ଆଜି ହେଉଛି ବିଶ୍ବ ସଞ୍ଚୟ ଦିବସ। ଭବିଷ୍ୟତ ପାଇଁ ଅର୍ଥ ସଞ୍ଚୟ କରି ରଖିବା ଉପରେ ଏହି ଦିବସ ଗୁରୁତ୍ବାରୋପ କରିଥାଏ। ସରଳ ଭାବେ କହିଲେ, ସଞ୍ଚୟ ହେଉଛି ଜଣେ ବ୍ୟକ୍ତିର ଖର୍ଚ୍ଚ ହୋଇନଥିବା ରୋଜଗାର। ବିଗତ ବର୍ଷମାନଙ୍କରେ ପିଲାମାନଙ୍କ ମଧ୍ୟରେ ଅଳ୍ପ ବୟସରୁ ଅର୍ଥ ସଞ୍ଚୟ କରିବାର ସଚେତନତା ଖୁବ୍ ବ୍ୟାପିଯାଇଛି। ଭବିଷ୍ୟତରେ ବ୍ୟବହାର ପାଇଁ ବୁଦ୍ଧିମାନ ଭାବରେ ଖର୍ଚ୍ଚ କରିବା ଏବଂ ଦକ୍ଷତାର ସହିତ ଅର୍ଥ ସଞ୍ଚୟ କରିବାର ଆବଶ୍ୟକତା ହେତୁ ଏଇ କେଇ ବର୍ଷ ମଧ୍ୟରେ ଏହି ଦିବସ ପାଳନର ଗୁରୁତ୍ବ ବୃଦ୍ଧି ପାଇଛି।
୧୯୨୪ ମସିହା ଅକ୍ଟୋବର ୨୪ରୁ ୩୦ ଯାଏ ଅନୁଷ୍ଠିତ ପ୍ରଥମ ‘ଆନ୍ତର୍ଜାତିକ ସଞ୍ଚୟ ବ୍ୟାଙ୍କ କଂଗ୍ରେସ’ର ଉଦ୍ଯାପନୀ ଦିବସରେ ନିଷ୍ପତ୍ତି ହୋଇଥିଲା ବିଶ୍ବବ୍ୟାପୀ ସଞ୍ଚୟ ଦିବସ ପାଳନ କରିବା ପାଇଁ । ଏଥି ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟମାନଙ୍କରେ ଏହି ଦିବସ ପାଳନ ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା। ଏହି ଦିବସ ପାଳନ ପଛର ଉଦ୍ଦେଶ୍ୟ ହେଉଛି ସଞ୍ଚୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ବିଭିନ୍ନ ଉପାୟରେ ସଞ୍ଚୟର ମହତ୍ତ୍ବ ଉପରେ ଗୁରୁତ୍ବାରୋପ କରିବା। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି: ‘‘ସଞ୍ଚୟ ମାଧ୍ୟମରେ ନିଜର ଭବିଷ୍ୟତ ଉପରେ ବିଜୟ ହାସଲ କର।’’