ମାଡାମ୍ ଭିକାଜୀ କାମା
ଭାରତୀୟ ମୁକ୍ତି ସଂଗ୍ରାମର ଜଣେ ଅନନ୍ୟ ଯୋଦ୍ଧା ମାଡାମ୍ କାମା। ତାଙ୍କର ପୂର୍ଣ୍ଣ ନାମ ଭିକାଜୀ ରୁସ୍ତୋମ କାମା। ୨୪ ସେପ୍ଟେମ୍ବର, ୧୮୬୧ ମସିହାରେ ମୁମ୍ବାଇର ଏକ ପାର୍ସୀ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ମାଡାମ୍ କାମାଙ୍କର ପିତା ସୋରାବ୍ଜୀ ଫ୍ରାମଜୀ ପାର୍ସୀ ସମ୍ପ୍ରଦାୟର ଜଣେ ପ୍ରଭାବଶାଳୀ ସଦସ୍ୟ ଥିଲେ। ମାଆଙ୍କ ନାମ ଜୈଜିବାଇ ସୋରାବ୍ଜୀ ପଟେଲ୍। ଭାରତୀୟ ସ୍ବାଧୀନତା ସଂଗ୍ରାମ ପାଇଁ ନିଜକୁ ଉତ୍ସର୍ଗୀତ କରିଥିବା ମ୍ୟାଡାମ୍ କାମା ଲିଙ୍ଗଗତ ଅସମାନତା ଦୂର କରିବା ପାଇଁ ଲଢ଼ିଥିଲେ ଏବଂ ଯୁବତୀମାନଙ୍କ ପାଇଁ ଏକ ଅନାଥାଶ୍ରମ କରି ସାହାଯ୍ୟ କରିବାକୁ ତାଙ୍କ ସମ୍ପତ୍ତି ଦାନ କରିଥିଲେ। ୧୯୧୦ ମସିହାରେ ଇଜିପ୍ଟର କାଇରୋଠାରେ ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ସେ କହିଥିଲେ, ‘‘ମୁଁ ଏଠାରେ ଇଜିପ୍ଟର ମାତ୍ର ଅର୍ଦ୍ଧେକଙ୍କ ପ୍ରତିନିଧିକୁ ଦେଖୁଛି, ବାକି ଅର୍ଦ୍ଧେକ ଗଲେ କୁଆଡ଼େ? ଇଜିପ୍ଟର ପୁଅମାନେ କହିବେ କି, କୁଆଡ଼େ ଗଲେ ଇଜିପ୍ଟର ଝିଅ, କେଉଁଆଡ଼େ ଗଲେ ତୁମ ମା’ ଆଉ ଭଉଣୀ, ତୁମର ପତ୍ନୀ ଏବଂ କନ୍ୟା?’’ ମାଡାମ୍ କାମା ୧୯୦୦ ମସିହା ପୂର୍ବରୁ ବିଦେଶରେ ରହି ଜାତୀୟତାବାଦୀ ସାହିତ୍ୟ ଲେଖିଥିଲେ। ୧୮୯୬ ମସିହାରେ ମୁମ୍ବାଇରେ ପ୍ଲେଗ୍ ବ୍ୟାପିଥିବା ବେଳେ ସେ ଲୋକଙ୍କ ସେବା ଶୁଶ୍ରୂଷାରେ ଲାଗିପଡ଼ିଥିଲେ। ଶେଷରେ ନିଜେ ପ୍ଲେଗ୍ରେ ଆକ୍ରାନ୍ତ ହୋଇଥିଲେ। ଏଥିରୁ ଆରୋଗ୍ୟ ଲାଭ କରିଥିଲେ ମଧ୍ୟ ତାଙ୍କର ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ତାଙ୍କୁ ୟୁରୋପ ଯିବାକୁ ପରାମର୍ଶ ଦିଅାଯାଇଥିଲା। ତେଣୁ ୧୯୦୨ ମସିହାରେ ସେ ଚିକିତ୍ସା ପାଇଁ ବ୍ରିଟେନ୍ ଯାଇଥିଲେ ଏବଂ ସେଠାରେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଜାରି ରଖିଥିଲେ। ଜଣେ ଭାରତୀୟ ରାଷ୍ଟ୍ରଦୂତ ଭାବରେ ସେ ୧୯୦୭ ମସିହାରେ ଜର୍ମାନୀ ଗସ୍ତରେ ଯାଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ୧୯୦୭ରେ ଭିକାଜି କାମା ଷ୍ଟୁଟଗର୍ଟ, ଜର୍ମାନୀ ଠାରେ ଭାରତର ପ୍ରଥମ ତ୍ରିରଙ୍ଗା ଜାତୀୟ ପତାକା ତିଆରି କରିଥିଲେ ଯାହା ମଝିରେ ‘ବନ୍ଦେ ମାତରମ୍’ ଲେଖାଯାଇଥିଲା। ୧୩ ଅଗଷ୍ଟ, ୧୯୩୬ ମସିହାରେ ମାଡାମ୍ କାମାଙ୍କର ଦେହାନ୍ତ ଘଟିଥିଲା।
ବିଶ୍ବ ଅଙ୍ଗଦାନ ଦିବସ
ପ୍ରତିବର୍ଷ ଅଗଷ୍ଟ ୧୩ ତାରିଖରେ ବିଶ୍ୱ ଅଙ୍ଗଦାନ ଦିବସ ପାଳନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ଅଙ୍ଗଦାନ ସମ୍ବନ୍ଧରେ ଥିବା ଭୁଲ୍ ଧାରଣାକୁ ଜନମାନସରୁ ହଟାଇବା। ଜଣେ ଜୀବିତ ବ୍ୟକ୍ତିର ଯକୃତ ଦୁଇ ଜଣ ବ୍ୟକ୍ତିଙ୍କ ପାଖରେ ପ୍ରତିରୋପଣ କରାଯାଇପାରିବ। ଶରୀରରେ ଏପରି କେତେକ ଅଙ୍ଗ ରହିଛି, ଯାହା ମୃତ୍ୟୁ ପରେ ମଧ୍ୟ ଦାନ କରାଯାଇପାରିବ। ଯକୃତ, ପାନ୍କ୍ରିଆଜ୍, ହୃତପିଣ୍ଡ ଏବଂ ଫୁସ୍ଫୁସ୍ ଆଦି ଦାନ କରାଯାଇ ପାରିବ। ସେହିଭଳି ଟିସୁ ଭିତରେ ଆଖି, ତ୍ୱଚା ହାଡ଼, ଅସ୍ଥିମଜ୍ଜା, ମସ୍ତିଷ୍କ, କାନ ପରଦା, କାନ ହାଡ଼, ରକ୍ତ ଇତ୍ୟାଦି ଦାନ କରିହେବ। କୌଣସି ବ୍ୟକ୍ତିଙ୍କ ବ୍ରେନ୍ ଡେଡ୍ ହେବା ପରେ ଡାକ୍ତର ତାଙ୍କ ପରିବାରର ଇଚ୍ଛା ମୁତାବକ ଶରୀରରୁ ଅଙ୍ଗ କାଢ଼ିନିଅନ୍ତି। ଏହା ପୂର୍ବରୁ ସବୁ ଆଇନଗତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଇଥାଏ। ଏହି ପ୍ରକ୍ରିୟାକୁ ଏକ ନିଶ୍ଚିତ ସମୟ ମଧ୍ୟରେ ଶେଷ କରାଯାଏ। ଅଙ୍ଗଦାନ କରିବା ପାଇଁ କୌଣସି ବୟସ ସୀମା ନ ଥାଏ। ୧୮ ବର୍ଷ ବୟସରୁ କମ୍ ବ୍ୟକ୍ତିମାନେ ଅଙ୍ଗଦାନ ପାଇଁ ନିଜ ମାତାପିତାଙ୍କ ଠାରୁ ଅନୁମତି ଆଣିବା ନିତାନ୍ତ ଜରୁରୀ। ଭାରତରେ କ’ଣ ରହିଛି ନିୟମ? ଭାରତୀୟ ଆଇନରେ ଏହା ଯଥାର୍ଥ। ଭାରତ ସରକାରଙ୍କ ପକ୍ଷରୁ ମାନବ ଅଙ୍ଗ ଅଧିନିୟମ (ଟିଏଚ୍ଓଏ) ୧୯୯୪ ଅନ୍ତର୍ଗତ ପ୍ରତ୍ୟାରୋପଣକୁ ମଞ୍ଜୁରୀ ଦେଇଛନ୍ତି। ଯାହା ଅଙ୍ଗ ଦାନ କରିବାର ଅନୁମତିକୁ ବୈଧ ମାନିଥାଏ। ଇତିହାସ କହେ, ୧୯୫୪ ମସିହାରେ ପ୍ରଥମ କରି ଅଙ୍ଗଦାନ କରାଯାଇଥିଲା। ରୋନାଲ୍ଡ ଲି ହେରିକ୍ ନାମକ ଜଣେ ବ୍ୟକ୍ତି ନିଜ ଭାଇକୁ କିଡ୍ନି ଦାନକରି ତାଙ୍କର ଜୀବନ ରକ୍ଷା କରିଥିଲେ। ଡାକ୍ତର ଯୋଶେଫ୍ ମରେ ପ୍ରଥମ କରି ଏହି କିଡ୍ନି ଟ୍ରାନ୍ସପ୍ଲାଣ୍ଟ୍ କରିଥିଲେ। ଏହି କାର୍ଯ୍ୟ ପାଇଁ ୧୯୯୦ ମସିହାରେ ଡାକ୍ତର ମରେଙ୍କୁ ଫିଜିଓଲୋଜିରେ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ତେବେ ଭାରତରେ ଅଙ୍ଗଦାନ ଦିବସ ସ୍ବତନ୍ତ୍ର ଭାବେ ନଭେମ୍ବର ୨୭ ତାରିଖରେ ପାଳନ କରାଯାଏ।
ଅହିଲ୍ୟାବାଇ ହୋଲ୍କର
୩୧ ମଇ, ୧୭୨୫ରେ ଅହିଲ୍ୟାବାଇ ହୋଲ୍କର ଅହମ୍ମଦନଗର ଜିଲ୍ଲାର ଚୌଣ୍ଡି ଗାଁର ଏକ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପରେ ମାଲୱା ରାଜ୍ୟର ରାଣୀ ହୋଇଥିଲେ। ପିଲାଦିନରୁ ସେ ଲୋକଙ୍କୁ ସାହାଯ୍ୟ କରିବାର ଇଚ୍ଛା ରଖିଥିଲେ। ଖୁବ୍ କମ୍ ବୟସରେ ଖଣ୍ଡେରାଓ ହୋଲ୍କରଙ୍କୁ ବିବାହ କରିଥିଲେ। ୧୭୫୪ ମସିହାରେ ଖଣ୍ଡେରାଓ କୁମ୍ଭେର ଯୁଦ୍ଧରେ ବୀରଗତି ପ୍ରାପ୍ତ ହୋଇଥିଲେ। ତେଣୁ ଅହିଲ୍ୟାବାଇଙ୍କୁ ହୋଲ୍କର ସାମ୍ରାଜ୍ୟର ଦାୟିତ୍ବ ନେବାକୁ ପଡ଼ିଥିଲା। ସେ ଭାରତ ଇତିହାସର ସର୍ବୋତ୍ତମ ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ ବିବେଚିତ ହୋଇଥିଲେ। ଦେଶର ବିଭିନ୍ନ ସ୍ଥାନରେ ଅନେକ ଧର୍ମପୀଠ ନିର୍ମାଣ ପାଇଁ ଅହିଲ୍ୟାବାଇ ହୋଲ୍କରଙ୍କୁ ଏହି ଶ୍ରେୟ ଦିଆଯାଇଛି। ସେ ୧୩ ଅଗଷ୍ଟ, ୧୭୯୫ରେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ। କାଶୀ ବିଶ୍ବନାଥ ମନ୍ଦିର ଉପରେ ମୁସଲମାନ ଶାସକମାନଙ୍କ ଆକ୍ରମଣ ବହୁବାର ହୋଇଛି। ବିଶ୍ୱନାଥ ମନ୍ଦିରର ବର୍ତ୍ତମାନର ରୂପ ୧୭୮୦ ମସିହାରେ ଇନ୍ଦୋରର ମହାରାଣୀ ଅହିଲ୍ୟାବାଇ କରାଇଥିଲେ। ମହାରାଷ୍ଟ୍ରର ଅହମ୍ମଦ ନଗର ଜିଲ୍ଲା ଅହିଲ୍ୟାବାଇ ହୋଲ୍କର ନାମରେ ପରିଚିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘୋଷଣା କରିଛନ୍ତି। ପୂର୍ବରୁ ଇନ୍ଦୋର ବିମାନବନ୍ଦରର ନାମ ‘ଦେବୀ ଅହିଲ୍ୟାବାଇ ହୋଲ୍କର ବିମାନବନ୍ଦର’ ନାମିତ କରାଯାଇଛି। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର (ସୋଲାପୁର)ର ଦୁଇଟି ବିଶ୍ୱବିଦ୍ୟାଳୟର ନାମକରଣ ସହ ତାଙ୍କ ସ୍ମୃତିରେ ଅନେକ ରାସ୍ତା, କୋଠା, ସର୍ବସାଧାରଣ ସ୍ଥାନ ନାମିତ ହୋଇଛି।
ଶ୍ରୀଦେବୀ
ଭାରତୀୟ ସିନେପ୍ରେମୀଙ୍କ ଭିତରେ ଶ୍ରୀଦେବୀ ଏପରି ଏକ ସ୍ଥାନରେ ରହିଛନ୍ତି ଯାହାଙ୍କୁ ଭୁଲିବା ସମ୍ଭବ ନୁହେଁ। ତାଙ୍କର ନୃତ୍ୟ ଆଉ ଅଭିନୟ ଦେଖିବା ପାଇଁ ଦର୍ଶକମାନେ ଏକଦା ପାଗଳ ଥିଲେ। ତାଙ୍କର ଆକସ୍ମିକ ଦେହାନ୍ତ ପରେ ପ୍ରଶଂସକମାନେ ତାଙ୍କୁ ଭୁଲି ପାରିନାହାନ୍ତି। ୧୩ ଅଗଷ୍ଟ, ୧୯୬୩ରେ ତାମିଲନାଡୁରେ ଶ୍ରୀଦେବୀଙ୍କ ଜନ୍ମ। ଅଶୀ ଦଶକରୁ ନବେ ଦଶକ ଥିଲା ତାଙ୍କ ଅଭିନୟ ଜୀବନର ଏକ ସୁବର୍ଣ୍ଣ ଯୁଗ। ତାମିଲ, ତେଲୁଗୁ, ହିନ୍ଦୀ, ମାଲୟାଲମ୍, କନ୍ନଡ଼ ସିନେମାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଭିତରେ ସ୍ବତନ୍ତ୍ର ସ୍ଥାନଟିଏ ସୃଷ୍ଟି କରିଯାଇଛନ୍ତି। ୧୯୬୭ରେ ସେ ପ୍ରଥମେ ତାମିଲ ଫିଲ୍ମରେ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ। ଶ୍ରୀଦେବୀଙ୍କ ମୂଳ ନାମ ଶ୍ରୀ ଆମ୍ମା ୟଙ୍ଗର୍ ଆୟାପନ୍। ଅଭିନୟ ଜଗତକୁ ଆସିବା ପରେ ତାଙ୍କ ନାମ ପରିବର୍ତ୍ତନ କରିଥିଲେ। ଜିତେନ୍ଦ୍ର-ଶ୍ରୀଦେବୀ ଯୋଡ଼ି ଥିଲା ଖୁବ୍ ଚର୍ଚ୍ଚାରେ। ଜିତେନ୍ଦ୍ରଙ୍କ ବ୍ୟତୀତ ଧର୍ମେନ୍ଦ୍ର, ସନ୍ନି ଦେଓଲ ଓ ଅନୀଲ କପୁରଙ୍କ ବିପକ୍ଷରେ ନାୟିକା ଭାବେ ସେ ଜବରଦସ୍ତ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତ ଲୋକପ୍ରିୟ ହିନ୍ଦୀ ସିନେମା ମଧ୍ୟରେ ରହିଛି ହିମ୍ମତୱାଲା, ବଳିଦାନ, ଘର ସଂସାର, ସୋନେ ପେ ସୁହାଗା, ହିମ୍ମତ ଔର ମେହନତ, ନୟା କଦମ, ମାଷ୍ଟରଜୀ, ଚାନ୍ଦିନୀ, ଚାଲବାଜ, ଜାନ୍ବାଜ, ଲାଡ୍ଲା, ଜୁଦାଇ, ମିଷ୍ଟର ଇଣ୍ଡିଆ, ଲମ୍ହେ, ରୂପ କୀ ରାନୀ ଚୋରେଁା କା ରାଜା, କର୍ମା ଆଦି। ୩୦୦ରୁ ଊର୍ଦ୍ଧ୍ବ ସିନେମାରେ ସେ ଅଭିନୟ କରିଛନ୍ତି। ଶ୍ରୀଦେବୀଙ୍କୁ ୨୦୧୩ରେ ଭାରତ ସରକାରଙ୍କ ଦ୍ବାରା ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ନ୍ୟାସ୍ନାଲ୍ ଫିଲ୍ମ ଆକ୍ଟ୍ରେସ୍ ସମ୍ମାନ ପାଇଛନ୍ତି। ସେ କେବଳ ନାୟିକା ନୁହେଁ ପ୍ରଯୋଜିକା ଭାବେ ମଧ୍ୟ କିଛି ସିନେମା ନିର୍ମାଣ କରିଛନ୍ତି। ୨୪ ଫେବ୍ରୁଆରି, ୨୦୧୮ରେ ଶ୍ରୀଦେବୀଙ୍କ ଦେହାନ୍ତ ହୋଇଯାଇଥିଲା।
ଅନ୍ତର୍ଜାତୀୟ ବାମହାତୀ ଦିବସ
୧୯୯୨ରୁ ପ୍ରତି ବର୍ଷ ଅଗଷ୍ଟ ୧୩ରେ ପାଳିତ ହେଉଛି ‘ଅନ୍ତର୍ଜାତୀୟ ବାମହାତୀ ଦିବସ’। ଏକ ତଥ୍ୟ ମୁତାବକ, ବିଶ୍ବର ମୋଟ ଜନସ˚ଖ୍ୟାର ମାତ୍ର ୧୦ ପ୍ରତିଶତ ବାମହାତୀ। ଏମାନଙ୍କ ମଧ୍ୟରୁ ଅଧିକା˚ଶ ପୁରୁଷ। ମାଆ ଗର୍ଭାବସ୍ଥାରେ ମାତ୍ରାଧିକ ଅବସାଦ ଭୋଗିଲେ, ସନ୍ତାନ ବାମହାତୀ ହେବାର ଆଶଙ୍କା ଅଧିକ ଥାଏ। ବିଶ୍ବର ୨୧ ପ୍ରତିଶତ ଯମଜ ସନ୍ତାନ ବାମହାତୀ। ବାମହାତୀ ମହିଳା ସ୍ତନ କର୍କଟ ଭୋଗିବାର ଆଶଙ୍କା ଅଧିକ। କ୍ବଚିତ୍ ବାମହାତୀ ସୁରାସକ୍ତ ହେଉଥିବା ଦେଖାଯାଏ। ବାମହାତୀ ହେବା ମଣିଷର କାର୍ଯ୍ୟ ଦକ୍ଷତାକୁ ଆଦୌ ପ୍ରଭାବିତ କରେ ନାହିଁ। ଏହାର ଏକ ଉଦାହରଣ ଅଧିକା˚ଶ ବାମହାତୀ କ୍ରିକେଟର୍ ଅତି ଉଚ୍ଚକୋଟୀର ଖେଳାଳି। ଜେରାଲ୍ଡ ଫୋର୍ଡ୍, ରୋନାଲ୍ଡ ରେଗାନ୍, ଜର୍ଜ୍ ଏଚ୍ଡବ୍ଲ୍ୟୁ ବୁସ୍, ବିଲ୍ କ୍ଲିନ୍ଟନ୍ ଓ ବାରାକ୍ ଓବାମା ଆଦି ମାର୍କିନ୍ ରାଷ୍ଟ୍ରପତି ବାମହାତୀ। ବିଶ୍ବ ପ୍ରସିଦ୍ଧ କିଛି ବାମହାତୀ: ଆରିଷ୍ଟଟଲ୍, ଲିଓନାର୍ଡୋ ଡା ଭିନ୍ସି, ହେନ୍ରି ଫୋର୍ଡ୍, ମେରି କ୍ୟୁରି, ନିଲ୍ ଆର୍ମ୍ଷ୍ଟ୍ରଙ୍ଗ୍, ପେଲେ, ପ୍ରିନ୍ସ ଵିଲିଅମ୍, ଅମିତାଭ ବଚ୍ଚନ, ଟମ୍ କ୍ରୁଜ୍। ପ୍ରାଚୀନ କାଳରେ ବାମହାତୀମାନଙ୍କୁ ନିକୃଷ୍ଟ ବିବେଚନା କରାଯାଉଥିଲା। ସେମାନେ ଗୁଣିଗାରେଡ଼ି କରୁଥିବା ଅନ୍ଧବିଶ୍ବାସ ପ୍ରଚଳିତ ଥିଲା। ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ େଵଷ୍ଟ ଭର୍ଜିନିଆର ଏକ ସ୍ଥାନର ନାମ ‘ବାମ ହାତ’ ବା ଇ˚ରେଜୀରେ ‘ଲେଫ୍ଟ ହ୍ୟାଣ୍ତ୍’।