ତିରୋଧାନ ହୋଇଥିଲା।