୧୯୭୦ରୁ ପ୍ରତି ବର୍ଷ ଅକ୍ଟୋବର ୯ରେ ପାଳିତ ହେଉଛି ‘ବିଶ୍ୱ ଡାକ ଦିବସ’। ୧୮୭୪ ଏହି ଦିନରେ ସ୍ବିଜର୍ଲାଣ୍ତ୍ର ବର୍ନ୍ରେ ‘ୟୁନିଭର୍ସାଲ୍ ପୋଷ୍ଟାଲ୍ ୟୁନିଅନ୍’ ସ୍ଥାପିତ ହୋଇଥିଲା ଏବ˚ ସେଥି ସହ ବିଶ୍ବ ସ୍ତରରେ ଡାକ ମାଧ୍ୟମରେ ପତ୍ର ଯୋଗାଯୋଗ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆସିଥିଲା। ସୀମା-ସରହଦ ଡେଇଁ ଚିଠି ଦୂର-ଦୂରାନ୍ତରକୁ ଯିବା ଆରମ୍ଭ ହୋଇଥିଲା। ୧୯୬୯ରେ ଟୋକିଓରେ ଅନୁଷ୍ଠିତ ‘ୟୁନିଭର୍ସାଲ୍ ପୋଷ୍ଟାଲ୍ ୟୁନିଅନ୍’ର ଅଧିବେଶନରେ, ଅକ୍ଟୋବର ୯କୁ ‘ବିଶ୍ବ ଡାକ ଦିବସ’ ରୂପେ ପାଳିବା ପାଇଁ ପ୍ରସ୍ତାବ ଦେଇଥିଲେ, ଭାରତୀୟ ପ୍ରତିନିଧି ଆନନ୍ଦ ମୋହନ ନରୁଲା। ତାଙ୍କ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଅନୁମୋଦନ ଲାଭକରିଥିଲା ଏବ˚ ତାହା ପରଠାରୁ ଏହି ଦିବସ ପାଳିତ ହେଉଛି।
ଏହି ଅବସରରେ କିଛି ରୋଚକ ତଥ୍ୟ। ମାର୍କିନ୍ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନ୍ ୧୮୩୩-୩୬ ଯାଏ, ଜଣେ ପୋଷ୍ଟ୍ ମାଷ୍ଟର୍ ଭାବେ କାର୍ଯ୍ୟ କରିଥିଲେ। ଏବର ଇଣ୍ଟର୍ନେଟ୍ ଯୁଗରେ ମଧ୍ୟ ଆମେରିକାରେ ଏ ଭଳି ଏକ ସ୍ଥାନ ଅଛି, ଯେଉଁଠିକି ଚିଠି, ଖଚର ପିଠିରେ ଯାଏ। ସ୍ଥାନଟିର ନାମ ‘ସୁପାଇ’। ଗତ ଶତାବ୍ଦୀର ଆଦ୍ୟ ଭାଗରେ ଆମେରିକାରେ ୨୨.୬ କିଲୋଗ୍ରାମ୍ରୁ କମ୍ ଓଜନର ଶିଶୁଙ୍କୁ ଡାକ ବିଭାଗ ମାଧ୍ୟମରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପଠାଯାଉଥିଲା। ବିଶ୍ବର ସର୍ବାଧିକ ଡାକ ଘର ଆମ ଦେଶରେ ଅଛି। ସେଗୁଡ଼ିକର ସ˚ଖ୍ୟା- ୧,୫୪,୯୧୦। ୧୭୨୭ରେ କୋଲକାତାରେ ଆମ ଦେଶର ପ୍ରଥମ ଡାକ ଘର ସ୍ଥାପିତ ହୋଇଥିଲା। ଆମ ଦେଶର ଡାକ ଘରଗୁଡ଼ିକରେ ୩୩.୦୩ କୋଟି ସଞ୍ଚୟ ଖାତା ଅଛି। ବିଭିନ୍ନ ସଞ୍ଚୟ ଯୋଜନାରେ ଆମ ଦେଶର ଡାକ ଘରଗୁଡ଼ିକରେ ଗଚ୍ଛିତ ଅଛି ୬,୧୯,୩୧୭.୪୪ କୋଟି ଟଙ୍କା। ବିଶ୍ବର ସର୍ବାଧିକ ଉଚ୍ଚତାରେ ଥିବା ଡାକ ଘର ହେଉଛି ହିମାଚଳ ପ୍ରଦେଶ ଅନ୍ତର୍ଗତ ହିକିମ (ସମୁଦ୍ର ପତ୍ତନଠାରୁ ୧୫,୫୦୦ ଫୁଟ୍ ଉଚ୍ଚତାରେ)।