ଆଜି ମଧୁସୂଦନ ଦାସଙ୍କ ତିରୋଧାନ ଦିବସ
ଓଡ଼ିଶା ଗଠନର ମୁଖ୍ୟ ବିନ୍ଧାଣି ତଥା ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା ଉତ୍କଳଗୌରବ ମଧୁସୂଦନ ଦାସ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଦୁଇ ବର୍ଷ ପୂର୍ବରୁ ୧୯୩୪ ଫେବ୍ରୁଆରି ଆଜି ଦିନରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଇଂରେଜ ଶାସନ କାଳରେ ଓଡ଼ିଆ ଜାତିକୁ ଆତ୍ମପରିଚିତିର ସଂକଟରୁ ଉଦ୍ଧାର କରିବାରେ ତାଙ୍କର ଭୂମିକା ଅବିସ୍ମରଣୀୟ। ଜଣେ ଓକିଲ, ସାମ୍ବାଦିକ, ଲେଖକ, ବିଧାନ ପରିଷଦ ସଦସ୍ୟ, ରାଜନେତା ଓ ସମାଜ ସଂସ୍କାରକ ଭୂମିକାରେ ସେ ଓଡ଼ିଶାବାସୀଙ୍କର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଉନ୍ନତି ଲାଗି ନିଜ ସମଗ୍ର ଜୀବନକୁ ଉତ୍ସର୍ଗ କରିଦେଇଥିଲେ। କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ୧୮୪୮ ମସିହା ଏପ୍ରିଲ ୨୮ ତାରିଖରେ ମଧୁସୂଦନ ଜନ୍ମ ହୋଇଥିଲେ। ତାଙ୍କ ପିଲାଦିନର ନାମ ଥିଲା ଗୋବିନ୍ଦବଲ୍ଲଭ। କଟକରେ ସ୍କୁଲ୍ ଶିକ୍ଷା ସାରିବା ପରେ ସେ ଉଚ୍ଚଶିକ୍ଷା ପାଇଁ କଲିକତା ଚାଲିଯାଇଥିଲେ। ସେଠାରେ ସେ ପ୍ରଥମ ଓଡ଼ିଆ ଭାବରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ସ୍ନାତକୋତ୍ତର ଓ ଆଇନ ଡିଗ୍ରି ହାସଲ କରିବା ସଙ୍ଗେ ସଙ୍ଗେ ବିଲାତ ଯାତ୍ରା କରିବା, ମନ୍ତ୍ରୀ ତଥା ଜାତୀୟ ନେତା ହେବାରେ ମଧ୍ୟ ସେ ପ୍ରଥମ ଓଡ଼ିଆ ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କ ଉଦ୍ୟମରେ ୧୯୦୩ରେ ‘ଉତ୍କଳ ସମ୍ମିଳନୀ’ ଜନ୍ମ ନେଇଥିଲା। ଓଡ଼ିଆଙ୍କ ହୃଦୟରେ ଦେଶାତ୍ମବୋଧ ଭାବନା ଉଦ୍ରେକ କରିବାକୁ ‘ଉତ୍କଳ ସନ୍ତାନ’, ‘ଜାତି ଇତିହାସ’, ‘ଜନନୀର ଉକ୍ତି’ ଭଳି ଶକ୍ତିଶାଳୀ କବିତା ରଚନା କରିଥିଲେ। ଏହା କ୍ରମେ ରାଜ୍ୟବ୍ୟାପୀ ଆନ୍ଦୋଳନରେ ପରିଣତ ହୋଇଥିଲା। ଏହି ଅନ୍ଦୋଳନର ଫଳସ୍ବରୂପ ୧୯୩୬ ଏପ୍ରିଲ ପହିଲାରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ମିଳିଥିଲା। ଓଡ଼ିଶାରେ ସ୍ବଦେଶୀ ଶିଳ୍ପର ଉନ୍ନତି ପାଇଁ ସେ ‘ଉତ୍କଳ ଟ୍ୟାନେରି’ ଓ ‘ଓଡ଼ିଶା ଆର୍ଟୱେର୍’ ପ୍ରତିଷ୍ଠା କରିଥିଲେ। କଟକର ତାରକସୀ ଶିଳ୍ପକୁ ବିଶ୍ବ ଦରବାରରେ ପରିଚିତ କରିବାରେ ତାଙ୍କର ଅନବଦ୍ୟ ଭୂମିକା ରହିଥିଲା। ବିଚକ୍ଷଣ ଓକିଲାତି ବଳରେ ସେ ପୁରୀ ଶ୍ରୀମନ୍ଦିରକୁ ଇ˚ରେଜ ସରକାରଙ୍କ ଷଡ୍ଯନ୍ତ୍ରରୁ ମୁକ୍ତ କରିପାରିଥିଲେ। ସେ ନାରୀ ସଶକ୍ତୀକରଣ, ଧର୍ମ ନିରପେକ୍ଷତା ଓ ସାଂପ୍ରଦାୟିକ ସଦ୍ଭାବନାର ଜଣେ ମୁଖର ସମର୍ଥକ ଥିଲେ। ନବ ଉତ୍କଳର ଜନକ ତଥା ଓଡ଼ିଆ ସ୍ବାଭିମାନର ପ୍ରତୀକ ଭାବେ କୁଳବୃଦ୍ଧ ମଧୁସୂଦନ ଦାସ ଚିରସ୍ମରଣୀୟ ହୋଇ ରହିବେ।