ପ୍ରତିବର୍ଷ ଓଡ଼ିଶାର ନଦୀ, ନାଳ, ପୋଖରୀ, କୂଅ, କେନାଲରେ ବୁଡ଼ି ବହୁ ଲୋକଙ୍କ ଜୀବନ ଯାଉଛି। ମାମୁଲି ଅସାବଧାନତାରୁ ପାଣିକୁ ଗୋଡ଼ ଖସିଯିବାରୁ ଆରମ୍ଭ କରି ଭାସିଯିବା, ବୁଡ଼ିଯିବା, ପାଣି ପିଇଯିବା, କାଦୁଅ ବା ବାଲିରେ ପୋତି ହୋଇଯିବା, ଭଉଁରିକୁ ଟାଣି ହୋଇଯିବା ଇତ୍ୟାଦି ବୁଡ଼ିଯିବାର ମୁଖ୍ୟ କାରଣ। ପହଁରା ଜାଣିଥିଲେ, ଅଘଟଣରୁ ବଞ୍ଚିଯିବା ଆଶା ବହୁତ। ମାତ୍ର ଥରେ ବୁଡ଼ିଗଲେ, ତାଙ୍କୁ ଉଦ୍ଧାର କରିବା କଷ୍ଟକର। ସମୟ ନଷ୍ଟ ନକରି ବୁଡ଼ିଯାଉଥିବା ବ୍ୟକ୍ତିଙ୍କୁ ତତ୍‌କ୍ଷଣାତ୍‌ ଉଦ୍ଧାର କରିବା ଏକ ଭଲ ପଦକ୍ଷେପ। କିନ୍ତୁ ବୁଡ଼ି ଯାଉଥିବା ବ୍ୟକ୍ତିକୁ ଉଦ୍ଧାର କୌଶଳ ସେହି ବ୍ୟକ୍ତି ଜାଣିଥିବା ଦରକାର।
Advertisment
୨୦୨୧ ମସିହାରୁ ପ୍ରତିବର୍ଷ ଜୁଲାଇ ୨୫ ତାରିଖକୁ ମିଳିତ ଜାତିସଂଘ ବୁଡ଼ିମରଣ ନିରାକରଣ ଦିବସ ରୂପେ ପାଳିବାକୁ ନିଷ୍ପତ୍ତି ନେଇଛି। ଗତ ୭ ବର୍ଷରେ କେବଳ ଓଡ଼ିଶାରେ ୧୦ ହଜାରରୁ ବେଶି ବୁଡ଼ି ମରିଛନ୍ତି। ରାଜସ୍ୱ ଓ ପ୍ରାକୃତିକ ବିପର୍ଯୟ ପରିଚାଳନା ବିଭାଗର ଷ୍ଟାଣ୍ଡିଙ୍ଗ କମିଟି ରିପୋର୍ଟ ଅନୁସାରେ, ଗତବର୍ଷ ବୁଡ଼ିଯିବା ଯୋଗୁଁ ମୃତ୍ୟୁସଂଖ୍ୟା, ଯେକୌଣସି ବିପର୍ଯ୍ୟୟର ମୃତ୍ୟୁସଂଖ୍ୟାଠାରୁ ଢେର୍‌ ଅଧିକ। ୨୦୨୨ ମସିହାରେ କେବଳ ଓଡ଼ିଶାରେ ୧୪୭୪ଜଣ ବୁଡ଼ି ମରିଛନ୍ତି। ଅନ୍ୟ ବିପତ୍ତି ବା ବିପର୍ଯ୍ୟୟ ପାଇଁ ନାନାଦି ବ୍ୟବସ୍ଥା ରହିଥିବା ବେଳେ ବୁଡ଼ିମରଣକୁ ରୋକିବା ପାଇଁ କୌଣସି ଅନୁଷ୍ଠାନ, ସରକାରୀ ବା ବେସରକାରୀସ୍ତରରେ ନାହିଁ। ପୁଲିସ ବା ଅଗ୍ନିଶମ ବିଭାଗର ଭୂମିକା କେବଳ ଔପଚାରିକତା ହୋଇ ରହିଯାଇଛି।

publive-image www.google.com

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଣିରେ ବୁଡ଼ି ମୃତ୍ୟୁମୁଖରେ ପଡ଼ିବାକୁ ଗୋଟିଏ ଅଣସଂଚାରିତ ରୋଗ ହିସାବରେ ଗ୍ରହଣ କରିଛନ୍ତି। ଅନ୍ୟ ଭାଷାରେ ଏ ପ୍ରକାର ମୃତ୍ୟୁକୁ ଅଘଟଣ ପୂର୍ବରୁ ରୋକାଯାଇପାରିବ। ଅନୁଧ୍ୟାନରୁ ଜଣାପଡ଼େ, ଛୋଟପିଲା (୧୦ବର୍ଷ ବା କମ୍‌)ମାନେ ବେଶି ମୃତାହତ ହୁଅନ୍ତି। ଘର ପାଖରେ ପାଣି ରହୁଥିବା ଜାଗାରୁ ଆରମ୍ଭ କରି ଅସୁରକ୍ଷିତ ନଦୀ, ନାଳ, ନର୍ଦମା, ପୋଖରୀ ଓ କୂଅ ଇତ୍ୟାଦି ମାନଙ୍କ ସଂସ୍ପର୍ଶ ଆସିବା ଦ୍ୱାରା ପ୍ରାଣହାନି ଆଶଙ୍କା ଅଧିକ ହୋଇଥାଏ। ସ୍କୁଲ ଯାଇ ନଥିବା ବା ଅଙ୍ଗନବାଡି ଯାଉଥିବା ପିଲାମାନଙ୍କ ପାଇଁ ପାଣି ଜାଗାଠାରୁ ଦୂରରେ ନିରାପଦ ସ୍ଥାନ ନିରୂପଣ କରିବାକୁ ପଡ଼ିବ। ଖୋଲା ଡ୍ରେନ୍‌ ବା ପାଣି ଥିବା ସ୍ଥାନକୁ  ପିଲାମାନଙ୍କୁ ନ ଯିବାକୁ ତାଗିଦ କରାଯିବା ଦରକାର। ଅବଶ୍ୟ ଏ ସଂକ୍ରାନ୍ତ ବିଧିବିଧାନ ଆଜି ପର୍ଯ୍ୟନ୍ତ ସ୍ଥିର ହୋଇପାରିନାହିଁ। ପିଲାମାନେ କେମିତି ବାଧ୍ୟତାମୂଳକ ପହଁରା ଶିଖିବେ, ବୁଡ଼ି ଯାଉଥିବା ଲୋକଙ୍କୁ କେମିତି ଉଦ୍ଧାର କରିବେ, ପ୍ରାଥମିକ ଚିକିତ୍ସା ଓ ବିଶେଷଜ୍ଞ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଆର୍ଥିକ ସହାୟତା, ପ୍ରଶିକ୍ଷଣ ଇତ୍ୟାଦି ନିର୍ଧାରଣ କରାଯାଇନାହିଁ। ଫଳରେ ଖରା ଦିନେ, ବର୍ଷା ଦିନେ, ପୂଜା ପାର୍ବଣ, ଉତ୍ସବ ଓ ତୀର୍ଥ ଇତ୍ୟାଦି କଲା ବେଳେ ପାଣିରେ ବୁଡିଯିବା ଭଳି ପରିସ୍ଥିତି ସୃଷ୍ଟି ହୁଏ, ମୃତାହତ ଭଳି ଖବର ମଧ୍ୟ ଆସେ।
ଗତ ଶତାବ୍ଦୀରେ ସାରା ପୃଥିବୀରେ ୨୫ଲକ୍ଷ ବ୍ୟକ୍ତି ବୁଡ଼ି ମରିଥିବାରୁ ମିଳିତ ଜାତିସଂଘ ଚିନ୍ତା ବ୍ୟକ୍ତ କରି ବିଶ୍ୱ ବୁଡ଼ିମରଣ ନିରାକରଣ ଦିବସ ପାଳନ କରୁଛି। ବିଶ୍ୱର ସମସ୍ତ ସରକାରୀ, ବେସରକାରୀ, ସ୍ବେଛାସେବୀ ତଥା ଅନ୍ୟାନ୍ୟ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ଆଗେଇ ଆସି ସଚେତନତା ବ୍ୟାପକ କରିବା ସହ ବୁଡ଼ିମରଣ ଭଳି ଅସ୍ୱାଭାବିକ ଘଟଣା କମେଇବା ପାଇଁ ଆବଶ୍ୟକ ସୁରକ୍ଷା ଓ ନିରାପତ୍ତା ପାଇଁ ଦେଶମାନଙ୍କୁ ଅନୁରୋଧ କରାଯାଉଛି।
ପ୍ରକାଶ ଚନ୍ଦ୍ର ନାୟକ
ମୋବାଇଲ -7827173269