ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଜୀବନବ୍ୟାପୀ ଅବଦାନ ଲାଗି ବରିଷ୍ଠ ଅଭିନେତା ଜୟୀରାମ ସାମଲଙ୍କୁ ମର୍ଯ୍ୟାଦାଜନକ ‘ମୋହନସୁନ୍ଦର ଦେବ ଗୋସ୍ୱାମୀ’ ପୁରସ୍କାର ଲାଗି ମନୋନୀତ କରାଯାଇଛି। ଓଡ଼ିଆ ସିନେଜଗତର ସୁପ୍ରସିଦ୍ଧ ହାସ୍ୟାଭିନେତା ଜୟୀରାମ ସାମଲ ଘରେ ଘରେ ‘ଜୟୀ’ ଭାବେ ପରିଚିତ। ଓଡ଼ିଆ ଚଳଚ୍ଚିତ୍ରରେ ଷାଠିଏ ଦଶକର ଶେଷଭାଗରୁ ଅଭିନୟ ଯାତ୍ରା ଆରମ୍ଭ କରିଥିବା ଜୟୀ ସ୍ବକୀୟ ଅଭିନୟ ଲାଗି ବହୁବାର ଶ୍ରେଷ୍ଠ ହାସ୍ୟାଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି। ପାଖାପାଖି ୨୦୦ ଓଡ଼ିଆ ସିନେମାରେ ଅଭିନୟ କରିଥିବା ଜୟୀରାମ ସାମଲ ବହୁ ମଞ୍ଚନାଟକ, ଟେଲି-ଧାରାବାହିକ ଓ ଆଲ୍ବମ୍ରେ ମଧ୍ୟ ଅଭିନୟ କରିଛନ୍ତି। କେବଳ ହାସ୍ୟାଭିନୟ ନୁହେଁ, ତାଙ୍କୁ ବହୁ ଚଳଚ୍ଚିତ୍ରରେ ଖଳନାୟକ ଓ ଚରିତ୍ର ଅଭିନୟରେ ମଧ୍ୟ ଦେଖିବାକୁ ମିଳିଛି। ଜୟୀରାମଙ୍କ ଉପରେ ଦୃଶ୍ୟାୟିତ ‘ପାନ ଗୁଆ ଖଇର ଗୁଆକାତି...’, ‘ବାଜି ବାଜି ବାବାଜୀ...’, ‘ମୁଁ କଟକୀ ଲାଲା...’ ଆଦି ଗୀତ ଆଜି ବି ବେଶ୍ ଲୋକପ୍ରିୟ। ଅଭିନୟରେ ପାଞ୍ଚ ଦଶନ୍ଧିରୁ ଊର୍ଦ୍ଧ୍ବ କାଳ ଅତିବାହିତ କରି ଓଡ଼ିଆ ମନୋରଞ୍ଜନ ଶିଳ୍ପକୁ ରୁଦ୍ଧିମନ୍ତ କରିଥିବା ଜୟୀରାମ ସାମଲଙ୍କୁ ‘ସମ୍ବାଦ ରବିବାର’ ପକ୍ଷରୁ ଭେଟିଥିଲେ ଆମ ବରିଷ୍ଠ ପ୍ରତିନିଧି ବିଭୂତି ପତି
ମର୍ଯ୍ୟାଦାଜନକ ‘ମୋହନସୁନ୍ଦର ଦେବ ଗୋସ୍ୱାମୀ’ ପୁରସ୍କାର ଲାଗି ଆପଣଙ୍କୁ ମନୋନୀତ କରାଯିବା ପରେ ଆପଣଙ୍କ ପ୍ରଥମ ପ୍ରତିକ୍ରିୟା କ’ଣ ରହିବ?
ରାଜ୍ୟର ଅଗ୍ରଣୀ ସମ୍ବାଦପତ୍ର ‘ସମ୍ବାଦ’ ପକ୍ଷରୁ ମୋତେ ସର୍ବପ୍ରଥମେ ସାକ୍ଷାତ୍ କରି ମୋର ମତାମତ ନେଉଥିବାରୁ ଆପଣଙ୍କୁ ଓ ‘ସମ୍ବାଦ’ ପରିବାରକୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ଓଡ଼ିଶାର ଜନସାଧାରଣ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ମୋତେ ଯେଉଁ ସ୍ନେହଆଦର ଓ ସମ୍ମାନ ଦେଇଛନ୍ତି ସେଥିପାଇଁ ସେମାନଙ୍କୁ କୃତଜ୍ଞତା ଜ୍ଞାପନକରୁଛି। ଏଥିସହିତ ଓଡ଼ିଶାର ପ୍ରତିଟି କଳାକାରଙ୍କୁ ଧନ୍ୟବାଦ ଦେଉଛି, କାରଣ ସେହିମାନଙ୍କ ଯୋଗୁଁ ଓଡ଼ିଆ ଚଳଚ୍ଚିତ୍ର ଉନ୍ନତି ପଥରେ ଆଗେଇ ପାରିଛି।
ଏହି ପୁରସ୍କାର ଆପଣଙ୍କୁ ଢେର୍ ଆଗରୁ ମିଳିବାର ଥିଲା ବୋଲି ଭାବୁଛନ୍ତି କି? ମନରେ ସେଭଳି କିଛି ଦୁଃଖ ରହିଛି କି?
ଅଭିନୟ ଜରିଆରେ ମନୋରଞ୍ଜନ ଖୋରାକ ଯୋଗାଇବା ଉପରେ ମୁଁ ସବୁବେଳେ ପ୍ରାଧାନ୍ୟ ଦେଇ ଆସିଥାଏ। ତେଣୁ ପୁରସ୍କାର ନପାଇଲେ ଦୁଃଖ କରିବି କାହିଁକି? ମୋତେ କୌଣସି ପୁରସ୍କାର ମିଳିଲେ ମୋର ପ୍ରାଣପ୍ରିୟା ପତ୍ନୀ କହୁଥିଲେ, ଏଗୁଡ଼ାକ କ’ଣ ହେବ? ସେ କହନ୍ତି- ତମ ସଙ୍ଗରେ ସ୍କୁଟର ପଛରେ ବସି ଗଲାବେଳେ କଟକର ଗଳିକନ୍ଦିରେ ଲୋକମାନେ ଯେତେବେଳେ ‘ଜୟୀଭାଇ ନମସ୍କାର’ କହି ଡାକିଦିଅନ୍ତି, କେହି କେହି ‘ଭାଉଜ ନମସ୍କାର’ ବୋଲି କହନ୍ତି, ସେତେବେଳର ଖୁସି ମୋ ପାଇଁ ବଡ଼। ଛକରେ ଛିଡ଼ାହେଲା ବେଳେ ଟୋକାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଜୟୀଭାଇ ଚା ଟିକେ ହେଉ କିମ୍ବା ପାନଖଣ୍ଡେ ନିଅ ବୋଲି ଯେତେବେଳେ କହନ୍ତି, ସେତେବେଳେ ମୁଁ ଭାବେ ଏହାଠାରୁ ବଡ଼ ସମ୍ମାନ ଆଉ କ’ଣ ଅଛି? ତେଣୁ ଦୁଃଖର ପ୍ରଶ୍ନ ଆସିଲା କେଉଁଠୁ? କିନ୍ତୁ ଏହା ସତକଥା ଯେ ଏଭଳି ସମ୍ମାନ ଓ ପୁରସ୍କାର ଜଣେ କଳାକାରକୁ ଆଗକୁ ବଢ଼ିବାରେ ପ୍ରେରଣା ଯୋଗାଏ ଏବଂ ଅନ୍ୟ କଳାକାରଙ୍କୁ ଅନୁପ୍ରାଣିତ କରେ।
ପୁରସ୍କାର ଦେବାରେ ଓଡ଼ିଶା ସରକାର ବିଳମ୍ବ କରିଛନ୍ତି କି?
ନିଶ୍ଚିତ, ଏଥିରେ ଦ୍ବିମତ ନାହିଁ। କିନ୍ତୁ ମନରେ ଟିକିଏ ବି ଦୁଃଖ କିମ୍ବା ଅନୁଶୋଚନା ନାହିଁ, କିନ୍ତୁ ଭରପୂର କ୍ଷୋଭ ରହିଛି। ଯେଉଁ ସମୟରେ ମୋତେ ଏହି ସମ୍ମାନ ଓ ପୁରସ୍କାର ମିଳିବ ବୋଲି ଭାବିଥିଲି ସେତେବେଳେ ମିଳି ନଥିଲା। ତତ୍କାଳୀନ ରାଜ୍ୟ ସରକାରମାନେ ମୋତେ ଅଣଦେଖା କରିଥିଲେ- ଏକଥା ମୁଁ ଛାତିରେ ହାତଦେଇ କହିବି। ଆଜି କିନ୍ତୁ ପ୍ରତିଟି କଟକିଆ ଏବଂ ସାରା ଓଡ଼ିଶାର ଜନସାଧାରଣ ଯେପରି ଖୁସିରେ ମୋତେ ଫୋନ୍ କରି ଶୁଭେଚ୍ଛା ଜଣାଉଛନ୍ତି, ସେଥିପାଇଁ ମୁଁ ଗର୍ବିତ। ବିଳମ୍ବରେ ହେଲେ ମଧ୍ୟ ବର୍ତ୍ତମାନର ନୂଆ ରାଜ୍ୟ ସରକାର ଜଣେ କଳାକାରର ପ୍ରତିଭାକୁ ଚିହ୍ନି ତାକୁ ପୁରସ୍କୃତ କରିଛନ୍ତି। ସେଥିପାଇଁ ମଧ୍ୟ ମୁଁ ବହୁତ ଖୁସି।
ଆପଣଙ୍କୁ ଓଡ଼ିଆ ଚଳଚ୍ଚିତ୍ରର ସର୍ବୋଚ୍ଚ ପୁରସ୍କାର ମିଳିବାକୁ ଯାଉଛି। ସେଥିଲାଗି କାହାକୁ ଶ୍ରେୟ ଓ ଧନ୍ୟବାଦ ଦେବେ?
ପ୍ରତିଟି ଓଡ଼ିଆ ଏହି ପୁରସ୍କାରର ଶ୍ରେୟ ପାଇବାକୁ ହକ୍ଦାର। କାରଣ, ପ୍ରଥମରୁ ସେହିମାନଙ୍କ ଭଲପାଇବା ଓ କରତାଳି ମୋତେ ଆଜି ଏହି ପୁରସ୍କାର ବା ସମ୍ମାନ ପାଇବାକୁ ଯୋଗ୍ୟ କରିଛି। ଓଡ଼ିଆ ଦର୍ଶକଙ୍କ ବିନା ମୁଁ କିଛି ନୁହେଁ। ମୋ ପ୍ରତିଭାକୁ ସେମାନେ ଆଗକୁ ବଢ଼ାଇଛନ୍ତି ଏବଂ ଏହି ପୁରସ୍କାର ପାଇବାକୁ ମୋତେ ଯୋଗ୍ୟ କରିଛନ୍ତି। ବାସ୍ତବରେ ସେହିମାନେ ହିଁ ମୋର ସବୁ ସଫଳତାର ଶ୍ରେୟ ପାଇବାକୁ ଯୋଗ୍ୟ। ତେବେ ମୁଁ ଓଡ଼ିଶାର ନୂତନ ସରକାର ଓ ସମସ୍ତ ବିଚାରକଙ୍କୁ ଧନ୍ୟବାଦ ଦେବା ସହିତ ସମସ୍ତଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି।
ଓଡ଼ିଆ ସିନେଜଗତରେ ବର୍ତ୍ତମାନ ବିବାଦ ଓ ବ୍ୟକ୍ତିଗତ ଆକ୍ଷେପପ୍ରତିଆକ୍ଷେପ ଚାଲିଛି। ଏହାକୁ ନେଇ କ’ଣ କହିବେ?
କରୋନା କାଳ ମୋତେ ଯେତିକି କଷ୍ଟ ଦେଇ ନଥିଲା, ବର୍ତ୍ତମାନର ବିବାଦ, ବ୍ୟକ୍ତିଗତ ଆକ୍ଷେପ - ପ୍ରତିଆକ୍ଷେପ ତା’ଠାରୁ ଅଧିକ କଷ୍ଟ ଦେଉଛି। ଦୀର୍ଘ ବର୍ଷ ଧରି ଲହୁଲୁହ ଦେଇ ଆମେ ଯେଉଁ ଘରସଂସାର ଗଢ଼ିଥିଲୁ ତାକୁ ଆଜି କେତେକ ବ୍ୟକ୍ତି ଭାଙ୍ଗି ଧ୍ବଂସ କରୁଛନ୍ତି। ଏହା ଓଡ଼ିଆ ଚଳଚ୍ଚିତ୍ର ପାଇଁ ନିନ୍ଦା ଓ ଅପବାଦ ଆଣୁଛି। ଏଥିରୁ ସମସ୍ତେ କ୍ଷାନ୍ତ ହେବା ଦରକାର। ଅନ୍ୟର ଧନ୍ଦାରେ ମୁଣ୍ଡ ନଖେଳାଇ ନିଜେ ଭଲ ଚଳଚ୍ଚିତ୍ର ପ୍ରସ୍ତୁତ କରି ତାକୁ ଭାରତର କୋଣଅନୁକୋଣରେ ପ୍ରସିଦ୍ଧ କରାଇ ଓଡ଼ିଶା ପାଇଁ ମାନସମ୍ମାନ ଆଣିବା ଦିଗରେ ଉଦ୍ୟମ କରିବା ଆବଶ୍ୟକ। ଯଦି କେହି ଜଣେ ସିନେମା ଖରାପ କରୁଛି, ତା’ କଥା ସେ ବୁଝିବ। କିଛି ଦିନପରେ ଦର୍ଶକମାନଙ୍କ ଦ୍ୱାରା ଅଗ୍ରହଣୀୟ ହୋଇ ସେ ନିଜ ରାସ୍ତା ଦେଖିବ। ଆମେ ତାକୁ ବାରମ୍ବାର ଖରାପ ଖରାପ କହିବାର ଆବଶ୍ୟକତା ଥିବା କଥା ମୋର ମନେହୁଏ ନାହିଁ। ବ୍ୟକ୍ତିଗତ ସ୍ତରରେ ସମାଲୋଚନା ନହେବା ଭଲ। ଯଦିବା କେହି ସମାଲୋଚନା କରେ ଆକ୍ରୋଶ ରଖି ତାକୁ ପ୍ରତିଆକ୍ରମଣ କରିବା ଯଥାର୍ଥ ନୁହେଁ। ଶେଷରେ ଏତିକି କହିବି, ଦର୍ଶକ ହିଁ ଶ୍ରେଷ୍ଠ ବିଚାରକ।
ସିନେକଳାକାରଙ୍କ ସୁବିଧା ଏବଂ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ବିକାଶ ଲାଗି ରାଜ୍ୟ ସରକାରଙ୍କ ପାଇଁ ଆପଣଙ୍କର କିଛି ପ୍ରସ୍ତାବ ଅଛି କି?
ବର୍ତ୍ତମାନ ଓଡ଼ିଶାରେ ସିନେମା ହଲ୍ସଂଖ୍ୟା ବହୁତ କମ୍। ପୁଣି ସାଧାରଣ ଲୋକ ଦେଖିବା ଭଳି ହଲ୍ସଂଖ୍ୟା ବି କମିଯାଉଛି। ଅତ୍ୟାଧୁନିକ ପ୍ରେକ୍ଷାଳୟରେ ବସି ସାଧାରଣ ଓଡ଼ିଆ ଦର୍ଶକ ଏତେ ଅଧିକ ଅର୍ଥ ବ୍ୟୟ କରିବାକୁ ସକ୍ଷମ ନୁହନ୍ତି। ସାଧାରଣ ଓଡ଼ିଆ ଦର୍ଶକ କିପରି ଅଧିକରୁ ଅଧିକ ଓଡ଼ିଆ ସିନେମା ଦେଖିପାରିବେ, ସେଥିପ୍ରତି ଧ୍ୟାନ ଦେଇ ନୂତନ ପ୍ରେକ୍ଷାଳୟ ନିର୍ମାଣ ଉପରେ ଗୁରୁତ୍ବ ଦେବାକୁ ମୁଁ ମୋହନ ମାଝୀ ସରକାରଙ୍କୁ ଅନୁରୋଧ କରୁଛି। ଏହାସହିତ ଅବସରପ୍ରାପ୍ତ କଳାକାରଙ୍କୁ ‘ଗ୍ରେଡେସନ୍’ଭିତ୍ତିରେ ଭତ୍ତା ପ୍ରଦାନ କରିବାକୁ ଅନୁରୋଧ କରୁଛି। ଏହି ବ୍ୟବସ୍ଥା ଯଥାଶୀଘ୍ର କାର୍ଯ୍ୟକାରୀ କରିବା ଜରୁରି। ଏହା ସହିତ ନୂତନ ପିଢ଼ିର ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକମାନଙ୍କୁ ଚଳଚ୍ଚିତ୍ର ନିର୍ମାଣ ଲାଗି ଅଧିକରୁ ଅଧିକ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବାର ଯଥେଷ୍ଟ ଆବଶ୍ୟକତା ରହିଛି। ମୋର ଆଶା ଓ ବିଶ୍ୱାସ, ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୋ ଅନୁରୋଧ ରଖିବାକୁ ପଦକ୍ଷେପ ଗ୍ରହଣ କରିବେ।