ଭାରତର ନବମ ପ୍ରଧାନମନ୍ତ୍ରୀ ପି. ଭି. ନରସିଂହ ରାଓ ୧୯୨୧ ମସିହା ଜୁନ୍ ୨୮ ତାରିଖରେ ଆନ୍ଧ୍ରପ୍ରଦେଶର ୱାରାଙ୍ଗଲ ଜିଲ୍ଲା (ଏବେର ତେଲେଙ୍ଗାନା ଅନ୍ତର୍ଗତ)ରେ ଜନ୍ମଗ୍ରହଣ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଭାଷାରେ ସେ ଥିଲେ ଭାରତରେ ଅର୍ଥନୈତିକ ସଂସ୍କାରର ଜନକ। ସେ ଓସ୍ମାନିଆ ଓ ନାଗପୁର ବିଶ୍ବବିଦ୍ୟାଳୟରୁ ଶିକ୍ଷାଲାଭ କରିଥିଲେ। କିଛି ବର୍ଷ ଏକ ତେଲୁଗୁ ସାପ୍ତାହିକ ପତ୍ରିକାର ସଂପାଦନା କରିବା ସହିତ ୧୯୬୮ରୁ ୧୯୭୪ ପର୍ଯ୍ୟନ୍ତ ସେ ତେଲୁଗୁ ଏକାଡେମୀ, ଆନ୍ଧ୍ରପ୍ରଦେଶର ଅଧ୍ୟକ୍ଷ ଦାୟିତ୍ବ ତୁଲାଇଥିଲେ। ସ୍ବାଧୀନତା ଆନ୍ଦୋଳନରେ ଭାଗ ନେଇଥିବା ସ୍ବର୍ଗତ ରାଓ ପରବର୍ତ୍ତୀ ସମୟରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ୧୯୭୧ରେ ସେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇ ଭୂସଂସ୍କାର ଓ ସିଲିଂ ନିୟମ କଡ଼ାକଡ଼ି ଭାବେ ଲାଗୁ କରିଥିଲେ। ପରେ ଲୋକସଭାକୁ ନିର୍ବାଚିତ ହୋଇ ସେ କେନ୍ଦ୍ରରେ ବୈଦେଶିକ ବ୍ୟାପାର, ଗୃହ, ପ୍ରତିରକ୍ଷା ଏବଂ ମାନବ ସମ୍ବଳ ବିକାଶ ଆଦି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଥିଲେ। ୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଧାନମନ୍ତ୍ରୀ ହେବାରେ ସେ ଅଣହିନ୍ଦୀ ଅଞ୍ଚଳରୁ ଦ୍ବିତୀୟ ଏବଂ ଦକ୍ଷିଣ ଭାରତରୁ ପ୍ରଥମ ବ୍ୟକ୍ତି। ନେହରୁ-ଗାନ୍ଧୀ ପରିବାର ବାହାରୁ ପ୍ରଧାନମନ୍ତ୍ରୀ ହେବାରେ ସେ ପ୍ରଥମ ବ୍ୟକ୍ତି। ସଂଖ୍ୟାଗରିଷ୍ଠତା ନ ଥିଲେ ସୁଦ୍ଧା ସେ ନିଜର ବୁଦ୍ଧି ବଳରେ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିଥିଲେ। ଦେଶର ଅର୍ଥନୀତିରେ ଉଦାରବାଦୀ ସଂସ୍କାର ଆଣିବାରେ ତାଙ୍କର ବିଶେଷ ଅବଦାନ ରହିଛି। ସେ ମନମୋହନ ସିଂହଙ୍କୁ ଅର୍ଥମନ୍ତ୍ରୀ ଦାୟିତ୍ବ ଦେଇଥିଲେ। ସେ ଦେଶର ପରମାଣୁ ଅଭିଯାନର ମୂଳଦୁଆ ପକାଇଥିଲେ। ସତରଟି ଭାଷାରେ ସେ କଥାବାର୍ତ୍ତା କରିପାରୁଥିଲେ। ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ତାଙ୍କର ବିଶେଷ ରୁଚି ରହିଥିଲା। ତେଲୁଗୁ, ମରାଠୀ ଓ ହିନ୍ଦୀ ଭାଷାର କିଛି ଉଲ୍ଲେଖନୀୟ ସୃଷ୍ଟିର ସେ ଅନୁବାଦ କରିଛନ୍ତି। ତାଙ୍କ ଆତ୍ମଜୀବନୀର ନାମ ‘ଦି ଇନ୍ସାଇଡର୍’। ୨୦୦୪ ଡିସେମ୍ବର ୨୩ରେ ପି. ଭି. ନରସିଂହ ରାଓଙ୍କ ତିରୋଧାନ ହୋଇଥିଲା।