ସାହିତ୍ୟ-ରାଜନୀତି-ସାମ୍ବାଦିକତାର ସମନ୍ବିତ ସାଧକ ସୁରେନ୍ଦ୍ର ମହାନ୍ତି ଆଜକୁ ୧୦୧ ବର୍ଷ ତଳେ କଟକର ପୁରୁଷୋତ୍ତମପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ସ୍ବାଧୀନତା ପରବର୍ତ୍ତୀ କାଳର ଜଣେ ଲବ୍ଧପ୍ରତିଷ୍ଠିତ କଥାଶିଳ୍ପୀ ଯିଏ ଏକାଧାରରେ ଥିଲେ ଜଣେ ଗାଳ୍ପିକ, ଔପନ୍ୟାସିକ, ପ୍ରାବନ୍ଧିକ, ସମାଲୋଚକ, ଭ୍ରମଣବୃତ୍ତାନ୍ତ ଲେଖକ, ସାମ୍ବାଦିକ ଓ ରାଜନେତା। ଅର୍ଦ୍ଧ ଶତାବ୍ଦୀ ଧରି ସେ ଗଦ୍ୟ ସାହିତ୍ୟର ସମସ୍ତ ବିଭାଗରେ ଅବିରତ ଲେଖନୀ ଚାଳନା କରି ଅନନ୍ୟ ସାରସ୍ବତ ପ୍ରତିଭାର ପରିଚୟ ଦେଇଥିଲେ। ୧୯୩୮ରେ ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ତାଙ୍କର ପ୍ରଥମ ଗଳ୍ପ ‘ବନ୍ଦୀ’ ପ୍ରକାଶ ପାଇଥିଲା। ତାଙ୍କର ପ୍ରଥମ ନାଟକ ‘ପୃଥ୍ବୀବଲ୍ଲଭ’, ପ୍ରଥମ କବିତା ‘ବୁଲା ଷଣ୍ଢ’ ଏବ˚ ପ୍ରଥମ ପ୍ରକାଶିତ ଉପନ୍ୟାସ ‘କଲେଜ ବୟ’। ‘ନୀଳଶୈଳ’, ‘ନୀଳାଦ୍ରି ବିଜୟ’, ‘କୃଷ୍ଣାବେଣୀରେ ସନ୍ଧ୍ୟା’, ‘ଅନ୍ଧ ଦିଗନ୍ତ’ ଆଦି ତାଙ୍କର ଲୋକପ୍ରିୟ ଉପନ୍ୟାସ। ଏହା ଛଡ଼ା ‘ଶତାବ୍ଦୀର ସୂର୍ଯ୍ୟ’ ଓ ‘କୁଳବୃଦ୍ଧ’ ତାଙ୍କର ଦୁଇଟି ଗୁରୁତ୍ବପୂର୍ଣ୍ଣ ଗ୍ରନ୍ଥ। ତାଙ୍କର ଜୀବନସ୍ମୃତି ‘ପଥ ଓ ପୃଥିବୀ’ ଓଡ଼ିଆ ଭାଷାର ଏକ ଉତ୍କୃଷ୍ଟ ପୁସ୍ତକ ରୂପେ ଗୃହୀତ।
୧୯୫୨-୫୬ ମଧୢରେ ସେ ରାଜ୍ୟସଭା ସା˚ସଦ ଥିଲେ। ୧୯୫୬ ଓ ୧୯୭୧ରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୧ରୁ ୧୯୮୭ ପର୍ଯ୍ୟନ୍ତ ସେ ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ଥିଲେ। ଇ˚ରେଜୀ ଦୈନିକ ‘ନିୟୁ ଓଡ଼ିଶା’ରୁ ସୁରେନ୍ଦ୍ର ମହାନ୍ତିଙ୍କ ସାମ୍ବାଦିକତା ଜୀବନ ଆରମ୍ଭ ହୋଇଥିଲା ଓ ‘କଳିଙ୍ଗ’ର ସେ ଏକଦା ସଂପାଦକ ଥିଲେ। ୧୯୮୪ ମସିହାରେ ‘ସମ୍ବାଦ’ର ପ୍ରଥମ ସ˚ପାଦକ ଭାବେ ସେ ଯୋଗ ଦେଇଥିଲେ। ‘ସବୁଜ ପତ୍ର ଓ ଧୂସର ଗୋଲାପ’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ଏବ˚ ‘ନୀଳଶୈଳ’ ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ମିଳିଥିଲା। ଓଡ଼ିଆ ସାହିତ୍ୟର ଏହି କାଳଜୟୀ ସ୍ରଷ୍ଟା ୧୯୯୦ ଡିସେମ୍ବର ୨୧ରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।